Unknown

 

 

 

 

 

 

 

 

 

ବୁଲା ଫକୀର

ଚିନ୍ତାମଣି ମହାନ୍ତି

 

ପ୍ରଥମ ପରିଚ୍ଛେଦ

 

ସୁନ୍ଦରପୁର ଗୋଟିଏ ସୁନ୍ଦର ଗ୍ରାମ । ତାହାର ନାମ ଯେପରି ମଧୁର, ପ୍ରାକୃତିକ ଦୃଶ୍ୟ ସେହିପରି ରମଣୀୟ । ତାହାର ଉତ୍ତର ଏବଂ ଦକ୍ଷିଣ ସୀମାରେ ବିରୁପାକ୍ଷୀ ଏବଂ ସୁରୁପାକ୍ଷୀ ନାମରେ ଦୁଇଟି କ୍ଷୁଦ୍ର ନଦୀ ପ୍ରବାହିତ ହୁଏ । ପୂର୍ବ ଓ ପଶ୍ଚିମରେ ବିସ୍ତୃତ ପ୍ରାନ୍ତର ଏବଂ ତହିଁପରେ ଅରଣ୍ୟ । ପ୍ରକୃତିରାଣୀ ଏହି ଗ୍ରାମ ଖଣ୍ଡିକୁ ଆଦରିଣୀ କନ୍ୟା ତୁଲ୍ୟ କୋଳରେ ଘେନି ବସିଅଛନ୍ତି । ଗ୍ରାମର ନିକଟ ଶୋଭା ଅପେକ୍ଷା ଦୂର ଶୋଭା ଆହୁରି ନେତ୍ରପ୍ରୀତିକର । ଦୂରତ୍ୱ ସିନା ଦୃଶ୍ୟକୁ ପ୍ରାଣ ଦାନ କରି ସୌନ୍ଦର୍ଯ୍ୟ କୁହୁକରେ ମଣ୍ଡିତ କରେ ! ଗ୍ରାମଟି ଗ୍ରାମ୍ୟ ସମ୍ପଦ ଏବଂ ଆଧ୍ୟତ୍ମିକ ସମ୍ପଦର ଆଳୟ । ଜ୍ଞାନ ଗହଳରେ ଥାଏ ନାହିଁ, ଗହନରେ ଥାଏ । ଗ୍ରାମରେ ନାନା ଜାତୀୟ ଲୋକେ ବାସ କରନ୍ତି । ସେମାନଙ୍କର ସୁଖଶାନ୍ତିମୟ ଆନନ୍ଦ ଜୀବନ ନାଗିରିକ ପକ୍ଷରେ ଲୋଭନୀୟ । ବାସ୍ତବରେ ପଲ୍ଲି ଗ୍ରାମଗୁଡ଼ିକ ଲୋକାଳୟ ହେଲେ ହେଁ, ତାହା ଶାନ୍ତିର ଶାନ୍ତିନିଳୟ, ସାଧନାର ସ୍ୱର୍ଗ, ସୁଖ ଓ ଆନନ୍ଦର ପବିତ୍ର ତୀର୍ଥ ।

 

ପୁରନ୍ଦର ମହାପାତ୍ର ସେହି ଗ୍ରାମର ଜଣେ ସଙ୍ଗତି ସମ୍ପନ୍ନ ଅଧିବାସୀ । ତାଙ୍କର ବିଷୟ ବାଡ଼ି ଯଥେଷ୍ଟ ଅଛି । ମହାପାତ୍ରେ ଜାତିରେ କରଣ । ସେ ବଂଶାନୁକ୍ରମିକ ଧନୀ ନୁହନ୍ତି ଏକପୁରୁଷା ଧନୀ । ପବିତ୍ର ସତ୍‌ ବ୍ୟବସାୟଦ୍ୱାରା ସେ ବହୁ ଅର୍ଥ ଉପାର୍ଜନ କରିଥିଲେ । ଟଙ୍କା ତ ରହିବା ପଦାର୍ଥ ନୁହେଁ–ସେ ଯିବାପାଇଁ ଆସେ । ଅର୍ଥଶାସ୍ତ୍ରର ଏ ସୂକ୍ଷ୍ମ ତତ୍ତ୍ୱରେ ମହାପାତ୍ରେ ଖୁବ୍‌ ବିଶାରଦ ଥିଲେ । ସୁତରାଂ ଉପାର୍ଜିତ ଅର୍ଥରେ ସେ ଅନେକ ଭୂସମ୍ପତ୍ତି କିଣି ପକାଇଥିଲେ । ବର୍ତ୍ତମାନ ତାହାରି ରକ୍ଷଣାବେକ୍ଷଣ କରନ୍ତି । ଆବାଲ୍ୟ ଦାରିଦ୍ର୍ୟ ସଙ୍ଗରେ ବିପୁଳ ସଂଗ୍ରାମ କରି କେବଳ ଆତ୍ମପ୍ରଚେଷ୍ଟା, ସ୍ୱାବଲମ୍ୱନ ଏବଂ କର୍ତ୍ତବ୍ୟନିଷ୍ଠା ଗୁଣରେ ମାନବ କିପରି ଆତ୍ମୋନ୍ନତି କରିପାରେ, କିପରି କର୍ମମୟ ଜୀବନ ସମୁଜ୍ଜଳ କରିପାରେ ଏବଂ କିପରି ବା ସାଫଲ୍ୟ-ଗୌରବରେ ମଣ୍ଡିତ ହୋଇପାରେ, ମହାପାତ୍ରେ ସେଥିର ଜୀବନ୍ତ ଦୃଷ୍ଟାନ୍ତର ସ୍ଥଳ । ସଦ୍‌ଗୁଣ ଏବଂ ସଚ୍ଚରିତ୍ରତା ତାଙ୍କୁ ସମସ୍ତଙ୍କଠାରେ ସମାଦୃତ କରାଇଥିଲା । ସେହି ଉଭୟ ବଳରେ ସେ ସମସ୍ତଙ୍କର ଭକ୍ତିପ୍ରୀତି-ଆକର୍ଷଣରେ ସମର୍ଥ ହୋଇଥିଲେ । ନିଜର ପ୍ରାଣ ବିୟୋଗରେ ଯଦି କାହାରି ପ୍ରାଣ ରକ୍ଷା ହୁଏ, ତେବେ ସେ ତାହା କରିବାକୁ କୁଣ୍ଠିତ ବା ଅନିଚ୍ଛୁକ ନୁହନ୍ତି । ଧର୍ମରେ ତାଙ୍କର ଅଚଳା ମତି । ସତ୍ୟ, ଦୟା, କ୍ଷମା ଏବଂ ପରୋପକାରିତା ତାଙ୍କ ସ୍ୱଭାବକୁ ମାଧୁରି-ମଣ୍ଡିତ କରିଥିଲା । ତାଙ୍କର ଏତେ ଥିଲେ ସୁଦ୍ଧା ସେ ପ୍ରାଣରେ ଗୋଟାଏ ଅଭାବ ଏବଂ ଶୂନ୍ୟତା ସର୍ବଦା ଅନୁଭବ କରୁଥିଲେ । ସେଥିରେ କାରଣ ସେ ଅପୁତ୍ରିକ । ବାସ୍ତବରେ ଗୃହସ୍ଥ ପକ୍ଷରେ ଅପୁତ୍ରିକ ହେବାଠାରୁ ଦୁଃଖ ଆଉ ନାହିଁ । ସେ ଦୁଃଖ ଜୀବନକୁ ବିଫଳ କରିଦିଏ । ସର୍ବ ସୁଖରେ ସୁଖୀ ହୋଇ ସୁଦ୍ଧା ପୁତ୍ରାଭାବରେ ସେ ସୁଖ ଅପୂର୍ଣ୍ଣ ଏବଂ ବିଷାକ୍ତ ବୋଧହୁଏ ।

 

ମହାପାତ୍ରଙ୍କର ଗୋଟିଏ ମାତ୍ର କନ୍ୟା । କନ୍ୟାଟିର ନାମ ଜାନକୀ । ସେ ପିତାମାତାଙ୍କର ଜୀବନମଣି । କନ୍ୟାଟି ଖୁବ୍‌ ସୁନ୍ଦରୀ । ଏକମାତ୍ର କନ୍ୟା ହେତୁ ପିତାମାତା ତାହାକୁ ଅତିରିକ୍ତ ସ୍ନେହ କରନ୍ତି । ଥାରେ କହନ୍ତି, ‘‘ଯାହାର ପୁଅ ନାହିଁ, ସେ ଝିଅକୁ ବାପ ବୋଲି ଡାକେ ।’’ ଅଲଣା ଜୀବନ ଝିଅଟାକୁ ଏତେ ସ୍ନେହ କରିବାର ଦେଖି ଅନେକେ ଶ୍ଳେଷ ବିଦ୍ରୁପ କରନ୍ତି । କେହି କେହି କହନ୍ତି, ‘ମହାପାତ୍ର ଘର ଜାନକୀ ଯେପରି ଗେହ୍ଲା, ଜଣେ ରାଜପୁତ୍ର ବି ସେପରି ଗେହ୍ଲା ହେବ ନାହିଁ ।’ ଏସବୁ କଥାରେ ମହାପାତ୍ରଦମ୍ପତି କର୍ଣ୍ଣଦାନ କରନ୍ତି ନାହିଁ । ବାସ୍ତବରେ ସମସ୍ତଙ୍କ କଥା ଶୁଣିବାକୁ ଗଲେ ସଂସାରର ଅନେକ ଆକାଙ୍‌କ୍ଷା ପୂର୍ଣ୍ଣ ହେବ ନାହିଁ । ଲୋକେ ସିନା କହିବେ; ମାତ୍ର କେହି ତ ଆଉ ତାଙ୍କ ହୃଦୟର ହାହାକାର ନିବାରଣ କରି ପାରିବ ନାହିଁ । ତେବେ କାହା କଥାରେ ଯାଏ କେତେ ବା ଆସେ କେତେ ? ପିତାମାତା ଅତିରିକ୍ତ ସ୍ନେହ କରନ୍ତି ସତ; ମାତ୍ର ଅତିରିକ୍ତ ସ୍ନେହର ଅବଶ୍ୟମ୍ଭାବୀ ଫଳ ଅବାଧ୍ୟତାର ବ୍ୟଥା ସେମାନଙ୍କୁ ସହ୍ୟ କରିବାକୁ ହୁଏ ନାହିଁ; ଯେହେତୁ କନ୍ୟାର ପ୍ରକୃତି ଖୁବ୍‌ ଶାନ୍ତ ଓ ଶୀତଳ । ଜାନକୀ ଖାଲି ସୁନ୍ଦରୀ ନୁହେ, ନାନା ଗୁଣରେ ଗୁଣବତୀ । ଫୁଲରେ ଖାଲି ସୌନ୍ଦର୍ଯ୍ୟ ଥାଏ ନାହିଁ–ସୌରଭ ସୁଦ୍ଧା ଥାଏ । ସେହି ସୌରଭ ସେହି ସୌନ୍ଦର୍ଯ୍ୟର ସ୍ୱର୍ଗୀୟ ଅଳଙ୍କାର । ଦୁଇବର୍ଷ ହେଲା ଜାନକୀର ବିବାହ ହୋଇଯାଇଅଛି । ମହାପାତ୍ରେ ଧନୀ ଘରେ ନ୍ୟା ଦେଇ ନାହାନ୍ତି, ଶିକ୍ଷିତ ସଚ୍ଚରିତ୍ର ପାତ୍ର ହସ୍ତରେ କନ୍ୟାଦାନ କରିଅଛନ୍ତି । ଝିଅଟି ଖାଇ ପିନ୍ଧି ସୁଖରେ ବିଳାସରେ ଆନନ୍ଦରେ କାଳ କ୍ଷେପଣ କରୁ, ଏହା ତାଙ୍କର ଲକ୍ଷ୍ୟ ନୁହେ । ତାଙ୍କର ଲକ୍ଷ୍ୟ ଅତି ମହତ୍‌, ଅତି ଉଦାର, ଅତି ପବିତ୍ର ଓ ଅତି ମୂଲ୍ୟବାନ୍‌ । ଝିଅ ସୁଖରେ ରହୁ, ଏହା କେଉଁ ପିତାମାତାର ବାଞ୍ଚନୀୟ ନୁହେ ? ମାତ୍ର କନ୍ୟାର ଭବିଷ୍ୟତ ଧର୍ମ ଜୀବନ ଏବଂ ନୈତିକ ଜୀବନ ପ୍ରତି କେତେ ଜଣଙ୍କର ଦୃଷ୍ଟି ଥାଏ । ଅଧିକାଂଶ ତ ‘‘ଦେଲା ନାରୀ ହେଲା ପାରି’’ ଶ୍ରେଣୀୟ, କନ୍ୟାର ଆଧ୍ୟାତ୍ମିକ ଉନ୍ନତି ଚିନ୍ତା କିଏ କରୁଛି ? କିନ୍ତୁ ମହାପାତ୍ରେ ସେ ଧରଣର ଲୋକ ନୁହନ୍ତି । ସେ ଉପଯୁକ୍ତ ଧାର୍ମିକ ଚରିତ୍ରବାନ୍‌ ସାଧୁ ପୁରୁଷ ଦେଖି ଜାମାତା ନିର୍ବାଚନ କରିଥିଲେ । ତାହା ସଂସର୍ଗରେ କନ୍ୟାର ଧର୍ମ ଜୀବନ ଉଜ୍ଜ୍ୱଳ ହେବ, ଏ ବିଶ୍ୱାସ ତାଙ୍କର ଥିଲା । ତାଙ୍କର ଜାମାତା ବିଷୟବାନ୍‌ ନୁହେ; କିନ୍ତୁ ଉପାର୍ଜନକ୍ଷମ । ଜାମାତାର ଆଉ କେହି ନାହିଁ । ଘରକୁ ସ୍ତ୍ରୀ ପୁରୁଷ ଦୁଇ ପ୍ରାଣୀ । ଆଉ ଗୋଟିଏ ଭାଇ ଅଛି; ମାତ୍ର ସେ ପୃଥକ୍‌ । ସେ ତାହାର ସାନ ଭାଇ, ତାହା ଘରକୁ ଗୃହସ୍ଥ, ଭାର୍ଯ୍ୟା ଏବଂ ଗୋଟିଏ ଶିଶୁପୁତ୍ର ଏହି ତିନିଜଣ ।

 

ଜାନକୀ ସ୍ୱାମୀଗୃହ ଉଜ୍ଜ୍ୱଳ କଲା; ମାତ୍ର ମହାପାତ୍ରଙ୍କ ଗୃହ ଅନ୍ଧକାର କରିଗଲା । କେବଳ ପିତୃଗୃହ ଅନ୍ଧକାର କରି ଗଲା ନାହିଁ, ତାହା ଅଭାବରେ ଗୃହ ଶୂନ୍ୟ, ପିତାମାତାଙ୍କର ହୃଦୟ ଶୂନ୍ୟ ଏବଂ ଅଙ୍କ ଶୂନ୍ୟ ହେଲା । ପିତାମାତା ଦୁହେଁ କବତାକବତୀ ପରି ଶୂନ୍ୟ ଗୃହରେ, ଶୂନ୍ୟ ଆକାଙ୍‌କ୍ଷାରେ ଝୁରି ହେଲେ । ହିତୈଷୀ ବନ୍ଧୁବାନ୍ଧବମାନେ ମହାପାତ୍ରଙ୍କୁ ଅନେକ ବୁଝାଇଲେ ଏବଂ କେହି କେହି ଉପଦେଶ ଦେଇ କହିଲେ, ‘ଦେଖ ମହାପାତ୍ରେ ତୁମ୍ଭର ତ ପୁଅ ନାହିଁ, ଏ ବିପୁଳ ସମ୍ପତ୍ତି କିଏ ଭୋଗ କରିବ ? ତୁମ୍ଭେ ଗୋଟିଏ ପୋଷ୍ୟପୁତ୍ର ଗ୍ରହଣ କର । ଦେହ ପା ତ ଅଛି, ପଡ଼ିଲେ ସେବାଶୁଶ୍ରୂଷା କିଏ କରିବ ?’’ କେହି କେହି ସ୍ୱତଃପ୍ରବୃତ୍ତ ହୋଇ ପୁଅ ଯାଚିଲେ, କେହି ବା ଅନ୍ୟ ସ୍ଥାନରୁ ପୋଷ୍ୟପୁତ୍ର କରାଇ ଦେବାର ଆଶା ଦେଖାଇଲେ; ମାତ୍ର ମହାପାତ୍ରେ କାହାରି କଥାରେ ମଙ୍ଗିଲେ ନାହିଁ । ସେ କହିଲେ–ପୋଷ୍ୟପୁତ୍ର କଲେ କଅଣ ହେବ ? ଦୁଧର ଶାଧ କି ପିଠଉ ପାଣିରେ ମେଣ୍ଟିବ ? ମୋର ସମ୍ପତ୍ତି ଭୋଗ କରିବାକୁ ଅନେକ ଅଛନ୍ତି । ସଂସାରରେ ଗ୍ରହୀତାର ଅଭାବ ନାହିଁ । ଅଭାବ କେବଳ ଦାତାର । ମୋର ସମ୍ପତ୍ତି ଦେଶ ସେବାରେ ଉତ୍ସର୍ଗ କରିବି, ଅକ୍ଷମ ଦରିଦ୍ରକୁ ଦାନ କରିବି, ଦେଶ ହିତକର କାର୍ଯ୍ୟରେ ଲଗାଇବି; ନଚେତ୍‌ ମୋ ଝିଅର ପୁଅ ହେଲେ ସେ ଭୋଗ କରିବ । ତାହା ହେଲେ ମୋ ସମ୍ପତ୍ତିର ସଦ୍‌ବ୍ୟୟ ହେବ । ତାହା ନକରି ଅଜ୍ଞାତଚରିତ୍ର ଗୋଟିଏ ଅନ୍ୟ ଲୋକକୁ ପୋଷ୍ୟପୁତ୍ର କରିବାର ଫଳ କଅଣ ? କାକ ବସାରେ କୋକିଳ ପାଳିତ ହୁଏ, କାକୀ ତାହାକୁ ଆହାର ଦେଇ ନିଜର ଶାବକ ପରି ସ୍ନେହ ଯତ୍ନ କରେ, କାକ ତାହାକୁ ଶୈଶବରେ ଶତ୍ରୁ ମୁଖରୁ ରକ୍ଷାକରେ; ମାତ୍ର କୋକିଳ ଶାବକ କି ସେମାନଙ୍କୁ ମା ବାପ ବୋଲି ଡାକେ ? ବଢ଼ି ଉଡ଼ିଶିଖିଲେ ତାହାର ଭାଷା ଅଲଗା ହୋଇଯାଏ । କାକ ଦମ୍ପତ୍ତିର ଲାଭ ମଧ୍ୟରେ ଏତିକି ଯେ, ସେମାନେ ଦାରୁଣ ଅନୁଶୋଚନା ଭୋଗ କରନ୍ତି । ଏହି ତ ପୋଷ୍ୟପୁତ୍ରର ସୁଖ ? ସେ ସୁଖକୁ ଦୂରରୁ ଜୁହାର । ପୋଷ୍ୟପୁତ୍ରର ସୁଖ ଅପେକ୍ଷା ଅପୁତ୍ରିକତାର ଦୁଃଖ ବରଂ କୋଟିଗୁଣରେ ଶ୍ରେୟ । ପୋଷ୍ୟପୁତ୍ର କରିବା ଆଉ ସମ୍ପତ୍ତି ମୂଲ୍ୟରେ ଆପଦ ଉପଦ୍ରବ ପ୍ରଭୃତି ଜଞ୍ଜାଳ କିଣିବା ଏକା କଥା । କଥାରେ କହନ୍ତି, ‘‘ପୋଷେ ପୁଅ ଆଉ ଖୁଞ୍ଚା ରୁଅ କାମରେ ଆସନ୍ତି ନାହିଁ ।’’ ଯାହା ଦେହରେ ମୋହର ରକ୍ତ ନାହିଁ, ସେ ମୋର ପୁଅ ହେବ କିପରି, ଆଉ ମୋ ପ୍ରତି ତାହାର ମମତା ବା ହେବ କିପରି ? ପୁତ୍ର ପିତାର ଅଂଶ ବୋଲି ଶାସ୍ତ୍ରରେ ଶୁଣିଅଛି । ଯାହା ସଙ୍ଗରେ ମୋର କିଛି ସମ୍ପର୍କ ନାହିଁ, ମୋର ଅଂଶ ତାହା ଦେହକୁ କାହୁଁ ଆସିବ ? ଯାହାକୁ ପୋଷ୍ୟପୁତ୍ର କରିବି, ସେ ଯଦି କୁଚରିତ୍ର ହୁଏ ଏବଂ କୁକୁର୍ମରେ ମୋର ଧନ ଉଡ଼ାଇ ଦିଏ ତେତେ ମୋର କଷ୍ଟାର୍ଜିତ ଅର୍ଥର ସାର୍ଥକତା ସମ୍ପାଦନ ହେଲାକି ? ଯାହା ସଙ୍ଗରେ ରକ୍ତର ଆକର୍ଷଣ ନାହିଁ, ସେ ନିଜର ନୁହେଁ । ପରକୁ ଯେତେ ମଣ୍ଡିଲେ ସୁଦ୍ଧା ସେ ଆପଣାର ହୋଇ ପାରେ ନାହିଁ । ଦୁଗ୍‌ଧ ଓ ଶର୍କରାଦ୍ୱାରା ନିମଗଛକୁ ବଢ଼ାଇଲେ ସେ ତିକ୍ତଗୁଣ ତ୍ୟାଗକରି କେବେକି ମଧୁର ହୋଇପାରେ ? କେବଳ ଦୁଗ୍‌ଧଶର୍କରାର ଅପବ୍ୟହାର ହୁଏ ସିନା । ରୋଗବେଳେ ପୋଷ୍ୟପୁତ୍ର ସେବା କରିବ, ଏହି ମିଥ୍ୟା କଥା । ତେତେବେଳେ ସେ ପାଖ ନ ପଶି ଅଲଗା ହୋଇ ଦୂରରେ ବସିବ । ଏହା ଖାଲି କହିବାର କଥା ନୁହେ, ନିତ୍ୟ ପ୍ରତ୍ୟକ୍ଷୀଭୂତ ଘଟଣା । ‘‘ଏହିପରି ନାନା ଯୁକ୍ତିତର୍କ ଦେଖାଇ ମହାପାତ୍ରେ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ଏକାନ୍ତ ଅସ୍ୱୀକୃତ ହେଲେ । ଉପଦେଷ୍ଟାମାନେ ହତାଶ ବାଣୀ ଶୁଣି ଅତ୍ୟନ୍ତ ବିରକ୍ତ ହେଲେ । କେହି କେହି ମୁହଁ ଭାରି କରି କହିଲେ, ହଉ, ତୁମ୍ଭର ଇଚ୍ଛା, ଆମେ ସିନା ତୁମ ଭଲ ସକାଶେ କହୁଥିଲୁ । ତାହା ଯଦି ତୁମ ମନକୁ ନ ରୁଚିଲା, ତେବେ ଆମେ ନାଚାର ।’ ପ୍ରକାଶ୍ୟରେ ଏତିକି କହିଲେ; ମାତ୍ର ଗୋପନରେ ଆହୁରି ଅନେକ କଥା କହିଲେ । ତାହାସବୁ ଲେଖିବା ଅନାବଶ୍ୟକ-

 

ଦିନ ପରେ ଦିନ ମାସ ପରେ ମାସ ଅତୀତ ହେବାକୁ ଲାଗିଲା । ବୁଢ଼ାବୁଢ଼ୀ ଦିଓଟିଙ୍କର ସୁଖେ ଦୁଃଖେ କାଳ କଟିଯାଉଥାଏ । ସେମାନଙ୍କର ଅନ୍ନବସ୍ତ୍ରର ଦୁଃଖ ନାହିଁ–ଦୁଃଖ କେବଳ ପୁତ୍ରାଭାବ ହେତୁ । ସେହି ଦୁଃଖ ସେମାନଙ୍କର ସମସ୍ତ ସୁଖକୁ ବିଷାକ୍ତ କରିଦେଇଥିଲା । ଯାହା ହେଉ ସେମାନେ କପାଳ ଠୁଙ୍କି ହରିଙ୍କୁ ଧ୍ୟାନ କରି ପଡ଼ି ରହିଥାନ୍ତି । କେବଳ ହରିଙ୍କ ମହିମା ଚିନ୍ତନ ଏବଂ କୀର୍ତ୍ତନ ସେମାନଙ୍କ ଜୀବନର ସୁଖସାନ୍ତ୍ୱନା ଥିଲା; ମାତ୍ର ଦୁର୍ଦ୍ଦୈବ ସେ ସୁଖଟି ସୁଦ୍ଧା ଅଧିକ କାଳ ସ୍ଥାୟୀ କଲା ନାହିଁ । ମହାପାତ୍ରଙ୍କ ସ୍ତ୍ରୀ ସଙ୍କଟ ପୀଡ଼ାରେ ଆକ୍ରାନ୍ତ ହେଲେ । ଦେଖୁ ଦେଖୁ ପୀଡ଼ା ଅସାଧ୍ୟ ହୋଇଉଠିଲା ଏବଂ ଶେଷ ଦିନ ଆସି ଉପସ୍ଥିତ ହେଲା । ରୁଦ୍ରଭୀଷଣ ମୃତ୍ୟୁ-ମହାନିଶାରେ ଉଲଗ୍ନ ମୂର୍ତ୍ତି ସମ୍ମୁଖରେ ଦେଖି ସତୀ ଭୀତା ହେଲେନାହିଁ । ଆଉ କାହିଁକି ବା ମୃତ୍ୟୁକୁ ଭୟ କରିବେ, ଏ ଯେ ତାଙ୍କାର ଆନନ୍ଦ ମହାଯାତ୍ରା । ଶଙ୍ଖା, ଶାଢ଼ୀ, ସିନ୍ଦୂର ଘେନି ଏଭଳି ସୌଭାଗ୍ୟ ମୃତ୍ୟୁ କେତେ ଜଣ ନାରୀଙ୍କ ଭାଗ୍ୟରେ ଘଟେ ? ଏରୂପ ମୃତ୍ୟୁ ନାରୀ-ସୌଭାଗ୍ୟର ଗୌରବ-ମୃତ୍ୟୁ, ତାହା ନାରୀର ବାଞ୍ଛନୀୟ । ସତୀ ସାଧ୍ୱୀ ମହାପାତ୍ରଙ୍କ ସ୍ତ୍ରୀ ଆରାଧ୍ୟ ଦେବତା ସ୍ୱାମୀଙ୍କ ମୁଖକୁ ଥରେ ସହାସ୍ୟ ବଦନରେ ଚାହିଁ ଦେଇ ନୀରବରେ ଶେଷ ବିଦାୟ ଘେନି ଚକ୍ଷୁ ବୁଜି ଅନନ୍ତ ଉତ୍ସବମୟ ସତୀସ୍ୱର୍ଗକୁ ଚାଲିଗଲେ । ପତ୍ନୀବିୟୋଗରେ ମହାପାତ୍ରେ ଚତୁର୍ଦ୍ଦିଗ ଅନ୍ଧକାର ଦେଖିଲେ । ତାଙ୍କର ପ୍ରାଣ ମଚକିଗଲା ଏବଂ ହୃତ୍‌ପିଣ୍ଡର କ୍ରିୟା ବିଶୃଙ୍ଖଳ ହୋଇଗଲା । ନିଃସଙ୍ଗ ନିଃସହାୟ ଜୀବନ ହାହାକାରରେ ପରିପୂର୍ଣ୍ଣ ହେଲା । ସେ ଝୁରି ଝୁରି ଅସ୍ଥିଚର୍ମସାର ହେଲେ । ତାଙ୍କୁ ଦେଖିଲେ ବୋଧହେଲା, ଯେମନ୍ତ କି ଶୋକ ମୂର୍ତ୍ତି ଧାରଣ କରିଅଛି । ଏହିପରି କିଛି ଦିନ ଅତିବାହିତ ହେଲା । ସଂସାର ଅଚିର ଏଠାରେ ସବୁ ଅଚିର । କାହାରି ସୁଖ-ଦୁଃଖ ବା ବର୍ଷ ବିଷାଦ ଚିର ନୁହେଁ । ମହାପାତ୍ରଙ୍କ ଶୋକ ସୁଦ୍ଧା ଅଧିକ ଦିନ ରହିଲା ନାହିଁ, ପତ୍ନୀଙ୍କ ଦ୍ୱାଦଶାହ କ୍ରିୟା ପରେ ତାହା କ୍ରମେ କ୍ରମେ ମିଳାଇ ଆସିଲା । ଏ ସଂସାରରେ ଏହିପରି ଆପାତ ଶ୍ମଶାନବୈରାଗ୍ୟ ସମସ୍ତଙ୍କୁ ଆକ୍ରମଣ କରେ । ଶବର ମୁଖାଗ୍ନି ସଙ୍ଗେ ସଙ୍ଗେ ଶୋକର ମୁଖାଗ୍ନି ହୋଇଯାଏ । ଆଜୀବନ ସମ୍ପର୍କ କ୍ଷଣକ ମଧ୍ୟରେ ତୁଟିଯାଏ । ଧନ୍ୟ ନିର୍ମମ ସଂସାର । ଶୋକର ଏହି ବିସ୍ମୃତି ନ ଥିଲେ ମାନବ-ପ୍ରାଣ ତିଷ୍ଠିବା ବଡ଼ କଠିନ ହୁଅନ୍ତା । ସେଥିପାଇଁ ସଂସାରର ଶୋକ ପଛେ ପଛେ ବିସ୍ମୃତି ଆନୟନ କରେ । ଶୋକ କାହିଁକି, ପୁଣି ଶୋକର ବିସ୍ମୃତି ବା କାହିଁକି, ଏ ଦୁରୁହ ରହସ୍ୟ କିଏ ଭେଦ କରିବ ? ମହାପାତ୍ରଙ୍କର ଦୁର୍ଦ୍ଦମନୀୟ ଶୋକ ଦେଖି ଅନେକେ ଭାବିଲେ, ବୋଧହୁଏ ସେ ବି ପତ୍ନୀଙ୍କ ପଛେ ପଛେ ମହାଯାତ୍ରା କରିବେ, ମାତ୍ର ତାହା ହେଲା ନାହିଁ, ସେ ଶୋକ ସହିଗଲେ । ମାନବ-ହୃଦୟ କି ବଜ୍ରକଠୋର ଉପାଦାନରେ ନିର୍ମିତ କେଜାଣି, ସେ ସବୁ ଆଘାତ ସହିପାରେ । ମହାପାତ୍ରଙ୍କର ଗୃହ ଶୂନ୍ୟ, ହୃଦୟ ଶୂନ୍ୟ, ଅନନ୍ତ ଆଶାଭାଣ୍ଡ ଶୂନ୍ୟ । ସେ ଏହି ବିରାଟ ମହାଶୂନ୍ୟତା ଘେନି କାଳକ୍ଷେପଣ କରିବାକୁ ଲାଗିଲେ । ଆଉ ତାହା ନ କରି ବା ଚାରା କଣ ଅଛି ? ମାନବ ତ ଅପର ହସ୍ତର କ୍ରୀଡ଼ା-ପୁତ୍ତଳି । କ୍ରୀଡ଼ାକାରୀ ତାକୁ ଯେତେବେଳେ ଯେଉଁ ଅବସ୍ଥାରେ ରଖିବ, ସେ ସେହି ଅବସ୍ଥାରେ ରହିବାକୁ ବାଧ୍ୟ । ଏହା ବ୍ୟତୀତ ତାହାର ସ୍ୱାଧୀନ ଇଚ୍ଛା ନାହିଁ ।

 

ବିପଦ ବିପଦର ଅନୁସରଣ କରେ । ବିପଦ ଯେତେବେଳେ ଆସେ, ତୁହା ତୁହା ହୋଇ ଆସେ । ଗୋଟିଏ କ୍ଷତର ଜଳାପୋଡ଼ା ବନ୍ଦ ନ ହେଉଣୁ ମହାପାତ୍ରଙ୍କ ହୃଦୟରେ ଆଉ ଗୋଟିଏ ପ୍ରଚଣ୍ଡ ଆଘାତ ଆସି ଲାଗିଲା । ସେ କ୍ଷତ ବଡ଼ ଗଭୀର, ଜ୍ୱାଳାମୟ । ଅଳ୍ପଦିନ ପରେ ତାଙ୍କର ଜାମାତୃବିୟୋଗ ଘଟିଲା । ବୃଦ୍ଧ ମହାପାତ୍ରଙ୍କର ଅର୍ଦ୍ଧ-ସୁପ୍ତ ବ୍ୟଥା ପୁଣି ଜାଗିଉଠିଲା । ଭାବୀ ଆଶା-ମନ୍ଦିରର କ୍ଷୀଣ ଦୀପ-ଶିଖାଟି ଦପ୍ କରି ନିଭିଗଲା । ସେ ଥରେ ଅତୀତ ଆଡ଼କୁ ଫେରି ଚାହିଁଲେ । ଦେଖିଲେ–ତାଙ୍କର ସେ ସୁଖମୟ ଜୀବନ, ସେ ନିଶ୍ଚିନ୍ତ ଆନନ୍ଦ ଜୀବନ କେତେ ପଛରେ ରହିଲାଣି । ହାୟ, ସେଠାକୁ ଫେରି ଯିବାର ଯଦି କିଛି ଉପାୟ ଥାଆନ୍ତା, ତେବେ ସେ ଏ ଦୁଃସହ ଶୋକରୂପେ ଅଗ୍ନି-ଶାର୍ଦ୍ଦୂଳ ମୁଖରୁ ତ୍ରାହି ଲଭନ୍ତେ । କିନ୍ତୁ ତାହା ଆକାଶ-କୁସୁମ । ତାଙ୍କର ଏହି ବାଲ୍ୟସ୍ମୃତି ଉପସ୍ଥିତ ଶୋକ ଯଜ୍ଞର ଘୃତାହୁତି ହେଲା । ଅତଃପର ସେ ପୂର୍ଣ୍ଣହୁତି ହେବେ । ତାଙ୍କ ନେତ୍ରରୁ ଅଶ୍ରୁପାତ ହେଲାନାହିଁ । ଶୋକ ସୀମା ଲଙ୍ଘନ କରିଗଲେ ଅଶ୍ରୁଝର ଶୁଷ୍କ ହୋଇଯାଏ । ସେ ଏଥର ବେଶି ଅସ୍ଥିର ହେଲେ ନାହିଁ । ଦୁର୍ଭାର ଶୋକ-ଶିଳା ହୃଦୟରେ ଚାପି ସ୍ଥିର ହୋଇ ରହିଲେ । କେବଳ ଗୋଟିଏ ଅଗ୍ନିବର୍ଷି ହତାଶ ନିଃଶ୍ୱାସ ତ୍ୟାଗ କରି କହିଲେ, ‘‘ପ୍ରଭୋ, ଏ କଣ କଲ ? ମୋର ଜୀବନର ଶେଷ ଚେରଟି ସୁଦ୍ଧା ଉପାଡ଼ିଦେଇ ! ଦୁଃଖୀକୁ ଦୁଃଖ ଦେବାପାଇଁ ତୁମ୍ଭେ କି ଦୁଃଖ ଉପରେ ଦୁଃଖ ସଜାଡ଼ି ରଖିଥାଅ, ଭଗବାନ୍‌ ! ହାୟ ନାରାୟଣ, ପିତା ହୋଇ ମୁଁ ପ୍ରାଣାଧିକା ବାଳିକା କନ୍ୟାର ବିଧବା ବେଶ ଦେଖିବି । ସେ ଦୃଶ୍ୟ ଯେ ପିତୃ-ନେତ୍ରରେ ଅସହ୍ୟ । ସେ ଦୃଶ୍ୟର ଅନଳ ଉତ୍ତାପରେ ମୁଁ ଅନ୍ଧ ହୋଇଯିବି । ଏ ଦୃଶ୍ୟ ଦେଖାଇବା ଅପାକ୍ଷା ମୋତେ ପିତା କରି ନଥିଲେ ବରଂ ମୋ ପ୍ରତି ଅସୀମ କୃପା ପ୍ରଦତ୍ତ ହୋଇଥାଆନ୍ତା । ତୁମ୍ଭେ ମଙ୍ଗଳମୟ, ସ୍ୱୀୟ ସ୍ପଷ୍ଟ ଜୀବନକୁ ଜାଳି ପୋଡ଼ି ମାରିବାଦ୍ୱାରା ତୁମ୍ଭର କି ମହା ମଙ୍ଗଳମୟ ଉଦ୍ଦେଶ୍ୟ ସାଧିତ ହୁଏ, ତାହା ତୁମ୍ଭେ ଜାଣ ପ୍ରଭୁ । ହାୟ, ମା ମୋର ନିରାଭରଣା କଙ୍ଗାଳୁଣୀ ବେଶରେ ଆସି ମୋ ଆଗରେ ଠିଆ ହେବ, ମୋ ଛାତି ଯେ ଫାଟି ଖଣ୍ଡ ଖଣ୍ଡ ହୋଇଯିବ, ଦୀନବନ୍ଧୁ ! ଅନାଥା ବାଳିକାର କି ଗତି ହେବ ହରି ! ତାହାର ଜନ୍ମ ଜୀବନ ଯେ ବୃଥା ହୋଇଗଲା । ସେ ଅଜ୍ଞାତ ବାଳୁତ, ପାପ ପୁଣ୍ୟ ଜାଣେ ନାହିଁ । ହାୟ, କି ଅପରାଧରେ ତାହା ପ୍ରତି ଏ କଠୋର ଶାସ୍ତି ? ତୁମ୍ଭର ଏ ଅଗ୍ନିମୟ ଅଭିଶାପରେ ବାଳିକାର କୋମଳ ହୃଦୟ ପୋଡ଼ି ଭସ୍ମ ହୋଇଯିବ । ଦୟାମୟ, ତୁମ୍ଭେ ଦଣ୍ଡଦାତା, ଆଉ ତୁମ୍ଭେ ହିଁ ଉଦ୍ଧାର କର୍ତ୍ତା । ତୁମ୍ଭେ ଦଣ୍ଡ ଦେଇଅଛ, ସେ ଦଣ୍ଡ ସହିବାର ଶକ୍ତି ତୁମ୍ଭେ ଏକା ଦେବ-। ବାଳିକାର ଭଗ୍ନ ହୃଦୟରେ ବଳ ଦିଅ, ମନରେ ଧୈର୍ଯ୍ୟ ଦିଅ, ପ୍ରାଣରେ ଶାନ୍ତି ଦିଅ, ତାହାର ଆତ୍ମାକୁ ନବଭାବରେ ଗଢ଼ିଦିଅ । ସେ ଜୀବନର ସମସ୍ତ ଦୁଃଖ, ତାପ ଭୁଲିଯାଇ ତୁମ୍ଭର ପୁଣ୍ୟପୂତ ପାଦପଦ୍ମରେ ଆତ୍ମସମର୍ପଣ କରୁ, ଭବ-ଯନ୍ତ୍ରଣା-ଦଗ୍‌ଧ ଏ ବୃଦ୍ଧାର, ଏ ଦୀନହୀନ ଭୃତ୍ୟର ସାଶ୍ରୁନେତ୍ରରେ ଏତିକି ସକାତର ମାଗୁଣି ପ୍ରଭୋ ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ଜାନକୀ ଏଣିକି ପିତ୍ରାଳୟରେ ବାସ କରୁଅଛି । ସେ ଅନାଥା । ପତି ଗୃହରେ ତାହା ତତ୍ତ୍ୱ ନେବାକୁ କେହି ନାହିଁ । ଏଣେ ବିପତ୍ନିକ ବୃଦ୍ଧ ପିତାଙ୍କୁ ଦେଖିବାକୁ କେହି ନାହିଁ । ସୁତରାଂ ମହାପାତ୍ରେ ଜାନକୀକୁ ଆଣି ପାଖରେ ରଖିଅଛନ୍ତି । ଜାନକୀ ଅସରନ୍ତି ଶୋକର ନିବିଡ଼ କାଳିମା ମୁଖରେ ବୋଳି ପିତୃଗୃହରେ ଉପସ୍ଥିତ ହୋଇ ଦେଖିଲା–ଶୂନ୍ୟ ଗଭୃହ ଖାଁ ଖାଁ ଡ଼ାକୁଅଛି । ଗୃହଗୁଡ଼ିକ ଯେପରି ଶୋକର ମଳିନ ମୂର୍ତ୍ତି ଧରି ନୀରବରେ କାନ୍ଦୁଅଛନ୍ତି । ଏହି ଗୃହରେ ଜନନୀ କୋଳରେ ସେ ପାଳିତା; ମାତ୍ର ସେ ସ୍ନେହମୟୀ ଜାନକୀ ଆଉ ନାହାନ୍ତି । ଅଜ୍ଞାତରେ ଦୀର୍ଘ ନିଃଶ୍ୱାସ ସହ ଜାନକୀର ତୁଣ୍ଡରୁ ବାହାରି ପଡ଼ିଲା–‘‘ହାୟ, ମୋ ମା, କାହିଁ ?’’ ଗୃହର ଶୂନ୍ୟତା ଉତ୍ତର ଦେଲା, ସେ ନାହିଁ । ବାୟୁ ସାଇଁ ସାଇଁ ସ୍ୱରରେ କହିଲା–ସେ ନାହିଁ । ପତ୍ର ମର୍ମରଛଳରେ କହିଲା–ସେ ନାହିଁ । ସେହିପରି ହୃଦୟ ମଧ୍ୟରୁ ନୀରବ କରୁଣ ସ୍ୱରରେ କିଏ କହିଉଠିଲା–ସେ ନାହିଁ । ଗୃହରେ ସର୍ବତ୍ର ତାହାର ସ୍ମୃତି ରହିଅଛି–ପ୍ରତ୍ୟେକ ପଦାର୍ଥରେ ତାହାର ହସ୍ତ ଦେଖାଯାଉଅଛି; ମାତ୍ର ସେ ନାହିଁ । ଆଉ ତାହାର ସତ୍ତା ନାହିଁ, ଛାୟା ନାହିଁ, ଧ୍ୱଂସାବଶେଷ ପାଉଁଶ ସୁଦ୍ଧା ନାହିଁ । ସୁରୁପାକ୍ଷୀର ପୁଣ୍ୟ ସଲିଳରେ ତାହା ମିଳାଇ ଯାଇଅଛି । ଜାନକୀ ଗୃହ ମଧ୍ୟରେ ଦୃଷ୍ଟି ସଞ୍ଚାଳନ କରି ଦେଖିଲା, କାନ୍ଥର ଏକ ସ୍ଥାନରେ ତାହାର ମାତୃହସ୍ତଅଙ୍କିତ ଧାନଶିଷା ଝୁଟି ଉଜ୍ଜ୍ୱଳ ଦିଶୁଅଛି । ବୃଦ୍ଧା ଧାନମାଣିକା ଉଷା ଉପଲକ୍ଷେ ପିଠଉ ପାଣିରେ ସେ ଝୁଟି ଲେଖିଥିଲେ । ସେ ଦୃଶ୍ୟ ଜାନକୀର ଚକ୍ଷୁକୁ ଖୁବ୍‌ ଜୋରରେ ଆଘାତ କଲା । ସେ ଆଉ ସମ୍ଭାଳି ପାରିଲା ନାହିଁ, ଭୋ ଭୋ କରି କାନ୍ଦି ପକେଇଲା । ତହିଁପରେ ସତର୍କ ଦୃଷ୍ଟିରେ ଚାରିଆଡ଼କୁ ଚାହିଁ ଦେଇ ଲୁଗାକାନିରେ ଲୁହ ପୋଛିପକାଇଲା । କାଳେ ପିତା ଆସି ତାହାର ଏ ଅବସ୍ଥା ଦେଖିପକାନ୍ତି, ତାହାହେଲେ କି ସେ ଧୈର୍ଯ୍ୟ ଧରିପାରିବେ ? ତାଙ୍କର ସୁପ୍ତ ଶୋକ ଯେ ପୁଣି ଜାଗିଉଠିବ । ଶୋକଶୀର୍ଣ୍ଣ ଜୀର୍ଣ୍ଣ ଶରୀରରେ ସେ କି ଏତେ ବ୍ୟଥା ସହିପାରିବେ ? ପ୍ରତିଜ୍ଞା କଲା, ସେ ଆଉ କାନ୍ଦିବ ନାହିଁ । ନ କାନ୍ଦିବ ପୁଣି କିପରି ? ପତିଶୋକ, ତହି ଉପରେ ମାତୃଶୋକ; ଯାହାର ଏଡ଼େ ବଡ଼ ଶୋକ, ସେ ନକାନ୍ଦି ସ୍ଥିର ହେବ କିପରି ? ଲୋତକ ବ୍ୟତୀତ ତାହାର ହୃଦୟର ବଜ୍ରଭାର କିଏ ବା ଲଘୁ କରିପାରିବ ? ନା ନା, ସେ କାନ୍ଦିବ ଆଜୀବନ କାନ୍ଦିବ; ମାତ୍ର ପିତାଙ୍କ ଆଗରେ କାନ୍ଦିବ ନାହିଁ ।

 

ଦିନେ ବୃଦ୍ଧ କରୁଣ ଦୃଷ୍ଟିରେ କନ୍ୟାକୁ ଚାହିଁ କମ୍ପିତ ସ୍ୱରରେ କହିଲେ–‘‘ମା, ଲକ୍ଷ୍ମୀଠାକୁରାଣୀଙ୍କ ପରି ତୋର ଏ ସୁନ୍ଦର ହାତକୁ ମୁଁ ଏପରି ଅଲକ୍ଷଣ, ଶ୍ରୀହୀନ ଦେଖିପାରିବି ନାହିଁ । ତୋର ଏ ବେଶ ଦେଖି ମୋ ହୃଦୟ ଭିତରେ ସମୁଦ୍ର ମନ୍ଥନ ହେଉଛି । ହୃଦୟଟା ବାହାରକୁ ଥିଲେ, ତାହା ସମସ୍ତେ ଦେଖିପାରନ୍ତେ; ମାତ୍ର କଥାରେ ସେ ବ୍ୟଥା କହିହେବ ନାହିଁ । ମୋର କଲିଜା ଖଣ୍ଡ ଖଣ୍ଡ ଛିଡ଼ିପଡ଼ୁଛି । ମା, ମୋର ଗୋଟିଏ କଥା ତୁ ରକ୍ଷାକରିବୁ ? କହ, ତୋର ବୃଦ୍ଧ ପିତାର କଥା ତୁ ରକ୍ଷା କରିବୁ ?’’ ଜାନକୀ କିଛି ବୁଝି ପାରିଲା ନାହିଁ । ଆର୍ଦ୍ର ନେତ୍ରରେ ପିତାଙ୍କ ମୁହଁକୁ ଚାହିଁ କହିଲା, ‘ବାବା ।’

 

ବୃଦ୍ଧ–ମା !

 

ଜାନକୀ–ତୁମ୍ଭର କି ଆଦେଶ ଏ ଅଭାଗୀକୁ ପାଳନ କରିବାକୁ ହେବ ? ସାଧ୍ୟ ହେଲେ ତାହା ଅବଶ୍ୟ ପାଳିବି । ପିତୃଆଜ୍ଞା ପାଳନରେ ସନ୍ତାନ କି କେବେ ବିମୁଖ ହୁଏ ବାବା ?

 

ବୃଦ୍ଧ–ମା, ମୁଁ ଏତିକି କହୁଛି ଯେ, ତୁ ହାତରେ ଚୁଡ଼ୀ, ବାଳା ପିନ୍ଧିବୁ । ଆମ କରଣ ଜାତିରେ ସେପରି ହୁଏ । ବାଳ ବିଧବାମାନେ (ହାୟରେ କପାଳ, ଏ ଅମଙ୍ଗଳ ଶବ୍ଦ ପୁଣି ଉଚ୍ଚାରଣ କରିବାକୁ ହେଲା । ଛିଡ଼ି ଯାରେ ନିଷ୍ଠୁର ଜିହ୍ୱା ।) ଶଙ୍ଖା, ଶାଢ଼ୀ, ସିନ୍ଦୁର ଛଡ଼ା ମଉ ସବୁ ପିନ୍ଧନ୍ତି । ତୁ ତ ପିଲାଟା, ତୋର ତ ଏହି ମାଘ ପାଖରୁ କୋଡ଼ିଏ ବର୍ଷ ଚାଲିଛି ।

 

ଜାନକୀ–(କିଛିକ୍ଷଣ ମୌନ ରହି) ବାବା, ତୁମେ ମୋର ପିତା, ପରମ ଦେବତା, ତୁମ ଆଜ୍ଞା ମୋର ଶିରୋଧାର୍ଯ୍ୟ । ତୁମ ଆଜ୍ଞାପାଳନରେ ଯଦି ମୋର ପ୍ରାଣବ୍ୟୟ ହୁଏ, ତେବେ ତାହା ମୋ ପକ୍ଷରେ ଗୌରବ କଥା; ମାତ୍ର ତୁମର ଏ ଆଦେଶଟି ପାଳନ କରିପାରିବି ନାହିଁ । ଏ ଦୁଃଖିନୀ କନ୍ୟାର ଅପରାଧ କ୍ଷମାକର ବାବା । ଯାହାର ସବୁ ଗଲା, ତାହାର ଆଉ ତୁଚ୍ଛ ଅଳଙ୍କାର ଦି ଖଣ୍ଡ ପିନ୍ଧି କଣ ହେବ ? ବିଧାତା ମୋ କପାଳରୁ ସିନ୍ଦୂର ଗାର ପୋଛି ଦେଇଛି, ତାହା ସିନା ନାରୀର ପ୍ରଧାନ ଭୂଷଣ ଆଉ ସୌଭାଗ୍ୟର ଚିହ୍ନ । ତାହା ଛଡ଼ା ସହସ୍ର ଅଳଙ୍କାରରେ ଲାଭ କଅଣ ? ଛଦ୍ମବେଶ ସାଜି ନିଜକୁ ବିକୃତ କରିବାରେ କିଛି ଫଳ ନାହିଁ ବାବା । ଆଉ କାହାପାଇଁ ବା ବେଶ ? ଛି, ବିଧବାର ପୁଣି ରୂପ ଆଉ ବେଶ, ତାହା ନିଜକୁ ନିଜେ ପରିହାସ କଲାପରି ସିନା । ବେଶ ମୋ ପକ୍ଷରେ ସୁଖକର ହେବନାହିଁ ବାବା, ଦୁଃଖର ଅଗ୍ନିକୁଣ୍ଡ ପରି ହେବ । ଅଳଙ୍କାରର ଶାଧ ମୋର ଆଉ ନାହିଁ, ଏଜନ୍ମ ସକାଶେ ତାହା ଚିତାନଳରେ ଭସ୍ମ ହୋଇଯାଇଛି । ମୁଁ ବିଧବା, ବ୍ରାହ୍ମଚର୍ଯ୍ୟ ମୋର ଧର୍ମ, ମୁଁ ସେହି ବ୍ରହ୍ମଚର୍ଯ୍ୟ ଅବଲମ୍ୱନ କରି ତୁମର ପବିତ୍ର ପଦସେବାରେ ନିଯୁକ୍ତ ରହିଲେ ନିଜକୁ ସୌଭାଗ୍ୟବତୀ ମଣିବି । ପିତୃପଦ ସେବାରେ ମୁଁ ଜୀବନର ସବୁ ଶୋକ, ତାପ, ଦୈନ୍ୟ ସହଜରେ ଭୁଲିପାରିବି । ତୁମ୍ଭର ପଦାର୍ଚ୍ଚନା ତୁମ୍ଭ ଦୁର୍ଭାଗିନୀ କନ୍ୟାପକ୍ଷରେ ଚତୁର୍ବର୍ଗ ଲାଭ । ‘‘ପିତା ସ୍ୱର୍ଗଃ ପିତା ଧର୍ମଃ ପିତା ହି ପରମନ୍ତପଃ; ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ’’, ଏ ଉପଦେଶ ମୁଁ ତୁମ୍ଭରି ପଦ-ପ୍ରାନ୍ତରେ ବସି ତୁମ୍ଭରିଠାରୁ ଶିଖିଛି, ବାବା ! ତୁମ୍ଭର କନ୍ୟା ବିଳାସିନୀ ନୁହେ, ଆମୋଦପ୍ରିୟା ନୁହେ ସେ ତପସ୍ୱୀ ପିତାର ତପସ୍ୱିନୀ କନ୍ୟା । ଏଣିକି ସତ୍ୟ, ଧର୍ମ, ସାଧୁତା ଏବଂ ପିତୃପୂଜା ମୋର ହୀରାମାଣିକ୍ୟଖଚୀ, ମହାର୍ହ ଅଳଙ୍କାର ହେଉ, ଏହି ଆଶୀର୍ବାଦ କର, ପିତା-। ତୁମ୍ଭର ଅମୋଘ ଆଶୀର୍ବାଦ ମୋ ପକ୍ଷରେ ଭାଗ୍ୟଦେବତାର ବର ସ୍ୱରୂପ । ମୋ ପାଇଁ ତୁମ୍ଭେ କିଛି ଚିନ୍ତା କର ନାହିଁ; ତୁମ୍ଭର ପଦସେବା କରି ମୁଁ ପରମାନନ୍ଦରେ କାଳ କ୍ଷେପଣ-କରିପାରିବି-।’’

 

ବୃଦ୍ଧ ଅଧୀର ଆନନ୍ଦରେ କନ୍ୟାର ମସ୍ତକ ବକ୍ଷରେ ଚାପିଧରି ଗଦ୍‌ଗଦ ସ୍ୱରରେ କହିଲେ–‘‘ମା, ତୁ ଯାହା କହିଲୁ, ତାହା ଅକ୍ଷରେ ଅକ୍ଷରେ ସତ । ଭଗବାନ୍‌ ତୋତେ ସେହି ସୁବୁଦ୍ଧି ଦେଉନ୍ତୁ ମା । ତୁ ଦେବୀ ମାତାର ଦେବୀ କନ୍ୟା । ଏଭଳି ଜ୍ଞାନ, ଏଭଳି ସଂଯମ କେବଳ ତୋହରିଠାରେ ସମ୍ଭବ, ମା ! ତୋର ନୀତିଗର୍ଭ ବାକ୍ୟ ଶୁଣି ମୁଁ ତୋର ପିତା ବୋଲି ଗର୍ବ ଗୌରବ, ଅନୁଭବ କରୁଅଛି । ମଙ୍ଗଳମୟ ବିଧାତା ମୋତେ ଜନ୍ମେ ଜନ୍ମେ ତୋପରି ଗୁଣବତୀ, ପୁଣ୍ୟପ୍ରାଣୀ କନ୍ୟା ପ୍ରଦାନ କରନ୍ତୁ, ତାଙ୍କ ଶ୍ରୀଚରଣରେ ମୋର ଏହି ଭିକ୍ଷା ।’’ ବୃଦ୍ଧ ସବୁ ଶୋକ, ତାପ ଦୁଃସ୍ୱପ୍ନ ପରି ଭୁଲିଗଲେ । ଆନନ୍ଦାଶ୍ରୁରେ ତାଙ୍କର ବକ୍ଷ ପ୍ଳାବିତ ହୋଇଗଲା । କନ୍ୟାର ନେତ୍ର ସୁଦ୍ଧା ନିରଶ୍ରୁ ନଥିଲା । ପୁଣ୍ୟାଶ୍ରୁରେ ପୁଣ୍ୟାଶ୍ରୁ ମିଶ୍ରିତ ହେଲା । ସେହି ଅଶ୍ରୁଗଙ୍ଗାରେ ଉଭୟ ହୃଦୟର ଶୋକ, କଳ୍ମଷ ଧୋଇ ହୋଇଗଲା ।

 

ଜାନକୀ ପିତୃଗୃହରେ ସୁକେ ଦୁଃଖେ କାଳହରଣ କରୁଅଛି । ସେ ବିଧବା, ପୁଣି ନିରପତ୍ୟା । ସଂସାରରେ ତାହାର କୌଣସି ବନ୍ଧନ ନାହିଁ । ସେ ଏବେ ମୁକ୍ତା ନିରୁଦ୍ଦେଶ୍ୟ ଭାବରେ ନିଜର ଦେହ-ତରୀ କାଳସାଗରରେ ଭସାଇ ଚାଲିଅଛି । ତାହାର କୌଣସି ଆଶା ନାହିଁ, ଆକାଙ୍‌କ୍ଷା ନାହିଁ, ସେ ଉଦାସୀନ ଭାବରେ କାଳ ଯାପନ କରୁଅଛି । ପରମାୟୁ ଅଛି; ସୁତରାଂ ବଞ୍ଚି ରହିବାକୁ ହେବ, ସେ ଏହି ଭାବ ଧରି ବଞ୍ଚି ରହିଅଛି । ନଚେତ୍‌ ଜୀବନର ଲକ୍ଷ୍ୟ କିଛି ନାହିଁ । ଜନକୀ ଏବେ ଗୈରିକ ବସ୍ତ୍ର ଛଡ଼ା ଅନ୍ୟ ବସ୍ତ୍ର ପରିଧାନ କରେନାହିଁ । ତାହାର ନବୋଦ୍ଭିନ୍ନ ଯୌବନର ଲାବଣ୍ୟଶ୍ରୀ ସେହି ଗୈରିକ ବସ୍ତ୍ର ଭେଦି ଝରିପଡ଼େ । କଣ୍ଠରେ ତୁଳସୀମାଳୀ ବ୍ୟତୀତ ତାହା ଶରୀରରେ କପର୍ଦ୍ଦକ ମୂଲ୍ୟର ଅଳଙ୍କାର ନାହିଁ । ତଥାଚ କି ଚମତ୍କାର ସୌନ୍ଦର୍ଯ୍ୟ ! ଯେପରି ସୌନ୍ଦର୍ଯ୍ୟ ତାହାକୁ ଆଶ୍ରୟ କରି ମୂର୍ତ୍ତି ଧାରଣ କରିଅଛି । ଗୈରିକ ବସନରେ ଆବୃତ ହୋଇ ସେ ଯୁବତୀ ଯୌଗିନୀ ପ୍ରାୟ ଦେଖାଯାଏ । ବର୍ଣ୍ଣ ଉଜ୍ଜ୍ୱଳ ଗୌର, ବଦନରେ ତୃପ୍ତିର ମୃଦୁହାସ, କପାଳରେ ଗଙ୍ଗାମୃତ୍ତିକାର ଚିତା, ଆହା, ଯେପରି ବରଦା ଦେବୀମୂର୍ତ୍ତି କିମ୍ୱା ସ୍ନେହମୟୀ ମାତୃମୂର୍ତ୍ତି । ସେ ପୁଣ୍ୟୋଜ୍ଜ୍ୱଳା ମୂର୍ତ୍ତି ଦେଖିବା ମାତ୍ରେ ଭକ୍ତିରେ ଶିର ସ୍ୱତଃ ଅବନତ ହୋଇଆସେ । ବିଧବା ହେଲା ଦିନୁ ତୈଳ ଦରିଦ୍ରା ତାହାର ଅଙ୍ଗ ସ୍ପର୍ଶ କରିନାହିଁ । ପାନ ନ ଖାଇ ସେ ହରିତକୀ ଖାଏ । ଏଣିକି ତାହାର ଜୀବନର ସ୍ରୋତ ନୂତନ ଭାବରେ ପବିତ୍ର ଭାବରେ ପ୍ରବାହିତ ହେଉଅଛି । ପୂର୍ବଦ୍ୱାରର ହୈମ କବାଟ ଫାଙ୍କରେ ପଙ୍କଜପାଟଳା ଶୂନ୍ୟସୁନ୍ଦରୀ ଉଷାର ଅଞ୍ଚଳାଗ୍ର ଦେଖାଯିବା ପୂର୍ବରୁ ଜାନକୀ ଶଯ୍ୟା ତ୍ୟାଗ କରେ । ପ୍ରଥମତଃ ଅଗଣାରେ ଗୋବର ପାଣି ପକାଇ ପରେ ଘର ବାହାର ଝଣ୍ଟାଇଦିଏ । ପିତାଙ୍କର ପୂଜାବାସନ ଏବଂ ଘରର ବାସନ ମାଜି ଧୋଇ ପରିଷ୍କାର କରି ରଖିଦିଏ । ଛୁଞ୍ଚଛଡ଼ା ଦେଇସାରି ଗୁହାଳ ପରିଷ୍କାର କରେ । ଅନ୍ଧାର ଥାଉଁ ଥାଉଁ ପିତାଙ୍କ ପାଇଁ ଦାନ୍ତ କାଠି, ପାଣିଲୋଟା ପିଣ୍ଡାରେ ଥୋଇ ଦେି ସ୍ନାନ କରିବାକୁ ଯାଏ । ଫେରି ଆସିବାବେଳେ ଗୋଛାଏ କଅଁଳ ଦୁବଘାସ ଛିଡ଼ାଇ ଆଣେ । ତୁଳସୀ ଚଉଁରାରେ ପାଣି ଦେଇ ତୁଳସୀ ମୂଳରୁ ଟିକିଏ ମାଟି ନେଇ ମୁଣ୍ଡରେ ଲଗାଏ । ତହିଁପରେ ଆଣିଥିବା ଘାସ ଗୋରୁ ପାଟିରେ ଖୁଆଇ ଦେଇ ହାତ ଯୋଡ଼ି ଦଣ୍ଡବତ କରେ-। ଲୁଗା ପାଲଟି ଏଣେତେଣେ ଟିକିଏ କଅଣ ଦେଖା ଦେଖି କରି ପିତାଙ୍କ ତତ୍ତ୍ୱ ନେଇ ପୂଜାରେ ବସିଥାଏ । ପୂଜା ଆଡ଼ମ୍ୱର ସହ ହୁଏ । ଜଗନ୍ନାଥଙ୍କର ଖଣ୍ଡିଏ ଚିତ୍ରପଟକୁ ଫୁଲ, ଚନ୍ଦନ, ତୁଳସୀପତ୍ରରେ ପୂଜା କରେ-। ପୂଜା ଶେଷରେ ଜଗନ୍ନାଥାଷ୍ଟକ ଆବୃତ୍ତି କରି ଅଧ୍ୟାଏ ଭାଗବତ ଗାଏ-। ପୂଜାରୁ ଉଠିଲାବେଳକୁ ବେଳ ପ୍ରହରେ ହୋଇଯାଇଥାଏ । ତହୁଁ ସେ ରୋସାଇ କରିବାକୁ ଯାଏ । ଯଥାସମୟରେ ରାନ୍ଧି ବାଢ଼ି ପିତାଙ୍କୁ ଖୁଆଇ ସେହି ପାତ୍ରର; ପିତୃ ପ୍ରସାଦ ସେବାକରେ । ଖାଇସାରି ଘଡ଼ିଏ ବିଶ୍ରାମ କରେ । ନାମ ମାତ୍ର ବିଶ୍ରାମ; କିନ୍ତୁ କାର୍ଯ୍ୟ ଲାଗିଥାଏ । କେଉଁଦିନ ତୂଳାସିଞ୍ଜା, କେଉଁଦିନ ପାଞ୍ଜି ବଳା, କେଉଁଦିନ ସୂତା କଟା, ଏହିପରି କୌଣସି ଗୋଟାଏ କାର୍ଯ୍ୟର ଆଶ୍ରୟରେ ବିଶ୍ରାମ କରେ । ବର୍ଷଯାକର ସୂତାରେ ପାଞ୍ଚଖଣ୍ଡ ଗାମୁଛା ବୁଣାଇ ବୈଶାଖ ସଂକ୍ରାନ୍ତି ଦିନ ପାଞ୍ଚଜଣ ଗରିବ ବ୍ରାହ୍ମଣଙ୍କୁ ଦାନକରେ । ପୁରୁଣା ଲୁଗାରେ କନ୍ଥା ସିଇଁ ରଖିଥାଏ, ଶୀତକାଳରେ ଦୁଃଖୀରଙ୍କୀ ଲୋକଙ୍କୁ ଦିଏ । କାଇଁଶରେ ଡାଲା ବୁଣି ଫୁଲ ତୋଳିବା ପାଇଁ ପ୍ରତି ଠାକୁର ବାଡ଼ିକୁ ଗୋଟାଏ ଗୋଟାଏ ପଠାଇଦିଏ । ବିଶ୍ରାମ ପରେ କେବେ ରାମରାୟଣ, କେବେ ମହାଭାରତ, କେବେ ହରିବଂଶ, କେବେ ବା ଭାଗବତ ପାଠକରେ । ଜାନକୀ କେତେବେଳେ ଖାଲି ବସି ରହେ ନାହିଁ । ପରିଶ୍ରମକୁ ସବୁବେଳେ ଚରିତ୍ରର ପ୍ରହରୀ ନିଯୁକ୍ତ କରି ରଖିଥାଏ । ସେ କହେ ସବୁ ବେଳେ କାମ ପାଇଟିରେ ଲାଗିଥିଲେ ମନ ସେହିଥିରେ ଅଟକି ରହେ ଆଉ କିଛି ଭାବିବାକୁ ତର ପାଏ ନାହିଁ । ଜାନକୀ ସେବା-ବ୍ରତରେ ଆତ୍ମ ସମର୍ପଣ କରିଅଛି । ଦେଶସେବା, ପିତୃସେବା, ଗୋସେବା, ଅତିଥିସେବାରେ ତାହାର ଦିନ ଆନନ୍ଦରେ କଟିଯାଉଅଛି । ସେବାରେ ସେ ଆହାର ନିଦ୍ରା ଭୁଲିଯାଏ-। ପ୍ରତ୍ୟେହ ମଧ୍ୟାହ୍ନ ଏବଂ ସନ୍ଧ୍ୟା ସମୟରେ ପିତାଙ୍କର ପଦସେବା କରେ । ଏହି ସେବା ତାହାର ନାରୀଗୌରବର ସର୍ବଶ୍ରେଷ୍ଠ ସମ୍ପଦ । ନିଜ ଖାଦ୍ୟର ଆଡ଼ମ୍ୱର ନାହିଁ । ଟିକିଏ ସାଗ କିମ୍ୱା ଫୁଟେ ତେନ୍ତୁଳୀ ହେଲେ ଯଥେଷ୍ଟ; ମାତ୍ର ଅତିଥି ଅଭ୍ୟାଗତ ବେଳକୁ ନଅ ତୁଣ ଛ ଭଜା । ସାଇପଡ଼ିଶା ସମସ୍ତେ ଜନକୀକୁ ଭଲ ପାଆନ୍ତି, ସମସ୍ତେ ତାହା ଗୁଣରେ ମୁଗ୍‌ଧ । ସମସ୍ତେ କହନ୍ତି–‘‘ଆହା, କପାଳ ଫାଟିଗଲା ସିନା, ହେଲେ ଝିଅ ନୁହେ ଯେ, ରତ୍ନମୁଣ୍ଡାଏ । ଯେପରି ସାକ୍ଷାତ ଲକ୍ଷ୍ମୀ ପ୍ରତିମା-। ଗର୍ବ ନାହିଁ, ଅହଙ୍କାର ନାହିଁ, ସ୍ତ୍ରୀଚରିତ-ସୁଲଭ ପରଚର୍ଚ୍ଚା ନାହିଁ; ବିଧତା ତାକୁ ସୁନା ମୁଣ୍ଡାକରେ ଗଢ଼ିଛି । କି ଦୟା, କି ସ୍ନେହ; ସେପରି ସ୍ନେହ, ଦୟା ମନୁଷ୍ୟର ହୋଇ ପାରେ ନାହିଁ । ଆଉ ଲଜ୍ଜାରେ ତ ଲାଜକୁଳୀ ଲତା । ଧର୍ମକର୍ମର ପଟାନ୍ତର ନାହିଁ କେଉଁ ଉଷା, ବାର, ବ୍ରତ ତାହାର ଛାଡ଼ ଯାଏନାହିଁ; ଭିକାରୀମାନେ ଜାନକୀକୁ ମା ଅନ୍ନପୂର୍ଣ୍ଣା ବୋଲି ଡ଼ାକନ୍ତି । ତାହା ହାତରୁ ମୁଠାଏ ପାଇଲେ ନିଜକୁ କୃତାର୍ଥ ମଣନ୍ତି ।’’

 

ମହାପାତ୍ରେ କନ୍ୟାର ସେବା ଶୁଶ୍ରୂଷାରେ ସନ୍ତୁଷ୍ଟ ଥାଆନ୍ତି । କିନ୍ତୁ ତାଙ୍କର ସ୍ୱଭାବ ଟିକିଏ ଭିନ୍ନ ପ୍ରକାର ଧାରଣ କରିଅଛି । ବୃଦ୍ଧ ଆଘାତ ଉପରେ ଆଘାତ ସହି ସଂସାର ପ୍ରତି କିଞ୍ଚିତ ବିତୃଷ୍ଣ ହୋଇଉଠିଛନ୍ତି । ଅନେକ ସମୟରେ ଅକାରଣରେ ତାଙ୍କର ପିତ୍ତ ଉପରକୁ ଉଠିଯାଏ । କୌଣସି କାର୍ଯ୍ୟରେ ଆଉ ପୂର୍ବ ପରି ଉତ୍ସାହ ନାହିଁ । ଧାନ ଏବଂ ଟଙ୍କା ମହାଜନୀ ବିସ୍ତୃତ ଭାବରେ ଚାଲିଥିଲା, ଏଣିକି ତାହା କ୍ରମେ ସଙ୍କୁଚିତ ହୋଇ ଆସିଲାଣି । ଏକାବେଳକେ ବନ୍ଦ କରିଦେଲେ ପୂର୍ବଦତ୍ତ ଋଣ ଆଦାୟ ହେବ ନାହିଁ; ସୁତରାଂ ଅଳ୍ପ ଅଳ୍ପ ଋଣ ଦେବାକୁ ପଡ଼ୁଅଛି । ବୃଦ୍ଧ ସାମନ୍ୟ କଥାରେ ପ୍ରଚଣ୍ଡରୂପେ ରାଗି ଉଠନ୍ତି; ମାତ୍ର ମୁହୂର୍ତ୍ତକେ ସେ କ୍ରୋଧ ପାଣି ହୋଇଯାଏ । ବର୍ଷା ରାତ୍ରିରେ ଜ୍ୟୋତ୍ସ୍ନା ପରି ସେ କ୍ଷଣକେ ବୁହଁ କୁଷୁଣ୍ଡା କରନ୍ତି ଏବଂ କ୍ଷଣକେ ହସି ଉଠନ୍ତି । ସେ ଆଉ ସ୍ନେହ ସମ୍ୱଳିତ ମଧୁର ବଚନ ପୂର୍ବ ପରି ପ୍ରୟୋଗ କରନ୍ତି ନାହିଁ । ବଚନ ରୂଢ଼ ଏବଂ ପ୍ରଖର । ବୃଦ୍ଧ ପ୍ରାତଃକାଳରୁ ଉଠି ପ୍ରାତଃକୃତ୍ୟ ସମାପନ ପୂର୍ବକ ବାଡ଼ି ଖଣ୍ଡିଏ ହାତରେ ଧରି ଗ୍ରାମର ହାଲଚାଲ ବୁଝିବା ନିମନ୍ତେ ଗୃହରୁ ବହିର୍ଗତ ହୁଅନ୍ତି । ସମସ୍ତଙ୍କର ଆପଦ ବିପଦ, ଅଭାବ-ଅସୁବିଧା ବୁଝି ଯଥାଶକ୍ତି ପ୍ରତିକାର କରନ୍ତି । ପୀଡ଼ିତକୁ ସାନ୍ତ୍ୱନା ପ୍ରଦାନ କରନ୍ତି । ଗ୍ରାମର ସମସ୍ତେ ତାଙ୍କଦ୍ୱାରା ଉପକୃତ; ସୁତରାଂ ସମସ୍ତେ ତାଙ୍କୁ ଶ୍ରଦ୍ଧା ଭକ୍ତି କରନ୍ତି । ସେ ନ କହିଲେ ସୁଦ୍ଧା କେହି କେହି ଆପେ ଆପେ ଆସି ତାଙ୍କ ଘରେ ପାଞ୍ଚ ପାଇଟି କରି ଦେଇଯାଆନ୍ତି । ମହାପାତ୍ରେ ସମସ୍ତଙ୍କ ହାନିଲାଭ ତୁଲାଇ ନିଅନ୍ତି । ସ୍ଥଳ ବିଶେଷରେ ଅର୍ଥ ସାହାଯ୍ୟ ମଧ୍ୟ ପ୍ରଦାନ କରନ୍ତି । ଏଥିପାଇଁ ଗ୍ରାମରେ ତାଙ୍କର ଗୋଟାଏ ବିପୁଳ ଗୌରବ ଅଛି । ସେ ଗ୍ରାମ ପରିଦର୍ଶନରୁ ଫେରି ଆସି ସ୍ନାନାହାରପୂର୍ବକ ଶୟନ କରନ୍ତି । ଜାନକୀ ତାଙ୍କର ଗୋଡ଼ ମୋଡ଼ିଦିଏ । ଦିନେ ଦିନେ ନ ଶୋଇ ପୁରାଣ ପଢ଼ିବା ପାଇଁ କନ୍ୟାକୁ ଆଦେଶ କରନ୍ତି । ଜାନକୀ ରାମାୟଣ କିମ୍ୱା ମହାଭାରତ ଆଣି ପଢ଼େ । ବୃଦ୍ଧ ଅବହିତ ଚିତ୍ତରେ ଶୁଣନ୍ତି । ବେଳ ଗଡ଼ିଲେ ପୋଡ଼ ପିଠା ଏବଂ ଦୁଧ ଜଳଖିଆ କରି ବଙ୍ଗଳାରେ ବସି ଖାତକମାନଙ୍କ ନିକଟରୁ ପାଉଣା ଆଦାୟ କରନ୍ତି ଏବଂ ହାରିଫେରାଦ ବୁଝନ୍ତି । ପୁନିଆଁ ଦିନ ତାଙ୍କର ନୂଆ ଖାତା ହୁଏ । ଯାହାର ଦଶ ଟଙ୍କା ସୁଧ ହୋଇଥାଏ, ତାକୁ ପାଞ୍ଚ ଟଙ୍କା ଛାଡ଼ ଦେଇ ବାକୀ ପାଞ୍ଚ ଟଙ୍କା ଆଦାୟ କରନ୍ତି, ଯାହାର କୋଡ଼ିଏ ପୁଡ଼ି ଧାନ ହୋଇଥାଏ, ତାକୁ ଦଶ ପୁଡ଼ି ଛାଡ଼ିଦିଅନ୍ତି । ଉତ୍ତମର୍ଣ୍ଣସୁଲଭ ଜଳୌକାଶୋଷଣ ନୀତି ତାଙ୍କର ନାହିଁ । ତାଙ୍କ ଋଣ ଖାତକକୁ ବାଧେନାହିଁ । ଏହି ହେତୁ ତାଙ୍କୁ ସମସ୍ତେ ପ୍ରଶଂସା କରନ୍ତି । ପାଠ କହୁଛି–‘‘ଯାହାର ଲୁଣ ଖାଇ, ତାହାର ଗୁଣ ଗାଇ ।’’ ଏଣିକି ପୂଜା, ଜପ, ଧ୍ୟାନ ଏବଂ ଶାସ୍ତ୍ରପାଠାଦିରେ ତାଙ୍କର ଅଧିକାଂଶ ସମୟ ଅତିବାହିତ ହୁଏ ।

Image

 

ତୃତୀୟ ପରିଚ୍ଛେଦ

 

ଜାନକୀ ବୃଦ୍ଧ ପିତାର ପ୍ରାଣର ପ୍ରହରୀ ହୋଇଅଛି । ତାଙ୍କର ସ୍ୱାସ୍ଥ୍ୟ ପ୍ରତି ତାହାର ସର୍ବଦା ସତର୍କ ଦୃଷ୍ଟି ଅଛି । ତାହାର ପ୍ରାଣର ସମସ୍ତ ସ୍ନେହ, ମାୟା, ଭକ୍ତି, ପ୍ରୀତି ସେ ପିତୃପଦରେ ଅଜାଡ଼ି ଦେଇଅଛି, ଯେମନ୍ତ କି ସେ ଏଣିକି ଏହି ଶୋକଜର୍ଜ୍ଜର ବୃଦ୍ଧର ମା ହୋଇ ପଡ଼ିଅଛି । ତାହାର ବୁଢ଼ା ପୁଅଟିକୁ ସେ ନଦେଖିଲେ ଆଉ କିଏ ଦେଖିବ ? ବୃଦ୍ଧ ତାଙ୍କର ଏହି ବାଳିକା ଜନନୀଟିର ସେବା ଯତ୍ନରେ ଏକ ପ୍ରକାର ଆରାମରେ ଅଛନ୍ତି । ସନ୍ତାନ ଜନନୀର ଶାସନ ମାନିଲା ପରି ସେ କନ୍ୟାର ଶାସନରେ ସମସ୍ତ କାର୍ଯ୍ୟରେ ନିୟମ ରକ୍ଷା କରିବାକୁ ଅଭ୍ୟସ୍ତ ହୋଇପଡ଼ିଅଛନ୍ତି-

ବୈଶାଖର ମଧ୍ୟାହ୍ନ-ସୂର୍ଯ୍ୟ ମଧ୍ୟାକାଶରେ ରହି କ୍ରୁଦ୍ଧ ହର୍ଯ୍ୟକ୍ଷର ଅଗ୍ନି-ନେତ୍ରର ପୃଥିବୀକୁ ଚାହିଁ ଅଛନ୍ତି, ଯେପରି କି ଆଗ୍ନେୟ ଚାଲୁଣୀରେ କିଏ ଉପରୁ ଅଗ୍ନି ଗୁଣ୍ଡି ଚଲେଇ ଦେଉଅଛି । ଖରାକୁ ଚାହିଁ ହେଉନାହିଁ । ସର୍ବତ୍ର ଅଗ୍ନିଶାର୍ଦ୍ଦୂଳ ଅନଳଶିଖା ପାନକରି ବୁଲିଲା ପ୍ରାୟ ବୋଧ ହେଉଅଛି । ସୃଷ୍ଟି ନିସ୍ତବ୍‌ଧ, ପବନ ନିରୂଦ୍ଧ; ଭୀଷଣ ଗୁଳିଗୁଳିରେ ଦେହ ଫାଟି ଯାଉଅଛି । ପଶୁଏ ବୃକ୍ଷମୂଳରେ ଏବଂ ପକ୍ଷୀମାନେ ଡାଳରେ ଆଶ୍ରୟ ନେଇ ଶାନ୍ତ ଚାଟପିଲା ପ୍ରାୟ ନୀରବରେ ବିଶ୍ରାମ କରୁଅଛନ୍ତି । ବୃକ୍ଷମାନେ ସେମାନଙ୍କ ଉପରେ ଛାୟା-ପଣତ ଘୋଡ଼ାଇଦେଇ ମାତୃସ୍ନେହର ଦୃଷ୍ଟାନ୍ତ ପ୍ରଦର୍ଶନ କରୁଅଛନ୍ତି । ଜଳର ଅଭାବ, କଣ୍ଠରେ ମରୁଭୂମିର ତୃଷା; ଜନ୍ତୁଗୁଡ଼ିକ ଛଟପଟ ହେଉଅଛନ୍ତି-। ଭୋଜନାନ୍ତେ ମହାପାତ୍ରେ ବିଛଣାରେ ପଡ଼ି ବିଶ୍ରାମ କରୁଅଛନ୍ତି, କନ୍ୟା ଜାନକୀ ଜୀର୍ଣ୍ଣ ତରୁମୂଳରେ ଫୁଲଟ ପରି ତାଙ୍କ ଗୋଡ଼ ପାଖରେ ବସି ପଙ୍ଖା ଧରି ବିଞ୍ଚି ଦେଉଅଛି । ବୃଦ୍ଧ ସ୍ନେହସିକ୍ତ କଣ୍ଠରେ କହିଲେ–‘‘ଦି ପହରେ ତୁ ଆଉ କଅଣ ପଢ଼ୁଛୁ ମା ?’’ କନ୍ୟା ଉତ୍ତର କଲା–‘‘ଗୀତା ।’’ ବୃଦ୍ଧ ସ୍ତବ୍‌ଧ-ଗମ୍ଭୀର ମୁଖରେ କନ୍ୟା ଆଡ଼କୁ ଚାହିଁ ପଚାରିଲେ–‘‘କି ଗୀତା, ଭଗବତ୍‌ଗୀତା ? ତୁ ପଢ଼ୁ, ବୁଝିପାରୁ ତ ?’’ କନ୍ୟା ଲଜ୍ଜାନମ୍ର ମୁଖରେ କହିଲା, ‘‘ହଁ ବାବା, ଭଗବତ୍‌ଗୀତା । ଶ୍ଲୋକ, ପଢ଼େନାହିଁ–ଅର୍ଥ ପଢ଼ି ଯାହା ଟିକିଏ ବୁଝେ । ବାବା ତମେ ମୋତେ ଗୀତା ବୁଝାଇଦେବ ନା ?’’ ବୃଦ୍ଧ ଦନ୍ତହୀନ ପାଟି ବିସ୍ତାର କରି ଠୋ ଠୋ କରି ହସିଉଠି କହିଲେ–‘‘ମା, ଏ ଯେ ଅନ୍ଧକୁ ଅନ୍ଧ ବାଟ ଦେଖାଇବା ପରି କଥା । ତୁ ଜାଣୁ ଯେ, ତୋ ବାପ ବ୍ୟାସବଶିଷ୍ଟଙ୍କ ପରି ଖୁବ୍‌ ଗୋଟାଏ ସର୍ବଜ୍ଞ ଯୋଗୀ ଋଷି ଭଳିଆ ଲୋକ । କିନ୍ତୁ ମୁଁ ଯେ ଏଣେ ନିରାଟ ନିଦା ମୂର୍ଖ ଆଉ ଘୋର ପାପୀ । ଗୀତା ପରି ଜଟିଳ ଶାସ୍ତ୍ରର ଅର୍ଥ ମୁଁ କାହୁଁ ଜାଣିବି ମା ?’’ ଜାନକୀ କହିଲା–‘‘ନା ବାବା, ତମେ ଜାଣ । ସେ ଦିନ ରଘୁଦାଦାଙ୍କୁ ବୁଝାଉଥିଲେ, ମୁଁ ଶୁଣିନାହିଁ କି ?’’ ବୃଦ୍ଧ କହିଲେ–‘‘ଏହା ତାହାଠାରୁ ଶୁଣି ଯାହା ଟିକିଏ ମାତ୍ର ଶିଖିଛି ସିନା, ଆଉ ଭଲରୂପେ ଜାଣେନାହିଁ ?’’ କନ୍ୟା ଛାଡ଼ିବାର ପାତ୍ରୀ ନୁହେଁ ସେ କହିଲା, ‘‘ହେଉ, ଯାହା ଶୁଣିଛ, ତାହା କୁହ ।’’ ବୃଦ୍ଧ ମୃଦୁ ହସି କହିଲେ–‘‘ହେଉ ଲୋ ବାୟାଣୀ ତୋହରି କଥା ରହୁ, କଅଣ ପଚାରୁଛୁ, ପଚାର । ’’

କନ୍ୟା–ଆଛା ବାବା, ଅର୍ଜ୍ଜୁନ ତ ଯୁଦ୍ଧ କରିବାକୁ ଯାଉଁ ଯାଉଁ ଯୁଦ୍ଧ କରିବେ ନାହିଁ ବୋଲି ମନା କଲେ । ଏଣେ ସୈନ୍ୟମାନେ ଅସ୍ତ୍ର ଧରି ଯୁଦ୍ଧ କରିବାକୁ ସଜ ହୋଇ ଠିଆ ହୋଇଛନ୍ତି । ଏହା ଭିତରେ ଏତେ ସମୟ କାହୁଁ ଆସିଲା ଯେ, ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଅଠର ଅଧ୍ୟା ଗୀତା ରଚନାକରି କହିଲେ ? ସେଠାରେ ତ ଦିନେ ଓଳିଏ ଠିଆ ହେଇ ସେମାନେ କଥାବାର୍ତ୍ତା ହୋଇନାହାନ୍ତି । କିଛିକ୍ଷଣ ପରେ ଅର୍ଜ୍ଜୁନ ପାଇଁ ଯୁଦ୍ଧ କରିଥିଲେ ।

ପିତା–ନା ମା, ତୋର ବୁଝିବାର ଭୁଲ । ଯେ ଯେଡ଼େ ବିଦ୍ୱାନ୍‌ ସେ ତେତେ ସଂକ୍ଷେପରେ କଥା କହନ୍ତି । କୃଷ୍ଣ ଅର୍ଜ୍ଜୁନ ମଧ୍ୟରେ କେହି ବାହାକୁ ଊଣା ନୁହନ୍ତି । ସେମାନଙ୍କର ଉଚ୍ଚ ଧରଣର କଥା ସାଧାରଣଙ୍କ ବୁଝିବା ଭଳି ନୁହେ । ସେ ଅବଶ୍ୟ ସଂକ୍ଷେପରେ କହିଥିଲେ; ମାତ୍ର ସମସ୍ତେ ବୁଝିପାରିବେ ବୋଲି ବ୍ୟାସଦେବ ସେହି କଥାକୁ ଫେଣେଇ ଫୁଲେଇ ବିସ୍ତୃତ ଭାବରେ ବୁଝାଇ କହିଅଛନ୍ତି ।

କନ୍ୟା–ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ–‘‘ଉଭୟ ସେନା ମଧ୍ୟରେ ମୋର ରଥ ରଖ, ମୋତେ କାହା ସଙ୍ଗରେ ଯୁଦ୍ଧ କରିବାକୁ ହେବ ମୁଁ ଦେଖିବି ।’’ ତେବେ କାହା ସଙ୍ଗରେ ଯୁଦ୍ଧ କରିବେ ବୋଲି ଅର୍ଜ୍ଜୁନ କଅଣ ଜାଣି ନ ଥିଲେ ?

ପିତା–ନା ମା, ତାହା ନୁହେ । ସ୍ଥାନ–ପ୍ରଭାବରେ ମନୁଷ୍ୟ ଦେବତା ହୁଏ । କୁରୁକ୍ଷେତ୍ର ପିବତ୍ର ତୀର୍ଥ ତାହା ସ୍ପର୍ଶରେ ଈର୍ଷାଳୁର ଈର୍ଷା ଛାଡ଼ିଯିବା ଆଶ୍ଚର୍ଯ୍ୟ କଥା ନୁହେ । ତୀର୍ଥପ୍ରଭାବରେ କାହାର କାଳେ ସତ୍ତ୍ୱଗୁଣ ବୃଦ୍ଧି ହୋଇଥିବ, ସେଥିପାଇଁ କାଳେ କେହି ଯୁଦ୍ଧ କରିବାକୁ ଅନିଚ୍ଛୁକ ହୋଇ ଫେରିଯାଇଥିବ । ଭୟ ହେତୁ ମଧ୍ୟ ଅନେକେ ଫେରି ଯାଆନ୍ତି, କେହି କେହି ଏକ ପକ୍ଷତ୍ୟାଗ କରି ଅନ୍ୟ ପକ୍ଷରେ ମିଶନ୍ତି; ସେଥିଲାଗି ଅର୍ଜ୍ଜୁନ ଏହିପରି କହିଥିଲେ ।

କନ୍ୟା–ଆଛା ବାବା, ଭଗବାନ୍‌କେତେବେଳେ କର୍ମର ଉପଦେଶ ଦେଉଛନ୍ତି, କେତେବେଳେ ପୁଣି ଜ୍ଞାନର ଉପଦେଶ ଦେଉଛନ୍ତି; ଏପରି ଦି ମତ କାହିଁକି ? ତେବେ କେଉଁଟି ସାର ?

ପିତା–କେଉଁଟି ଅସାର ନୁହେ, ମା ! କର୍ମରେ ଚିତ୍ତ ଶୁଦ୍ଧ ହୁଏ, ଚିତ୍ତ ଶୁଦ୍ଧ ହେଲେ ଜ୍ଞାନ ଜନ୍ମେ । ଜ୍ଞାନ କର୍ମ ଦୁହେଁ ମିଶି ଏକ । କର୍ମରୁ ଯେପରି ଜ୍ଞାନ ହୁଏ, ଜ୍ଞାନରୁ ସେହିପରି କର୍ମ ହୁଏ । ଗୋଟିଏ ଅନ୍ୟଟିକୁ ଛାଡ଼ି ରହିପାରେ ନାହିଁ । ଗଛରୁ ମଞ୍ଜି ହୁଏ, ମଞ୍ଜରୁ ଗଛ ହୁଏ; ସୂକ୍ଷ୍ମଭାବରେ ଦେଖିଲେ ଗଛ ଆଉ ମଞ୍ଜି ଏକ ପଦାର୍ଥ, କେବଳ ଭିନ୍ନ ରୂପରେ ପ୍ରକାଶ ମାତ୍ର ।

କନ୍ୟା–କର୍ମ ଯଦି କରିବ, ତେବେ କାମନା ତ୍ୟାଗ କରିବ କିପରି ? କାମନା ନ କଲେ କର୍ମ କିପରି ହେବ ? କର୍ମ ତ କାମନାମୟ । କାମନା ନ ଥିଲେ ମନ ନାହିଁ । ମନ ବୋଲି ନିଆରା କିଛି ଗୋଟାଏ ନାହିଁ । କର୍ମ ପରି ମନ ବି କାମନାମୟ । ତେବେ କାମନା ଛାଡ଼ିବ କିପରି ? ଏ ତ ମଧୁରତା ଛାଡ଼ି ମିଠେଇ ଖାଇବା ପରି କଥା, ବାବା !

ବୃଦ୍ଧ–ବାୟୁ ନିର୍ଗନ୍ଧ; କିନ୍ତୁ ଅନ୍ୟର ଗନ୍ଧରେ ଗନ୍ଧବାନ୍‌ ହୁଏ । ମନ ସେହିପରି କାମନାରେ କଳୁଷିତ ହୁଏ । ତେବେ କାମନା ଛାଡ଼ିବାର ନୁହେ । କର୍ମ କାମନା କରିବ; ମାତ୍ର ଫଳକାମନା କରିବ ନାହିଁ । ଏହା ସହଜ କଥା ନୁହେ ମା, ସାଧନା ବଡ଼ କଠୋର ।

କନ୍ୟା–ଶରୀର ଶୁଦ୍ଧ ହେବ କିମିତି, ବାବା ! ଯେଉଁ ଦେହ କ୍ରୋଧ, ହିଂସାଦି ଦୁର୍ଗନ୍ଧ ପଙ୍କରେ ଲିପ୍ତ, ସେ ଦେହ କି ଜଳରେ ନିର୍ମଳ ହେବ ? ଶରୀର ତ ମଳମୂତ୍ରରେ ପୂର୍ଣ୍ଣ-ମଳମୂତ୍ର ଅଭାବରେ ଶରୀର ରହିବ ନାହିଁ, ତେବେ ତାକୁ ଶୁଦ୍ଧ କରିବ କିମିତି ?

ପିତା–ମନ ଶୁଦ୍ଧ ହେଲେ ସବୁ ଶୁଦ୍ଧ ହୋଇଯାଏ ।

କନ୍ୟା–ତେବେ ସ୍ନାନଶୌଚ ଦରକାର ନହିଁ ?

ପିତା–ନାହିଁ କାହିଁକି ମା, ଖୁବ୍‌ ଅଛି । ଶରୀର ରକ୍ଷା ପ୍ରଧାନ ଧର୍ମ । ଶରୀର ନ ଥିଲେ କର୍ମ କରିବ କିଏ ? ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ସବୁବେଳେ ଦରକାର । ଅନେକେ କହନ୍ତି, ‘‘ମାଟି ଦେହ ମାଟିରେ ମିଳେଇଯିବ, ତାହା ପ୍ରତି ଆସ୍ଥା କାହିଁକି ?’’ ଏହା ସେମାନଙ୍କର ଭୁଲ । ଧର୍ମସାଧନ ଯଦି ଜୀବନର ଉଦ୍ଦେଶ୍ୟ ହୁଏ, ତେବେ ଦେହ ନ ଥିଲେ ଧର୍ମସାଧନ କିଏ କରିବ ? ଅତଏବ ଶରୀରକୁ ସୁସ୍ଥ ସବଳ ଆଉ କର୍ମକ୍ଷମ ରଖିବା ଉଚିତ ।

କନ୍ୟା–ଭଗବାନଙ୍କୁ କେହି ଦେଖିପାରନ୍ତି ନାହିଁ କାହିଁକି ? ତେବେ ଈଶ୍ୱର ଅଛନ୍ତି, ବୋଲି କିମିତି ଜାଣିବ ?

ପିତା–ଈଶ୍ୱର ସର୍ବବ୍ୟାପୀ, ସେ ବ୍ରହ୍ମାଣ୍ଡକୁ ବ୍ୟାପି ରହିଛନ୍ତି । ବ୍ରହ୍ମାଣ୍ଡ ତାଙ୍କ ପେଟ ଭିତରେ ଅଛି । ଆମେ ବି ତାଙ୍କ ପେଟ ଭିତରେ ଅଛୁଁ । ତାଙ୍କ ପେଟ ଭିତରେ ଥାଇ ତାଙ୍କୁ ଦେଖିବା କିପରି ? ଗର୍ଭସ୍ଥ ଶିଶୁ କି ମା ମୁହଁ ଦେଖିପାରେ ? ଜଗତରେ ରେଣୁଠାରୁ ପର୍ବତ ପର୍ଯ୍ୟନ୍ତ ଯାହା କିଛି ଅଛି, ସେ ସବୁଥିରେ ଈଶ୍ୱର ଅଛନ୍ତି । ସେସବୁ ତାଙ୍କର ଅସଂଖ୍ୟ ପ୍ରତିରୂପ । ତାଙ୍କର ଗୋଟାଏ ନିଆରା ରୂପ ନ ଥିଲେ ସୁଦ୍ଧା ସେ ଅଛନ୍ତି । କର୍ତ୍ତା ଛଡ଼ା କର୍ମ ହୋଇ ନ ପାରେ । ଯେତେବେଳେ ଚାରିଆଡ଼େ ଅସଂଖ୍ୟ କାର୍ଯ୍ୟ ଦେଖାଯାଉଛି, ତେତେବେଳେ ସେ କାର୍ଯ୍ୟର ଯେ ଜଣେ କର୍ତ୍ତା ଅଛି, ଏଥିର; ସଂଶୟ କଅଣ ? ପବନକୁ କେହି ଦେଖିପାରନ୍ତି ନାହିଁ ବୋଲି କଣ ପବନ ନାହିଁ ବୋଲି ବୋଲାଯିବ ? ଗଛ ପତ୍ର ହଲିଲେ, ସୁ ସୁ ଶବ୍ଦ ହେଲେ, ପବନ ଅଛି ବୋଲି ଜଣାଯାଏ । ତାହାର କାର୍ଯ୍ୟ ଅସ୍ତିତ୍ୱ ପ୍ରମାଣ କରିଦିଏ । ଈଶ୍ୱରଙ୍କ ସମ୍ବନ୍ଧରେ ସୁଦ୍ଧା ସେହିପରି ଜାଣିବୁ ମା । ଈଶ୍ୱର ତୋ ଭିତରେ ଅଛନ୍ତି, ମୋ ଭିତରେ ଅଛନ୍ତି, ତୁ ମୁଁ ବି ତାଙ୍କର ପ୍ରତିମୂର୍ତ୍ତି ।

କନ୍ୟା–ଆଛା ବାବା, ମଣିଷ ମରି ଫେର ଜନ୍ମ ହୁଏ ନା ?

ପିତା–ହଁ ମା, ଏକା ମନୁଷ୍ୟ ନୁହେ; ସମସ୍ତଙ୍କର ଜନ୍ମାନ୍ତର ଅଛି । ଜନ୍ମାନ୍ଧ, ଜନ୍ମପଙ୍ଗୁ ପ୍ରଭୃତି କେତେ କେତେ କଠିନ ରୋଭ ପାପରୁ ଜାତ ହୁଏ ବୋଲି ଶାସ୍ତ୍ରରେ ନିର୍ଦ୍ଧିଷ୍ଟ ଅଛି । ମାତ୍ର ଗର୍ଭରୁ ଭୂମିଷ୍ଠ ନ ହେଉଣୁ ସେ କେବେ କି ପାପ କଲା ଯେ, ଜନ୍ମାନ୍ଧ ହେଲା ? ତାହା ଯଦି ପାପର ଶାସ୍ତି ହୁଏ, ତେବେ ତାହା ପୂର୍ବଜନ୍ମର ପାପ । ଏଥିରୁ କି ଜନ୍ମାନ୍ତରର ପ୍ରମାଣ ମିଳୁନାହିଁ, ମା ? ଜଳ ଭିନ୍ନ ରୂପ ଧରି ବାଷ୍ପ ହୋଇ ଆକାଶକୁ ଉଠିଯାଏ, ପୁଣି ନିଜ ରୂପ ଧରି ଜଳ ହୋଇ ପୃଥିବୀକୁ ଫେରି ଆସେ । ଏହା ଦେଖି ଜନ୍ମାନ୍ତର ନାହିଁ ବୋଲି କିଏ କହିବ ?

କନ୍ୟା–ବାବା, ଧର୍ମ କଅଣ, ଖୁବ ସହଜରେ ମୋତେ ବୁଝାଇ ଦିଅ ନି ।

ପିତା–ଯାହାର ମହିମା ଅନନ୍ତ, ଦୁଇଟି ଗୋଟିଏ ଶବ୍ଦରେ ତାହାର ପରିଭାଷା ବାନ୍ଧିବା ଧୃଷ୍ଟତା ସିନା, ମା । ମହାଯୋଗୀ ବୁଦ୍ଧଦେବ କହିଅଛନ୍ତି–‘ଅହିଂସା ପରମୋ ଧର୍ମଃ । ’ କେହି କେହି କହନ୍ତି, ସତ୍ୟହିଁ ସାର ଧର୍ମ । ଏହିପରି ଧର୍ମର ଅନେକ ସଂଜ୍ଞା ଅଛି; ମାତ୍ର କେହି ପରିପୂର୍ଣ୍ଣ ବୋଲି ବିଶ୍ୱାସ ହୁଏ ନାହିଁ । ତପ, ଜପ, ଦାନ, ଯଜ୍ଞ, ଦୟା, କ୍ଷମା, ତ୍ୟାଗ, ପରୋପକାର ଏଗୁଡ଼ିକ ଧର୍ମର ଅଙ୍ଗ ବା ଉପାଦାନ । ମନୁଷ୍ୟକୁ ଯେ ଧରି ରଖେ, ଅର୍ଥାତ ମନୁଷ୍ୟର ଯାହା ଏକମାତ୍ର ଆଶ୍ରୟ, ତାହା ଧର୍ମ । ସାଧୁ କର୍ତ୍ତବ୍ୟ ସୁଦ୍ଧା ଧର୍ମ ନାମରେ ଅଭିହିତ ହୁଏ । ମୋଟାମୋଟି କହିବାକୁ ଗଲେ ସେବାଠାରୁ ବଳି ଧର୍ମ ନାହିଁ । ଜଗତର ସ୍ଥାବର ଅସ୍ଥାବର ସମସ୍ତେ ସେବାରେ ନିଯୁକ୍ତ ଅଛନ୍ତି । ଚନ୍ଦ୍ରସୂର୍ଯ୍ୟ ଆଲୋକ ପ୍ରଦାନ କରି ସୃଷ୍ଟିର ସେବା କରନ୍ତି । ଘନ ଜଳଦାନ କରି ପ୍ରକୃତିର ପରିଚର୍ଯ୍ୟା କରେ । ଏହିପରି ଯେଉଁଆଡ଼କୁ ଚାହିଁ, ସମସ୍ତେ ସେବାବ୍ରତ ଧାରଣ କରିଅଛନ୍ତି । ଅଥଚ କାହାରି ସ୍ୱାର୍ଥ କିଛି ନାହିଁ । ଏଥିରୁ ଜଣାଯାଏ, ନିଃସ୍ୱାର୍ଥ ପରୋପକାର ହିଁ ଧର୍ମ ।

କନ୍ୟା–ବାବା, ତମେ ତ କହିଲ–ଈଶ୍ୱରଙ୍କର ନିଆରା ରୂପ ନାହିଁ, ଜଗତର ସବୁ ପଦାର୍ଥ ତାଙ୍କର ପ୍ରତିରୂପ । ତେବେ କାହାକୁ ଧ୍ୟାନଧାରଣା କରିବ ?

ପିତା–ତୋର ଏ ପ୍ରଶ୍ନର ଉତ୍ତର ମୁଁ ପୂର୍ବରୁ ଦେଇଛି, ମା ! ଈଶ୍ୱର ତୋ ଦେହରେ ଅଛନ୍ତି, ମୋ ଦେହରେ ଅଛନ୍ତି । ତୁ ମୁଁ ବି ତାଙ୍କର ପ୍ରତିମୂର୍ତ୍ତି । ନିଶ୍ଚଳ ମନରେ ନିଜକୁ ଧ୍ୟାନ କରି ନିଜ ମୂର୍ତ୍ତି ଦେଖିବାକୁ ସାଧୁମାନେ ବ୍ରହ୍ମଦର୍ଶନ ବୋଲି କହିଅଛନ୍ତି । ‘‘ମୁଁ’’ ବୋଲି କିଛି ନାହିଁ, ତାହା ବ୍ରହ୍ମସତ୍ତା ମାତ୍ର । ମୁଁ ଆଉ ଶରୀର ଏକ ପଦାର୍ଥ ନୁହେ । ମୁଁ ଗୃହସ୍ଥ ଏବଂ ଶରୀର ସେହି ‘‘ମୁଁ’’ର ଘର, କିମ୍ବା ମୁଁ ଆରୋହୀ ଏବଂ ଶରୀର ବାହନ । ସେହି ନିର୍ଲପ୍ତ ନିର୍ବିକାର ‘‘ମୁଁ’’ ଏକା ପରମ ଦେବତା, ପରମ ବ୍ରହ୍ମ; ସେହି ଜୀବର ଉପାସ୍ୟ ।

କନ୍ୟା–ବାବା, କଉଁ ଧର୍ମ ସବୁଠାରୁ ଭଲ ?

ପିତା–ପାଗଳି, ଧର୍ମର ପୁଣି ଭଲମନ୍ଦ, ସାନ ବଡ଼ ? ଧର୍ମ ତ ଗୋଟାଏ । ତେବେ ତାହାର ସାଧନ-ପଥ ଅନେକ । ସମସ୍ତ ସାଧକର ଲକ୍ଷ୍ୟ ସୁଦ୍ଧା ଏକ । ପୁରୀକୁ ଅନେକ ଯାତ୍ରୀ ଯାଆନ୍ତି । କେହି ନୌକାରେ, କେହି ରେଲରେ, କେହି ବା ଚାଲି ଚାଲି ଯାଏ । ମାତ୍ର ଏକ ଜଗନ୍ନାଥ ଦର୍ଶନ ସମସ୍ତଙ୍କର ଉଦ୍ଦେଶ୍ୟ । ଜଗନ୍ନାଥଙ୍କୁ କେହି ଜଗବନ୍ଧୁ ବୋଲି କହେ, କେହି ଜଗନ୍ନାଥ କହେ, କେହି ନୀଳାଦ୍ରି ନାଥ କହେ, କେହି କାଳିଆ ସାଆନ୍ତ ବୋଲି ଡାକି ହୃଦୟର ବ୍ୟଥା ଜଣାଏ । ସେହିପରି ଏକ ଈଶ୍ୱରଙ୍କୁ କେହି କହେ, କୃଷ୍ଣ, କେହି କହେ–ଖ୍ରୀଷ୍ଟ, କେହି କହେ–ଆଲ୍ଲା । ଏଗୁଡ଼ିକ ଈଶ୍ୱରଙ୍କର ନାମାନ୍ତର ।

କନ୍ୟା–ତେବେ ଆମ୍ଭେ ଆଲ୍ଲା ବା ଖ୍ରୀଷ୍ଟ ନାମ ଧରି ଭଜିପାରିବା ?

ପିତା–ଏଁ, ତାହା କିମିତି ହେବ ? ନିଜର କୌଳିକ ଧାରା ବଞ୍ଚାଇ ରଖିବାକୁ ହେବ । ଆମ୍ଭର ପୂର୍ବପୁରୁଷମାନେ ଆମ୍ଭଠାରୁ ବହୁଗୁଣ ଉନ୍ନତ ଥିଲେ । ସେମାନେ ଯେଉଁ ଧାରାକୁ ନିଜର ଉପଯୋଗୀ ଜ୍ଞାନରେ ଗ୍ରହଣ କରିଥିଲେ, ଆମ୍ଭମାନଙ୍କ ସେହି ଧାରା ଧରି ଚଳିବାକୁ ହେବ । ତାହାହିଁ ଆମ୍ଭମାନଙ୍କ ପକ୍ଷରେ ସୁବିଧାଜନକ ଏବଂ କଲ୍ୟାଣକର ।

କନ୍ୟା–ଆଛା ବାବା, ମୁସଲମାନ ଆଉ ଖ୍ରୀଷ୍ଟାନମାନେ କେବଳ ଏକ ଈଶ୍ୱରଙ୍କୁ ପୂଜା କରନ୍ତି, ଆଉ ଆମ ହିନ୍ଦୁମାନେ କାହିଁକି ତେତିଶ କୋଟି ଦେବତାଙ୍କୁ ପୂଜା କରନ୍ତି ?

ପିତା–ହିନ୍ଦୁମାନଙ୍କ ପରି କୃତଜ୍ଞ ଆଉ ଜଗତରେ ନାହିଁ । ହିନ୍ଦୁ ଯାହାଠାରୁ ଉପକାର ପାଏ, ତାକୁ ଦେବତାଜ୍ଞାନ ର ପୂଜାକରେ । ପ୍ରତ୍ୟେକ ପଦାର୍ଥରେ ଈଶ୍ୱର ଅଛନ୍ତି, ମା । ପ୍ରହ୍ଲାଦ ଚରିତ ଶୁଣିଛୁ ପରା ? ଭଗବାନ ସ୍ତମ୍ଭରୁ ବାହାରି ପ୍ରହ୍ଲାଦର ବିଶ୍ୱାସ ଏବଂ ବାକ୍ୟର ସତ୍ୟତା ପ୍ରମାଣ କରିଥିଲେ । ମାଟିରେ, ପଥରରେ ବା ବୃକ୍ଷାଦିରେ ଈଶ୍ୱର ଅଛନ୍ତି, ତେବେ ମାଟି, ପଥର ବା ବୃକ୍ଷାଦିକୁ ପୂଜାକରିବା କି ଈଶ୍ୱର ପୂଜା ନୁହେ ? ହିନ୍ଦୁମାନେ ମହାଦାର୍ଶନିକ ଜାତି, ସେମାନେ ପ୍ରତ୍ୟକ୍ଷରେ ଯାହାଠାରୁ ଫଳ ପାଆନ୍ତି, ତାକୁ ପୂଜା କରନ୍ତି, ଏହା ଆର୍ଯ୍ୟ-ସଭ୍ୟତାର ଗୋଟିଏ ଗୌରବ ଆଦର୍ଶ । ଏହି ଉଦାର ମହାନ୍‌ ଆଦର୍ଶ ଆର୍ଯ୍ୟ-ସମାଜର ବଜ୍ରଦୃଢ଼ ମୂଳଭିତ୍ତି । ସେହି ଅଟଳ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବା ହେତୁ ଆର୍ଯ୍ୟ ସମାଜ ଯୁଗଯୁଗ କାଳ ବ୍ୟାପି ଶିର ଉନ୍ନତ କରି ରହିଅଛି ।

ପିତା ପୁତ୍ରୀ ଉଭୟ ମଧ୍ୟରେ ଏହିପରି ଧର୍ମଚର୍ଚ୍ଚା ଅନେକ ସମୟରେ ହୁଏ । ସେମାନେ ଏହାକୁ ଜୀବନର ପରମ ସୁଖ ଜ୍ଞାନ କରନ୍ତି ।

Image

 

ଚତୁର୍ଥ ପରିଚ୍ଛେଦ

 

ତାରିଣୀ ଗ୍ରାମରେ ଜାନକୀର ଶ୍ୱଶୁରାଳୟ । ସେଠାରେ ତାହାର ଦେବର ପଞ୍ଚୁ ଦାସ ଥାଏ । ପଞ୍ଚୁର ଘରକୁ ତିନି ପ୍ରାଣୀ–ସେ, ତାହାର ସ୍ତ୍ରୀ ସତ୍ୟଭାମା ଏବଂ ତିନିବର୍ଷର ପୁଅ ଗୋପାଳ-। ପଞ୍ଚୁର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେ । ସେ ଜମିଦାର ସିରସ୍ତାରେ ଗୁମାସ୍ତା କାମ କରି ମାସିକ ସାତ ଟଙ୍କା ଦରମା ପାଏ । ସତ୍ୟଭାମା ସେହି ସାମାନ୍ୟ ଆୟରେ ଘର ଚଳାଇନିଏ । ସତ୍ୟଭାମା ଖୁବ୍‌ବୁଦ୍ଧି ମତୀ ବୋଲି ଗ୍ରାମର ସ୍ତ୍ରୀ-ସମାଜରେ ତାହାର ଗୋଟିଏ ପ୍ରତିଷ୍ଠା ଅଛି । ସେ ଗହମ ଗଣି ପିଠା କରି ଜାଣେ । କରଣ ଘର, ଭିତରର ଅବସ୍ଥା ଯାହା ହେଉ ପଛକେ, ବାହାରକୁ ଟିକିଏ ପଟାଟୋପ ଦରକାର । ନହେଲେ ମାନ ମହତ୍ତ୍ୱ ରହିବ କିପରି ? ସତ୍ୟଭାମା ଆତ୍ମଗୌରବ ପ୍ରତି ଯଥେଷ୍ଟ ସାବଧାନ । ଅବସ୍ଥା ଭଲ ନହେଲେ ମଧ୍ୟ ଉଷାବାର, ପୁନେଇ ପର୍ବରେ ତାହା ଦ୍ୱାରରୁ ଭାଟଭିକାରୀ ଖାଲିହାତରେ ଫେରି ଯାଆନ୍ତିନାହିଁ । ଭିକାରୀଗୁଡ଼ାଙ୍କର ସ୍ୱଭାବ, ଯେତେ ଦେଲେ ସୁଦ୍ଧା ସେମାନେ ଅତୃପ୍ତ । ଆଉ ନିନ୍ଦା ଗାଇ ବୁଲିବାଟା ସେମାନଙ୍କର ଜାତୀୟ ବ୍ୟବସାୟ । ସେ ଅକୃତଜ୍ଞ ନିନ୍ଦୁକଗୁଡ଼ାକ କହନ୍ତି–‘‘ଗୋପାଳ ମା ଦଶହରାକୁ ଯେଉଁ ମଣ୍ଡାପିଠା ବାଣ୍ଟନ୍ତି, ତାହା ବରକୋଳିଠାରୁ ସାନ । ଗୋଟାଏ ଗାଲରେ ପାଞ୍ଚ ପୁଞ୍ଚା ପୂରାଇଦେଲେ ଆର ଗାଲ ଖବର ସୁଦ୍ଧା ପାଏ ନାହିଁ ।’’ ରଥିଆ-ମା ପାଲୁଣୀ କହେ–‘‘ପିଠାଉଆଁସ ଦିନ ସାଆନ୍ତାଣୀ ଯେଉଁ ଚିତଉ ପିଠା କରନ୍ତି, ସେଥିରୁ ଫଡ଼େ ଖାଇଲେ ମନ ବୋଧ । ଫଡ଼ାଟାମାନ ପଇସାଅଧଲାର କାନ କାଟିଦେବ । ଏହିପରି ଅନେକ ଟାହୁଲି କରନ୍ତି । ମାଗିବା ଲୋକ ତ ଆଉ ଦାତାର ଅବସ୍ଥା ପ୍ରତି ଦୃଷ୍ଟି ରଖେନାହିଁ–ରଖିବା ମଧ୍ୟ ଆବଶ୍ୟକ ମନେ କରେନାହିଁ । ଭିକ୍ଷାଥଳିଟା ପୃଥୁଳ କିପରି ହେବ, ତାହାର ଷୋଳପଣ ଲକ୍ଷ୍ୟ ସେହି ଆଡ଼କୁ ଥାଏ । ଦାତାକୁ ଯେ ନିଜର ଅବସ୍ଥା ବୁଝି ଦାନର ବ୍ୟବସ୍ଥା କରିବାକୁ ହୁଏ, ମାଗିଖିଆ ଲୋକ ତାହା କି ବୁଝେ ? ଯାହା ହେଉ, ଦୁଃଖେ ଦୁଃଖେ ତିନୋଟି ପ୍ରାଣୀର ଦିନ କଟି ଯାଉଥାଏ । ସତ୍ୟଭାମାର ପରିମିତବ୍ୟୟିତ-ଗୁଣରେ ବିଶେଷ କିଛି ଅଭାବ ଅନୁଭୂତ ହୁଏନାହିଁ । ଅଭାବ ପୂରଣ କରିବାର କ୍ଷମତା ଯାହାର ଅଛି, ଜଗତରେ ତାହାର ଅଭାବ ଅଧିକ । ଅର୍ଥାତ୍‌ ଅଭାବକୁ ଯେତେ ପୂରଣ କରିବ, ସେ ତେତେ ବଢ଼ିବ, ନୂତନ ନୂତନ ଅନାବଶ୍ୟକ ଅଭାବ ଆସି ପହଞ୍ଚିବ । ମାତ୍ର ଅଭାବ ମୋଚନର ଶକ୍ତି ଯାହାର ନାହିଁ, ଅଭାବ ତାହାର ପାଖ ପଶେ ନାହିଁ । ଅଭାବ କଣ୍ଡୁରୋଗ ପରି । ତାକୁ କୁଣ୍ଡାଇଲେ ସେ ବଢ଼େ ।

 

କାର୍ତ୍ତିକମାସ ଶେଷରେ ତାରିଣୀ ଗ୍ରାମରେ ଜ୍ୱର ଦେଖାଗଲା । ଅଳ୍ପଦିନ ମଧ୍ୟରେ ଜ୍ୱର ଗ୍ରାମସାରା ବ୍ୟାପିଗଲା । ଗ୍ରାମ ମଧ୍ୟରେ ଗୋଟାଏ ଘର ସୁଦ୍ଧା ଜ୍ୱରଶୂନ୍ୟ ରହିଲା ନାହିଁ । ଲୋକଗୁଡ଼ାକ ଅସ୍ଥିଚର୍ମସାର ହୋଇ ବିଛଣାରେ ପଡ଼ିରହିଲେ । କାହାକୁ କେହି ଚିକିତ୍ସା କରିବାକୁ ନାହିଁ, କାହାରି ମୁହଁରେ କେହି ମନ୍ଦାଏ ପାଣି ଦେବାକୁ ନାହିଁ, ସମସ୍ତେ ତ ଜ୍ୱରରେ ଅସ୍ଥିର, କିଏ କାହାକୁ ଚାହୁଁଛି ? କାହାର ଦେହ ଶେତୁଆ, କାହାର ମୁଖ ପାଣ୍ଡୁର କାହାର ପଞ୍ଜରାସ୍ଥି ଗଣି ହେଉଛି, କାହାର ଚକ୍ଷୁ କ୍ରୋଟରସ୍ଥ, ସମସ୍ତେ ଯେପରି ପ୍ରେତ-ରାଜ୍ୟର ପ୍ରଜା । ଜ୍ୱର-ରାକ୍ଷସ ଦେହରୁ ସମସ୍ତ ରକ୍ତ ଶୋଷିନେଇ ସିଠା କରିଦେଇଅଛି । ପ୍ରବଳ ଭାବରେ ଲୋକକ୍ଷୟ ହେବାକୁ ଲାଗିଲା । ଅହୋ, ସେ କି ଭୀଷଣ ମହାମଡ଼କ ! ପୋଡ଼ିବା ପୋତିବା କିଏ ପଚାରେ, ଶବ ଉଠାଇବାକୁ ସୁଦ୍ଧା ଲୋକ ମିଳିଲେ ନାହିଁ । ଶବରେ ଶ୍ମଶାନ ପୂର୍ଣ୍ଣ ହୋଇଗଲା । ଶେଷରେ ସ୍ଥାନାଭାବ ହେତୁ ଶବ ଉପରେ ଶବ ଗଡ଼େଇ ଦେଇ ଆସିବାକୁ ହେଲା । ଶକାହାରୀ ଜନ୍ତୁଙ୍କ କ୍ରୂର ହର୍ଷ-ଚିତ୍କାରରେ କର୍ଣ୍ଣ ବଧିର ହୋଇଗଲା । ଗ୍ରାମରେ ବିଭୀଷିକା ରୁଦ୍ର ଉଲଗ୍ନମୂର୍ତ୍ତରେ ଖେଜି ବୁଲିଲା । ଶିବା ଶ୍ୱାନ ପ୍ରଭୃତି ମୃତ ଲୋକର ହସ୍ତ, ପଦ, ଶିର ବହି ଆଣି ବାଟରେ ଘାଟରେ ପକାଇ ସେହି ଭୀଷଣତାକୁ ଶତଗୁଣ ବୁଦ୍ଧି କରିଦେଲେ । ଦେଖୁଁ ଦେଖୁଁ ଗ୍ରାମଟି ଜନଶୂନ୍ୟ ହେବାକୁ ବସିଲା । ଗ୍ରାମରେ ହାହାକାର ପଡ଼ିଗଲା । ମୃତ୍ୟୁ ବିକଟ ମୂର୍ତ୍ତି ଧରି ସମସ୍ତଙ୍କ ଆଗରେ ନାଚିବୁଲିଲା । କେହି କହିଲା–ଗ୍ରାମରେ କାଳପୁରୁଷ ବୁଲିଛି, ଆଉ ରକ୍ଷା ନାହିଁ । କେହି କହିଲା–ଏ ଦେବକୂଟ ମାୟା । କେହି କହିଲା–ଆଉ ଏଠାରେ ରହି ମଙ୍ଗଳ ନାହିଁ । ଅନେକ ଲୋକ ପ୍ରାଣ ଭୟରେ ଗ୍ରାମ ଛାଡ଼ି ପଳାଇଲେ । ଆଉ ଯେଉଁମାନେ ପ୍ରାଣଠାରୁ ଧନ ସମ୍ପତ୍ତିକୁ ମୂଲ୍ୟବାନ୍‌ ମଣନ୍ତି, ସେମାନେ ମୁହଁମାଡ଼ି ପଡ଼ି ରହିଲେ । କେହି କେହି ମୃତ୍ୟୁଙ୍କୁ ଫାଙ୍କି ଦେବାପାଇଁ ବାହୁ, କଟି, କଣ୍ଠରେ ଔଷଧପୂର୍ଣ୍ଣ ଅଷ୍ଟଲୋହୀ ଡେଉଁରିଆ ବାନ୍ଧି ଗଭୀର ବିଶ୍ୱାସରେ ମୃତ୍ୟୁଞ୍ଜୟ ହୋଇ ରହିଲେ ।

 

ପଞ୍ଚୁଦାସ ଏବଂ ସତ୍ୟଭାମା ଦୁଇଦିନ ମାତ୍ର ଜ୍ୱରଭୋଗ ପରେ ମୃତ୍ୟୁମୁଖରେ ପତିତ ହେଲେ । ଶିଶୁ ଗୋପାଳଟି ଅନାଥ ହେଲା । ତିନି ବର୍ଷର ଶିଶୁ, ସେ ସଂସାରର କଅଣ ଜାଣେ ? ବିଧାତା ତାହାର କୋମଳ ମସ୍ତକରେ କଠୋର ବଜ୍ର ପ୍ରହାର କଲାଣି; ମାତ୍ର ତାହାର ସେ କଥାକୁ ହୁସ୍‌ ନାହିଁ । ଗ୍ରାମର ସମସ୍ତେ ତାହାପାଇଁ ହାୟ ହାୟ କଲେ । କେହି କହିଲା–‘‘ବାପମା-ଛେଉଣ୍ଡ ପିଲାଟି କିମିତି ବଞ୍ଚିବ ?’’ କେହି କହିଲା–‘‘ନା ନା, ସେ ବଞ୍ଚିବ- ଯେ ଚାରି ଦଉଡ଼ି କାଟିଦିଏ, ସେ ବଞ୍ଚେ ।’’ ଯାହାହେଉ, ଶିଶୁର ମାତୁନ ନିଧି ପଟ୍ଟନାୟକ ଆସି ଶିଶୁ ଭାଗିନେୟଟିକୁ କୋଳକୁ ଟେକି ନେଲେ । ତାହା ସଙ୍ଗେ ସଙ୍ଗେ ଦାନର ଦକ୍ଷିଣା-ସ୍ୱରୂପ ଭଗିନୀଗୃହର ହାଣ୍ଡି-ଆଟିକା, ଟୋକାଇ-ଆଛିଆ, ଛାଞ୍ଚୁଣୀ-ପହିଁରା ପର୍ଯ୍ୟନ୍ତ ଯାହା ଥିଲା, ତାହା ସବୁ ପୋଛିପାଛି ବହି ନେଇଗଲେ । ନିଧି ନଳଭିଆଣ ବିଦ୍ୟାରେ ଖୁବ୍‌ ନିପୁଣ, ନଳରେ ସେ ଖାଲି ଧୂମ ଶୋଷଣ କରନ୍ତି ନାହିଁ–ସେଥି ସଙ୍ଗେ ସଙ୍ଗେ ସଙ୍ଗେ ନିଜର ବର୍ତ୍ତମାନ ଭବିଷ୍ୟତ୍‌ ସବୁ ଶୋଷି ନେଇସାରିଲେଣି । ଉକ୍ତ ବିଦ୍ୟାରେ ସେ ଏତେଦୂର ଉନ୍ନତି କରିଅଛନ୍ତି ଯେ, ବିଦ୍ୟା ଆଉ ଘରେ ଜାଗା ନ ପାଇ ଚାଳ ଫୁଟାଇ ଉପରକୁ ବାହାରି ଯାଇଅଛି । ସେହି ହେତୁରୁ ନିଧିଙ୍କ ଗୃହର ଛପର ତିନି ଗଡ଼ି ପର୍ଯ୍ୟନ୍ତ ମୁକୁଳା । ପୁତ୍ର କନ୍ୟା ପ୍ରଭୃତି ପୋଷ୍ୟ ନିତାନ୍ତ ଅଳ୍ପ ନୁହନ୍ତି । ସେମାନେ ଯେ ସୁଖସ୍ୱାଚ୍ଛନ୍ଦ୍ୟରେ ଅଛନ୍ତି, ତାହା ନୁହେ–ଅବଶ୍ୟ ମାସର ଅଧିକାଂଶ ଦିନ ଏକାଦଶୀ ହୁଏ । ତାହା ନିଧିଙ୍କ ବିଦ୍ୟାର ମାହାତ୍ମ୍ୟ ।

 

ସ୍ୱାମୀଙ୍କ ଆନୀତ ଜିନିଷପତ୍ରଗୁଡ଼ିକ ଦେଖି ଗୃହିଣୀ ମନେ ମନେ ଖୁବ୍‌ ଆନନ୍ଦିତା ହେଲେ । ତାଙ୍କର ଅଧର-କୋଣରେ ଦୁର୍ଭିକ୍ଷ ବିଜୁଳି ପରି ଟିକିଏ କ୍ଷୀଣ ଅସ୍ପଷ୍ଟ ହାସ୍ୟରେଖା ମଧ୍ୟ ଦେଖାଗଲା । ମାତ୍ର ସେ ହଠାତ୍‌ ସେ ଭାବ ଗୋପନ କରି ବିଷାଦସ୍ୱରରେ ନଣନ୍ଦନଣନ୍ଦେଇଙ୍କ ଲାଗି କିଛିକ୍ଷଣ ‘ହାୟ ହାୟ, ଚୁ ତୁ’ କଲେ । କିନ୍ତୁ ଏ କଅଣ ? ଏ ଶିଶୁ ଗ୍ରହଟା କିଏ ? ତାଙ୍କ ଦେହ ଶୀତେଇ ଉଠିଲା, ସେ ଜିଜ୍ଞାସୁ ଦୃଷ୍ଟିରେ ଗୁଣଧର ସ୍ୱାମୀଙ୍କ ଆଡ଼କୁ ଚାହିଁ ରହିଲେ । ସ୍ୱାମୀ ସେ ଦୃଷ୍ଟି ସହି ନ ପାରି ମୁହଁ ତଳକୁ ପୋତି କ୍ଷୀଣ କମ୍ପିତସ୍ୱରରେ କହିଲେ–‘‘ଏ ଆମ ସତ୍ୟର ପୁଅ, ତାହାର କିଏ ଅଛି ଯେ, ଦେଖିବ ? ସେଥିଲାଗି ତାକୁ ଘେନି ଆସିଲି ।’’ ଗୃହିଣୀ କ୍ରୁଦ୍ଧା ବାଘୁଣୀ ପରି ଗର୍ଜିଉଠି କହିଲେ–‘‘ଲାଜ ନାହିଁ ସେ ମୁହଁକୁ । ମଦତ ଧୂଆଁରେ ତ ସବୁ ଉଡ଼ିଗଲା, ଆଉ ଗେହ୍ଲା ଭଣଜାକୁ ଆଣିଲ ଯେ କଅଣ ଖୁଆଇ ବଞ୍ଚାଇବ ? ଯାହା କହନ୍ତି ‘ପେଟକୁ ଦାନା ନାହିଁ, ସାହିପଡ଼ିଶାକୁ ନିମିତ୍ତା । ’ ମୋର ଏ ଭୂତର ବୋଝ କିଏ ମୁଣ୍ଡେଇବ ଲୋ ମା ? ଯେ ଆଣିଛି, ସେହି ଜାଣେ । ଉଇ ଗତି ଅଛି ତ ଏଇଛୁଣି ମୋ ଆଗରୁ ତାକୁ ନେଇଯାଅ । ମୋ ଛୁଆ ଖାଇବାକୁ ନପାଇ ଗଡ଼ି ସଢ଼ି ଯାଉଛନ୍ତି, ମୋର ତାକୁ ସମ୍ଭାଳିବ କିଏ ? ନିଧି ଏ କଥା ଶୁଣି କଅଣ କରିବେ, କିଛି ବାଟ ପାଇଲେ ନାହିଁ । ନିଧିଙ୍କ ସାନ ଭଉଣୀ କମଳା ସେଠାରେ ଠିଆ ହୋଇଥିଲେ । ସେ ଦୁଇଦିନ ହେଲା ବାପଘରକୁ ଆସିଛି, କାଲି ତାହା ଶଶୁର ଘରକୁ ଫେରିଯିବ । ସେ ଭାଇଙ୍କୁ ବିପନ୍ନ ଦେଖି କହିଲା–‘‘ନୂଆବୋହୁ, ଅପା ପୁଅକୁ ଭାଇ ଆଉ କେଉଁଠିକି ନେଇଯିବେ ? ସେ ଆଜି ଥାଉ, ମୁଁ ତ କାଲି ଯିବି, ତାକୁ ସଙ୍ଗରେ ନେଇଯିବି । ତମେ ଯାହା କହୁଛ, ମିଛ ନୁହେ, ନିଜର ଛୁଆ ତ ଉପାସ ରହୁଛନ୍ତି, ତାକୁ ପୋଷିବ କୁଆଡ଼ୁ ?’’ ଗୃହିଣୀଙ୍କ ମୁଖରୁ ଅନ୍ଧକାର ଘୁଞ୍ଚିଗଲା–ଯେମନ୍ତ କି ତାଙ୍କ ଛାତିରୁ ହିମାଳୟ ପର୍ବତର ଭାର ଓହ୍ଲାଇଗଲା । ସେ ଟିକିଏ ନରମ ସ୍ୱରରେ କହିଲେ–‘ସେଇଆ କୁଅନି କମ, ମୁଁ କିମିତ ପିଲାମାନଙ୍କୁ ବଞ୍ଚେଇଛି ତାହା ଯେ ଦିନରାତି କରୁଛି, ସେହି ଜାଣେ ।’’ ଏହା କହି ସେ ଗୋଟାଏ ଆଶ୍ୱସ୍ତିର ଦୀର୍ଘନିଃଶ୍ୱାସ ପକାଇଲେ । କିଛି କ୍ଷଣ ମୌନ ରହି କଣ୍ଠ ସ୍ୱରଟାକୁ ସ୍ନେହରେ ବୁଡ଼ାଇଦେଇ ପୁଣି କହିଲେ–‘‘ଆହା । ବାପମା ଛେଉଣ୍ଡ ପିଲାଟିର ମୁହଁ ଶୁଖିଗଲାଣି, ଆରେ ବାପ, ଆ ।’’ ଏହା କହି ଶିଶୁକୁ କୋଳକୁ ଟାଣିନେଇ କମଳାକୁ ଚାହିଁ କହିଲେ–‘‘ଏ କଅଣ ଅଣହେଳା ପଦାର୍ଥ, ଭଉଣୀ ? ଏ ରତ୍ନ କେତେକେ ମିଳେ ? କଅଣ କରିବି, ବିଧାତା ମୋତେ ଦୁଃଖ ଦେଇଛି ।’’ ଭ୍ରାତୃଜାୟାର ଏ କ୍ଷଣପରିବର୍ତ୍ତନର କାରଣ ବୁଝିପାରି କମଳା ଟିକିଏ ହସିଲା; ମାତ୍ର କିଛି କହିଲା ନାହିଁ ।

 

‘‘ଅପା ସାଆନ୍ତାଣୀ, ଏଣିକି ଟିକିଏ ଆସିବ ନା ?’’

 

ଜାନକୀ ଖରାବେଳେ ବସି ମହାଭାରତ ପଢ଼ୁଅଛି । ପଠିତ ବିଷୟ-ଦ୍ରୌପଦୀ ବସ୍ତ୍ରହରଣ । ପଢ଼ୁଁ ପଢ଼ୁଁ ତାହାର ମୁଖ ଘୃଣା, ଦୁଃଖ, ବିରକ୍ତି ଏବଂ କ୍ରୋଧରେ କ୍ଷଣକ୍ଷଣକେ ଭିନ୍ନାକାର ଧାରଣ କରୁଅଛି । ଚକ୍ଷୁରୁ ଲୋତକଧାରା ବହିଯାଉଅଛି । ପାଠିକା ପାଠରେ ସ୍ଥିର ନିଶ୍ଚଳ-ନିବିଷ୍ଟ ମତି । ଏହି ସମୟରେ ବାଡ଼ିଦ୍ୱାର କବାଟରେ ଘନ ଘନ କରାଘାତ ସହ କିଏ ଡାକିଲା–‘‘ଅପାସାଆନ୍ତାଣୀ, ଏଣିକି ଟିକିଏ ଆସିବ ନା ?’’ ଜାନକୀ ପଢ଼ା ବନ୍ଦ ରଖି ପଚାରିଲା, ‘‘କିଏ ?’’ ଉତ୍ତର ଆସିଲା–‘‘ମୁଁ ତମ ଭଉଣୀଘରୁ ଆସିଛି ।’’ ଜାନକୀ ଶୁଣି ତାଟଙ୍ଗା ମଣିଲା । ଭାବିଲା–ଏ କି କଥା, ଭଉଣୀ ଘରୁ ଆସିଛି ! ମୋର ପୁଣି ଭଉଣି କିଏ ? ମୁଁ ତ ପିତାଙ୍କର ଏକମାତ୍ର କନ୍ୟା, ଭଉଣୀ ହେବାର ସୌଭାଗ୍ୟ ମୋର କାହିଁ ? ବିଧାତା ତ ମୋତେ ସେ ସୁଖ ଦେଇନାହିଁ । ପିତୃସ୍ନେହରେ ମୋର ଏକା ସମ୍ପୂର୍ଣ୍ଣ ଅଧିକାର, ସେ ଅଧିକାରରୁ ଭାଗ ନେବାକୁ କିଏ ପୁଣି ଦାବୀ କରୁଛି ? ଜାନକୀ କବାଟ ଫିଟାଇଦେଇ ଦେଖିଲା–ଆଗନ୍ତୁକା ଜଣେ ସ୍ତ୍ରୀଲୋକ । ଜାନକୀ କିଛି ନ କହୁଣୁ ଆଗନ୍ତୁକା ଏକାନ୍ତ ପରିଚିତା ପରି କହିଲା–‘‘କି ଅପା ସାଆନ୍ତାଣୀ, ଚିହ୍ନିପାରିଲି ନାହିଁ ? ମୁଁ ପରା ବାରିକଘର ଝିଅ, ତମ ଭଉଣୀ ଘର ଗାଁରେ ମୋର ଘର ।’’ ଜାନକୀକୁ ଅବାକ୍‌ ହୋଇ ରହିବାର ଦେଖି ଆଗନ୍ତୁକା ମୃଦୁ ହସି ପୁନଶ୍ଚ କହିଲା–‘‘ଶିମିଳିଆ ପଟ୍ଟନାୟକ ଘରେ ତମ ଜାଆଙ୍କ ଭଉଣୀ ପଡ଼ିନାହାନ୍ତି ? ଜାଆର ଭଉଣୀ ହେଲେ କଅଣ ତମର ସେ ଭଉଣୀ ନୁହନ୍ତି ? ସେହି ମୋତେ ଚିଟଉ ଦେଇ ପଠାଇଛନ୍ତି ।’’ ଏବେ ଜାନକୀ ବୁଝିପାରିଲା । ମୃଦୁ ହସି ପଚାରିଲା–‘‘କିଏ, କମ ଭାଷା ଦେଇଛି, ସେ ଭଲ ଅଛି ତ ?’’ ବାରିକ ଝିଅ କହିଲା–‘‘ହଁ ଭଲ ଅଛନ୍ତି, ଏହି ଚିଟଉ ନିଅ ।’’ ଏହା କହି ଚିଠି ଖଣ୍ଡ କାନିରୁ ଫିଟାଇ ଜାନକୀ ହାତରେ ଦେଲା । ଜାନକୀ ତାହାକୁ ଖାଇବାକୁ ଅନୁରୋଧ କଲା; ମାତ୍ର ସେ ବାଟରେ ଚୁଡ଼ାପାଣି କରି ଆସିଥିବାର କହି ଅସ୍ୱୀକାର କଲା । ତହୁଁ ଜାନକୀ ଖଣ୍ଡେ ମଶିଣା ଏବଂ ଖଣ୍ଡେ ପାନ ତାକୁ ଆଣି ଦେଇ କହିଲା–‘‘ତୁ ଖରାରେ ବାଟ ଚାଲି ଚାଲି ଆସିଛୁ, ଅମାର ପରସ୍ତରେ ଟିକିଏ ଗଡ଼ପଡ଼ ହ, ଖରା ଗଡ଼ିଗଲେ କଥାବାର୍ତ୍ତା ହେବା । ତୁ ତ ଆଜି ରହିବୁ, କାଲି ସକାଳେ ମୁଁ ଭାଷାଖଣ୍ଡେ ଦେବି–ନେଇଯିବୁ ।’’ ବାରିକଝିଅ ମୃଦୁ ହାସ୍ୟରେ ସମ୍ମତି ଜଣାଇ ଅମାର ପରସ୍ତକୁ ଗଲା । ଜାନକୀ ଘରକୁ ଆସି ପୂର୍ବ ସ୍ଥାନରେ ବସି ପତ୍ର ପାଠ କରିବାକୁ ଲାଗିଲା । ପତ୍ରରେ ଏହିରୂପ ଲେଖାଥିଲା–

 

‘‘ଭୂମିଷ୍ଠ ଦଣ୍ଡବତ ।

 

ଅପା, ଢେର ଦିନୁ ମୁଁ ତମ କତିକି ଚିଠିପତ୍ର ଲେଖିନାହିଁ । ମୋର ଅପରାଧ କ୍ଷମା କରିବ । ସତ୍ୟଭାମା ଅପା ମଲାଦିନୁ ମୋର ମନଟା କିମିତି ହୋଇଯାଇଛି, କିଛି ଭଲ ଲାଗୁନାହିଁ । ମୁଁ ଏଥିଭିତରେ ଖୁବ୍‌ ବାଧକ ପଡ଼ିଥିଲି । ନାହାକ ଜାତକ ଦେଖି କହିଲା–ରାଶି ଅବଳ ପଡ଼ିଛି । ଏମାନେ ମୋ ଲାଗି କେତେ ପୂଜା ପୂଜି କଅଣ କଲେ–ତିନିମାସ ପରେ ଆଜକୁ ଆଠଦିନ ହେବ ପଥି ଧରିଛି । ଆଜି ତମ ପାଖରେ ମୋର ଗୋଟିଏ ଭିକ୍ଷା ଅଛି । ମୁଁ ଜାଣେ, ତମେ ଏ ସାନ ଭଉଣୀର ଅଳି, ଅଜଟ ଯିମିତି ସହି ଆସୁଛ, ଏଟା ବି ସେମିତି ସହିବ । ଭିକ୍ଷାଟି ଏହି–

 

‘‘ଅପାର ପୁଅ ଗୋପାଳଟିକୁ ତମେ ଦେଖିଛ । ସେ ଏବେ ଅନାଥ-ନିରାଶ୍ରୟ । ହାୟ ! ବାଳୁତ କାଳରୁ ତାହା କପାଳରେ ଏହି ଦୁଃଖ ଥିଲା । ଅପା ମଲାପରେ ସାନ ଭାଇ ତାକୁ ଘରକୁ ଘେନି ଆସିଥିଲେ । କିନ୍ତୁ ନୂଆବୋହୂ ଦୂରରୁ ମାରି ଗୋଡ଼ାଇଲେ । ହୀନକର୍ମୀକୁ କିଏ ଠାବ ଦେବ, ହାୟ କେଉଁଠି ତାକୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ । ଏ ସଂସାରରେ ଅସଂଖ୍ୟ ଜୀବଜନ୍ତୁର ସ୍ଥାନ ଅଛି, ମହାସମୁଦ୍ର ଓ ବିରାଟ ପର୍ବତପାଇଁ ସ୍ଥାନ ଅଛି–ଖାଲି କ୍ଷୁଦ୍ର ଶିଶୁଟି ପାଇଁ କି ଟିକିଏ ମାତ୍ର ସ୍ଥାନର ଅଭାବ ? ଏହିପରି ଭାବି ମୋର ମନ ବଡ଼ ଗୋଳାଇ ଘାଣ୍ଟି ହେଲା । ଆଉ ରକ୍ତ-ସମ୍ପର୍କ ଥିବାଠାରେ ତାହା ତ ହେବାର କଥା । ଭଗବାନ୍‌ ତମରି ପରି ମୋତେ ବି ତ ସନ୍ତାନ-ସୁଖରୁ ନିରାଶି କରିଅଛନ୍ତି । ଗୋପାଳଟିକୁ ପାଖରେ ରଖିଲେ ମୋର ଶୂନ୍ୟହୃଦୟ ଟିକିଏ ହେଲେ ପୂର୍ଣ୍ଣ ହେବ–ଏହି ବିଶ୍ୱାସରେ ମୁଁ ତାକୁ ଘେନିଆସିଲି । ମାତ୍ର କଅଣ କହିବି ଅପା, ସେହି ଦିନଠାରୁ ଲଙ୍କା କାଣ୍ଡର ସୃଷ୍ଟି । ତମେ ତ ଜାଣ, ଏ ପାଞ୍ଚ ଭାଇର ଘର । ମୁଁ ସେମାନଙ୍କ ଭିତରେ ଗୋଟାଏ ଖୁଞ୍ଚ ଆଣି ପୂରାଇଲି ବୋଲି କହି ଶାଶୁ, ନଣନ୍ଦ, ଜା ସମସ୍ତେ ମୋ ସଙ୍ଗରେ କଳି ଲଗାଇଛନ୍ତି । ଆଜିକି ତିନିଦିନ ହେଲା ଅରାନ୍ଧ ଅବାଢ଼; ଖାଲି କଳିରେ ଦିନ ଯାଉଛି । ଗୋପାଳ ରହିଲେ ସମସ୍ତେ ଭିନେ ହୋଇଯିବେ ବୋଲି କହୁଛନ୍ତି । ଏହି ହେତୁ ମୋର ମନ ଭଲ ନାହିଁ । ମୋ ଲାଗି ଏତେ କାଳର ଏଡ଼େ ବଡ଼ ଘରଟା ଯେବେ ଚୂନା ହୋଇଯାଏ, ତେବେ ମୋର କଳଙ୍କ ରଖିବାକୁ ଠାବ ମିଳିବ ନାହିଁ-। ମୁଁ ଏବେ କଅଣ କରିବି–ନାଗସାପ ଛୁଚୁନ୍ଦରା ଧରିଲା ପରି ମୋର ଦଶା ହୋଇଛି । ଧରି ରଖିଲେ ମଲି–ଛାଡ଼ିଦେଲେ ମଲି । ଏ ସଙ୍କଟରେ ତମେ ଏକା ମୋର ସାହା । ତମେ ଗୋପାଳର ବଡ଼ ମା । ମା ଯେ, ବଡ଼ମା ସେ । ତୁମ୍ଭ ଛଡ଼ା ତାର ଆଉ ଆପଣାର କେହି ନାହିଁ । ତମେ ତାକୁ ନେଇ ପାଖରେ ରଖିଲେ ମୋତେ ଏ ଆପଦରୁ ଉଦ୍ଧାର ମିଳିବ । ପିତୃମାତୃହୀନ ଅରକ୍ଷ ଶିଶୁଟି ମଧ୍ୟ ସୁଖରେ ରହିବ । ଅପା, ତମେ ଏତିକି କଲେ ମୁଁ ଜନ୍ମେ ଜନ୍ମେ ତମ ପାଖରେ ୠଣୀ ହୋଇ ରହିବି । ବଡ଼ ଆଶା କରି ତମକୁ ଏ ପତ୍ର ଲେଖିଲି । ତମ ଶଶୁରବଂଶ ଅଙ୍କୁରଟିର ଭାର ଗ୍ରଣ କରି ମୋତେ ଏ ଦୁର୍ଭାର କଳଙ୍କ ଏବଂ ଦୁର୍ଭାବନା ହସ୍ତରୁ ରକ୍ଷାକର, ମୋର ଏତିକି ମାଗୁଣି ।

 

ତୁମ୍ଭର ସେବିକା ,ଶ୍ରୀମତୀ କମଳା’’

 

ପତ୍ର ପାଠକରି ଜାନକୀର ଚକ୍ଷୁ ଆର୍ଦ୍ର ହୋଇ ଆସିଲା । ଗୋଟାଏ ବିଷାଦବୋଳା ତପ୍ତ ପ୍ରଶ୍ୱାସ ତାହାର ଅଲକ୍ଷ୍ୟରେ ବାହାରି ପଡ଼ିଲା । ସେ ମନେ ମନେ ଭାବିଲା–‘‘ହାୟ, ବିଧାତା ଯାହାକୁ ବାମ ହୁଏ, ଏହିପରି ବାମ ହୁଏ । ମୋର ଶଶୁରବଂଶର କ୍ଷୁଦ୍ର କଳିକାଟି କି ସୁଦ୍ଧା ନିୟତିର ଉଷ୍ଣ ନିଃଶ୍ୱାସରେ ଶୁଖିଯିବ ? ତେବେ ଆଉ ମେ ? ହାୟ ନିର୍ମମ ସଂସାର, ତୋର ବିଶାଳ ବକ୍ଷରେ ମହାମହୀରୁହ ପାଇଁ ସ୍ଥାନ ଅଛି, କେବଳ ଏହି କ୍ଷୁଦ୍ର ଅଙ୍କୁରଟି ପାଇଁ କି ସ୍ଥାନର ଅଭାବ ? ସଂସାରରେ ନିରାଶ୍ରୟର ଆଶ୍ରୟ ହେବାକୁ କି କେହି ଇଚ୍ଛା କରେ ନାହିଁ ? ତାହା କି ଏଡ଼େ ଉତ୍କଟ ପାପ ? ଛି, ମାନବ ଜାତିକୁ ଧିକ୍‌! ନିଜପାଇଁ ବଞ୍ଚି ରହିବା ସକାଶେ କି ବିଧାତା ମାନବକୁ ଜୀବନଦାନ କରିଅଛନ୍ତି । ସ୍ୱାର୍ଥଛଡ଼ା କି ଜୀବନର ଲକ୍ଷ୍ୟ ଆଉ କିଛି ନାହିଁ ! କେହି ନ ପାରୁ, ମୋର ପୁଣ୍ୟପ୍ରାଣ ପିତା ନିଶ୍ଚୟ ପାରିବେ । ଆଛା, ସେ କଥା ପରେ ବୁଝାଯିବ, ଆଗେ କମକୁ ଖଣ୍ଡିଏ ଚିଠି ଲେଖିଦିଏଁ । ଅନନ୍ତର ଜାନକୀ କାଗଜ କଲମ ପ୍ରଭୃତି ଆଣି ଲେଖିବାକୁ ବସିଲା । କିଛିକ୍ଷଣ ଚିନ୍ତାକରି ଏହିପରି ଲେଖିଲା–

 

 

 

‘‘କଲ୍ୟାଣୀୟା କମ,

ସ୍ନେହର ଆଦରର ଭଉଣୀ ମୋର, ତୋର ପତ୍ର ପାଇଲି । ମୋତେ ଠିକ୍‌ସମୟରେ ଲେଖି ତୁ ମୋର ଯେ ଉପକାର କଲୁ, ତାହା ଆଉ କଣ କହିବି ? ଆଶୀର୍ବାଦ କରୁଛି–ତୁ ଅହ୍ୟରାଣୀ ହୋଇ ବସିଥାଅ । ତୋର କାଚ ପଟିକ ବଜ୍ର ହେଉ, ଭଗବାନ୍‌ ତୋତେ ପୁତ୍ରବତୀ କରନ୍ତୁ । ତୋର ଶଙ୍ଖା ସିନ୍ଦୂର ଅକ୍ଷୟ ହେଉ । କମ, ମୋର ଗୋପାଳର ଦୁର୍ଦ୍ଦଶା ଶୁଣି, ଛାତି ଫାଟିଯାଉଛି । ମୁଁ ଭାବିଥିଲି ବାପଧନଟି ମୋର ତୋ ପାଖରେ ସୁଖରେ ଅଛି । ତାକୁ ଆଜି ଆଣିବାକୁ ଲୋକ ପଠାଇଥାନ୍ତି, ଖାଲି ବାବାଙ୍କୁ ପଚାରିନାହିଁ ବୋଲି ସେ ସାହସ କରିପାରିଲି ନାହିଁ-। ଏ ମୋର ବାପଘର, ବାବା ମୋ ଉପରେ ସବୁ ଭାର ଦେଇ ଅଛନ୍ତି, ମୋର ସ୍ନେହମୟ ପିତା ମୋର କୌଣସି ସଦିଚ୍ଛା ଅପୂର୍ଣ୍ଣ ରଖନ୍ତି ନାହିଁ; ତଥାପି ତାଙ୍କ ଅନୁମତି ନେବା ଉଚିତ । ମୁଁ ତାଙ୍କୁ ସମ୍ମତ କରାଇ ଖୁବ୍‌ ଚଞ୍ଚଳ ଲୋକ ପଠାଇ ଗୋପାଳକୁ ନେଇ ଆସିବି । ତୁ ତାହା ପାଇଁ ଏତେ ସହିଛୁ, ସେହିପରି ଆଉ ଦୁଇତିନି ଦିନ ଶାଶୁନଣନ୍ଦଙ୍କ ଗଞ୍ଜଣା ସହି ରହିଥା, ମୋର ଏତିକି ଅନୁରୋଧ । ଟଙ୍କାଟିଏ ପଠାଇଲି, ଗୋପାଳକୁ କିଛି ଖେଳନା କିଣିଦେବୁ । ଗୋପାଳ ଲାଗି ମନଟା କିମିତି ହେଉଛି । ଆଉ ଅଧିକ କିଛି ଲେଖିପାରିଲି ନାହିଁ । ଆଉ ଥରେ ମୋର ଆଶୀର୍ବାଦ ଗହଣ କର ।

ତୋର, ଶୁଭାକାଙ୍‌କ୍ଷିଣୀ ଅପା’’

ଜାନକୀ ଏହି ପତ୍ରଖଣ୍ଡି ବାରିକ ଝିଅ ହାତରେ ଦେଇ ଉପଯୁକ୍ତ ପାଥେୟ ସହ ତାକୁ ବିଦାୟ କରି ଦେଲା । ଗୋପାଳ କଥା ପିତାଙ୍କୁ କହିବାକୁ ଯାଏ; ମାତ୍ର କହିପାରେ ନାହିଁ । କେତେବେଳେ ଉପଯୁକ୍ତ ସମୟ ପାଏନାହିଁ, କେବେ ବା ସୁସମୟ ପାଇ କହିବାକୁ ଉନ୍ମୁଖ ହୁଏ; ମାତ୍ର କଥା ତଣ୍ଟିରେ ଅଟକି ଯାଏ । ଆଉ କିପରି ବା କହିବ, ନିଜେ ତ ଆଜୀବନ ପିତାଙ୍କ ବେକରେ ବନ୍ଧା, ତାହା ଉପରେ ଆଉ ଗୋଟାଏ ଗଳଗ୍ରହ ଯୋଟାଇ ସଂସାର-ତାପ ଦଗ୍‌ଧ ବୃଦ୍ଧର ଭାର ବୃଦ୍ଧି କରିବା ସଙ୍ଗତ ମନେ କଲାନାହିଁ; ମାତ୍ର ତାହାର ଏ ଭାବ ବୃଦ୍ଧଙ୍କ ପ୍ରବୀଣ ନେତ୍ରର ଅଗୋଚର ରହିଲାନାହିଁ । ସେ କନ୍ୟାକୁ ଯଚାରିଲେ–‘‘ମା, ମୁଁ ତୋର ଭାବରୁ ଜାଣୁଛି, ତୁ ଯେପରି କଅଣ କହିବୁ କହିବୁ ବୋଲି ଇଚ୍ଛା କରି ମୋତେ କହିପାରୁନାହୁଁ । ପାଗଳି, କଅଣ କହିବୁ କହ, ତୋ ବାପ କି ତୋ କଥା କେବେ ଏଡ଼ିଦିଏ ?’’ କନ୍ୟା ପିତାଙ୍କ ପାଖରେ ଧରା ପଡ଼ି ଲଜ୍ଜାରେ ଅଧୋବଦନ ହୋଇରହିଲା । କିଛିକ୍ଷଣ ପରେ ସଙ୍କୋଚ ପରିହାର ପୂର୍ବକ ଗୋପାଳର ଦୁର୍ଗତି ପିତାଙ୍କୁ ଜଣାଇ ତାକୁ ଆଶ୍ରୟ ଦେବା ସକାଶେ କାତର ପ୍ରାର୍ଥନା କଲା । ବୃଦ୍ଧ ସବୁ ଶୁଣି କିଛି କ୍ଷଣ ଗମ୍ଭୀର ହୋଇ ବସିରହିଲେ । ପରେ ଧୀରେ ଧୀରେ କହିଲେ, ‘‘ନା ମା, ତୁ ସେ କଥାରେ ମନ ବଳାନା । ନିଜ କପାଳରେ ତ ନାହିଁ, ପର ପୁଅକୁ ଆଣି ଯଦି କିଛି ଭଲମନ୍ଦ ହୁଏ, ତେବେ ତୁଛାରେ ଗୋଟାଏ ଦୁର୍ଚ୍ଛନା ମୁଣ୍ଡାଇବାକୁ ହେବ । ସାଉଣ୍ଟିଲା କାଣ୍ଡ ଯୂଦ୍ଧକୁ କାମ ଆସେନାହିଁ ମା, ତୁ ପିଲାଲୋକ କଅଣ ବୁଝିବୁ ?’’ ଜାନକୀ ମୁଁହ ଶୁଖାଇ କହିଲା–‘‘ନା, ବାବା, ସାଉଟିଲା କାଣ୍ଡ ନୁହେ–ସେ ଯେ ମୋର ଦିଅରର ପୁଅ ।’’ ବୃଦ୍ଧ ଈଷତ୍‌ ବିରକ୍ତି ହୋଇ କନ୍ୟାଆଡ଼କୁ ମୁହଁ ବୁଲାଇନେଇ କହିଲେ–‘‘ଆଛା, ଭାବି ଦେଖିବି ।’’ ଏହା କହି ସେ ଶ୍ରୀଘ୍ରଗତିରେ ଦାଣ୍ଡ ଆଡ଼କୁ ଚାଲିଗଲେ । ଜାନକୀ ପ୍ରସ୍ତର ମୂର୍ତ୍ତି ପରି ସେହିଠାରେ ବସିରହିଲା । ଅଭିମାନିନୀର ନେତ୍ରଦ୍ୱୟ ଅଭିମାନରେ ଅଶ୍ରୁସିକ୍ତ ହୋଇଆସିଲା । କିନ୍ତୁ ତାହାର ଏ ଅଭିମାନ ବହୁ କ୍ଷଣସ୍ଥାୟୀ ହେଲାନାହିଁ । ଆକାଶରେ ଧୂମରାଶି ମିଳାଇଗଲା ପରି ଦଣ୍ଡକ ମଧ୍ୟରେ ମିଳାଇଗଲା । ସେ ଧୌର୍ଯ୍ୟଶୀଳା ଏବଂ ବୁଦ୍ଧିମତୀ । ଭାବିଲା–‘‘ବୋଧହୁଏ ଏଥିରେ କିଛି ଆଶଙ୍କାରେ କାରଣ ଅଛି, ମୁଁ ତାହା ବୁଝିପାରୁନାହିଁ । ବାବା ତ ଭାବି ଦେଖିବେ ବୋଲି କହି ଏକ ପ୍ରକାର ଆଶା ଦେଇଛନ୍ତି–ଦେଖାଯାଉ କଅଣ ହେଉଛି ।’’ ଅନନ୍ତର ଜାନକୀ ଉଠିଯାଇ ଖଣ୍ଡେ ଦରସିଆଁ କନ୍ତା ସିଇଁବାକୁ ବସିଲା ।

ବୃଦ୍ଧ ବଙ୍ଗଳାଖଟରେ ଶୋଇ ବିଶ୍ରାମ କରୁଅଛନ୍ତି । ମୁଖରେ ଚିନ୍ତାର ଲକ୍ଷଣ ପରିସ୍ଫୁଟ । ସେ ମୁଖ କେବେ କ୍ରୋଧରେ ରକ୍ତବର୍ଣ୍ଣ ଧାରଣ କରୁଅଛି, କେବେ ଅଭିମାନରେ ଗମ୍ଭୀର ହୋଇ ଉଠୁଅଛି ଏବଂ କେବେ ବା ସ୍ନେହ କରୁଣାରେ ଉଜ୍ଜ୍ୱଳ ଦିଶୁଅଛି । ସେ ମନେ ମନେ ଭାବୁ ଅଛନ୍ତି, ‘‘ସଂସାରଟା କି ନିର୍ମମ, ଏଠାରେ କି କାହାରି ବେଦନା କେହି ବୁଝେନାହିଁ । ସମସ୍ତେ ଭାରବୃଦ୍ଧି କରିପାରନ୍ତି; ମାତ୍ର ଭାର ଓହ୍ଲାଇବାକୁ କେହି ନାହିଁ । ଯାହାକୁ ଯେତିକି ସ୍ନେହ କରିବ, ସେ ତେତିକି ଚାପା ଦେବ । ସ୍ନେହର ବ୍ୟଥା ବଡ଼ ବ୍ୟଥା । ମୋର ତିନିକାଳ ଯାଇ କାଳେ ବାକୀ ଅଛି, ଏ ସମୟରେ ପରକାଳ ଚିନ୍ତାରେ ଟିକିଏ ଶାନ୍ତି ପାଇବି କଣ, ନା, କେଉଁଠିକାର କିଏ ଗୋଟାଏ ବୁଲା ଫକୀରକୁ ବେକରେ ବାନ୍ଧି ଜଞ୍ଜାଳରେ ଘାଣ୍ଟି ହୋଇ ମରିବି । ଏ ଗଧ ବୋଜ ବୋହି ମୋର ଲାଗ କଅଣ ? ସାତ ରଜାର ଧନ ଖୋଇ ସୁଦ୍ଧା ଗୋଟାଏ ପିଲାକୁ ବଞ୍ଚାଇବେ ସହଜ କଥା ନୁହେଁ ।’’ ଏହି ସମୟରେ କିଏ ଯେପରି ରୂଷ୍ଟ ସ୍ୱରରେ କହି ଉଠିଲା–‘‘ମୂଢ଼, ବାତ୍ସଲ୍ୟ ସ୍ନେହଠାରୁ କି ତୋର ଧନର ମୂଲ୍ୟ ଅଧିକ ? ସେ ଧନ ଭୋଗକରିବ କିଏ ?’’ ବୃଦ୍ଧ ଚମକି ଉଠି କ୍ଷିପ୍ରଦୃଷ୍ଟିରେ ଚାରିଆଡ଼କୁ ଚାହିଁଲେ । କେହି କେଣେ ନାହଁ । କେବଳ ମଧ୍ୟାହ୍ନର ଶୂନ୍ୟତା ନୀରବ କ୍ରୀଡ଼ାରେ ନିଯୁକ୍ତ ଅଛି । ଭାବିଲେ–‘‘ଏହା କିଏ କହିଲା ? ଏହା କି ତେବେ ମୋର ବିବେକର ତୀବ୍ର ତିରସ୍କାର-? ସତେ ତ, ସ୍ନେହଠାରୁ କି ଧନର ମୂଲ୍ୟ ଅଧିକ ? ଆଉ ମୋର ଧନସମ୍ପଦ କିଏ ବା ଭୋଗ କରିବ ? ମୁଁ କଅଣ ଗୁଡ଼ାଏ ଭାବୁଥିଲି–ଛି, କି ଲଜ୍ଜାର କଥା ! ଯେଉଁ କର୍ତ୍ତବ୍ୟପରାୟଣା କନ୍ୟା ଆତ୍ମସୁଖରେ ଜଳାଞ୍ଜଳି ଦେଇ ଅକ୍ଷମ ବୃଦ୍ଧ ପିତାର ସେବାରେ ମନଃପ୍ରାଣ ସମର୍ପଣ କରିଅଛି, ଏହି ସାମାନ୍ୟ ପୁରସ୍କାର କି ତାହା ପ୍ରତି ଅଦେୟ ? ଧିକ୍‌ମୁଁ ପାଷଣ୍ଡ, ଜନନିକଳ୍ପା ଦେବୀକଳ୍ପା ସେହି କନ୍ୟାର ହୃଦୟରେ ମୁଁ କି ନିଷ୍ଠୁର ଆଘାତ ଦେଲି ! ତାହାର ପ୍ରାର୍ଥନା ପୂରଣ ନ କଲେ ମୋର ଏ ପାପର ପ୍ରାୟଶ୍ଚିତ ହେବନାହିଁ ।’’ ଅନୁଶୋଚନାର ଆବେଗରେ ବୃଦ୍ଧ ଅଧୀର ହୋଇଉଠିଲେ । ଏହି ସମୟରେ ଗ୍ରାମର ଘନ ପରିଡ଼ା ଆସି ଲମ୍ବଖମ୍ବ ହୋଇ ତାଙ୍କର ଗୋଡ଼ତଳେ ପଡ଼ିଗଲା । ବୃଦ୍ଧ ଶଶବ୍ୟସ୍ତ ହୋଇ କହିଲେ–‘‘ଉଠ୍‌ଉଠ୍‌ଘନ, କଅଣ କହୁଛୁ କହ, ଏପରି କାହିଁକି ହେଉଛୁ ?’’ ଘନ ଉଠି କାନ୍ଦି କାନ୍ଦି କହିଲା–‘‘ମୋର ବଡ଼ ବିପଦ, ସାଆନ୍ତେ । ତମେ ସାହା ଦ ହେଲେ ଆଉ ବଞ୍ଚିପାରିବି ନାହିଁ ।’’ ମହାପାତ୍ରେ ଆଶ୍ରୟରୁ ଅଭିପ୍ରାୟ ବୁଝିଲେ । ଲୋକଟା ଯେ ଆପଦରେ ପଡ଼ି ଅର୍ଥ-ପ୍ରତ୍ୟାଶାରେ ଆସିଅଛି, ଏଥିରେ ସନ୍ଦେହ ନାହିଁ । ବୃଦ୍ଧ ବିରକ୍ତ ହୋଇ କହିଲେ–‘‘ତମେମାନେ କଅଣ ମୋତେ ଶୋଇ ବସେଇ ଦେବ ନାହିଁ ? ଗ୍ରାମରେ ଆଉ କେହି ପଇସାବାଲା ଅଛନ୍ତି, ନା ମୁଁ ସମସ୍ତଙ୍କର କିଣାଖରିଦା ?’’ ଘନ କହିଲା, ‘‘ଗାଁରେ ଢେର ଅଛନ୍ତି, ସାଆନ୍ତେ; ମାତ୍ର ସେମାନେ ତମ ଗୋଡ଼ତଳେ । ତମେ ଗାଳିଦିଅ ପଛେ, ମାତ୍ର ତମ ଗାଳିର ବି ମୂଲ୍ୟ ଅଛି ।’’ ମହାପାତ୍ରେ ଟିକିଏ ନରମ ହୋଇ କହିଲେ–‘‘କଥା କଅଣ କହନି ।’’ ଘନ କହିଲା–‘‘ରଙ୍ଗ ସାହୁ ମୋ ଉପରେ ଦେଢ଼ଶ ଟଙ୍କାର ଡିଗ୍ରୀ କରି ମୋର ଘରଦ୍ୱାର ନିଲାମ କରିବ ବୋଲି ଡିଗ୍ରୀଜାରି ପିଆଦାକୁ ଆଣି ମୋ ଦାଣ୍ଡରେ ନାଗରା ଦେଉଛି । ମୁଁ କିଛି ଜାଣେ ନାହିଁ, କି ତାହାଠାରୁ କଡ଼େ କଉଡ଼ି ବି ଧାର ନେଇନାହିଁ-। ସେ ମୋର ଅଜଣାରେ ମକଦ୍ଦମା କରି ଭିତରେ ଭିତରେ ଡିଗ୍ରୀଜାରି କରିସାରିଲାଣି ।’’ ତାହାର କଥା ଶେଷ ନ ହେଉଣୁ ବୃଦ୍ଧ ବିସ୍ମୟବିହ୍ୱଳ କଣ୍ଠରେ ପଚାରିଲେ–‘‘ସେ କାହିଁକି ଏହା କଲା, ତୁ ଜାଣୁ-?’’ ଘନ କହିଲା–‘‘ସେ ରାତିରେ ବଳଦ ଛାଡ଼ି ଦେଇ ମୋର ପାଏ ବିଲ ଉଜାଡ଼ି କରିଦେଲା । ମୁଁ କେତେ ଥର ବଳଦ ଅଡ଼ାଇ ଆଣି ତାହା ଘରପାଖରେ ଛାଡ଼ି ଅନେକ ନେହୁରା ହୋଇ କହିଲି; ମାତ୍ର ସେ ଶୁଣିଲା ନାହିଁ । ତହୁଁ ମୁଁ ଥରେ ତାହାର ବଳଦ ନେଇ କାଞ୍ଜିହାଉଦାରେ ଦେଲି । ସେହି ରାଗରେ ସେ ଏପରି କରିଛି, ଅବଧାନ ।’’ ବୃଦ୍ଧ ଏହା ଶୁଣି କ୍ରୋଧରେ ଥରିଉଠି କହିଲେ, ‘‘ରଙ୍କ ସାହୁର ଘରବାଡ଼ି ତ ମୋ ପାଖରେ ପଚାଶ ଟଙ୍କାକୁ ରହଣବନ୍ଧକ ଅଛି, ସେ ପୁଣି କରଜ ଦେବା ଲୋକ ହେଲାଣି । ପରର ଅନିଷ୍ଟ କରି ତ ଦାନାକନା ମିଳୁ ନାହିଁ, ତେବେ ବି ସେ ବଦ୍‌ମାସଟା ବୁଝିଲା ନାହିଁ । ଆଛା, ତୁ ଚାଲ, ମୁଁ ତୋ ପଛେ ପଛେ ଯାଉଛି ।’’ ବୃଦ୍ଧ ଏହା କହି ଛତା ନେଇ ବାହାରିଲେ । ଜାନକୀ ଅନ୍ତରାଳରେ ଥାଇ ସବୁ ଶୁଣୁଥିଲା । ପିତାଙ୍କୁ ବାହାରିବାର ଦେଖ କହିଲା–‘‘କି ବାବା, ଖରାରେ ମୁଣ୍ଡ ଫାଟିଯାଉଛି, ଏତେବେଳେ ତମେ କୁଆଡ଼େ ଯାଉଛ ?’’ ବୃଦ୍ଧ ବ୍ୟସ୍ତହୋଇ କହିଲେ, ‘‘କଅଣ କରିବି ମା, କହ, ଜଣକର ଆପଦ ପଡ଼ିଛି, ତା ଶୁଣି କିପରି ସ୍ଥିରହୋଇ ରହିବି ? ସମସ୍ତେ ମୋତେ ଜାଳିପୋଡ଼ି ମାରିଲେ, ଯେପରି କି ମୁଁ ନ ହେଲେ କାହାରି କିଛି କାମ ଚଳିବ ନାହିଁ । ମୁଁ ମରିଗଲେ କଅଣ କରିବେ, କେଜାଣି ! ବେଳେବେଳେ ଇଚ୍ଛା ହୁଏ, ଥରେ ମରିକରି ଦେଖନ୍ତି ମୋ ଅଭାବରେ ଏମାନେ କଅଣ କରିବେ ?’’ ବୃଦ୍ଧ ଘରୁ ବାହାରିଗଲେ, ଜାନକୀ ମୃଦୁ ହସି ମନେମନେ କହିଲା, ‘‘କ୍ଷଣକେ କୋପ, କ୍ଷଣକେ ଶାନ୍ତି । ଏହିକ୍ଷଣି ଘନିଆ ଉପରେ କ୍ରୋଧର ସୀମା ନ ଥିଲା–ପୁଣି ତାକୁ ବିପଦରୁ ଉଦ୍ଧାର କରିବାକୁ ବାହାରିଲେ । ଦରକାର ପଡ଼ିଲେ କିଛି ଦେଇ ବି ଆସିପାରନ୍ତି । ଆହା, କି ଦୟାର ଶରୀର, କି ସରଳ ହୃଦୟ । ଏପରି ଦେବଚରିତ୍ର ବ୍ୟକ୍ତିଙ୍କୁ ବିଧାତା କି କଷ୍ଟ ଦେଲେ । ଆଜୀବନ ଅପୁତ୍ରିକ; ତହିଁ ଉପରେ ବୃଦ୍ଧ କାଳରେ ବିପତ୍ନିକ, ଏହା କି ଅଳ୍ପ କଷ୍ଟ ? ଯେ ପରଦୁଃଖ ସହିନପାରେ, ବିଧାତା କି ତାହାକୁ ସବୁ କଷ୍ଟ ଦିଏ-? ହାୟ ବିଧାତା, ଏହି କି ତୋର ବିଚାର ?’’ ଜାନକି ଦୁଃର୍ଘନିଃଶ୍ୱାସ ପକାଇ କି କାର୍ଯ୍ୟ କରିବାକୁ ଚାଲିଗଲା ।

ବୃଦ୍ଧ ରଙ୍କ ସାହୁର ଦ୍ୱାରରେ ଠିଆ ହୋଇ ତୀବ୍ର ସ୍ୱରରେ ଡାକିଲେ–‘‘ରଙ୍କ, ରେ ରଙ୍କ !’’ ରଙ୍କ ଏ ପରିଚିତ ସ୍ୱରରେ ଚମକିଉଠି ଘର ଭିତରେ ଥାଇ କହିଲା–‘ହଁ ଆଜ୍ଞା, ଯାଉଛି ।’’ ରଙ୍କ ଆସି ଦଣ୍ଡବତ କଲା । ବୃଦ୍ଧ ଘୃଣା ସହିତ ତାହା ପ୍ରତ୍ୟାଖ୍ୟାନ କରି ରଙ୍କକୁ ଅଗ୍ନି ନେତ୍ରରେ ଚାହିଁ କହିଲେ–‘‘ଥାଉ ଥାଉ, ଭକ୍ତି ସେତିକି ଥାଉ । ତୁ ତ ଏବେ ଭାରି ବଡ଼ ଲୋକ ହୋଇଗଲୁଣି, ଟଙ୍କା କରଜ ଦେଇ ମକଦ୍ଦମା କରି ଗରିବ ଲୋକଙ୍କର ଘର ନିଲାମ କରିବାକୁ ବସିଲୁଣି ?’’ ରଙ୍କ ତଳକୁ ମୁହଁ ପୋତି ମୁଣ୍ଡ ଆଉଁଷି ଆଉଁଷି କ୍ଷୀଣ ସ୍ୱରରେ କହିଲା–‘‘ଆଜ୍ଞା, ସେ ନେଇଥିଲା ।’’ ବୃଦ୍ଧ ଗର୍ଜିଉଠି କହିଲେ–‘‘ଚୁପ୍‌ ମିଥ୍ୟାବାଦୀ, ଜୁଆଚୋର, ଜାଲିଆ, ମୁଁ ସବୁ ଜାଣେ, ତୁ ଯେପରି ଟଙ୍କାକିଆ ତାହା ଜାଣେ–ଗାଁ । ଲୋକଯାକ ବି ଜାଣନ୍ତି । ତୋର ଏ ମିଥ୍ୟା ଜାଲ ପ୍ରମାଣ କରାଇ ତୋତେ ଯେବେ ଛମାସ ଡାଲିଭାତ ନ ଖୁଆଇ, ତେବେ ମୋର ନାମ ପୁରନ୍ଦର ମହାପାତ୍ର ନୁହେଁ । ଘନିଆକୁ ପରା ନିରାଣ ଦେଖିଛୁ ? ତା କ୍ଷେତ ଖୋଲିଦେଲୁ–ସେ ତୋର ଗୋରୁ କାଞ୍ଜିହାଉଦାରେ ଦେଲା । ତୁ ସେହିଦିନ ତାକୁ ତଜିଥିଲୁ–ତାହା ଘରଦ୍ୱାର ନିଲାମ କରି ତାକୁ ଏ ଗାଁରୁ ଉଠାଇଦେବୁ । ଆଚ୍ଛା ଭଲା ଦେଖିବା, କାହା ଘର ନିଲାମ ହେବ ? ଘରତଳି ମୋ ପାଖରେ ବନ୍ଧା ଅଛି, ଜାଣୁନା ? ସୁଧ ଅସଲ ତିନିଶ ଟଙ୍କାର ନାଲିସ କରି ତୋହରି ଘର ନିଲାମ କରିବି ଆଉ ସେହି ଘରେ ଘନିଆକୁ ଆଣି ରଖିବି । ଯେବେ ଭଲ ଗତି ଅଛି, ତେବେ ଯାଇ ଦାବୀ ଛାଡ଼ ଲେଖି ଦେଇ ଆ ।’’ ବୃଦ୍ଧ ଏତିକି ମାତ୍ର କହି ରଙ୍କଠାରୁ ଉତ୍ତର ଶୁଣିବା ପୂର୍ବରୁ ସେଠାରେ ପ୍ରସ୍ଥାନ କଲେ । ବାଟରେ ଯାଉଁ ଯାଉଁ ରଙ୍କ ବିରୁଦ୍ଧରେ ଆହୁରି ଅନେକ କଥା ଶୁଣିଲେ । ତାକୁ ଯେ ଶୀଘ୍ର ଶିକ୍ଷା ଦେବା ଦରକାର, ଏ ମନ୍ତବ୍ୟ ମଧ୍ୟ ଶୁଣିଲେ । ଶେଷରେ ଘନ ଏବଂ ଡିଗ୍ରୀଜାରି ପିଆଦକୁ ଡ଼ାକି ସଙ୍ଗରେ ଘେନି ଘରକୁ ଫେରିଆସିଲେ । ଏ ପୁଣି କି ଅସମ୍ଭବ ବ୍ୟାପାର ! ତାଙ୍କ ପହଞ୍ଚିବା ପୂର୍ବରୁ ରଙ୍କ ଆସି ତାଙ୍କ ଦ୍ୱାରଦେଶରେ ଦଣ୍ଡାୟମାନ । ସେ ବୃଦ୍ଧଙ୍କୁ ଦେଖି ତାଙ୍କର ଗୋଡ଼ ଧରି ପଡ଼ିଗଲା ଏବଂ କାତର କମ୍ପିତ ସ୍ୱରରେ କହିଲା–‘‘ମୋତେ ଆପଣ ରକ୍ଷା କରନ୍ତୁ, ମୁଁ ଆଉ ଏପରି କୁବୁଦ୍ଧି କେବେ କରିବି ନାହିଁ । ରାଗ ଚଣ୍ଡାଳ, ସେ ମୋ ଉପରେ ସୁଆର ହୋଇଥିଲା–ଏବେ ଓହ୍ଲାଇଗଲାଣି । ମୋର ବି ଖୁବ୍‌ପଟାଏ ଶିକ୍ଷା ହେଲାଣି ମକଦ୍ଦମାରେ ଅଳ୍ପ ଖରଚ ହୋଇ ନାହିଁ । ତାହା ମୋ ପାପର ପ୍ରାୟଶ୍ଚିତ୍ତ । ମୁଁ ଦାବୀ ଛାଡ଼ ଲେଖିଦେଇ ଯାଉଛି ।’’ କାର୍ଯ୍ୟତଃ ସେହିପରି ହେଲା–ଗରିବ ଘନ ରକ୍ଷା ପାଇଲା ।

ବୃଦ୍ଧ ଗୃହରେ ଉପସ୍ଥିତ ହୋଇ ଡ଼ାକିଲେ–‘‘କୁଆଡ଼େ ଗଲୁ ଝିଅ, ଏଣିକି ଆସିଲୁ ମା ।’’ ସ୍ୱର ଖୁବ୍‌କୋମଳ–ଖୁବ୍‌ ସ୍ନେହାର୍ଦ୍ର । ଜାନକୀ ଆସି ଆଗରେ ଠିଆ ହୋଇ କହିଲା–‘‘କଅଣ ବାବା-?’’ ବୃଦ୍ଧ ପିଣ୍ଡାରେ ବସି କନ୍ୟାକୁ ବସିବାକୁ ଆଦେଶ ଦେଲେ । କନ୍ୟା ଯାଇ ପିତାଙ୍କ ପାଖରେ ବସିଲା । ବୃଦ୍ଧ ସ୍ନେହଶୀତଳ ଦୃଷ୍ଟିରେ କନ୍ୟାକୁ ଚାହିଁ କହିଲେ–‘‘ମୁଁ ଅନେକ ଭାବି ଦେଖିଲି ମା, ତୋ କଥା ଏଡ଼ିଦେବାର ନୁହେ । ମୋର ଜାଣି ଜୀବନର ସନ୍ଧ୍ୟା ହେଲାଣି, ମୁଁ ଏହି ଅଛି ତ ଏହି ନାହିଁ; ମାତ୍ର ଅନନ୍ତ ସମୟ ତୋ ଆଗରେ ବିସ୍ତୃତ ରହିଛି । ତୋର ତ ଗୋଟିଏ ଅବଲମ୍ୱନ ଦରକାର-। ନହେଲେ ସମୟ କଟିବ କିପରି ? ନିଃସଙ୍ଗ ଜୀବନ ବଡ଼ ଭାରି ବୋଧହୁଏ, ମା । କେହି ଗୋଟାଏ ଥିଲେ ତୁଣ୍ଡସଙ୍ଗୀ ହେବ ତ । ରାତିରେ ତୁ ରନ୍ଧାବଢ଼ାରେ ଲାଗୁ, ମୁଁ ବସି ମାଳୀ ଜପକରେ, ସବୁ ଶୂନ୍‌ଶାନ୍‌ । ଘର ଯେପରି ନିର୍ଜନ ଶ୍ମଶାନ । ଆଉ ଯେଉଁ ଘରେ ବାଳାରାବ ନାହିଁ, ସେ ଘର କି ଘର ? ଆହା, ବାଳଗୋପାଳ ଲୀଳା ଯେ ଦେଖେ, ସେ ଭାଗ୍ୟବାନ୍‌ । ତୋର ଦିଅରର ପୁଅ ତ ମୋର ପର ନୁହେ । ପିଲାଟି କେଡ଼େଳ ତୁ ତାକୁ ଦେଖିଛି ନା ମା ?’’ ଜାନକୀ କହିଲା–‘‘ହଁ ବାବା, ମୁଁ ଦେଖିଛି । ମୁଁ ଆସିବା ବେଳେ ସେ ଛମାସର ହୋଇଥିଲା । ଏବେ ତାର ତିନିବର୍ଷ ପୂରିଯାଇ ତିନିମାସ କି ଚାରିମାସ ହେବ । ଆମ ଘରେ କିଏ ଖାଉ ନାହିଁ ବାବା, ଭାଟ ଭିକାରୀ ପିଛେ ତ ଦିନରେ ଦିଇସେର ଚାଉଳ ଖର୍ଚ୍ଚ ହୁଏ । ପିଲାଖଣ୍ଡକ ବା କେତେ ଖାଇବ ? ଆଉ ପିଲା ନୁହେ ବାବା, ଯିମିତି ଗୋଟାଏ ରାଜପୁତ୍ର ।’’ ଜାନକୀ ଏତିକି ମାତ୍ର କହି ପିତାଙ୍କ ମୁଖକୁ ଜିଜ୍ଞାସୁ ଦୃଷ୍ଟିରେ ଅନାଇଁ ରହିଲା । ବୃଦ୍ଧ କହିଲେ–‘‘ନା ଆଉ ବିଳମ୍ବ କରିବା ଉଚିତ୍‌ ନୁହେ । କାଲି ଲୋକ ପଠାଇ ପିଲାଟିକୁ ନେଇ ଆସିବାର ବ୍ୟବସ୍ଥା କରିବି । ଆଉ ଗୋଟିଏ କଥା କହୁଛି ମା, ତୁ ସେ ଛୁଆ ପୁଅଟିକୁ ପାଇ ତୋର ଏ ବୁଢ଼ା ପୁଅଟାକୁ ଅଣହେଣା କରିବୁ ନାହିଁ ।’’ ଏହା କହି ବୃଦ୍ଧ ଠୋ ଠୋ କରି ହସି ଉଠିଲେ; ଜାନକୀ ମଧ୍ୟ ହସି ପକାଇଲା ।

Image

 

Unknown

ପଞ୍ଚମ ପରିଚ୍ଛେଦ

 

ନିୟତିଚକ୍ର କେତେବେଳେ କେଉଁଆଡ଼କୁ ଘୁରେ କେତେବେଳେ କାହା ଭାଗ୍ୟରେ କି ସୁଯୋଗ ଆଣିଦିଏ, ତାହା କେହି ଜାଣିପାରେ ନାହିଁ । ଆଜି ଯେ ଫକୀର, କାଲି ସେ ଅମିର ହୋଇପାରେ । ପକ୍ଷାନ୍ତରେ ଅମିର ମଧ୍ୟ ଫକୀର ହୋଇପାରେ । ନିୟତିର ଏ ଲୀଳା ବଡ଼ ବିଚିତ୍ର । ଯାହା ଅସାମ୍ଭାବ୍ୟ, ଅବିଶ୍ୱାସ୍ୟ, ଅ-ସ୍ୱପ୍ନ-କଳ୍ପିତ, ତାହା ସୁଦ୍ଧା ବାସ୍ତବ ରୂପରେ ଆସି ଦେଖାଦିଏ । ସଂସାରରେ ଅସମ୍ଭାବାନୀୟ କିଛି ନାହିଁ । ଶିଶୁ ଗୋପାଳ ଏବେ ପୂରନ୍ଦର ମହାପାତ୍ରଙ୍କ ଘର ଆଲୋକିତ କରିଅଛି । ମରୂଭୁମିରେ ଫୁଲ ଫୁଟିଅଛି, ଶ୍ମଶାନ ଦେବାଳୟ ହୋଇଅଛି । ପିଲାଟି ଥାକୁଲ ଥୁକୁଲ । ଦେହଟି କୁନ୍ଦିଲା ପରି, ବାହାମୂଳ ରେକେ ମୋଟ । ସୁନ୍ଦର ସବଳ ଶିଶୁଟି ଖୁବ୍‌ ପ୍ରିୟଦର୍ଶିନ ହୋଇଅଛି, ଯେମନ୍ତ କି ସେ ଗୋଟିଏ ଦେବ ପ୍ରସାଦୀ ଫୁଲ । ଶିଶୁ ମୁଖର ବିମଳ ବି-ଜ୍ୱାଳ ଜ୍ୟୋତିର ଅମର ମାଧୁରୀ ଝରି ପଡ଼ୁଅଛି । ଦୃଷ୍ଟି ଅମରବିଭବ ଅମୃତରେ ବୋଳା, ଆଉ ହାସ୍ୟର ପଟାନ୍ତର ନାହିଁ । ଭାବ ଭଙ୍ଗୀରୁ ବୋଧହୁଏ, ଶିଶୁଟି ଟିକିଏ ଚୁଙ୍ଗୁଚୁଙ୍ଗିଆ ଏବଂ ଖୁବ୍‌ ଚଞ୍ଚଳମତି । ସେ ଅଳ୍ପଦିନ ମଧ୍ୟରେ ଗୃହ ଏବଂ ଗୃହ ସ୍ୱାମୀର ହୃଦୟ ଉଭୟକୁ ମୌରସି ପଟା ନେଇ ବସିଅଛି । ପିଲାଟିକୁ ପାଇ ବୃଦ୍ଧ ମହାପାତ୍ରଙ୍କର ରୁଦ୍ଧପ୍ରାୟ ଜୀବନର ସ୍ରୋତ ପୁଣି ନୂତନଭାବରେ ପ୍ରବାହିତ ହେଉଅଛି । ତାଙ୍କର କର୍ମହୀନ, ଲକ୍ଷ୍ୟହୀନ ଜୀବନ କର୍ମ ଏବଂ ଲକ୍ଷ୍ୟ ପାଇଅଛି । ସେ ଏବେ ଶିଶୁର କ୍ରୀଡ଼ାସଙ୍ଗୀ ଏବଂ ସଙ୍ଗୀତର ଶ୍ରୋତା । ଶିଶୁର ମଧୁମୟୀ ଭାଷା ତାଙ୍କ କର୍ଣ୍ଣରେ ହରିନାମ ତୁଲ୍ୟ ମଧୁ ବର୍ଷଣ କରେ । ଭାଷା ସୃଷ୍ଟି ସମ୍ବନ୍ଧରେ ଶିଶୁମାନେ ଖୁବ୍‌ପ୍ରବାଣ । ଶିଶୁ ଯେପରି ଭାଷାକୁ କୋମଳ ଲଳିତ ଏବଂ ମଧୁର କରିପାରେ କୌଣସି କବି ସେପରି କରିପାରେ ନାହିଁ । ସେ ଭାଷାକୁ କାଟି ଛାଟି ସୁନ୍ଦର କରିପାରେ, ଶ୍ରୁତିରସାୟନ କରି ପାରେ । ସେ କଥା କହିବାବେଳେ କେଉଁଠି ଅସମ୍ପୂର୍ଣ୍ଣ କେଉଁଠି ଖର୍ବ, କେଉଁଠି ରୂପାନ୍ତର, ଏହିରୂପ ଯଦୁଚ୍ଛ ଭାଷା ବ୍ୟବହାର କରିଯାଏ । ଗଭୀର ଜ୍ଞାନୀ ପରି ଶିଶୁ ସଂକ୍ଷେପରେ ମନୋଗତ ଭାବ ପ୍ରକାଶ କରେ । ଶିଶୁର ଭାଷା ଶିଶୁ ତୁଣ୍ଡରେ ଯେ ରୂପ ମଧୁର ବୋଧହୁଏ ବୟସ୍କ ତୁଣ୍ଡରେ ସେ ରୂପ ହୁଏନାହିଁ–ପ୍ରତ୍ୟୁତଃ ହାସ୍ୟାସ୍ପଦ ବୋଧହୁଏ । ଏଥିରୁ ଅନୁମତି ହୁଏ, ଶିଶୁ ତୁଣ୍ଡରେ ଏପରି କିଛି ଅଛି, ଯାହା ସ୍ପର୍ଶରେ ସବୁ ମଧୁର ହୋଇ ଉଠେ । ବୃଦ୍ଧଙ୍କର ଆଉ ପୂର୍ବପରି ନିର୍ଲିପ୍ତ, ନିର୍ମାୟ ଭାବ ନାହିଁ । କ୍ଷୁଦ୍ର ଶିଶୁଟି ତାଙ୍କୁ ପୁନଶ୍ଚ ସଂସାରକୁ ଟାଣି ଆଣି ଅଛି । ସେ ଶିଶୁର ସେବାରେ ନୁଯୁକ୍ତ, ଲୀଳାରେ ମୁଗ୍ଧ । ସେ ଶିଶୁର ନଚାଇବା, ଖେଳାଇବା, ଫୁଲ ତୋଳିଦେବା, ନାନା ପ୍ରକାର ଖେଳନା ଆଣିଦେବା ତାଙ୍କର କଠୋର କର୍ତ୍ତବ୍ୟ ହୋଇଅଛି । ପୁତ୍ରହୀନ ବୃଦ୍ଧଙ୍କ ହୃଦୟର ଅଯୌବନ ସଞ୍ଚିତ ପୁତ୍ରଦର୍ଶନ ତୃଷା କି ଏହି କ୍ଷୁଦ୍ର ଶିଶୁଟି ମେଣ୍ଟାଇ ପାରିବ ? ସେ ଯେ ମରୁଭୂମିର ତୃଷ୍ଣା । ଯାହାହେଉ ସେ ତୃଷା କଥାଞ୍ଚିତ ଶାନ୍ତ ହୋଇଅଛି ।

 

ଗୋପାଳ ଜାନକୀକୁ ‘‘ବଡ଼ ମା’’ ଏବଂ ବୃଦ୍ଧଙ୍କୁ ‘‘ଅଜା’’ ବୋଲି ଡାକେ । ଏହା ତାକୁ ଜାନକୀ ଶିଖାଇ ଦେଇଛି । ଜାନକୀ ତାକୁ ପୁତ୍ରାଧିକ ସ୍ନେହ କରେ । ତାହାର ବନ୍ଧ୍ୟାଜୀବନ ରୁଦ୍ଧ ଅପତ୍ୟସ୍ନେହ ସହସ୍ର ଧାରାରେ ଉଛୁଳିଉଠି ଶିଶୁକୁ ଅଭିଷିକ୍ତ କରି ରଖିଅଛି । ସେ ନିଃସଙ୍ଗ ଜୀବନର ସଙ୍ଗୀ ପାଇଅଛି । ସେ ଜୀବନ ସାର୍ଥକ ମଣିଅଛି । ମାତୃଶବ୍ଦକୁ ନାରୀମାନେ ଜୀବନରେ ସର୍ବଶ୍ରେଷ୍ଠ ଗୌରବ ଜ୍ଞାନ କରନ୍ତି । ଜାନକୀ ସେହି ମାତୃ-ଉପାଧି ଲାଭ କରିଅଛି । ଗୋପାଳ ସୁଦ୍ଧା ମାତୃସ୍ନେହରୁ ଅଧିକ ପାଇଅଛି । ସେ ଭାଗ୍ୟଧର, ସେ ସ୍ନେହର ଦୁଇଟି ଅମୃତ ଧାରା ପାନ କରି ଖୁସୀ ହେଲା । ସେ ଧାରା କି ମଧୁର, କି ଶୀତଳ ? ମାତୃପିତୃହୀନ ଶିଶୁର ପ୍ରାଣ ସେଥିରେ ପରିପୁଷ୍ଟ ଏବଂ ଶୀତଳ ହେଲା । ଅବାଧ୍ୟତା ଅତିରିକ୍ତ ସ୍ନେହର ଅବଶ୍ୟମ୍ଭାବୀ ଫଳ । ଗୋପାଳର ଶିଶୁ ଜୀବନରେ ଅବାଧ୍ୟତାର ଛାୟାପାତ ଦେଖି ଜାନକୀ ବେଳେବେଳେ ବିରକ୍ତ ହୁଏ । ଶିଶୁଟି ଓଷ୍ଠ କମ୍ପାଇ ଅଭିମାନରେ କାନ୍ଦିଉଠେ । ବୃଦ୍ଧ ସେହିକ୍ଷଣି ତାକୁ କୋଳକୁ ନେଇ କନ୍ୟାକୁ ମଧୁର ତିରସ୍କାର କରି କହନ୍ତି–‘‘ଛି, ମା, ପିଲାଟାକୁ ବିରକ୍ତ କଲେ ସେ ନିଃଶ୍ୱାସ ପକାଇବ । ସେ ଅଜ୍ଞାନ ଶିଶୁ, ଭଲ ମନ୍ଦ କଣ ଜାଣେ ? ପିଲାବେଳେ ସମସ୍ତ ଦୁଷ୍ଟ ହୁଅନ୍ତି, ସେ ଦୁଷ୍ଟାମିଟିକି ସୁଦ୍ଧା ଉପଭୋଗ କରିବାର ପଦାର୍ଥ ମା । ପିଲାଙ୍କର ସବୁ ମଧୁର । ତାଙ୍କ ରୂପ ମଧୁର, କଥା ମଧୁର, ଦୁଷ୍ଟାମି ସୁଦ୍ଧା ମଧୁର । ଆହା, ଏତେଦିନଯାଏ ଏ ଘର କଅଣ ହୋଇଥିଲା, ଘରର ଶ୍ରୀ ନ ଥିଲା, ପ୍ରାଣ ନ ଥିଲା । ଏବେ ଗୋପାଳ ତାକୁ ଆନନ୍ଦମୟ ଉତ୍ସବମୟ କରି ରଖିଛି । ଭଗବାନ୍‌ ଯେ ବାଳ ଗୋପାଳ ରୂପରେ ନନ୍ଦର ଶୂନ୍ୟ ମନ୍ଦିର ଉଜ୍ଜ୍ୱଳ କରିଥିଲେ ମା । ମୋର ଏ ଗୋପାଳଟି ସେହି ବାଳଗୋପାଳ ମୂର୍ତ୍ତି । ମାବାପ ଛେଉଣ୍ଡ ପିଲାଏ ବେଶି ଅଭିମାନୀ ହୁଅନ୍ତି । ଗାଳି ହତାଦର ସେମାନଙ୍କୁ ବଡ଼ ବାଧେ । ବିଧାତା ଯାହାର ସବୁ ସୁଖ ଛଡ଼ାଇ ନେଇଛି, ତାକୁ ଟିକିଏ ସ୍ନେହ ଯତ୍ନ କରିବା ଦରକାର ।’’ ପିତାଙ୍କର ଏ ମନ୍ତବ୍ୟ ଶୁଣି କନ୍ୟା ହସି ଉଠି କହେ, ‘‘କିଏ ହତାଦର କରୁଛି ବାବା ? ତମର ଯେ କଥା, ପିଲାଦିନୁ ଶାସନ ନ କଲେ ବଡ଼ କାଳକୁ ଯେ ସମ୍ଭାଳି ହେବ ନାହିଁ ।’’ ବୃଦ୍ଧ ଟିକିଏ ଅପ୍ରତିଭ ହେଲା ପରି ହୋଇ କହନ୍ତି, ‘‘ହଁ ମା, ହଁ, ନାନା ତୁ ହତାଦର କରୁନାହିଁ ଯେ, ମୋଠାରୁ ଅଧିକ ସ୍ନେହ କରୁ, ତା କଅଣ ମୁଁ ମାନୁ ନାହିଁ ? ସତ ମା, ପିଲାକାଳରେ ଶାସନ ଦରକାର । ତେବେ ଗୋପାଳର ଶାସନ ବୁଝିବା ଭଳି ଜ୍ଞାନ ହୋଇନାହିଁ ।’’ ଦିନେ ବୃଦ୍ଧୁ ଧୋବ କନାରେ ବନ୍ଧା ଗୋଟାଏ ପୁଟୁଳି ଆଣି ଝିଅ ହାତରେ ଦେଇ କହିଲେ, ‘ ନେ ମା, ତୋ ପୁଅକୁ ବେଶ କରିଦେ ।’ ଜାନକୀ ପୁଟୁଳି ଫିଟାଇ ଦେଖିଲା, କେତେଗୁଡ଼ିଏ ସୁନାରୁପାର ଅଳଙ୍କାର । ସେ ବିସ୍ମୟ ଦୃଷ୍ଟିରେ ପିତାଙ୍କ ମୁହଁକୁ ଚାହିଁ କହିଲା, ‘ଏ କଅଣ ବାବା, ପିଲାଟା ପାଇଁ ଏତେ ଗହଣା !’’ ବୃଦ୍ଧ ଉଚ୍ଚ ହାସ୍ୟରେ ଗୃହ ପ୍ରତିଧ୍ୱନିତ କରି କହିଲେ, ‘ପିଲାଟା କିଏ ଜାଣୁ ? ସେ ଯେ ପୁରନ୍ଦର ମହାପାତ୍ରଙ୍କ ନାତି । ଅଳଙ୍କାର ନ ପିନ୍ଧିଲେ ଚଳିବ କିପରି ? ଆଉ ଲୋକେ ତା କଅଣ କହିବେ ? ବଡ଼ଲୋକ ହୋଇ ନାତିଟାକୁ ପାଣ କଣ୍ଡରା ଛୁଆପରି ନଙ୍ଗଳା କରି ରଖିଛି । ଦିଖଣ୍ଡ ଅଳଙ୍କାର ବି ଦେଇ ନାହିଁ-।’’ କିନ୍ତୁ ବୃଦ୍ଧ, ଲୋକେ ଯାହା କହନ୍ତୁ ପଛକେ ଆଉ ତୁମ୍ଭର ବଡ଼ଲୋକୀର ପ୍ରଶଂସା କେହି ନ କରନ୍ତୁ ପଛକେ, ତୁମ୍ଭେ ଏ କଅଣ କଲ ? ତୁଚ୍ଛା ଧାତୁ ନିର୍ମିତ ଅଳଙ୍କାରରେ ଶିଶୁର ନୈସର୍ଗିକ ଶୋଭାକୁ ବତାଇବ ନା ଢାଙ୍କିବ ? ରତ୍ନକୁ ତୁମ୍ଭେ କାହିଁରେ ମଣ୍ଡନ କରିବ ? ଶିଶୁର ଅଙ୍ଗ ସ୍ୱଭାବସୁନ୍ଦର, ଅଳଙ୍କାରରେ ତାହା ସୁନ୍ଦର ହେବନାହିଁ; ବରଂ ତାହାର ସୁନ୍ଦର ଅଙ୍ଗ ସ୍ପର୍ଶରେ ଅଳଙ୍କାକାର ଶୋଭା ବଢ଼ିବ । ଶିଶୁ ଯେ ଅଳଙ୍କାରର ସର୍ବଶ୍ରେଷ୍ଠ ଅଳଙ୍କାର । ଯଦି ଏହି ଭାବ ଧରି ଶିଶୁକୁ ଅଳଙ୍କୃତ କରିବାକୁ ଇଚ୍ଛା କରିଥାଅ, ତେବେ ତୁମ୍ଭେ ପ୍ରକୃତରେ ସୌନ୍ଦର୍ଯ୍ୟପିପାସୁ । ଅନ୍ୟଥା ସୌନ୍ଦର୍ଯ୍ୟର ବିଦ୍ରୂପକାରୀ ମାତ୍ର ।

 

ଶିଶୁ ବଡ଼ ସ୍ୱାର୍ଥପର ଜୀବ, ସେ ସମସ୍ତଙ୍କୁ ଆପଣାର କରିନିଏ । ବୃଦ୍ଧ ଗୋପାଳକୁ ପ୍ରାଣରେ ମିଶାଇ ନେଇଅଛନ୍ତି । ପ୍ରତ୍ୟହ ଠାକୁର ପୂଜାରେ ତାଙ୍କର ଓଳିଏ ସମୟ ଅତିବାହିତ ହେଉଥିଲା–ଏଣିକି ଘଣ୍ଟାକ ମଧ୍ୟରେ ସବୁ ସରିଯାଏ । ବୃଦ୍ଧ ଧ୍ୟାନ କରିବସିଲେ ଇଷ୍ଟଦେବତା ପରିବର୍ତ୍ତରେ ଗୋପାଳର କ୍ଷୁଦ୍ର ମଧୁର ମୂର୍ତ୍ତି ସମ୍ମୁଖରେ ଅଙ୍କିତ ହୋଇଯାଏ । ଗ୍ରନ୍ଥପାଠ କରୁ କରୁ କାହାର କ୍ଷୁଦ୍ରହସ୍ତରେ କୋମଳ ସ୍ପର୍ଶ ଅନୁଭବ କରନ୍ତି । କେତେବେଳେ ବା ଗୋପାଳ ଅତର୍କିତରେ ଆସି ବୃଦ୍ଧଙ୍କ ହସ୍ତରୁ ଜପାମାଳୀ ଛଡ଼ାଇ ନେଇ ନିଜର କଣ୍ଠଭୂଷଣ କରେ । କେବେ କେବେ କବାଟ ଫାଙ୍କ କରି ସଦ୍ୟପ୍ରସ୍ଫୁଟିତ ଶତଦଳ ପରି କ୍ଷୁଦ୍ର, ମୁହଁଟି ଦେଖାଇ ଦେଇ ‘‘ଏ ଅଦ୍‌ଦା’ ବୋଲି କହି କର କର ହୋଇ ହସି ପଳାଇଯାଏ । ବୃଦ୍ଧଙ୍କର ପୂଜା ଏହି ଶିଶୁଲୀଳା ମଧ୍ୟରେ ବୁଡ଼ିଯାଏ । ଗୋପାଳ ଅଜାଙ୍କ ସଙ୍ଗରେ ପୂଜାକରେ, ଅଜାଙ୍କ ସଙ୍ଗରେ ଖାଏ, ଅଜାଙ୍କ ପାଖରେ ଶୁଏ । ଅଜା ଅଶ୍ୱୀନୀକୁମାର ହୁଅନ୍ତି ଗୋପାଳ ତାଙ୍କ ମୁହଁରୁ ଓଢ଼ଣା ଟେକିଦେଇ ଅପୂର୍ବ ଆନନ୍ଦ ଉପଭୋଗ କରେ । ଅଜାନାତି ଦୁହେଁ ଏହିପରି ଅଭିନୟ କରି କୌତୁକ ଅନୁଭବ କରନ୍ତି । ଅଜା ଯେପରି ନାତିସର୍ବସ୍ୱ, ନାତି ମଧ୍ୟ ସେହିପରି ମଧ୍ୟ ସେହିପରି ଅଜାସର୍ବସ୍ୱ । କେହି କାହାରିକୁ ଦଣ୍ଡେ ଛାଡ଼ନ୍ତି ନାହିଁ । ବୃଦ୍ଧଙ୍କଠାରୁ ଗୋପାଳ ଅନେକ କଥା ଶିଖିଅଛି, ସମୟରେ ତାହା ଆବୃତ୍ତ କରେ । ବୃଦ୍ଧ ସନ୍ଧ୍ୟାବେଳେ ମାଳୀ ଜପନ୍ତି । ଗୋପାଳ ମାଲଝୁଲି ଛଡ଼ାଇଆଣି ମାଳଜପର ଅଭିନବ କରେ । ବୃଦ୍ଧ କହନ୍ତି–‘‘କହ ରାଧେ କୃଷ୍ଣ’’ । ଗୋପାଳ କହେ–‘‘କହ ଲାଧେ କୁଟ୍‌ଟ ।’’ ବୃଦ୍ଧ କହନ୍ତି–‘‘ନାରେ, ଖାଲି ରାଧେକୃଷ୍ଣ କହ । ’’ଗୋପାଳ କହେ, ‘‘ନା-ଲେ ଖାଲି ଲାଧେ କୁଟ୍‌ଟ କହ ।’’ ବୃଦ୍ଧ ହସିଉଠନ୍ତି ଗୋପାଳ ମଧ୍ୟ ହସି ହସି କାସି ପକାଏ । ବୃଦ୍ଧ ତାକୁ କୋଳକୁ ଟାଣିନେଇ କେତେ ସୁଆଗ କରନ୍ତି, କେତେ ଗେଲ କରନ୍ତି । ଗୋପକ ସୁଦ୍ଧା ଅଜାଙ୍କ ବେକରେ ଝୁଲିପଡ଼େ-‘‘ନା-ଲେ, ମୋ କୁନିକୁ କିଏ ମାଇଲା ଲେ’ କହି ବୃଦ୍ଧଙ୍କୁ ଗେଲକରେ । ଏହିପରି ପରସ୍ପରର ସ୍ନେହ ପରସ୍ପର ଶୁଝିଦିଅନ୍ତି–କାଳି ବାସି ରହେ ନାହିଁ । ବୃଦ୍ଧ ସ୍ନେହରେ ଗୋପାଳକୁ ଭାଇ ବୋଲି ଡ଼ାକନ୍ତି, କେବେ ବାବୁ ବୋଲି ଡ଼ାକନ୍ତି, କେବେ ବା ବାୟା ବୋଲି ଡାକନ୍ତି । ଅଜାନାତି ଦୁହେଁ ଦୁଇଟି ଅନ୍ତରଙ୍ଗ ବନ୍ଧୁପରି ଖେଳ କୌତୁକରେ, ସ୍ନେହ-ପ୍ରେମରେ ଦିନ ପରେ ଦିନ କଟାଇଦିଅନ୍ତି ।

 

ନବଘନ ରାୟ ସୁରନ୍ଦର ମହାପାତ୍ରଙ୍କର ପ୍ରତି ବେଶୀ । ଘରକୁ ଘର ଲାଗିନାହିଁ–ମଝିରେ ଖଣ୍ଡେ କଦଳୀ ବାଡ଼ି ଛଡ଼ା ଅଛି । ନବଘନ ଜାତିରେ କରଣ, ମହାପାତ୍ରଙ୍କର ଜ୍ଞାତି ନୁହେ–ସ୍ୱଜାତି, ଲୋକଟି ବଡ଼ ଗରିବ । ରାଜମିସ୍ତ୍ରୀ କାମ ଯାହା ଉପାର୍ଜନ କରେ, ଅମଳପାଣିରେ ସେଥିରୁ ଅଧେ ଯାଏ । ବାକୀ ଅଧିକରେ ଅତି କଷ୍ଟରେ ସଂସାର ଚଳେ । ଗୃହସ୍ଥ ଭାର୍ଯ୍ୟା ଏବଂ ଦୁଇଟି ପୁତ୍ରକନ୍ୟା, ଏହି ଚାରି ପ୍ରାଣୀ ମାତ୍ର ଘରକୁ କୁଟୁମ୍ବ । ନବଘନର ସ୍ତ୍ରୀ କନକଲତା ଜାନକୀର ସମବୟସୀ । ସେ ମହାପାତ୍ରଙ୍କ ଘରକୁ ସର୍ବଦା ଯାତାୟତ କରେ । ଜାନକୀର ସେ ପୁରାଣଶ୍ରୋତ୍ରୀ-। କେବେ କେବେ ପାଞ୍ଚପାଇଟି କରିଦିଏ । ପାଇଟି ବା ଅଛି କଅଣ, ସବୁ ତ ଏକା ଜାନକୀକୁ ନିଅଣ୍ଟ । କନକ ବେଳେ ବେଳେ ତା ହାତରୁ ଛଡ଼ାଇ କେତେ କାମ କରିଦିଏ । ମହାପାତ୍ରଙ୍କୁ ନବଘନ ଦାଦା ବୋଲି ଡାକେ । ଜାନକୀ ସେହି ସମ୍ପର୍କ ଧରି କନକକୁ ଭାଉଜ ଲେଖା କରେ । ଦୁଇ ସଖୀ ମଧ୍ୟରେ ଖୁବ୍‌ ମେଳ । ଅନେକ ସମୟରେ କନକ ଜାନକୀଠାରୁ ନାନା ପ୍ରକାର ସାହାଯ୍ୟ ପାଏ । ସମୟ ସମୟରେ ଦୁଇ ସଖୀ ବସି ପଶା ଖେଳନ୍ତି, ସୁଖ ଦୁଃଖର କଥା କହନ୍ତି, ହାସ୍ୟ ପରିହାସରେ ଲାଗନ୍ତି । ଦୁହିଙ୍କର ଦେହ, ମନ, ପ୍ରାଣ ଯେପରି ଏକ ଉପାଦାନରେ ଗଢ଼ା । ପ୍ରତିଦିନ ସକାଳେ ଗୋପାଳ ଲାଗି ବଢ଼ାଭାତ ରନ୍ଧାଯାଏ, ସେ ଭାର କନକ ଗ୍ରହଣ କରିଅଛି । ସେ ଭାତ ରାନ୍ଧି ଗୋପାଳ ଏବଂ ତାହାର ସାନ ଝିଅ ମେନକାକୁ ଖୁଆଇ । ମେନକା ଗୋପାଳଠାରୁ କିଛି ସାନ-। ଦୁହେଁ ଭାଇ ଭଉଣୀ ପରି ସଙ୍ଗରେ ଖେଳନ୍ତି । ଦୁହିଁଙ୍କର ଖୁବ୍‌ଭାବ । ଗୋପାଳ ମେନକାକୁ ମେନି ବୋଲି ଡାକେ ଆଉ ମେନକା ତାକୁ ଗୋପାଳ ଭାଇ ବୋଲି ଡାକେ । ମେନକାର ନାକ, ଆଖି, ମୁହଁ ସୁଗଠିତ ଏବଂ ଲକ୍ଷଣଯୁକ୍ତ । କେବଳ ଦେହର ବର୍ଣ୍ଣଟା ଟିକିଏ କଳା । ପାଣ୍ଡୁରିଆ କଳା ନୁହେ–ଚିକ୍‌କଣ କଳା । ରୂପଟି ତାକୁ ଖୁବ୍‌ମାନେ । ଝିଅଟି ଖୁବ୍‌ ଡଉଲ ଡାଉଲ । ମହାପାତ୍ରେ ତାକୁ ବଡ଼ ସ୍ନେହ କରନ୍ତି । ସେ ମହାପାତ୍ରଙ୍କୁ ସାଆନ୍ତ ବାବା ବୋଲି ଡାକେ । ବୃଦ୍ଧ ଗୋପାଳ ଆଉ ମେନକା ଦୁହିଁଙ୍କ କୋଡ଼ରେ କାଖରେ ଧରି ଗେଲ କରନ୍ତି–ଦୁହିଙ୍କୁ ଗୋପୀ ଗୋପାଳ ବୋଲି କହି କେବେ ଥଟା କରନ୍ତି । ଶିଶୁମାନେ ସ୍ନେହର ବଣ, ଯେଉଁଠି ସ୍ନେହ ପାଆନ୍ତି, ସେହିଠି ଆସନ ମାଡ଼ି ବସନ୍ତି । ବେଳେ ବେଳେ ଉଭୟ ଶିଶୁ ବୃଦ୍ଧଙ୍କ ଉପରେ ଅଧିକାର ନେଇ ବିବାଦ କରନ୍ତି । ଗୋପାଳ କହେ–ମୋର ଅଜା, ମେନକା କହେ–ମୋର ସାଆନ୍ତ ବାବା । ବୃଦ୍ଧଙ୍କୁ ପୂର୍ଣ୍ଣ ଅଧିକାରରେ ରଖିବାକୁ ଦୁହିଁଙ୍କର ପୂର୍ଣ୍ଣ ଇଚ୍ଛା । ବୃଦ୍ଧ ଏହା ଦେଖି ଆନନ୍ଦ ଅନୁଭବ କରନ୍ତି ଏବଂ ନିଜକୁ ଅଧେ ଅଧେ ଭାଗ କରିଦେଇ କଳହ ଭାଙ୍ଗିଦିଅନ୍ତି । ଦୁହେଁ ମରାମରି ଲାଗି ବୃଦ୍ଧଙ୍କ ପାଖରେ ବିଚାରପ୍ରାର୍ଥୀ ହୁଅନ୍ତି, ବୃଦ୍ଧ ମଧ୍ୟ ଏହି ଶିଶୁ ବିଚାରାର୍ଥୀ ଦୁହିଁଙ୍କୁ ବିଚାରରେ ସନ୍ତୁଷ୍ଟ କରନ୍ତି । ଦିନେ ଦିନେ ବଡ଼ କୌତୁକ କରନ୍ତି । ଶିଶୁ ଦୁଇଟିକୁ ଆପାଦମସ୍ତକ ଫୁଲରେ ସଜଇ ଆନନ୍ଦବିହ୍ୱଳ କଣ୍ଠରେ ଝିଅକୁ ଡ଼ାକି କହନ୍ତି–‘‘ଦେଖ୍‌ ଲୋ ମା, ଗୋପୀ ଗୋପାଳ ମୂର୍ତ୍ତି ଦେଖ, ଆହା କି ସୁନ୍ଦର ମାନୁଛି ।’’ ଏହା କହି ହାତ ତାଳି ଦେଇ ଦୁହିଁଙ୍କୁ ନଚାନ୍ତି । ଜାନକୀ ଏ ଦୁର୍ଲଭ ଶିଶୁ ନୃତ୍ୟ ଦେଖି ମୋହିତ ହୋଇଯାଏ-। ଆନନ୍ଦ ଆଉ ତାହା ହୃଦୟରେ ଧରେ ନାହିଁ–ଅସମ୍ଭାଳ ଭାବରେ ଉଛୁଳିଉଠେ ।

 

ଗୋପାଳ ଏବଂ ମେନକା ଦୁହେଁ ଧୂଳିଘର ଖେଳନ୍ତି, କେବେ କଣ୍ଢେଇ ବିଭାରେ ମାତନ୍ତି-। ବିବାହରେ ବର କନ୍ୟା ଉଭୟ ପକ୍ଷରୁ ବୃଦ୍ଧ ନିମନ୍ତ୍ରିତ ହୁଅନ୍ତି । ମେନକା କନ୍ୟାର ମାତା ହୁଏ ଏବଂ ଗୋପାଳ ବରର ପିତା ହୁଏ । ଖୁବ୍‌ ଆଡ଼ମ୍ବରରେ ବିବାହ ଉତ୍ସବ ଲାଗେ । ମେନକା କନ୍ୟା ଗାଲରେ ଖୁନ୍ଦାଟାଏ ବସାଇ ଦେଇ ତୀବ୍ର ଭର୍ତ୍ସନାପୂର୍ଣ୍ଣ ସ୍ୱରରେ କହେ, ‘‘କାନ୍ଦଲୋ ପେଚାମୁହିଁ, ସାଆନ୍ତ ବାବାଙ୍କୁ ଧରି କାନ୍ଦ୍‌ । ଏ କି ବେହିଆଣୀ ଲୋ ମା, ଶାଶୁଘରକୁ ଯାଉଛି–ଟିକିଏ ହେଲେ କାନ୍ଦୁ ନାହିଁ ।’’ ବୃଦ୍ଧ ଏହା ଶୁଣି ଉଚ୍ଚସ୍ୱରରେ ହସିଉଠନ୍ତି । ବିଭାଘରଇ ଡାଲି ଉଚ୍ଚ ସ୍ୱରରେ ହସିଉଠନ୍ତି । ବିଭାଘରର ଡାଲି, ଭାତ, କ୍ଷୀରି, ପିଠା ସବୁ ଧୂଳିୂରେ ପ୍ରସ୍ତୁତ ହୋଇଥାଏ । ନିମନ୍ତ୍ରିତ ବୃଦ୍ଧଙ୍କୁ ତାହା ଖାଇବାକୁ ଦିଆଯାଏ-। ମେନକା ଆସି ଘନଘନ ପରଶି ଯାଏ, ଗୋପାଳ ବସି ବରାତ୍‌ କରୁଥାଏ । ବାଳକ ବାଳିକା ଦୁଇଟିର ଏ ଘରକରଣା ଦେଖି ବୃଦ୍ଧ ହାସ୍ୟ ସମ୍ବରଣ କରିପାରନ୍ତି ନାହିଁ । ମୁଗ୍‌ଧ ନେତ୍ରରେ ଚାହିଁ ବସି ସେମାନଙ୍କର ଏ ମଧୁର କ୍ରୀଡ଼ା ଦେଖନ୍ତି ।

 

ଶିଶୁ ଦୁଇଟି ଟିକିଏ ବଢ଼ି ଉଠିଲେଣି । ଗୋପାଳ ସପ୍ତମ ଡେଇଁ ଅଷ୍ଟମ ବର୍ଷରେ ପଦାର୍ପଣ କରିଅଛି । ଦୁହେଁଯାକ ବୃଦ୍ଧଙ୍କର ଖୁବ୍‌ସେବା କରନ୍ତି । ତାଙ୍କର ଗୋଡ଼ହାତ ମୋଡ଼ି ଦିଅନ୍ତୁ-। ସେଥିରୁ ପୁରସ୍କାର ସ୍ୱରୂପ ବୃଦ୍ଧଙ୍କଠାରୁ ସଞ୍ଜବେଳେ ଗଳ୍ପ ଶୁଣନ୍ତି । ଆଜି ସେମାନେ ଆଉ ଦୁଇଟି ନୂତନ କର୍ତ୍ତବ୍ୟର ଭାର ପାଇଅଛନ୍ତି । ମେନକା ମୁଣ୍ଡରୁ ପାକଲା ବାଳ ଉପାଡ଼ିବ, ଆଉ ଗୋପାଳ ପିଠିରୁ ଖସ ମାରିବି । ମେନକା ବୃଦ୍ଧଙ୍କ ମୁଣ୍ଡରେ ହାତ ଦେଇ କହିଲା–‘‘ସାଆନ୍ତ ବାବା, ପାକଲା ବାଳ ସବୁ ଉପାଡ଼ି ଦେଲେ ତମ ମୁଣ୍ଡରେ ଆଉ କିଛି ରହିବ ନାହିଁ–ବିଲ୍‌କୁଲ ଟାଙ୍ଗରା ହୋଇଯିବ । କୁଳାବାଳ କେତେଟା ଯେ ଅଛି, ସେ କିଛି ଖାପ ଖାଉନାହିଁ । ତାକୁ ଉପାଡ଼ିଦିଏଁ ଯେ ଏକବର୍ଣ୍ଣୀ ହୋଇ ରହିବ ।’’ ବୃଦ୍ଧ ହସିଉଠି କହିଲେ–‘‘ମେନି ଥଟା କରୁଅଛି ପରା ? ଆଚ୍ଛା ହେଉ, ମୋରି ପରି ଗୋଟାଏ ପାକଲାବାଳିଆ ବୁଢ଼ା ବର ବାଛି ତୋତେ ବିଭା ଦେବି ।’’ ବାଳିକା ବିବାହ ଅର୍ଥ ନ ବୁଝିଲେ ସୁଦ୍ଧା ପୂର୍ବ ସଂସ୍କାର ସୁଲଭ ଲଜ୍ଜାରେ ମୁହଁ ତଳକୁ ପୋତିଲା । ଗୋପାଳ ହୋ ହୋ କରି ହସିଉଠେ ବିକୃତ ମୁଖଭଙ୍ଗୀ କରି କହିଲା–‘‘ମେନିର ବୁଢ଼ାବର ହବ ରେ, ବୁଢ଼ା ବର ହବ-।’’ ମେନକା ଏଥର ରାଗି ଉଠି ବିକୃତ ମୁଖଭଙ୍ଗୀ କରି କହିଲା–‘‘ହଁ, ତୋହରି ବୁଢ଼ା ବର ହବ-।’’ ସରଳା ବାଜିକାର ସଲଳ ଉକ୍ତିରେ ବୃଦ୍ଧ ହସି ପକାଇଲେ ।

 

ଜଗତରେ ଅତି ଶବ୍ଦଟି ବଡ଼ ଖରାପ । ଯେଉଁ କାର୍ଯ୍ୟ ହେଉ ବା ଯେଉଁ ବିଷୟ ହେଉ, ସୀମା ଲଙ୍ଘନ କଲେ କଥା ସରିଯାଏ । ବୃଦ୍ଧଙ୍କର ଅତିରିକ୍ତ ସ୍ନେହର ଫଳ କ୍ରମେ ବିଷମୟ ହୋଇଉଠିଲା । ଗୋପାଳର ଅବାଧ୍ୟତା, ଉଚ୍ଛୃଙ୍ଖଳତା ବାଧା ନପାଇ ବଢ଼ିବାକୁ ଲାଗିଲା । ସେ ଦିନରେ ବାର କଳି ଘରକୁ ଆଣିଲା । ଘରୁ ବାହାର ହେଲେ ସେ ଖାଲିହାତରେ ଫେରି ଆସେନାହିଁ-। ବାୟା ହାତୀ ଶୃଙ୍ଖଳାରୁ ଫିଟିଲେ ଯେପରି ଖଣ୍ଡେ ହନ୍ତାଳ ପକାଏ, ଗୋପାଳ ସେହିପରି କାହାର ପିଲାକୁ କଚାଡ଼ି ଦେଇଆସେ–କାହାର ଗୋରୁକୁ କାହାରେ ପିଟିଦିଏ–କାହାର ବା ସିଜୁବାଡ଼ ଭାଙ୍ଗିଦେଇ ଆସେ । ଏହିପରି ଗୋଟାଏ କିଛି କଳଙ୍କ ନ ଘେନି ସେ ଘରକୁ ଫେରି ଆସେ ନାହିଁ । ମହାପାତ୍ରଙ୍କ ମୁହଁଙ୍କୁ ଚାହିଁ କେହି କିଛି କହି ପାରନ୍ତି ନାହିଁ । ମାତ୍ର ମନେ ମନେ ଅତ୍ୟନ୍ତ ବିରକ୍ତ ହୁଅନ୍ତି । କେହି କେହି ଆଗରେ ନ କହିଲେ ସୁଦ୍ଧା ପଛରେ ଅନେକ କଥା କହି ବୁଲନ୍ତି । ଗୋପାଳ ଏହି ଦୁଷ୍ଟାମି ପାଇଁ ଜାନକୀ ଠାରୁ ମାଡ଼ ଖାଏ; ମାତ୍ର ସେ ମାଡ଼କୁ ସେ ଖଜାପିଠା ପରି ଖାଇ ହଜମ କରିଦିଏ । ବୃଦ୍ଧ ସୁଦ୍ଧା ଏଣିକି ତାହା ପ୍ରତି ପୂର୍ବପରି ସୁପ୍ରସନ୍ନ ନୁହନ୍ତି । ସେ କହନ୍ତି–‘‘କ୍ଷତର ଜ୍ୱାଳା ନିବାରଣ ପାଇଁ ମଲମ ପ୍ରୟୋଗ କଲି ଯେ, ସେ ମଲମର ଜ୍ୱାଳା କ୍ଷବର ଜ୍ୱାଳାଠାରୁ ବଳିଗଲା ।’’ ଲୋକେ ଅନ୍ତରାଳରେ ଥାଇ ଯେଉଁ ତୀକ୍ଷଣ ବାକ୍ୟ ବାଣ ବିନ୍ଧନ୍ତି, ସେଥିରେ ତାଙ୍କର ମର୍ମଗ୍ରନ୍ଥ ଛିଡ଼ିଯାଏ । କିନ୍ତୁ କଅଣ କରିବେ, କୃତକର୍ମର ଫଳ କାହାକୁ ଦେବେ ? ଜାନକୀ କହିଲା–‘ବାବା, ତମେ ତାକୁ ମୁହଁ ଦେବାରୁ ସେ ଏପରି ହେଲା । ଆଠ ନବବର୍ଷର ଆସି ହେଲା, ଅବିଧି ପାଠଶାଳା ଛୁଇଁଲା ନାହିଁ ।’ କନ୍ୟାର କଥାରେ ବୃଦ୍ଧଙ୍କର ଚେତନା ହେଲା । ସେ କହିଲେ, ‘ସତ ଲୋ ଝିଅ, ତାକୁ ଏଣିକି ବନ୍ଧନରେ ନ ପକାଇଲେ ଆଉ ଚଳିବ ନାହିଁ । ଆଚ୍ଛା ଗୋଟାଏ କଥା କଲେ କି ହୁଅନ୍ତା ନାହିଁ ? ଉଛୁଣି ତ ପିଲାଟା, ସେ ଇସ୍କୁଲରେ ଯାଇ କଅଣ ପଢ଼ିବ-? କିଛିଦିନ ବନା ନାହାକ ପାଖରେ ଆମ ବଙ୍ଗଳାରେ ପଢ଼ୁ, ତୋ ମନକୁ କିମିତି ଆସୁଛି ମା-? ଜାନକୀ କହିଲା–‘ହଁ ବାବା, ସେହି କଥା ହେଉ । ’ ତହିଁଆର ଦିନ ପ୍ରସ୍ତାବ କାର୍ଯ୍ୟରେ ପରିରତ ହେଲା । ସ୍ୱଚ୍ଛନ୍ଦବିହାରୀ ବିହଙ୍ଗ ଏବେ ଅଠାକାଣ୍ଡିଆରେ ପଡ଼ି ଛଟପଟ ହେଲା ।

 

ମେନକାକୁ ଜାନକୀ ଝିଅ ପରି ସ୍ନେହ କରେ ! ତାକୁ ହଳଦୀ ଲଗାଇଦିଏ, କଳା ନାଇଦିଏ, ତାହାର ମୁଣ୍ଡ କୁଣ୍ଡାଇଦିଏ । ସାଙ୍ଗରେ ଖୁଆଏ–ପାଖରେ ଶୁଆଏ । ମେନକା ତାକୁ ପିଉସୀ ଲେଖାରେ ଅପା ବୋଲି ଡ଼ାକେ । ଅପା ପାଖରୁ ସେ ଢେର୍‌ କାମ ଶିଖିଲାଣି । ସେ ଗୁଆ କାଟିପାରେ, ପାନ ଭାଙ୍ଗିପାରେ, ଚନ୍ଦନ ଘୋରିପାରେ । ଜାନକୀ ତାକୁ ଲୁଗାସିଆଁ, କାଇଁଶ ଚାଙ୍ଗୁଡ଼ି ବୁଣା, ପଙ୍ଖା ବୁଣା, ଝଟିଦିଆ, ଠାଭଙ୍ଗା ଇତ୍ୟାଦି କରଣ କନ୍ୟାର ଯୋଗ୍ୟତାପରିଚାୟକ ଅନେକ ବିଦ୍ୟା ଶିଖାଇଅଛି । ଏଣିକି ବର୍ଣ୍ଣ ଶିକ୍ଷା ଆରମ୍ଭ ହୋଇଅଛି । ମେନକାର ଇଚ୍ଛା, ସେ ଅପା ପରି ରାମାୟଣ, ଭାରତ, ଭାଗବତ ପଢ଼ିବ । ସେଥଇପାଇଁ ସେ ଖୁବ୍‌ ମନୋଯୋଗ ସହିତ ପଢ଼ୁଅଛି । ଅଳ୍ପଦିନ ମଧ୍ୟରେ ବର୍ଣ୍ଣବିଜ୍ଞାନର ପ୍ରଥମ ଭାଗ ଶେଷ ସାରିଲାଣି । ସେ ଜାନକୀକୁ ମାଆ ପରି ଭଲପାଏ । ଜାନକୀ ରାନ୍ଧିବସିଲେ ସେ ଚୁଲି ଜାଳିଦିଏ । ପରିବା ଯୋଗାଡ଼ିଦିଏ, ବେଶର-ହଳଦୀ ବାଟିଦିଏ, ପାଣି ଆଣିଦିଏ, ସବୁବେଳେ ଜାନକୀ ପଛେ ପଛେ ଗୋଡ଼ାଇ ଥାଏ । ଗୋପାଳ ଭାଇସଙ୍ଗରେ ତାସ ଖେଳେ, ବାଘ-ଛେଳି ଖେଳେ । ସେ ଗୋପାଳକୁ ଯେପରି ଭଲ ପାଏ, ଗୋପାଳ ତାକୁ ସେହିପରି ସ୍ନେହଚକ୍ଷୁରେ ଦେଖେ । ଗୋପାଳ କୌଣସି ପଦାର୍ଥ ମେନକାକୁ ନ ଦେଇ ଆପେ ଖାଏ ନାହିଁ । ମେନକା ମଧ୍ୟ ତାହାର ସେ ଋଣ ପରିଶୋଧ କରିଦିଏ । ସେ କହେ–‘‘ଗୋପାଳ ଭାଇ, ତୁ ଯେବେ ସତେ ମୋ ଭାଇ ହୋଇଥାନ୍ତୁ ।’’ ଗୋପାଳ କହେ–‘‘ମୁଁ କଅଣ ତୋର ସତର ଭାଇ ନୁହେଁ–ମିଛର ଭାଇ ? ଦୂର ପେଚାମୁହିଁ, ତୁ ମୋର ସାନ ଭଉଣୀ, ମୁଁ ତୋର ଭାଇ, ବୁଝିଲୁ ?’’ ମେନକାର ମୁଖ ଆନନ୍ଦରେ ପଦ୍ମ ପରି ଉଜ୍ୱଳ ହୋଇଉଠେ ।

 

ଦିନେ ପିତାପୁତ୍ରୀ ବସି କଥାବାର୍ତ୍ତା ହେଉ ଥିଲେ । କଥାର ଗୋଡ଼ ନାହିଁ, ଏକ କଥା ହେଉଁ ଅନ୍ୟ କଥା ଆସି ପହଞ୍ଚିଯାଏ । ବୃଦ୍ଧ କହିଲେ–‘‘ମେନଟି ଖୁବ୍‌ ଶାନ୍ତ, ଆଜହୁଁ ଅଣ୍ଡାଖଣ୍ଡକ କେତେ କାମ ଶିଖିଲାଣି । କାମ ଫେର୍‌ କି ପରିସ୍କାର ସେଥିରେ କଅଣ ବାଛିବାକୁ କିଛି ଥାଏ । ତା ଦେହରେ କଡ଼ାକର ଗହଣା ନାହିଁ, ତେବେ ବି ସେ କି ସୁନ୍ଦର ଦିଶେ ।’’ ଜାନକୀ ପିତାଙ୍କ ମୁହଁଙ୍କୁ ଦୀନ ନୟନରେ ଚାହିଁ ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ କହିଲା–‘‘ଯାହାର ପେଟ ନ ପୁରେ, ତାହାର ପୁଣି ଗହଣା ! ମାର ତ ନାକକୁ ନିମ କାଠି ବାହାରି ନାହିଁ, କି ବେକରୁ ପଥରମାଳ ବାହାରି ନାହିଁ, ଆଉ ଝିଅ କଥା କିଏ ପଚାରେ ? ବାପ ତ ଯେଉଁ ବାପ ତା ରୋଜଗାର ତା ନିଶାପାଣିରେ ଯାଏ । ନୂଆବୋହୁ ସିଆଣ ଚତୁର ବୋଲି ଆପେ ପାଣିପେଜ ପିଇ ଛୁଆଙ୍କୁ ମୁହଁରେ ମୁଠେ ଦେଉଛି । ଆଉ କାହାପରି ହୋଇ ଥିଲେ ଛୁଆ ଦିଟା ଗଡ଼ିଯାଆନ୍ତେଣି ।’’ ବୃଦ୍ଧ ସହାନୁଭୂତି ସ୍ୱରରେ କହିଲେ–‘‘ହଁ ମା, ଯାହା କହିଲୁ ସତ, ନବଘନର କବିଲାଟି ଖୁବ୍‌ଯୋଗା । ଆହା, ଗରିବର ବଡ଼ କଷ୍ଟ । ତୁ କେବେ କେବେ କିଛି ଦିଆଘେନା କରୁନା ?’’ ଜାନକୀ କହିଲା–‘‘ହଁ, କେବେ ଚାଉଳ ସେରେ, କେବେ ବାଇଗଣ ପୁଞ୍ଜାଏ, କେବେ ପଇସା ଅଣେ ଦିଅଣା ଏହିପରି ଦିଏଁ । ନୁଆବୋହୂ ଲୁଗା ନ ଥିଲା, ସେ ତ ମୁହିଁ ଫିଟାଇ କିଛି କହେ ନାହିଁ । କାଲି ଦେଖିଲି ଯେ, ଖଣ୍ଡେ ଚଉଦସିଆଁ ଲେଙ୍କୁଡ଼ି କନା ପିନ୍ଧିଛି,ମୋ ଆଖିରେ ଆଉ ଲୁହ ରହିଲା ନାହିଁ । ଗୋଟାଏ ପରୁଣା ଖଦି ସିନ୍ଦୁକରୁ କାଢ଼ି ଦେଇଆସିଲି । ବୃଦ୍ଧ ଶୁଣି ଆଶ୍ୱସ୍ତ ହୋଇ କହିଲେ–‘‘ହେଉ ମା ସବୁବେଳେ ଏହିପରି ସାହାଯ୍ୟ କରୁଥିବୁ । ଦରିଦ୍ର ନାରାୟଣଙ୍କ ପୂଜା ବଡ଼ ପୁଣ୍ୟର କଥା ମା । ଆଚ୍ଛା ମେନିକ ଦିଖଣ୍ଡ କିଛି ଗହଣା ଦେଲେ ହୁଅନ୍ତା ନାହିଁ ?’’ ଜାନକୀ ଟିକିଏ ହସିଦେଇ କହିଲା–‘‘ତମର ଯେବେ ଇଚ୍ଛା ହୋଇଛି, ତେବେ ଦିଅ; ଅପାତ୍ରରେ ତ ପଡ଼ିବ ନାହିଁ ।’’ ବୃଦ୍ଧ ଆଉ କିଛି ନ କହି ଉଠିଗଲେ । ତହିଁ ପରଦିନ ଜାନକୀ କନକ ବସି କଥାବାର୍ତ୍ତା ହେଉ ଅଛନ୍ତି, ବୃଦ୍ଧ କେତେଗୁଡ଼ିଏ ଅଳଙ୍କାର ଆଣି କନକ ଆଗରେ ଥୋଇ ଦେଇ କହିଲେ–‘‘ନିଅ ମା, ତମ ଝିଅକୁ ମେନକା ରାଣୀ କରି ସଜାଇ ଦିଅ-। ଆଉ ଖବରଦାର ମା, ମୁଁ ଆଗରୁ ଗହଣା ଦେଇଛି, ମୋର ଭାଗ ରହିଲା ।’’ ଏହା କହି ବୃଦ୍ଧ ଦଣ୍ଡେଯାଏ ଖୁବ୍‌ ହସିଲେ । କ୍ରୀଡ଼ାରତା ମେନକାକୁ ଚାହିଁ ପଚାରିଲେ–‘‘ କି ମେନକା ରାଣୀ, ଏ ବୁଢ଼ା ବରକୁ ଭାଜି ତ ?’’ ମେନକା ଗଭୀର ଆଗ୍ରହପୂର୍ଣ୍ଣ କଣ୍ଠରେ କହିଲା–‘‘ହଁ ସାଆନ୍ତ ବାବା, ଖୁ-ଉ-ବ୍‌ ରାଜି ।’’ ବାଳିକାର ଏ କଥା ଶୁଣି ସମସ୍ତେ ବହୁକ୍ଷଣଯାଏଁ ହସିବାକୁ ଲାଗିଲେ । କନକ କୃତଜ୍ଞତା ପ୍ରକାଶର ଭାଷା ପାଇଲା ନାହିଁ । ଏ ଦାନ କୃତଜ୍ଞତାର ଅତୀତ ।

Image

 

ଷଷ୍ଠ ପରିଚ୍ଛେଦ

 

ପରିବର୍ତ୍ତନ ଜଗତରେ ସ୍ୱାଭାବିକ ଧର୍ମ । ପ୍ରତି କ୍ଷଣରେ, ପ୍ରତି-ମୂହୁର୍ତ୍ତରେ ପ୍ରତ୍ୟେକର ପରିବର୍ତ୍ତନ ଘଟୁଅଛି । ସେ ପରିବର୍ତ୍ତନର ଗତି ଏଡ଼େ ଧୀର ଯେ, ହଠାତ୍‌ ଦୃଷ୍ଟିରେ ତାହା ବାରି ହୁଏ ନାହିଁ । ତିନିବର୍ଷ ଆସି ଅତୀତ ହୋଇଗଲା, ଏଥି ମଧ୍ୟରେ କେତେ ପରିବର୍ତ୍ତନ ହୋଇଗଲାଣି, ଗୋପାଳର ମଧ୍ୟ ଅନେକ ପରିବର୍ତ୍ତନ ଘଟିଲାଣି; ମାତ୍ର ତାହାର ସେହି ଦୁଷ୍ଟ ପ୍ରକୃତିର ପରିବର୍ତ୍ତଦ ଘଟିନାହିଁ । ସେ ଯଥା ଅତୀତ, ତଥା ବର୍ତ୍ତମାନ । ଏହିପରି ଜଣେ ଜଣେ ମୂଢ଼ ଅଭ୍ୟାସୀ ଥାଆନ୍ତି, ସହଜରେ ତାଙ୍କ ପ୍ରକୃତିର ପରିବର୍ତ୍ତନ ଘଟେ ନାହିଁ । କିନ୍ତୁ ଏପରି ସମୟ ଆସେ ଯେ ପରିବର୍ତ୍ତନ ଆପେ ଆପେ ହୋଇଯାଏ । ଯାହା ଚେଷ୍ଟାରେ ଘଟେ ନାହିଁ, ତାହା ବଳେ ବଳେ ଆସି ଘଟିବାର ଦୃଷ୍ଟାନ୍ତ ସଂସାରରେ ବିରଳ ନୁହେ । ଯେଉଁଠାରେ ଏରୂପ ଘଟେ, ଅଦୃଷ୍ଟର ଅସ୍ତିତ୍ୱ ପ୍ରମାଣ ସେହିଠାରେ । ସେ ଶୂରାଦୃଷ୍ଟ ଆଜି ଅବିଧି ଗୋପାଳକୁ ସ୍ପର୍ଶ କରିନାହିଁ । ତେବେ ଯେ ସେଦିନ ଆସିବ, ତାହା କିଏ କହିପାରେ ? ମାତ୍ର ଆସିବ ନିଶ୍ଚୟ, ଯେହେତୁ ସଂସାରରେ କିଛି ଅସମ୍ଭବ ନୁହେ । ଆଜି ଯାହା ଅସମ୍ଭବ, କାଲି ତାହା ସମ୍ଭବ ହୁଏ ।

ବନା ନାହାକର ସବୁ ବିଦ୍ୟା ଗୋପାଳ ଉଦରସ୍ଥ କରିସାରିଲାଣି । ଗୁରୁ ନିଜର ସବୁ ବିଦ୍ୟା ଶିଷ୍ୟକୁ କରିସାରିଲାଣି । ଗୁରୁ ନିଜର ସବୁ ବିଦ୍ୟା ଶିଷ୍ୟକୁ ଦେଇ ଫକଡ଼ ହୋଇ ବସିଲାଣି-। ଏବେ ସେ ବିଦାୟ ହେବ । ବନମାଳୀର ବିଦ୍ୟା ହରିଗୁଣ ପର୍ଯ୍ୟନ୍ତ । ଶିଷ୍ୟକୁ ସୁଦ୍ଧା ସେହି ପର୍ଯ୍ୟନ୍ତ ଯାଇ ଗୁରୁ ଗୁଣ ଦଖଲ କରିବାକୁ ହୋଇଥିଲା । ଗୋପାଳ ଖୁବ୍‌ବୁଦ୍ଧିମାନ; ମାତ୍ର ଚଗଲା ହେତୁ ପାଠର ମନ ଦିଏ ନାହିଁ । ସେ ଏବେ ଟିକିଏ ବଢ଼ି ଉଠିଅଛି; ସୁତରାଂ ଘରର ନାହାକ ବନମାଳୀକୁ ଆଉ ଡରେ ନାହିଁ । ଜଗତରେ ତାହାର ଯେତେ ଆମୋଦ ଅଛି, ସେଥିମଧ୍ୟରେ ପକ୍ଷୀର ଅଣ୍ଡା କଚାଡ଼ି ଭାଙ୍ଗିବା ଅନ୍ୟତମ । ତାହା ବିଚାରରେ ସେ କାର୍ଯ୍ୟଟାରେ ଯଶ-ପୌରୁଷ ଷୋଳପଣ । ମାଙ୍କଡ଼ ପଲ ଦେଖିଲେ ସେଦିନ ପାଠ କିଏ ପଚାରେ; କ୍ଷୁଧାତୃଷା ସୁଦ୍ଧା ଭୁଲିଯାଏ । ସେମାନଙ୍କୁ ଉପଯୁକ୍ତ ବଂଶଧର ତୁଲ୍ୟ ସେମାନଙ୍କ ପଦାଙ୍କ ଅନୁସରଣ କରେ । ତାହାର ଦୁଷ୍ଟାମି ବର୍ଣ୍ଣନା କଲେ ଶେଷ ହେବ ନାହିଁ । ତେବେ ଏତିକିମାତ୍ର କହିଲେ ଯଥେଷ୍ଟ ହେବ ଯେ, ଗୋପାଳର ନ କରିବା ଦୁଷ୍ଟାମି ଜଗତରେ ନାହିଁ । ମହାପାତ୍ରେ ଏହିସବୁ ଦେଖି ଭାବିଲେ, ‘‘ବନା ଯୋଗେ ଆଉ କାମ ଚଳିବ ନାହିଁ । ପିଲା ଅବଧାନକୁ ନ ନରି ଫାଙ୍କାଡ଼ି ବତାଇଲେ ଅବଧାନେ ତାକୁ ପଢ଼ାଇବ କଅଣ ? ଗୋପାଳ ତ ଆଉ ନିହାତି ପିଲା ନୁହେ, ବାର ବର୍ଷର ଆସି ହେଲାଣି । ଅଙ୍କପାଠ କିଛି ପଢ଼ିଲାଣି, ଆଉ ବର୍ଣ୍ଣବୋଧକ ଶେଷ କଲାଣି; ଏଣିକି ତାକୁ ଇସ୍କୁଲକୁ ପଠାଇବା ଉଚିତ ।’’ କିଛିଦିନ ପରେ ବୁଦ୍ଧ ବନାକୁ ବିଦାୟ ଦେଇ ଗୋପାଳକୁ ଇସ୍କୁଲକୁ ପଠାଇଲେ । ବନମାଳୀ ନିଃଶ୍ୱାସ ଛାଡ଼ି ବଞ୍ଚିଲା । ଏଥିପୂର୍ବରୁ ସେ ଅନେକ ଥର ଗୋପାଳ ହାତରୁ ଗୁରୁଦକ୍ଷିଣା, ପାଇ ତ୍ରାହି, ମଧୂସୁଦନ ଜପୁଥିଲା ।

ଗୋପାଳ ନିକଟବର୍ତ୍ତୀ ମାଇନର ସ୍କୁଲରେ ପଢ଼ିଲା । ଦିନେ ତାହାର ଅନୁପସ୍ଥିତି ନାହିଁ । ଗୋଟାଏ ମୋହ ତାକୁ ଆକର୍ଷଣ କରେ । ତାହା ବିଦ୍ୟାର ମୋହ ନୁହେ–ଡ୍ରିଲ ଆକର୍ଷଣ କରେ । ତାହା ବିଦ୍ୟାରେ ମୋହ ନୁହେ–ଡ୍ରିଲ୍‌ଖେଳର ମୋହ କେବଳ ସେତକି ପାଇଁ ସେ ସ୍କୁଲ୍‌କୁ ଯାଏ । ପଢ଼ାପଢ଼ି କରେନାହିଁ; ମାତ୍ର ଏପରି ଶ୍ରୁତିଧର ଯେ ଯାହା, ଥରେ ପଢ଼େ ବା ଶୁଣେ ତାହା ସହଜରେ ଆୟତ୍ତ କରିନିଏ । ପଢ଼ାପଢ଼ିରେ ଆଦୌ ମନୋଯୋଗ ନାହିଁ, ଅଥଚ ପରୀକ୍ଷାରେ ପ୍ରଥମ ଦ୍ୱିତୀୟ ସ୍ଥାନ ଅଧିକାର କରେ । ଏହା ତାହାର ସ୍ମୃତିଶକ୍ତିର ଫଳ । ଏହା ଦେଖି ଅନ୍ୟାନ୍ୟ ଛାତ୍ରମାନେ ଆଶ୍ଚର୍ଯ୍ୟାନ୍ୱିତ ହୁଅନ୍ତି । କେହି କେହି ପଚାରନ୍ତି–‘‘ଆଚ୍ଛା ଗୋପାଳ, କହିଲୁ ଭଲା–ଆମେ ସମସ୍ତେ ଦିନରାତି ଘୋଷି ଘୋଷି ପଢ଼ା ଠିକ୍‌ କରିପାରୁ ନାହିଁ, ତୁ ତ ମୂଳରୁ ପୁସ୍ତକ ଛୁଉଁ କି ନାହିଁ, ମା ସରସ୍ୱତୀ ଜାଣନ୍ତି; ତେବେ କ୍ଳାସରେ ପ୍ରଥମ ଦ୍ୱିତୀୟ କିପରି ହେଉ ?’’ ଗୋପାଳ ଗମ୍ଭୀର ହୋଇ କହେ–‘‘ଆରେ ରାମ, ମୁଁ ଭାଇ ତମମାନଙ୍କ ପରି ରାଧଖଟଣୀ ଖଟିପାରେ ନାହିଁ । ଘୋଷାକୁ ଜୁହାର ବାବା, ଶବ୍ଦଗୁଡ଼ାକ ଚୋବାଇ ଚୋବେଇ ପାଟିରୁ ବାବୁ ବାହାରି ପଡ଼େ । ମୁଁ ପୂର୍ବ ଜନ୍ମରୁ ଘୋଷିବା ଛାଡ଼ିଛି । ତମର ସେ ଶବ୍ଦ ଚୋବାଇବା ଦେଖି ମୋତେ ବଡ଼ ହସ ମାଡ଼େ । ଏତେ ଯେ ଚୋବାଅ କିଛି ରସ ପାଅନା ? ଜଲଦି, ରସଗୋଲା ପରି ହୋଇଥିଲେ ତମେମାନେ ବଞ୍ଚିଯାଆନ୍ତ ରେ ଭାଇ । ମନ ଲଗାଇ ଥରେ ପଢ଼ିଲେ ଯାହ, ଜୀବବିଶେଷ ପରି ସହସ୍ରବାର ଭାଉଁ ଭାଉଁ ଦେଲେ ତାହା । ଘୋଡ଼ା ଦଉଡ଼ି ଦଉଡ଼ି ଯେଉଁଠି, ହାତୀ ଥିର ଥିର ସେଇଠି । ଯଦି କେହି ସତୀର୍ଥ ପ୍ରଚ୍ଛନ୍ନ ବିଦ୍ରୁପ କରି କହେ–‘‘ହଁରେ ଭାଇ, ତୁ ଧ୍ୟାନଯୋଗୀ ! ଏଡ଼େ ବଡ଼ ସାଧନା ଆମ ପିଲା ଦେହରେ ଚଳେ ନାହିଁ ।’’ ଗୋପାଳ ସେ କଥା ଦେହକୁ ନ ପାଇ ଫେରାଇ ଦେଇ କହେ–‘‘ମୁଁ ଯୋଗି ପଛେ ନ ହୁଏଁ; ମାତ୍ର ଗଦର୍ଭ ନୁହେଁ । ଆଉ ଘୁଷୁରି ଦେହରେ ପାକଲା କଦଳୀ ନ ଚଳିଲେ ତାହା ତ କଦଳୀରେ ଦୋଷ ନୁହେଁ ।’’ ଏହିପରି ପ୍ରତି କଥାରେ ସହପାଠୀମାନଙ୍କ ସଙ୍ଗରେ ସେ କଳି କରେ । ଆବଶ୍ୟକ ହେଲେ ହାତଗୋଡ଼ର ସାହାଯ୍ୟ ନିଏ । କଳି ତାହାର ଖୁବ୍‌ ମୁଖରୋଚକ, ଯେଉଁ ଦିନ ସ୍କୁଲ୍‌ରେ କଳହର ସୁଯୋଗ ନ ଘଟେ, ସେ ଦିନଟା ବୃଥା ଯାଏ ନାହିଁ । ଘରକୁ ଆସୁଁ ଆସୁଁ ବାଟରେ କିଛି ଗୋଟାଏ ଛୋଟ ବଡ଼ କୀର୍ତ୍ତୀ କରି ଆସେ । ସେ ଯାହା ହେଉ, ଗୋପାଳ ପାଞ୍ଚ ବର୍ଷକାଳ ଧାଁ ଦଉଡ଼ କରି ବିଶେଷତଃ ପ୍ରାଣପଣରେ ଗୁରୁସବା କରି ମାଇନର ଦ୍ୱିତୀୟଶ୍ରେଣୀ ପର୍ଯ୍ୟନ୍ତ ଗଲା । ସେଇଠି ସରସ୍ୱତୀଙ୍କ ସହ ବିବାଦ ଘଟିଲା । ଏଣିକି ଇଂରାଜୀ ସାହିତ୍ୟ କଠିନ ପଡ଼ିଲା–ଚାରିଆଡ଼ ଅନ୍ଧକାର ଦିଶିଲା । ଏତେଦିନଯାଏଁ କାଠ ଫାଳରେ ଚାଷ ହେଉଥିଲା, ଏଣିକି ଲୁହାଫାଳ ପଡ଼ିଲା । ତାକୁ ଟାଣିବ କିଏ ? ଏପରି ଅବସ୍ଥାରେ ଯାହା ହେବା ସ୍ୱାଭାବିକ, ତାହା ହେଲା । ବିଦ୍ୟାଳୟ ସମାଳୟଠାରୁ ବଳିଲା । ତାଡ଼ନା, ଗଞ୍ଜନା, ଭର୍ତ୍ସନାର ମାତ୍ରା କ୍ରମଶଃ ବଢ଼ିବାକୁ ଲାଗିଲା । ସମୟ ସମୟରେ ପ୍ରହାର ସୁଦ୍ଧା ଦୁର୍ଲ୍ଲଭ ହେଲାନାହିଁ । ଗୋପାଳ ଏ ପ୍ରେତପୁରୀରୁ ଖସି ଆସିବାକୁ ଇଚ୍ଛା କଲା । ମାତ୍ର ଅଜାଙ୍କର ଭୟ ସେ ଇଚ୍ଛାର ପ୍ରତିବନ୍ଧକ ହେଲା । କଅଣ କରିବ, ଘୋର ସଙ୍କଟରେ ପଡ଼ିଲା । ଢେର ଥର ବିଧାତାକୁ ନିନ୍ଦା କଲା । ବିଧାତା ତାକୁ ପୁରୁଷ ଜନ୍ମ ନଦେଇ ସ୍ତ୍ରୀ ଜନ୍ମ ଦେଇଥିଲେ ପାଠପଢ଼ାର ବିଭୀଷିକା ନ ଥାନ୍ତା । ପୁରୁଷ-ଜନ୍ମ ପାଇଁ ସେ ତ ବିଧାତା ପାଖରେ ଦରଖାସ୍ତ କରି ନ ଥିଲା । ତେବେ ସେ କାହିଁକି ତାକୁ ଏ ଜଞ୍ଜାଳରେ ପକାଇଲା-? ଏହା କଣ ବିଧାତାର ଗଜମୂର୍ଖପଣ ନୁହେଁ ।

ଖରାବେଳେ ଜାନକୀ ଅରଟ ପକାଇ ସୂତା କାଟୁଛି, ମେନକା ତାହା ପାଖରେ ବସି ହାତକୁ ପାଞ୍ଚ ବଢ଼ାଇ ଦେଉଛି, ଏହି ସମୟରେ କନକ ଆସି ଉପସ୍ଥିତ ହେଲା । ଜାନକୀ ମୃଦୁ ହସି କହିଲା–‘‘କି ନୂଆବୋହୁ, ଆଜି ସକାଳୁ ତ ଦେଖା ନାହିଁ–ଭାଇ ଅଟକେଇ ଥିବେ ପରା । ’’

କନକ–ତମ ଭାଇଙ୍କର ମୁଁ କଅଣ କରିବି କି ? ମଦତ ଟାଣିବା ବେଳେ ମେରୁରେ ଟିକିଏ ଲଗାଇବି ନା କଅଣ ଗୋ, ଭାଇସୁଆଗୀ ଭଉଣୀ ?

ଜାନକୀ–ଆଚ୍ଛା ନୂଆବୋହୂ, ଏ ନିଆଁ ଧୂଆଁ ଅମଳ ଲାଗି ତମେ କି ଭାଇଙ୍କି କିଛି କୁହ ନାହିଁ ?

କନକ–କଣ କହିବି ଭଉଣୀ ? ସେ ମୋର ସ୍ୱାମୀ, ଦେବତା; ମୁଁ ତାଙ୍କର ଦାସୀ । ଦାସୀ କି ପ୍ରଭୃଙ୍କର ଦୋଷ ଦେଖାଇପାରେ ? ତାଙ୍କର ଯାହା ଇଚ୍ଛା, ସେ ତାହା କରିବେ, ମୁଁ ସେଥିରେ କଥା କହିବାକୁ କିଏ ଜାନକୀ ?

 

ଜାନକୀ–ବୁଝିଲ ନୂଆବୋହୂ, ତୁମ ପରି ପତିପ୍ରାଣା ସତୀ ସ୍ତ୍ରୀ ଭାଗ୍ୟରେ ମିଳେ । ତୁମ୍ଭରି ପୁଣ୍ୟବଳର ଭାଇଙ୍କର ସବୁ ଆପଦ କଟିଯାଉଛି । ନ ହେଲେ ଏତେବେଳକୁ ଲକ୍ଷ୍ମୀ ଛାଡ଼ି ଯାଆନ୍ତାଣି ।

ଏହି ସମୟରେ ବୃଦ୍ଧ କଠଉ-ଶବ୍ଦ କରି କରି ଆସି ପଚାରିଲେ–‘କାହା ସାଙ୍ଗରେ କଥା କହୁଛୁ ମା ?’ ଜାନକୀ କହିଲା–‘‘ନୂଆବୋହୁ ଅଛନ୍ତି ।’’ ବୃଦ୍ଧ ସେଠାରେ ବସି ପଡ଼ିଲେ । କନକ ତରତରରେ କବାଟ କୋଣକୁ ଘୁଞ୍ଚିଗଲା । ବୃଦ୍ଧ ଦୁଇଟା ହାଇ ମାରି କେତେଥର ଫୁଟିକି ଫୁଟାଇ କନକକୁ ଲକ୍ଷ୍ୟ କରି କହିଲେ–‘ମେନି ତ ବଢ଼ିଉଠିଲାଣି ମା, କେଉଁଠି ପାତ୍ର ଯୋଟକ ହେଲାଣି ନା-?’’ କନକ ବୃଦ୍ଧଙ୍କୁ ଖୁଡ଼ୁତାଶୁର ଲେଖା କରେ, ସେ ଉହାଡ଼ରେ ଥାଇ ବୃଦ୍ଧଙ୍କୁ ଶୁଣାଇ ଶୁଣାଇ କହିଲା–‘‘ପାତ୍ର କିଏ ସଜିଲ କରିବ ବାବା, ତୁମେ ସବୁ ବାପ ଗୋସିବାପ ଥାଉଁ ଥାଉଁ ମୁଁ ମାଇପି ଲୋକଟା କଅଣ କରିବି ? ଆଉ ଗରିବଘରୁ ବା କିଏ ଝିଅ ନେବାକୁ ଇଚ୍ଛା କରିବ ? ତହିଁରେ ପୁଣି କାଳୀ କନ୍ୟା । ଗରିବ ଘରେ କାଳୀ କନ୍ୟା ଜନ୍ମିତା ମୁଣ୍ଡରେ ବଜ୍ର ପଡ଼ିଲାପରି । ଏକାଳରେ ତ ବରରେ ନିଲାମ ଡ଼କା ହେଉଛି, ସୁନ୍ଦରୀ ହୋଇଥିଲେ ଅବା କେହି ଦୟା କରି ନିଅନ୍ତେ; କାଳୀ କନ୍ୟାକୁ କିଏ ନେବ ? ଆଜିକାଲି ଗୁଣ କିଏ ଦେଖୁଛି, ଧଅକ ଚିକ୍‌କଣ ରୂପ ହେଲେ ହେଲା । ସେ କାହା ହାଣ୍ଡିରେ ଚାଉଳ ଦେଇଛି, ଅଭାଗୀ କପାଳରେ କଅଣ ଅଛି ଭଗବାନ୍‌ ଜାଣନ୍ତି ।’’ ବୃଦ୍ଧ ହସିଉଠି କହିଲେ–‘‘ବର ଯଦି ନମିଳେ, ତବେ ମୁଁ ଅଛି ମା । ପହିଲୁ ତ ମୁଁ ବରଣୀ କରିଛି, ବୁଢ଼ାକୁ ଜୋଇଁ କରିବାର ଇଚ୍ଛା ଅଛି ନା, ନାହିଁ ?’’ କନକ ମୃଦୁ ହସି କହିଲା–‘‘ମୋର ସେ ଭାଗ୍ୟ କାହିଁ ବାବା ? କାଳୀ କୁତୁରୀଟା କି ତମର ଯୋଗ୍ୟ ହେବ । ତମକୁ ଦେଇଛି ତ ନିଅ ବା ଯାହାକୁ ଦିଅ ।’’ ବୃଦ୍ଧ ଏଥର ଗମ୍ଭୀର ହୋଇ କହିଲେ–‘‘କିଛି ଚିନ୍ତା ନାହିଁ ମା, ମୁଁ ପାତ୍ର ଅନ୍ଦିସାରେ ରହିଲି ।’’ ଏହା କହି ବୃଦ୍ଧ ଉଠିଗଲେ ।

ସୂର୍ଯ୍ୟ ଅସ୍ତ ହେଲେ । ଦିବସର ଶେଷ କ୍ଷୀଣାଲୋକରେଖା କ୍ରମେ କ୍ରମେ ସନ୍ଧ୍ୟାରେ ଅନ୍ଧକାରରେ ମିଳେଇଗଲା । ନିରାଭରଣ ତରୁଲତାକୁଳ ରତ୍ନାଳଙ୍କାରରେ ଦେହ ପୂର୍ଣ୍ଣ କରି ହସିଉଠିଲେ । କିନ୍ତୁ ଅନ୍ଧକାର ସେମାନଙ୍କ ଉପରେ କୃଷ୍ଣ ପଣତ ଘୋଡ଼ାଇ ଦେଇ ସେ ମଧୁର ହାସ୍ୟ ଲୁଚାଇଦେଲା । ଈର୍ଷାଳୁର ସ୍ୱଭାବ ଏହିପରି । କାହାରି ସୁଖ ଦେଖିଲେ ସେ ଅନ୍ଧ ହୋଇଯାଏ । କେତୋଟି ତାରା ନବବଧୂ ପରି ନୀଳ ଓଢ଼ଣା ମଧ୍ୟରୁ ଲଜ୍ଜାଜଡ଼ିତ ମୃଦୁ ହାସ୍ୟ ବିକାଶ କରିବାକୁ ଲାଗିଲେ ଏବଂ ପରସ୍ପର ମୁହଁ ଚୁହାଁଚୁହିଁ ହୋଇ ନୀରବରେ ପ୍ରେମ-ସମ୍ଭାଷଣରେ ନିଯୁକ୍ତ ହେଲେ । ପ୍ରେମର ଭାଷା ମୁଖରେ ଥାଏ ନାହିଁ–ଚକ୍ଷୁରେ ଥାଏ । ସେମାନେ ଯେପରି ପୃଥିବୀର କି ଗୁପ୍ତ କଳଙ୍କ ଦେଖି ଠରାଠରି ହେଉଅଛନ୍ତି । ପରର କଳଙ୍କ ଚର୍ଚ୍ଚା କରିବା ନିଜର ନୀରାଶୟତାର ପରିଚାୟକ । କିନ୍ତୁ ଏହି ତାରାମାନେ ଏତେ ଉଚ୍ଚରେ ରହି ସୁଦ୍ଧା ନୀଚ ବ୍ୟବହାର ଛାଡ଼ିପାରି ନାହାନ୍ତି । ବୃଦ୍ଧ ମହାପାତ୍ରେ ସନ୍ଧ୍ୟା କରିସାରି ପିଣ୍ଡାରେ ଆସି ବସି ଡାକିଲେ–‘‘ମେନି, ଗୋଟଏ ଭଲ ପଦାର୍ଥ ନେବୁ ?’’ ମେନକା କହିଲା–‘‘କି ଭଲ ପଦାର୍ଥ, ସାଆନ୍ତ ବାବା ?’’ ମେନକା ସ୍ୱଭାବତଃ ଲଜ୍ଜାଶୀଳ ଏବଂ ମୁହଁଚୋରଣୀ ହେଲେହେଁ ସାଆନ୍ତ ବାବାଙ୍କ ପାଖରେ ତାହାର ସେ ଭାବ ଥାଏ ନାହିଁ । ବୃଦ୍ଧ କହିଲେ–‘‘ଏଠିକି ଆ ।’’ ମେନକା ବୃଦ୍ଧଙ୍କ ପାଖକୁ ଘୁଞ୍ଚିଯାଇ କହିଲା, ‘‘କଅଣ ଦବ, ଦିଅ ?’’

ବୃଦ୍ଧ–ମୋ ପିଠି ଘଷିଦେଲେ ଦେବି ।

ମେନି–ସେଇଆ ତ କହିବ, ଆଉ ଭଲ ପଦାର୍ଥ ଲାଞ୍ଚ ଯାଚୁଥିଲ କାହିଁକି ? ପିଠି ଘଷି ଦେ ବୋଲି କହିଥିଲେ ମୁଁ କଅଣ ଦିଅନ୍ତି ନାହିଁ ?

ବୃଦ୍ଧ–ମେନକା ରାଣୀ, ରାଗିଲ କି ? ତମ ଲାଗି ଗୋଟିଏ ସୁନ୍ଦର ବର ଆଣିଦେବି । ଏହା କଅଣ ଭଲ ପଦାର୍ଥ ନୁହେ ?

ମେନି–ବର ଆଣି ଦେବ ? ବର ତ ଆଗରୁ ହୋଇସାରିଛି, ସାଆନ୍ତ ବାବା ।

ବୃଦ୍ଧ–ଇଚ୍ଛାବର ବରିଛୁ ପରା ?

ମେନି–ତାହା ତ ଆମ ଶାସ୍ତ୍ରରେ ଅଛି, ଦୋଷ କଅଣ ?

ବୃଦ୍ଧ–ଦୋଷ ? ଦୋଷ କିଛି ନା ଭଉଣୀ, ବେଶ୍‌ ବେଶ୍‌ । ବରଟି କିପରି ?

ମେନି–ଖୁବ୍‌ ଆଚ୍ଛା, ରୂପବାନ୍‌, ଗୁଣବାନ୍‌, ବୃଦ୍ଧିମାନ୍‌ ।

ବୃଦ୍ଧ–ତେବେ ରାଜପୁତ୍ର ?

ମେନି–ନା, ରାଜପୁତ୍ର ନୁହେ–ଖୋଦ୍‌ ରାଜା ।

ବୃଦ୍ଧ–କେଉଁ ରାଜା ?

ମେନି–ଯମରାଜା । କିନ୍ତୁ ସାଆନ୍ତ ବାବା, ସେ ରଜାଘରକୁ ମୁଁ ବାଟ ଦେଖିନାହିଁ, ତମେ ଏକା ଆଗରେ ଚାଲି ବାଟ କଢ଼ାଇନେବ ।

‘‘ଦୁର୍‌ ଅଲକ୍ଷଣୀ, ଛି ! ଏହା କହନ୍ତି ?’’ ବୃଦ୍ଧ ଏହା କହି ହସିବାକୁ ଲାଗିଲେ; ମାତ୍ର ବାଳିକାର ବ୍ୟଥା କେଉଁଠାରେ, ତାହା ବୁଝିପାରି ଅତ୍ୟନ୍ତ କ୍ଷୁବ୍‌ଧ ହେଲେ । ଏହି ସମୟରେ ଜନକୀର ଡାକ ଶୁଣି ମେନକା ଉଠିଗଲା । ବୃଦ୍ଧ ବସି ମନେ ମନେ କଅଣ ଭାବିବାକୁ ଲାଗିଲେ ।

ଗୋପାଳ ଆଉ ସ୍କୁଲକୁ ଯାଏନାହିଁ । ଘରୁ ବହିପତ୍ର ଘେନି ବାହାରିଯାଏ, ଦିନସାରା ଏଣେ ତେଣେ ଖେଳି ବୁଲି ସନ୍ଧ୍ୟାବେଳେ ଘରକୁ ଫେରିଆସେ । ସେଥିପାଇଁ ଭର୍ତ୍ସିତ ହେଲେ ଗାଁରେ ଯାଇ ଲୁଚେ, ନଚେତ୍‌ ବନ୍ଧୁଘରେ ବୁଲି ଚାରିଦିନ କଟାଇଦିଏ । ଏହି କାରଣରୁ ବୃଦ୍ଧ ବିରକ୍ତ ହୋଇ ସ୍କୁଲରୁ ତାହାର ନାମ କଟାଇଦେଇଅଛନ୍ତି । କିନ୍ତୁ ଗୋପାଳ ପକ୍ଷରେ ତାହା ଶାପରେ ବର ହୋଇଅଛି । ଏବେ ସେ ମୁକ୍ତ ନିଶ୍ଚିନ୍ତ । ଦୁଷ୍ଟାମିର ମାର୍ଗ ଆହୁରି ପ୍ରଶସ୍ତ ଏବଂ ପରିଷ୍କୃତ ହୋଇଗଲା-। ସେ ଘରେ ଯାହା କରୁ; ମାତ୍ର ପରର ଅନିଷ୍ଟ କଲା । ଏହା ବୃଦ୍ଧଙ୍କ ପ୍ରାଣରେ ଅସହ୍ୟ-। ସେ କଠୋର ତିରସ୍କାର କରନ୍ତି; ମାତ୍ରା ଯେତେ କହିଲେ ଗୋପାଳର ଛଳ ନାହିଁ । ଗାଳି କଅଣ, ଅପମାନ କଅଣ, ସବୁ ସେ ହସରେ ଉଡ଼ାଇଦିଏ । ତାହା ପାଇଁ ଜାନକୀକୁ ପିତାଙ୍କଠାରୁ ଅଳ୍ପ କଥା ଶୁଣିବାକୁ ହେଉନାହିଁ । ସେହି ସିନା ଏ ଆବର୍ଜନା ବୋଝ ଆଣି ତାଙ୍କ ମୁଣ୍ଡରେ ଲଦି ଦେଇଛି । ଜାନକୀ ମଧ୍ୟ ଗୋପାଳ ପ୍ରତି ସୁପ୍ରସନ୍ନ ନୁହେ । ଏକା ମେନିର ଭାବାନ୍ତର ଘଟିନାହିଁ । ଭୟରେ ଗୋପାଳ ଘରକୁ ନ ଆସିଲେ ସେ ପାନ ଭାଙ୍ଗିନେଇ ତାକୁ ଦିଏ–ହାତ ଧରି ଘରକୁ ଘେନିଆସେ । ଜାନକୀ ରାଗିଥିଲେ ସେ ଲୁଚାଇକରି ଗୋପାଳକୁ ଜଳଖିଆ ଦିଏ । କେବେ କେବେ କହେ, ‘‘ଗୋପାଳ ଭାଇ, ତୁ କାହିଁକି ଏମିତି ହେଉଛୁ ? ଅପା, ସାମନ୍ତ ବାବା ବଡ଼ ଦୁଃଖିତ ହଅନ୍ତି ।’’ ଗୋପାଳ ହସି ହସି କହେ–‘‘ଦୂର ପେଚାମୁହିଁ, ସେ ବୁଢ଼ାଟା କଥା କି ଗୋଟେ କଥା ।’’ ଗୋପାଳକୁ ଏବେ କେତୋଟି ଜୀବିକା ମିଳିଛି । ବନଶି ପକାଇବା, ପଶା ଖେଳିବା ଆଉ ବାଟୁଳି ମାରିବାରେ ଦିନ ପାଣି ପରି ବହିଯାଉଛି । ବୃଦ୍ଧ କ୍ରୁଦ୍ଧ ହୁଅନ୍ତି–ବିରକ୍ତ ହୁଅନ୍ତି; ମାତ୍ର ସ୍ନେହ ତ୍ୟାଗ କରିପାରନ୍ତି ନାହିଁ । ତାହା ତ୍ୟାଗ କରିବାର ହୋଇଥିଲେ ସୁଦ୍ଧା ସେ ତ୍ୟାଗ କରିପାରନ୍ତେ ନାହିଁ । ନାତିକୁ ସଙ୍ଗର ଖୁଆନ୍ତି, ପାଖରେ ଶୁଆନ୍ତି, କଅଁଳେଇ କଅଁଳେଇ ଅନେକ ଉପଦେଶ ଦିଅନ୍ତି । ଗୋପାଳ ସେହି ମୁହୂର୍ତ୍ତରେ ପ୍ରତିଜ୍ଞାପାଳନ ସକାଶେ ପ୍ରତିଜ୍ଞାବଦ୍ଧ ହୁଏ; ମାତ୍ର ରାତି ପାହିଲେ ତାହା ଉତ୍ତରକୁମାର–ପ୍ରତିଜ୍ଞାରେ ପରିଣତ ହୁଏ । ଜାନକୀ ସୁଦ୍ଧା ବାପରେ ଧନରେ କହି ଅନେକ ବୁଝାଏ, ଗୋପାଳ ତାହା ମନ ଦେଇ ଶୁଣେ; ମାତ୍ର ମସ୍ତିଷ୍କରେ ସ୍ଥାନାଭାବ ହେତୁ ସେ ତାହା ଖଆର କାନବାଟେ ବାହାର କରିଦିଏ ।

ଦିନେ ବୃଦ୍ଧ ଖୁବ୍‌ ଉତ୍ସାହରେ କନ୍ୟାକୁ କହିଲେ, ‘‘ମା, ମୁଁ ଗୋଟାଏ କଥା ଭାବିଛି । ଗୋପାଳକୁ ବିଭା କରିଦେଲେ ସେ ବନ୍ଧନରେ ପଡ଼ନ୍ତା । କାନ୍ଧରେ ଯୁଆଳୀ ପଡ଼ିଲେ କିମିତି ବାବୁ ଏଣେ ତେଣେ ଖସି ବୁଲନ୍ତେ, ଦେଖାଯାଆନ୍ତା । ତୋ ମନକୁ କିମିତିକା ଆସୁଛି ମା ?’’ ଜାନକୀ ଅଳ୍ପ ଅଳ୍ପ ହସି କହିଲା–‘‘ଏତେ ଚଞ୍ଚଳ କାହିଁକି ବାବା ?’’ ବୃଦ୍ଧ ଟିକିଏ ଚଢ଼ା ସ୍ୱରରେ କହିଲେ–‘‘ତମ ମାଇପି ଜାତିର ଏହି ଗୋଟାଏ ବଦ୍‌ ଖୁଅ । କଥାରେ ଗୋଟାଏ ଖୁଞ୍ଚ ନ ରଖି ତମେମାନେ କିଛି କହନାହିଁ । ଚଞ୍ଚଳ କଅଣ ? ଷୋଳସତର ବର୍ଷର ପୁଅ ହେଲା, କଅଣ ପିଲାଟାଏ ହୋଇଛି ? ବାହାପାଣି ପଡ଼ିଲେ ମତି ଗତି ବଦଳି ଯିବ, ମନ୍ଦ କଅଣ ? ମୁଁ ପାକଲା ଆମ୍ୱ, ପବନ ଦେଲେ ଝଡ଼ିଲି, ଆଗରୁ କରିନଗଲେ ଭାର ଯେ ତୋହରି ଉପରେ ପଡ଼ିବ !’’

 

ଜାନକୀ–ହେଉ ତେବେ ବାବା, କନ୍ୟାଟିଏ ସନ୍ଧାନ କର ।

 

ବୃଦ୍ଧ–ଆଚ୍ଛା ମା, ମେନକା କି ତୋର ମନଲାଖି ବୋହୂ ହେବନାହିଁ ? ତାଙ୍କ ଘରସାଙ୍ଗରେ ଆମର ତ ବେଶ ଚଳିବ ? ଝିଅଟି ଖୁବ୍‌ ଲକ୍ଷଣବତୀ, ଯିମିତି ଥଣ୍ଡା ସିମିତି ବି ଯୋଗା-। ତେବେ ବର୍ଣ୍ଣଟା ଟିକିଏ କଳା ।

 

ଜାନକୀ–କଳା ହେଲେ କଅଣ ହେଲା ବାବା ଇନ୍ଦ୍ରନୀଳମଣି କଳା ବୋଲି କଅଣ ତାହାର ଜ୍ୟୋତି ଊଣା, ନା ମୂଲ୍ୟ ଊଣା ? ସେ ତ ସୁନା ଉପରେ ଜହର ହୁଏ । ଭିତରଟା ଯଦି ଧଳା ଥାଏ, ତେବେ ବାହାର କଳାକୁ କିଏ ପଚାରେ ? ରୂପ ତ ମହତ୍ତ୍ୱ ନୁହେ ବାବା ଗୁଣ ସିନା ମହତ୍ତ୍ୱ ।

 

ବୃଦ୍ଧ–ତେବେ ତୋର ଇଚ୍ଛା ଅଛି । ଆଚ୍ଛା ମା ଥରେ ତା ମାକୁ ପଚାରି ବୁଝନ୍ତୁ । ଗୋପାଳର ବାପମା ନାହିଁ ବୋଲି ସେ ଦେବାକୁ ରାଜି ନ ହୋଇପାରେ ।

 

ଜାନକୀ–ତମେ କଅଣ କହୁଛ ବାବା, ସେ ରାଜି ହେବନାହିଁ ? ଆମ ଘରେ ତା ଝିଅ ରାଜସୁଖରେ ରହିବ, ଏହା ତ ତାହାର ସୌଭାଗ୍ୟର କଥା, ଆଉ ସେ ରାଜି ନ ହେବ କାହିଁକି ? ପଇସାଟିଏ ଯାହା ପକ୍ଷରେ ଦୁର୍ଲ୍ଲଭ, ତାକୁ ମୋହର ଯାଚିଲେ କଣ ସେ ମନ କରିବ ? ତମେ କହୁଛ ବୋଲି ମୁଁ ପଚାରିବି ପଛେ ମାତ୍ର ସେ ଅତି ଆନନ୍ଦରରେ ରାଜି ହେବ ।
 

ଏହି ସମୟରେ କନକ ଆସି ପହଞ୍ଚିଯିବାରୁ ବୃଦ୍ଧ ସେଠାରୁ ଅନ୍ତର ହୋଇଗଲେ । ଜାନକୀ କନକ ଏକତ୍ର ବସି କଥାବାର୍ତ୍ତାରେ ଲାଗିଲେ । ଏ କଥା, ସେ କଥା ପ୍ରଭୃତି ନାନା ଅନାବଶ୍ୟକ କଥା ପରେ ଜାନକୀ କହିଲା–‘‘ଦିନକୁ ଦିନ ତମେ ଇମିତି ବେରୁପା ହୋଇ ଯାଉଛ କାହିଁକି, ନୂଆବୋହୂ ? ଯିମିତି ଠିକ୍‌ ବିସର୍ଜନ ପ୍ରାପ୍ତ ପ୍ରତିମା । ’’

 

କନକ–କଅଣ କରିବି ଭଉଣୀ, ସବୁବେଳେ ନାନା ଚିନ୍ତା । ପେଟ ଚିନ୍ତା, ପିଲାଙ୍କ ଚିନ୍ତା, ତାହା ଉପରେ ମେନିର ଚିନ୍ତା । ତାହାର ଆସି କନିଆରି ବୟସ ହୋଇଗଲା । ଝିଅ ବଢ଼ି ଘରେ ରହିଲେ ପିତୃଲୋକେ ପାଣି ପାଆନ୍ତି ନାହିଁ । କିମିତି ତାକୁ ଠେକିଏ ପାଣି ଢାଳିଦେଇ ଉଠାଇଦେଲେ ମୁଁ ନିସ୍ତାର ପାଆନ୍ତି । ତାହାର ଚିନ୍ତାରେ ମୋତେ ରାତିରେ ନିଦ ହବାକୁ ନାହିଁ ।

 

ଜାନକୀ–ନା, ନୂଆବୋହୂ, ତମେ ଏତେ ଚିନ୍ତା କରନାହିଁ । କପାଳରେ ଯାହା ଥିବ, ତାହା ହେବ, ତମେ ଚିନ୍ତାକରି କଅଣ କରିବ କହ ? ଆଜି ମେନି କାହିଁକି ଆସିନାହିଁ । ହଳଦୀ ବଟାହୋଇ ତାଟିଆରେ ପଚୁଛି, ସେ ଲଗା ହେଲାନାହିଁ, ଆଉ ମୁଣ୍ଡବନ୍ଧା ହେବ କି ନା, ତାହା ପଚାରନ୍ତି ।

 

କନକ–କାହିଁକି ସେଟାକୁ ଏତେ ଶରଧା କରୁଛ ?

 

ଜାନକୀ କନକ ମୁହଁକୁ ଅନାଇ ମୃଦୁ ହସି କହିଲା–‘‘ବୋହୂ କରିବା ଲାଗି । ମୋତେ ସମୁଦୁଣୀ କରିବାକୁ ଇଚ୍ଛା ହେଉଛି ନା ନୂଆବୋହୂ ?’’ କନକ ଜିହ୍ୱା ଦଂଶନ ପୂର୍ବକ ଅତି ସଙ୍କୋଚରେ କହିଲା–‘‘ଏଡ଼େ ସୌଭାଗ୍ୟ ମୋର କାହିଁ ଜାନକୀ ? ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇଲେ ଲୋକ ହସିବେ । ’’

 

ଜାନକୀ–କାହିଁକି ଲୋକେ ହସିବେ ? ଏ ସଂସାରରେ କଅଣ ଗରିବ ଘରେ ବଡ଼ ଲୋକର ବା ବଡ଼ ଲୋକ ଘରେ ଗରିବର ବିବାହ ହେଉନାହିଁ ?

 

କନକ–ତାହା ଜାଣି ହେଲା, ଆଉ ନାତିକୁ କାଳୀ କନ୍ୟା ବିଭା କରାଇବାକୁ ବାବା ସାଆନ୍ତେ ରାଜି ହେବେ ନା ?

 

ଜାନକୀ–ବାବା ତ ମୋର ଭୋଳା ମହେଶ, ତାଙ୍କ କଥା କଣ ତମେ ଜାଣ ନାହିଁ, ନୂଆବୋହୂ । ମେନିକି ତ ସେ ଖୁବ୍‌ ସ୍ନେହ କରନ୍ତି । ସେ ଯାହାକୁ ସ୍ନେହ କରେ, ସେ କି ତାହାର ସୁଖ ବାଞ୍ଛାକରେ ନାହିଁ । ବାବାଙ୍କ କଥା ମୁଁ ଜାଣେ । ତମେ ରାଜି ତ ?

 

କନକ–ଭୋକିଲା ଲୋକର ମୁହଁ ପାଖରେ ଭାତଗୁଣ୍ଡା ଧରିଲେ ସେ କି ତାକୁ ଫିଙ୍ଗିଦିଏ-? ଏ ହୀନକପାଳୀ ଗର୍ଭରୁ ଜନ୍ମ ହୋଇ ସତେକି ମେନିର ଏଡ଼େ ଭାଗ୍ୟ ହେବ ? ମୋତେ ଆଉ କିଛି କହନା ଭଉଣୀ, ଆନନ୍ଦରେ ମୋତେ କାନ୍ଦ ମାଡ଼ୁଛି । ମେନିକି ତମେ ମଣିଷ କରିଛ, ତାହା ତମେ ଜାଣ । ମୁଁ ସିନା ଜନ୍ମ କରିଛି, ହେଲେ ତମେ ଏକା ତାର ମା । ତମେ ତାକୁ ବଞ୍ଚାଇ ରଖିଛ । ତମ ବାପଝିଅ ଦୁହିଙ୍କ ପାଖରେ ଆମର ସାତପୁରୁଷ ଋଣୀ ।’’ ଏହା କହି ଜାନକୀକୁ କୁଣ୍ଢାଇ ପକାଇ ଆଖିରୁ ଶ୍ରାବଣଧାରା ଗଡ଼ାଇଦେଲା । ଜାନକୀ ବସ୍ତ୍ରାଞ୍ଚଳରେ ପୋଛିଦେଇ କହିଲା–‘‘କିଛି ଚିନ୍ତା ନାହିଁ ନୂଆବୋହୂ, ବାବାଙ୍କର ମତ ଅଛି । ଖାଲି ତମ ମନ ବିଡ଼ିବାପାଇଁ ମୁଁ ପଚାରୁଥିଲି । ଏବେ ନିଶ୍ଚିନ୍ତ ହୁଅ, ଚାରିମାସ ପାହିଲେ ବିଭାଘର କରିବା । ଆଜିଠାରୁ ଆମେ ଦୁହେଁ ସମଦୁଣୀ ଡ଼କାଡକି ହେବା ।’’ ଅନନ୍ତର ଦୁଇ ସଖୀ ପରସ୍ପରକୁ ଆଲିଙ୍ଗନ କରି ଭାବୀ ସମ୍ପର୍କ ଧରି, ଡ଼କାଡ଼କି ହେଲେ । ତୃପ୍ତି ଏବଂ ଆନନ୍ଦରୂପ ଗଙ୍ଗା ଯମୁନା ଦୁହିଁଙ୍କ ହୃଦୟରେ ଉଛୁଳି ଉଠିଲା ।

Image

 

ସପ୍ତମ ପରିଚ୍ଛେଦ

 

‘‘ରେ ଗୋପାଳ, ଗୋପାଳିଆ, ହୋ ଗୋପାଳକୃଷ୍ଣ ବାବୁ ।’’

 

ଗୋଟିଏ ସୌମ୍ୟ ସୁକାନ୍ତ ବାଳକ ଦାଣ୍ଡପିଣ୍ଡାରେ ଖଣ୍ଡିଏ ନଡ଼ିଆ ଚଟେଇ ଉପରେ ବସି ଅତି ମନୋଯୋଗ ପୂର୍ବକ ବାଟୁଳି ବଳୁଅଛି । ବାଳକଟି ଉଜ୍ଜ୍ୱଳ ଗୌର ବର୍ଣ୍ଣ, ବୟସ ସମ୍ଭବତଃ ଷୋହଳ କି ସତର ହେବ । ଚେହେରାଟି ଖୁବ୍‌ ସୁନ୍ଦର । କୈଶୋରର ଢଳ ଢଳ ଲାବଣ୍ୟ ଉପରେ ଯୌବନର ଜ୍ୟୋତ୍ସ୍ନା ପଡ଼ି ଆସୁଅଛି । ଶରୀର ନ ଖର୍ବ ନ ସ୍ଥୂଳ । ଚକ୍ଷୁ ଦୁଇଟି ଉଜ୍ଜ୍ୱଳ ଏବଂ ସୁଲକ୍ଷଣବନ୍ତ । ବାଳକର ପରିଧେୟ ଲାଲ କିନାରୀ ସରୁ ଖଦି । କାନିଏ ପିନ୍ଧି ଆର କାନିଟା ବେକରେ ଗୁଡ଼ାଇ ଦେଇଅଛି । ଆଗରେ ପେଣ୍ଡୁଲାଏ କାଦୁଅ ଥୁଆ ହୋଇ ଅଛି । ବାଳକଟି ସେଥିରୁ ଟେଳାଏ ଲେଖାଏଁ ଛିଡ଼ାଇ ମଣି ବାଟୁଳି ବଳୁଅଛି ଏବଂ ଗୁଣୁ ଗୁଣୁ ହୋଇ କି ଗୋଟାଏ ଅସ୍ପଷ୍ଟ ସଙ୍ଗୀତ ଆବୃତ୍ତି କରୁଅଛି । ବାଟୁଳି ବଳିବାବେଳେ ତାହାର ଦେହ ମୃଦୁ ମୃଦୁ ଦୋହଲୁ ଅଛି, ତହିଁ ସଙ୍ଗେ ସଙ୍ଗେ କଣ୍ଠସ୍ୱର ମଧ୍ୟ ଥରିଉଠି ସଙ୍ଗୀତକୁ ଗୋଟାଏ ମଧୁର ଭଙ୍ଗୀ ପ୍ରଦାନ କରୁଅଛି । ବାଳକ ମୁଗ୍‌ଧ, ତନ୍ମୟ । ତାହାର ପ୍ରାଣ ଯେପରି ସଙ୍ଗୀତରେ ମିଶି ମିଳାଇ ଯାଉଅଛି । ପାଠକ, ବାଳକଟିକୁ ଚହ୍ନିଲେ କି ? ସେ ଆପଣଙ୍କର ପୂର୍ବପରିଚିତ ଗୋପାଳ । ହଠାତ୍‌ ଭିତର ପରସ୍ତରୁ ସତେଜ କଣ୍ଠରେ ଶବ୍ଦ ଉଠିଲା–‘‘ରେ ଗୋପାଳ,ଗୋପାଳିଆ, ହୋ ଗୋପାଳକୃଷ୍ଣ ବାବୁ ।’’ ବାଳକଟି ଚମକି ଉଠି କିଛିକ୍ଷଣ ସ୍ଥିର ନେତ୍ରରେ ଚାହିଁ ରହି ମନେ ମନେ ଭାବିଲା, ‘‘ଏ ତ ସୁଆଗିମ ଡ଼ାକ ନୁହେ, ବୋଧହୁଏ ବୁଢ଼ା ରାଗିଛି । ଆଉ ଟିକିଏ ରଙ୍ଗ କରି ବୁଢ଼ାକୁ ନଚାଇଦିଏ; ଖୁବ୍‌ ଗୋଟିଏ କୌତୁକ ହେବ ।’’ ‘ପୁନଶ୍ଚ ଶବ୍ଦ ଶୁଭିଲା–‘‘କିରେ କାନ ପୋଡ଼ିଯାଇଛି ନା କଅଣ ?’’ ବାଳକ ଧୀର, ଗମ୍ଭୀର, ଶ୍ଳେଷପୂର୍ଣ୍ଣ ସ୍ୱରରେ କହିଲା–‘‘ନା, ଅଜା, କାନ ପୋଡ଼ିଯାଇ ନାହିଁ–ସେ ଠିକ୍‌ ଅକ୍ଷତ ଅଛି; ମାତ୍ର ତୁମ ବୁଦ୍ଧିଟା ପୋଡ଼ି ଅଙ୍ଗାର ହୋଇ ଗଲାଣି । ତୁମେ ତ ତିନିଟା ନା ଧରି ଡ଼ାକୁଛି, ମୋର କଅଣ ତିନିଟା ନା ଯେ, ମୁଁ ଏକା ଶୁଣିବି ? ହେଉ, ଏବେ କାହିଁକି ଏତେ ତଡ଼ବଡ଼ି ହକରା ହେଉଛି, ଶ୍ରୀମୁଖରୁ ଆଜ୍ଞା ହେଉ, ଭୃତ୍ୟ ତାହା ପାଳିବାକୁ ଖୁ-ଉ-ବ୍‌ ରାଜି ଅଛି ।’’ ଏଥର ଆହୁରି ତୀକ୍ଷ୍‌ଣ- ଆହୁରି କର୍କଶ ସ୍ୱରରେ ପ୍ରଶ୍ନ ଆସିଲା–‘‘କି, ସେଠି କଅଣ ହେଉଛି କି ?’’ ବାଳକ କହିଲା, ‘‘ବିଶେଷ କିଛି ନୁହେଁ ଅଜା, ଖାଲି ତୁମ ବିଭାଘରର ଆୟୋଜନରେ ଲାଗିଛି । ଶୀତଳତୁଣ୍ଡୀ ଲାଗି ମିଠେଇ ତିଆରି ହେଉଛି । କି, ବିଭାଘର କଥା କଅଣ ମନରେ ନାହିଁକି ଅଜା ? ଯା କହନ୍ତି–‘ଯାହା ବାହା ତାହା ମନେ ନାହିଁ, ସାଇପଡ଼ିଶାକୁ ନିଦ ନାହିଁ ?’’ ଏଥର ଆଉ ଶବ୍ଦ ଆସିଲା ନାହିଁ–ସ୍ୱୟଂ ଆହ୍ୱାନକାରୀ ଖଡ଼ମ ଖଟ୍‌ ଖଟ୍‌ କରି ସଶରୀରେ ଆସି ଉପସ୍ଥିତ ହେଲେ । ଆଗନ୍ତୁକ ବ୍ୟକ୍ତି ସପ୍ତତିତମବୟସ୍କ କ୍ଷୀଣକାୟ ବୃଦ୍ଧ । ମୂର୍ତ୍ତିରୁ କ୍ରୋଧ ଆଭାସି ଉଠୁଅଛି । ମୁଖ ପାଣ୍ଡୁର, କ୍ରୋଟରସ୍ଥ ନେତ୍ର ତାରକା ଧକ୍‌ ଧକ୍‌ ହୋଇ ଜଳିଉଠୁଅଛି ଶିରାଳ କପାଳର ଶିରାଗୁଡ଼ିକ କିଞ୍ଚିତ୍‌ ଅଧିକ ଫୁଲି ଉଠିଅଛି । ବୃଦ୍ଧର ପରିଧେୟ ଖଣ୍ଡେ ଜୀର୍ଣ୍ଣ ମଳିନ ମଠାଲୁଗା, ଖଣ୍ଡେ ପାକଲା ଗାମୁଛା ଚଉତା ହୋଇ କାନ୍ଧରେ ପଡ଼ିଅଛି । ଦୀର୍ଘାକାର ଗୌରବର୍ଣ୍ଣ ପୁରୁଷ, ଅବିନ୍ୟସ୍ତ ଶୁକ୍ଳ କେଶ ଜ୍ଞାନଗରିମାର ଶିଖା ପ୍ରାୟ ମସ୍ତକରେ ଫର ଫର ହୋଇ ଉଡ଼ୁଅଛି । ଆକୃତିରୁ ବୋଧହୁଏ, ସେ ଯୌବନରେ ସୁପୁରୁଷ ଥିଲେ । ବର୍ତ୍ତମାନ ବୟୋଧର୍ମରେ ଜରାର ବିକୃତ ସଂସ୍କରଣ । ବୃଦ୍ଧଙ୍କୁ ଦେଖି ବାଳକ ବ୍ୟଗ୍ର କଣ୍ଠରେ କହିଉଠିଲା–‘‘ଏହି ଯେ ଅଜା, ତୁମ ବିଭାପାଇଁ ମୁଁ ବଡ଼ ବ୍ୟସ୍ତରେ ଅଛି ।’’ ଏ କଥା ଶୁଣି ବୃଦ୍ଧଙ୍କର କ୍ରୋଧ-ପାରଦ କେତେ ଡିଗ୍ରୀ ତଳକୁ ଖସି ଆସିଲା । ବିବାହ ଶବ୍ଦ ତାଙ୍କ ଶୁଷ୍କ ଅଧରରେ ବଳପୂର୍ବକ ମ୍ଳାନ ହାସ୍ୟ ଟାଣିଆଣିଲା । ଜଗଳରେ ବିବାହ ଶବ୍ଦଟା ବଡ଼ ମଧୁର । ତାହାର ନାମ ଶୁଣିଲେ, ସମସ୍ତେ ଆନନ୍ଦିତ ହୁଅନ୍ତି । ସଂସାର-ରହସ୍ୟ ବିଚିତ୍ର ଏଠାରେ ନିବିଡ଼ ବନ୍ଧନ ସୁଖ ନାମରେ ଅଭିହିତ ହୁଏ–ମୁକ୍ତ ଜୀବନ କେହି ଚାହେଁନାହିଁ । ବୃଦ୍ଧ କିଛି ସତ୍ୟ ବିବାହ କରିବାକୁ ଯାଉନାହାନ୍ତି, ତାହା ତାଙ୍କ ପକ୍ଷରେ ଅସମ୍ଭବ୍ୟ, ଅବିଶ୍ୱାସ ଏବଂ ଅସ୍ୱପ୍ନକଳ୍ପିତ । ତଥାପି ବିବାହ ନାମ ଶୁଣି ତାଙ୍କ ହୃଦୟ ଉଲ୍ଲସିଉଠିଲା । ବୃଦ୍ଧ, ମୃତ୍ୟୁ-ସମୁଦ୍ରର ବାତରେ ଠିଆହୋଇ ଆଉ ଯୌବନର ସ୍ୱପ୍ନ କାହିଁକି ? ନା ନା, ଏହା ତୁମ୍ଭର ଅଭିପ୍ରାୟ ନୁହେ–କୌତୁକ ମାତ୍ର । ବୃଦ୍ଧ ଅର୍ଦ୍ଧତିକ୍ତ, ଅର୍ଦ୍ଧ ମଧୁର ସ୍ୱରରେ କହିଲେ–‘‘ବିବାହ ? କାହାର ବିବାହ–ମୋର ? ତୁ କନ୍ୟା ଠିକ୍‌ କରିଛୁ ?’’ ବାଳକ ଗମ୍ଭୀର ହୋଇ କହିଲା–‘‘କି, ତୁମେ ତ ବିବାହ ହେବ, ଆଉ କନ୍ୟା କଅଣ ହେବ ? ତେବେ ନିହାତି ଯଦି ଦରକାର ହୁଏ, କୁହ୍ମାର ଘରୁ ଗଢ଼ାଇ ଆଣିଲେ ହେବ, ନ ହେଲେ ଅନ୍ୟ ଚେଷ୍ଟା କରାଯିବ । ଆଉ କଅଣ କର୍ମ ବନ୍ଦ ହେବ ନା ?’’ ବୃଦ୍ଧ ରହସ୍ୟ କରି କହିଲେ–‘‘ଆଚ୍ଛା, କନ୍ୟା ଜାଣି ହେଲା; ମାତ୍ର ସେ ଆସି କଅଣ କରିବ, ମରିବାବେଳେ ପରିବା କାଟିବ ନା ?’’ ବାଳକ ଆଶ୍ଚର୍ଯ୍ୟମିଶା ସ୍ୱରରେ କହିଲା–‘କିଏ ମରିବ, ତୁମେ । ବାଃ ରେ, ମୁଁ ପରା ବିଭାଘର ଡ଼ାଲିଭାତ ଛାଡ଼ି ବୁଢ଼ାକୁ ପୋଡ଼ିବାକୁ ଯିବି । ମରିନି ଭଲା, କିମିତି ମରିବ ଦେଖ, ଆଚ୍ଛା ଲୋକ ତୁମେ । ନା ନା, ଉଛୁଣି ସେ ମରିବା ଫରିବା ହେବନାହିଁ । ଆଗେ ବିଭାଘର ସରୁ, ତାହା ପରେ ପଛେ ମରିବ । ଆଛା ଅଜା, କନ୍ୟାଟି ତୁମ ପାଖରେ କିମିତି ସୁନ୍ଦର ଦିଶିବ, କହିଲ ? ଠିକ୍‌ ଯେମିତି ରୋଗୀ ପାଖରେ ଔଷଧ ତାଟିଆ, ନୁହେ ?’ ବୃଦ୍ଧ ଇଷତ୍‌ ସ୍ନେହ ଭର୍ତ୍ସନା ସ୍ୱରରେ କହିଲେ, ‘‘ଦୂର ଚଗଲା, ପାଠଶାଠ ଛାଡ଼ି ଏବେ ଏହି ତାମସା ଲାଗିଛି ।’’ ବାଳକ ହସି ହସି କହିଲା–‘‘ପାଠ ପଢ଼ନ୍ତି ଯେ; ମାତ୍ର ମାଷ୍ଟରଗୁଡ଼ାକ ମନକୁ ଆସନ୍ତି ନାହିଁ । ଯୋଗ୍ୟ ମାଷ୍ଟର ତ ମିଳୁ ନାହାନ୍ତି–ଆଉ କଅଣ କରିବି କହ । ଆଉ ଦ୍ୱିତୀୟ ଅସୁବିଧା ଏହି ଯେ, ପାଠଗୁଡ଼ାକ ମିଠା ଲାଗେନାହିଁ । ତାହା ପଛେ ହେଉ; ମାତ୍ର ସେ ବଡ଼ ଗରିଷ୍ଠ ପଦାର୍ଥ–ମୋ ପେଟରେ ଆଦୌ ହଜମ ହୁଏନାହିଁ । ପାଠ ପଢ଼ି ଆଉ କଅଣ ଅଜୀର୍ଣ୍ଣ ରୋଗରେ ମରିବି ?’’ ବୃଦ୍ଧ ବିରକ୍ତ ହୋଇ କହିଲେ, ‘‘ଯା ଯା, ଫାଜିଲାମି ତେତିକି ଥାଉ । ତରକାରୀ ନାହିଁ, ବଜାରରୁ କିଛି ପରିବା କିଣି ଆଣିବୁ ଯା ।’’ ବାଳକ କହିଲା–‘‘ମୁଁ ଯାଇପାରିବି ନାହିଁ ।’’ ବୃଦ୍ଧ ଏ ଅବାଧ୍ୟତାରେ ଚଳି ଉଠି ମୁଖ ବିକୃତ କରି କହିଲେ–‘‘ଯିବୁ ତ ନାହିଁ, ଆଉ ଗିଳିବୁ କିମିତି ?’’

 

ବାଳକ–ଗିଳିବା କଥା ବଡ଼ ମା ବୁଝିତ, ମୁଁ କିଛି ଜାଣେନାହିଁ ।

ବୃଦ୍ଧ–ବଡ଼ ମା ତା ବାପଘରୁ ଆଣି ଦେବ ।

 

ବାଳକ ବୃଷ୍ଟିବିଧୌତ ଅମ୍ଳାନ କୌମୁଦୀ ପରି ହାସ୍ୟ ବିସ୍ତାର କରି କହିଲା–‘‘ବୁଢ଼ା ହୋଇ ତୁମେ ଆଉଚା ହୁଡ଼ିଲଣି ଅଜା । ତୁମେ ପରା ମୋ ବଡ଼ମାର ବାପ, ମୋ ବଡ଼ ବାପର ଶଶୁର, ମୋର ଅଜା ଆଉ ମୋ ଆଈ ମାର କଣ ତି–ସେଇଆ ।’’ ଏହା କହି ବାଳକ ଅନର୍ଗଳ ହସିବାକୁ ଲାଗିଲା । ବୃଦ୍ଧ କିଞ୍ଚିତ ଅପ୍ରତିଭ ହେଲେ । ତାଙ୍କ ମସ୍ତିଷ୍କର ଅଧୋଗାମୀ ପରା ପୁଣି ବହୁ ଡିଗ୍ରୀ ଉପରକୁ ଉଠିଗଲା । ସେ ଗର୍ଜିଉଠି ଉତ୍ତେଜିତ କଣ୍ଠରେ କହିଲେ–‘‘ଗିଳିତା ବେଳକୁ ଶିଳପତା ପରି ଗୁଣ୍ଡା ବଳିବ, ଆଉ ଗୋଟାଏ କାମ କରିବାକୁ କହିଲେ ଜିଗରକୁ ଲାଗିବ । ଗତରକୋଢ଼ୀ, ନିମକ ହାରାମ୍‌, ବୁଲା ଫକୀର, ବାପର ଥାତି ଅଛି ବସି ଖାଇବ । ଦୁର୍‌ହ ମୋ ଘରୁ ।’’ ବାଳକ ମଧ୍ୟ ଅସହିଷ୍ଣୁ ଭାବରେ କହିଲା–‘‘ପଇସା ଖର୍ଚ୍ଚ କରି ମୂଲିଆ ଲଗାଇ କି ନାମ କରାଇବ, କରାଅ । ‘ତେଲ ହଳଦୀ ସାର ନା, ପୁଅକୁ ନୁଖୁଲା ମାର ନା’ ଯାହା କହନ୍ତି ତାହା ସତ । ଯଖ ପରି ଟଙ୍କା ବୁଜୁଳାକୁ ଜଗି ବସିଥାଅ, ମଲେ ତାକୁ ସାଙ୍ଗରେ ନେଇ ସ୍ୱର୍ଗକୁ ଯିବ ।’’ ବୃଦ୍ଧ ଏହା ଶୁଣି ସ୍ତମ୍ଭୀଭୂତ ହୋଇଗଲେ ଆଉ କିଛି କହିବାକୁ ଭାଷା ପାଇଲେ ନାହିଁ । ତହୁଁ ରୁଦ୍ଧ ରୋଷରେ ଫୁଲି ଫୁଲି ରୁଦ୍ଧବାକ୍‌ ହୋଇ ତିକ୍ତ ବିରକ୍ତ ଚିତ୍ତରେ ତ୍ୱରିତ-ପଦ-କ୍ଷେପରେ ଗୃହମଧ୍ୟକୁ ଫେରିଗଲେ । ବାଳକର ରାଗ ନାହିଁ । ସେ ଟିକିଏ ମୁରକି ହସା ଦେଇ ବଙ୍ଗଳା ସଙ୍ଗାରୁ ପୁହୁଳଟି ବାହାର କରି ମତ୍ସ୍ୟ-ଶିକାର ଉଦ୍ଦେଶ୍ୟରେ ପୁଷ୍କରିଣୀ ଆଡ଼କୁ ଦୀରେ ଧୀରେ ଅଗ୍ରସର ହେଲା । ବୃଦ୍ଧର ଜ୍ୱାଳାମୟୀ ଭର୍ତ୍ସନା ତାହାର ନିର୍ମଳ ହୃଦୟରେ ଦୁଃଖ ବା ଯନ୍ତ୍ରଣାର ଛାୟାପାତ ସୁଦ୍ଧା କରି ପାରିଲା ନାହିଁ । ସେ ନିର୍ବିକାର ଚିତ୍ତରେ ସିଟି ମାରି ମାରି ମାଛି ଧରିବାକୁ ଲାଗିଲା ।

 

ଏଣେ ବୃଦ୍ଧ ମଝିବାହାରେ ଠିଆହୋଇ ରୋଗ ତପ୍ତ କଣ୍ଠରେ ଡାକିଲେ–‘‘ଜାନକୀ, କୁଆଡ଼େ ଗଲୁ, ଏଣିକି ଆ ।’’ ଜାନକୀ ରନ୍ଧନଶାଳାରେ ଥିଲା, ପିତାଙ୍କର ଉଷ୍ଣସ୍ୱର ଶୁଣି ଚମକି ଉଠି ଶାନ୍ତଶୀତଳ ସ୍ୱରରେ କହିଲା–‘‘କି ବାବା, ମୁଁ ହାଣ୍ଡିଶାଳରେ ଅଛି ।’’ ବୃଦ୍ଧ ସେହିପରି ରୁକ୍ଷସ୍ୱରରେ କହିଲେ–‘‘ଚଞ୍ଚଳ ଏଆଡ଼େ ଆସିଲୁ ।’’ ଜାନକୀ ଆସି ଦେଖିଲା, ପିତାଙ୍କର ମୁଖ ଅମାବାସ୍ୟାର ଅନ୍ଧକାର ପରି କ୍ରୋଧରେ ଗମ୍ଭୀର । ନେତ୍ରରୁ ଅଗ୍ନିଶିଖା ନିର୍ଗତ ହେଉଅଛି । ବୃଦ୍ଧର ଚିରଶାନ୍ତ ସୌମ୍ୟ ମୂର୍ତ୍ତିକୁ କ୍ରୋଦ କୁତ୍ସିତ କରି ଦେଇଅଛି । କି ଗୋଟିଏ ଅଜ୍ଞାତ ଆଶଙ୍କାରେ ଜାନକୀର ମୁଖଚନ୍ଦ୍ର ପରିମଳିନ ହୋଇଗଲା । ତାହାର ହୃଦୟରେ ଢିଙ୍କି ପାହାର ଆରମ୍ଭ ହେଲା, ଆତ୍ମ ଚମକି ଉଠିଲା । ଚୌକାଠବନ୍ଧ ଧରି ଟିକିଏ ଉହାନରେ ଥାଇ କମ୍ପିତ ସ୍ୱରରେ ପଚାରିଲା–‘‘କଣ, ବାବା !’’ ବୃଦ୍ଧ କ୍ରୁଦ୍ଧ ସ୍ୱରରେ କହିଲେ–‘‘ଆଚ୍ଛା କହନି ଜାନକୀ, ମୁଁ ତୁମର କି ଅନିଷ୍ଟ କରିଅଛି ? ତୁମେମାନେ କଅଣ ଆଉ ମୋତେ ବାସରେ ରଖାଇ ଦେବ ନାହିଁ ?’’ ବୃଦ୍ଧ ଗୋଟାଏ ଅଗ୍ନିମୟ ନିଃଶ୍ୱାସ ପକାଇଲେ । ଜାନକୀ କିଛି ବୁଝି ନ ପାରି ବିସ୍ମୟ ଉଦ୍‌ବେଗ ଦୃଷ୍ଟିରେ ପିତାଙ୍କ ମୁହଁକୁ ପଲ୍‌ ଫଲ୍‌ କରି ଅନାଇ ରହିଲା । ବୃଦ୍ଧଙ୍କ କଣ୍ଠରୁ ଆଉ ଗୋଟିଏ ନିଃଶ୍ୱାସ ଉଠିଆସୁଥିଲା; ମାତ୍ର ସେ ବହୁ କଷ୍ଟରେ ସେହି ଉନ୍ନତ ନିଃଶ୍ୱାସ ରୁଦ୍ଧ କରି କହିଲେ–‘ମୋତେ ଯମ ଯିମିତି ଜଳଉଛି, ତୁମେ ବି ସିମିତି ଜଳେଇଲ । କେଉଁଠୁ ଗୋଟାଏ ସାଉଣ୍ଟା ବୁଲା ଫକୀର ଟୋକାଟାକୁ ଆଣି ତୁ ମୋତେ କି ଜଞ୍ଜାଳରେ ପକାଇଛୁ । ’ ଜାନକୀର ଆଉ ସନ୍ଦେହ ରହିଲା ନାହିଁ । ସେ ବୁଝି ପାରିଲା, ଦୁଷ୍ଟ ଗୋପାଳ କିଛି ଗୋଟାଏ ଅଭିନବ କୀର୍ତ୍ତି କରିଅଛି । ସେ ତ୍ରସ୍ତ ହୋଇ କହିଲା–‘ବାବା, ଗୋପାଳ କିଛି କହିଛି କି ତୁମକୁ ?’’ ବୃଦ୍ଧ ଆଉ ଟିକିଏ ରାଗିଉଠି କହିଲେ–‘ହଁ, ମୋତେ ପୁଣି କହିବ, ମୁଁ ତା ବାପର କିଛି ଧାରେଁ ? ସେଟା ମୋର ଜ୍ଞାତି ନା ଗୋତ୍ର କିଏ ଯେ, ମୋତେ କହିବ ? ମୁଣ୍ଡ ଭାଙ୍ଗିଦେବି ନାହଁ । ମୋର ଖାଇ ମୋତେ କହିବ ? ଖାଲି ଗୋଟାଏ ନାଗପାଶରେ ସିନା ମୁଁ ଆପଣାକୁ ଆପେ ବାନ୍ଧି ରଖିଛି । ପାଶରେ ପଡ଼ି ଯେତେ ଛାଟିପିଟି ହେଉଛି, ପାଶ ତେତିକି ଦୃଢ଼ରେ କସିଯାଉଛି । ନା ନା, ସେ ପାଶ ଛିଣ୍ଡାଇବାକୁ ହେବ । ପରକାଳ ଚିନ୍ତା କଲେ ଅନେକ ଲାଭ । ହରି ହେ ଦୀନବନ୍ଧୁ ! ଉଦ୍ଧାର କର ପ୍ରଭୋ । ନା- ନା, ସେ ଅକୃତଜ୍ଞ କୁକୁରକୁ ଆଉ ମୁହଁ ଦେବା ଉଚିତ ନୁହେ । କୁକୁରକୁ ମୁହଁ ଦେଲେ ସେ ମୁଣ୍ଡରେ ଚଢ଼େ । ତୋର ସିନା ସେ ପୁତୁରା- ଦିଅରର ପୁଅ- ବଂଶର ଅଙ୍କୁର ନା ଅଙ୍ଗାର, ମୋର ସେଟା କିଏ ଯେ, ମୁଁ ତାହା କଥା ଭାବିବି । ଓଃ ମୋର ତ ଭାରି ଗରଜ ପଡ଼ିଛି । ଦେଖ୍‌ ଜାନକୀ, ତୁ ଯେବେ ଆଜି ତାକୁ ଭାତ ଦେବୁ, ତେବେ ମୋ ମୁଣ୍ଡ ଖାଇବୁ । ’ ବୃଦ୍ଧ ଏହା କହି ରାଗରେ ଥମ୍‌ ଥମ୍‌ ହୋଇ ଦାଣ୍ଡକୁ ଚାଲିଗଲେ । ଯାଉଁ ଯାଉଁ କହିଲେ–‘‘କଅଣ କରିବି, ସବୁ ମୋର ଅଦୃଷ୍ଟର ଫଳ, ତାହା ମୋ ଛଡ଼ା ଆଉ କିଏ ଭୋଗ କରିବ ?’’ ହାୟ ଅଦୃଷ୍ଟ, ତୁମ୍ଭରି ଅଦୃଷ୍ଟ ଏକା ପୋଡ଼ା । ନିଜର ଭ୍ରାନ୍ତି, ଅଜ୍ଞତା ବା ଦୂର୍ବଳତାର କୁଫଳକୁ ମାନବ ତୁମ୍ଭରି ମୁଣ୍ଡରେ ଲଦିଦେଇ ଗୋଟାଏ ବ୍ୟର୍ଥ ସାନ୍ତ୍ୱନା ଲାଭକରେ । ସେ ନିର୍ଦ୍ଦୋଷ–ସୁନାପୁଅ ଆଉ ସବୁ ଦୋଷ ଅଦୃଷ୍ଟର । ଜ୍ଞାନୀ ଭକ୍ତ ସବୁ କାମ କରି ଈଶ୍ୱରଙ୍କୁ ଅର୍ପଣ କଲାପରି ଅଦୃଷ୍ଟବାଦୀ ସବୁ କାମର ଫଳ ଅଦୃଷ୍ଟକୁ ସମର୍ପଣ କରେ । ଚାତୁରୀ ମନ୍ଦ ନୁହେ । ବୃଦ୍ଧ ଆଉ କିଛି କହିଲେ ନାହିଁ; ମାତ୍ର ବଜ୍ରବିଦଗ୍‌ଧ ତାଳଗଛ ପରି ଭିତରେ ଭିତରେ ପୋଡ଼ି ହେବାକୁ ଲାଗିଲେ ।

 

ପିତାଙ୍କର ବଜ୍ର-ଶପଥ ଜାନକୀ କର୍ଣ୍ଣରେ ବହ୍ନି-ବୀଣାର ଜ୍ୱାଳାମୟ ସ୍ୱର ପ୍ରାୟ ପ୍ରତୀୟମାନ ହେଲା । ସେ ଜିହ୍ୱା ଦଂଶନପୂର୍ବକ ମନେ ମନେ କହିଲା–‘‘ବାବା ତ କେବେ ଏପରି ରାଗନ୍ତିନାହିଁ–ଖେଚଡ଼ା ଟୋକାଟା ତାଙ୍କୁ କିଛି କଟୁ କଥା କହିଛି । ବାବା ତ ମୋର କ୍ଷଣକୋପୀ, କେତେ ଥର ରାଗନ୍ତି ପୁଣି ଘଡ଼ିକ ମଧ୍ୟରେ ପାଣି ହୋଇଯାଇ ‘‘ଭାଇ ରେ, ଗୋପାଳ ରେ’ ବୋଲି କେତେ ଆଦର ସୁଆଗ କରନ୍ତି । ମନକୁ ନ ବାଧିଲେ କି କେହି ଏପରି ରାଗ କରେ ? ଚଗଲା ଟୋକାଟା ତ ସବୁବେଳେ ଖୁଜୁର ବୁଜୁର ହୋଇ ବୁଢ଼ାଟା ସାଙ୍ଗରେ ଥଟ୍ଟା ମସ୍କରି ଲଗାଇଲା । ବୃଦ୍ଧ ଶରୀର, ସେଥିରେ ପୁଣି ଯମ ପୋଡ଼ାମୁହାଁ ତ ଅଣ୍ଟା ଭାଙ୍ଗି ଦେଇଛି, ତାଙ୍କୁ କଅଣ ଏଗୁଡ଼ାକ ଆଉ ଭଲ ଲାଗେ ? ଆହା, ପତ୍ନୀକଷ୍ଟ, ଅପୁତ୍ରିକ କଷ୍ଟଠାରୁ କି ଆଉ ବଳିକରି କଷ୍ଟ ଅଛି ? ମୋର ସ୍ନେହମୟ ପୁଣ୍ୟବନ୍ତ ପିତାଙ୍କୁ ନିଷ୍ଠୁର ବିଧାତା ଏତେ କଷ୍ଟ ଦେଲା ।’’ ଏହା କହି ଜାନକୀ କାନ୍ଦିପକାଇଲା । ସୂତ୍ରଛିନ୍ନ ମୁକ୍ତାମାଳା ପରି ନେତ୍ରରୁ ଲୋତକ ବିନ୍ଦୁ ଝରିପଡ଼ିଲା । ଅନ୍ତଃକରଣରୁ ଗୋଟାଏ ବେଦନାଭରା ତପ୍ତ ହାହାକାର ବାହାରିଆସି ସମ୍ମୁଖସ୍ଥ ବାୟୁମଣ୍ଡଳକୁ ଥରାଇଦେଲା । ଜାନକୀ ଅନେକ କାନ୍ଦିଲା–ଅତୀତ ସୁଖ-ସ୍ମୃତି ଗୋଟିଗୋଟି ହୋଇ ଆସି ତାହା ଆଗରେ ନାଚିବୁଲି ବିଦ୍ରୂପ କରିବାକୁ ଲାଗିଲେ । ଜାନକୀ ଅଜ୍ଞାନ ଅବଳା, ଆଉ କେତେ ସମ୍ଭାଳିବ । ଦୁଃଖିତ ପ୍ରାଣକୁ ସ୍ମୃତି-ହୁତାଶନରେ ନିକ୍ଷେପ କଲେ କେବଳ ଉତ୍ତାପହିଁ ମିଳେ, ଏହା ତ ଅନେକ ପଣ୍ଡିତ ବ୍ୟକ୍ତି ବୁଝି ସୁଦ୍ଧା ବୁଝନ୍ତି ନାହିଁ । ଆଉ ଜାନକୀ ତ ସାମାନ୍ୟ ନାରୀ ତାହାର ବା ଚାରା କଅଣ ? କେତେକ୍ଷଣ ପରେ ସେ ସ୍ୱତଃ ସାନ୍ତ୍ୱନା ଲାଭ କରି କହିଲା–‘‘ଆସୁ ଆଗେ ସେ ପୋଡ଼ାମୁହାଁ, ଆଜି ସେ ବୁଝିବ କି ମୁଁ ବୁଝିବି । ଦେଖିବି ସେ କେଡ଼େ ଗେହ୍ଲାକୁଅଁର, ତାହା ଜ୍ୱାଳାରେ ମୋର ହାଡ଼ମାଂସ ମିଳେଇ ଗଲାଣି । ମାକୁ ଖାଇଲା, ବାପକୁ ଖାଇଲା, ସମସ୍ତଙ୍କୁ ଖାଇଲା ଆଉ ମୋତେ ଖାଇଲେ ଯାଇ ସେ ସବାଖିଆର ପେଟ ପୂରିବ । ଆଜି ଯେବେ ତା ପିଠିରୁ ଛାଲ ନ ଉତ୍ତାରେଁ, ତେବେ ମୋ ନା ଜାନକୀ ନୁହେ ।’’ ଜାନକୀ ଏହା କହି ଗୃହାନ୍ତରକୁ ଯାଇ ରନ୍ଧନକାର୍ଯ୍ୟରେ ଆତ୍ମନିୟୋଗ କଲା । ଦେଖୁଁ ଦେଖୁଁ ବେଳ ପାଞ୍ଚ ଘଡ଼ି ହୋଇଗଲା । ଖରା ଫୁଟିଉଠିଲା । ବୃଦ୍ଧ ଦାଣ୍ଡପିଣ୍ଡାରୁ ଉଠି ଆସି ମାଳା ଝୁଲି ଧରି ଇଷ୍ଟନାମ ଜପ କରିବାକୁ ଲାଗିଲେ ।

 

‘‘ବଡ଼ମା, ଭାତ ହେଲାଣି ନା ?’’

 

ଗୋପାଳ ଦୁଇଟା ବଡ଼ କଉମାଛ ଘେନି ହାଣ୍ଡିଶାଳ ଅଗଣାରେ ଠିଆହୋଇ ଡ଼ାକିଲା–‘‘ବଡ଼ମା, ଭାତ ହେଲାଣି ନା ?’’ ଜାନକୀ ସେ କଥା ଶୁଣି ନ ଶୁଣିଲା ପରି ନୀରବ ରହିଲା-। ଗୋପାଳ ପୁନଶ୍ଚ ଡାକିଲା–‘‘ବଡ଼ମା, ବଡ଼ମା, ଶୁଣୁନାହୁଁ କାହିଁକି ।’’ ଏଥର ସୁଦ୍ଧା ଜାନକୀ ଉତ୍ତର ଦେଲାନାହିଁ, କେବଳ ରକ୍ତନେତ୍ରରେ ଗୋପାଳକୁ ଚାହିଁ ରହିଲା । ଗୋପାଳ ଟିକିଏ ଭୀତ ହୋଇ ଅପେକ୍ଷାକୃତ ଲଘୁ ସ୍ୱରରେ କହିଲା–‘‘କି ବଡ଼ମା, କଥା କହୁ ନହୁଁ–ରାଗିଛୁ କି ? ଦେଖ୍‌ନି, ମୁଁ କେଡ଼େ କେଡ଼େ ମାଛ ଧରି ଆଣିଛି ।’’ ଜାନକୀ ଆଉ ନୀରବ ରହିପାରିଲା ନାହିଁ–ଗର୍ଜିଉଠି କହିଲା–‘‘ତୋ ମାଛ ମୁହଁରେ ନିଆଁ, ଆଉ ତୋ ମୁହଁରେ ଧୂଆଁ । ଆରେ ଚୁଲିପଶା, ତୁ ସବୁବେଳେ ବୁଢ଼ାଟା ସାଙ୍ଗରେ କାହିଁକି ଲଗାଉ, କହିଲୁ ?’’ ଗୋପାଳ ଏହା ଶୁଣି ହସି ହସି ଭୂଇଁରେ ଲୁଟିଗଲା । କି ଉଦ୍ଦାମ ଅସମ୍ଭାଳ ହସ, ହସି ହସି ଥକି ପଡ଼ି ସୁଦ୍ଧା ହସର ବିରାମ ନାହିଁ । ଶେଷରେ ଆଉ ହସି ନପାରି ଖୁବ୍‌ ଦମେ କାସିଲା । କାସୁଁ କାସୁଁ ଭଙ୍ଗା ଭଙ୍ଗା ସ୍ୱରରେ କହିଲା, ‘‘ଏବେ ତୋ ରାଗ କଥା ବୁଝିଲି, ତେବେ ସେହି ବୁଢ଼ା ଖୁବୁଡ଼ ମୋ ନାଁରେ ଲଗାଇ ଯୁଟାଇ ତୋ ପାଖରେ ସତମିଛ ଫୋଡ଼ିଛି-। ଅଜାନାତି ବୋଲି ଯେଉଁ କଥା–ମୁଁ ପରା ନାତି, ବୁଢ଼ା ସ୍ୱର୍ଗକୁ ଯିବାବେଳେ ଜାଳିବି ବାତୀ, ଟିକିଏ ଥଟାଟାପରା କଲି, କଅଣ ହେଲା ? ବୁଢ଼ାଟା ବାଉଳଚି ହେଲାଣି, ତା କଥା ତୁ ଶୁଣୁଛୁ କାହିଁକି ? ଦେ, ଆଗେ ମୋତେ ଭାତ ଦେହ, ଭୋକରେ ପେଟ ଜଳିଲାଣି ।’’ ଜାନକୀ ଏ ନବରଙ୍ଗ ଦେଖି ପାଉଁଶ ଦେବି ?’’ ତାହାର କଥା ନ ସରୁଣୁ ଗୋପାଳ ହସି ହସି କହିଲା–‘‘ନା, ବଡ଼ମା ସେ ସାର ପଦାର୍ଥ, ତୋ ବାପ ଲାଗି ତା ରଖିଥା, ମୋତେ ଭାତ ଦେ, ମୁ ଖାଇବି । ବାଳକର ଏପରି ହାସ୍ୟୋକ୍ତିରେ ଜାନକୀ ଆହୁରି ଜଳି ଉଠି ରୂଢ଼ ସ୍ୱରରେ କହିଲା–‘‘ଦୂର୍‌ହ ଗାତପଶା, ମୋ ଘରେ ଭାତ ନାହିଁ । ଗୋପାଳ କହିଲା–‘‘ଆରେ ବାଃ ମୋ ପେଟ ଜଳିଲାଣି, ଭାତ ନାହିଁ, ତୁ ପଛରେ ରାଗିବୁ, ଗାଳିଦେବୁ, ଆଗେ ଭାତ ଦେ–ମୋ ହଂସା ଉଡ଼ିଗଲାଣି । ‘‘ଜାନକୀର କୋପ ତେବେ ସୁଦ୍ଧା ଊଣା ହେଲାନାହିଁ । ସେ ଅଧିକ ଗର୍ଜନ କରି କହିଲା–‘‘ନା, ଭାତ ନାହିଁ ତୁ ଏଠୁ ଦୂର ହ । ଦେଖେଁ ଭଲା ତୋର ସବୁ ଆଉ ମୋର–ଦିନେ । ବାସ୍ତବରେ ଗୋପାଳ କ୍ଷୁଧାରେ ଅସ୍ଥିର ହେଉ ଥିଲା । ସେ ଆଉ ବଡ଼ମାର ଗାଳି ସହିପାରିଲା ନାହିଁ । ଲୋତକସିକ୍ତ ନେତ୍ରରେ ସେ କହିଲା–‘‘ଦୂର ହେବି, ସତ କହୁଛୁ ଦୂର ହେବି ? ତିନିଥର କହ ।’’ ଜାନକୀ କହିଲା–‘‘ତିନିଥର କାହିଁକି; ଶହେ ଥର କହୁଛି ଦୂର ହ । ଗୋପାଳ ଆଉ କିଛି ନକହି ସେଠାରୁ ଚାଲିଗଲା ।’’

Image

 

ଅଷ୍ଟମ ପରିଚ୍ଛେଦ

 

ମନୁଷ୍ୟର ମତି ସବୁବେଳେ ସମାନ ଥାଏ ନାହିଁ । କୁଘଡ଼ି, ସୁଘଡ଼ି ଅଛି । ପ୍ରସ୍ତର ପରି ସହନଶୀଳ ଲୋକ ସୁଦ୍ଧା ସମୟରେ ବିଶେଷ ଅଧୈର୍ଯ୍ୟ ହୋଇପଡ଼େ । ଗୋପାଳ ଗାଁ ପାର ହୋଇଗଲା; ମାତ୍ର କେଉଁଠିକି ଯାଉଚି, ସେ ତାହା ଜାଣେନାହିଁ । ଏ ତାହାର ନିର୍ଲକ୍ଷ୍ୟ, ନିରୁଦ୍ଦେଶ୍ୟ ଯାତ୍ରା । ଯେପରି ଗୋଟାଏ ଅଦୃଶ୍ୟ ପ୍ରବଳ ଭୌତିକ ଶକ୍ତି ତାହାକୁ କେଉଁ ଆଡ଼କୁ ଓଟାରି ନେଇଯାଉଅଛି, ସେ ତାହା ଜାଣିପାରୁ ନାହିଁ । ଗୋପାଳ ଦୁଇଟି ବିରୋଧ ଭାବ ସଙ୍ଗେ ଯୁଦ୍ଧ କରି କରି ଚାଲିଅଛି । ସେ ଆଜି ଅପମାନିତ, ଲାଞ୍ଛିତ, ତିରସ୍କୃତ; ମାତ୍ର ଏପରି ଗଞ୍ଜନା ସେ ଏଥିପୂର୍ବେ ଅନେକ ଥର ନିର୍ବିକାରରେ ଜୀର୍ଣ୍ଣ କରିଦେଇଅଛି । କାହିଁକି କେଜାଣି ଆଜି ତାକୁ ବଡ଼ ବାଧିଲା । ଅଜାଙ୍କ କଥାକୁ ସେ ପ୍ରଥମ ଥର ଗ୍ରାହ୍ୟ କରିନଥିଲା । ତାହା ଭିତରେ ନଜାଣି କି ବିଷ ନିହିତ ଥିଲା, ଗୋପାଳ ସେହି ବିଷରେ ପରେ ଘାରି ହୋଇପଡ଼ିଲା । ତାହା ଶରୀରରେ ବୃଶ୍ଚିକ ଦଂଶନର ଜ୍ୱାଳା ଅନୁଭୂତ ହେଲା । ସେ ମନେ ମନେ ଭାବିଲା–‘‘ଏଡ଼େ କଠୋର କଥା ତ ଅଜା କେବେ କହନ୍ତି ନାହିଁ, ଆଉ ବଡ଼ମା ବି ତ ଏପରି ନିର୍ଦ୍ଦୟ ହୁଏନାହିଁ । କେତେଦିନ ହେଲା ମୋ ପ୍ରତି ସେମାନେ ଟିକିଏ ବିରକ୍ତ, ଏହା ମୁଁ ଜାଣେ, ତେବେ ଆଜି ପରି ଟାଣ ଟାଣ କଥା ତ କେବେ କେହି କହିନାହାନ୍ତି-। ‘‘ବୁଲା ଫକୀର, ମୋ ଘରୁ ଦୂରହ’’–ଏ କଅଣ ? ମୋର କେହି ନାହିଁ ବୋଲି ମୁଁ ବୁଲା ଫକୀର ! ମୁଁ କଅଣ ବୁଲିବୁଲି ଆପେ ଆସି ତାଙ୍କ ଓଳିରେ ଆଉଜିଥିଲେ । ମୁଁ ଚାରି ପଇସା ରୋଜଗାର କରୁଥିଲେ ଏପରି ମର୍ମ ବିନ୍ଧା କଥା ସେମାନେ କହନ୍ତେ କି ? ତେବେ ତ ତାହା ସଫା କହିଦେଲେ ହୁଅନ୍ତା ଯେ, ନା, ଏବେ ତୋ କଥା ତୁ ବୁଝ, ଆମେ ଆଉ ପୋଷିପାରିବୁ ନାହିଁ । ଏତିକିରେ ତ କଥା ସହଜରେ ଛିଡ଼ିଯାଆନ୍ତା; ଆଉ ଏତେ ବାଗରେ ବୁଲେଇ କହିବାର କାହିଁକି ? ପଶୁପକ୍ଷୀମାନେ ଆହାର ଖୋଜିନେଇ ପେଟ ପୋଷୁଛନ୍ତି । ମୁଁ ମନୁଷ୍ୟ ହୋଇ କଅଣ ତାହା ପାରିବି ନାହିଁ ? ଭାତମୁଠାକ ପାଇଁ ଏତେ ଲାଞ୍ଛନା । ଜଣେ ଜଣେ ଲୋକ ଉପାର୍ଜନ କରି ଶତ ଶତ ପ୍ରାଣୀ ପୋଷୁଅଛନ୍ତି, ଆଉ ମୁଁ କି ଏଡ଼େ ଅକ୍ଷମ ଯେ, ନିଜର ପେଟ ଚାଖଣ୍ଡକ ସମ୍ଭାଳି ପାରିବିନାହିଁ-। ନା, ଆଉ ପରର ଗଳଗ୍ରହ ହେବି ନାହିଁ । ନିଜେ ଉପାର୍ଜନ ନକଲେ ଆଉ ଘରକୁ ଫେରିବିନାହିଁ ।’’ ଗୋପାଳ ଏହିପରି ଭାବୁ ଭାବୁ ଚମକି ଉଠି ସ୍ୱପ୍ନେତ୍‌ଥିତ କରି ଆଶ୍ଚର୍ଯ୍ୟ ଏବଂ ଲଜ୍ଜିତ ହୋଇ କହିଲା–‘‘ଓଃ, ମୁଁ ଏ କଅଣ ଗୁଡ଼ାଏ ଭାବୁଛି ? ଛି ଛି ଛି ! ଯେ ମୋତେ ଅଣ୍ଡାଟି କାଳରୁ ପାଳି ଭେଣ୍ଡାଟି କଲେ, ମୁଁ ତାଙ୍କୁ ନିନ୍ଦୁଛି, ଏହା ଭ୍ରମ ନା ପାପ ? ଯେ ମୋ ପାଇଁ ଅସୀମ କଷ୍ଟ ସହିଲେ, ମୁଁ ତାଙ୍କର ପଦେ କଥା ସହିପାରିଲି ନାହିଁ । ମୁଁ ବଡ଼ ଅକୃତଜ୍ଞ । ଓଃ, ମନଟା ତ ବଡ଼ ଘାଣ୍ଟି ହେଉଛି-। ବଡ଼ ମା ଖାଇ ନ ଥିବ, କେତେ କାନ୍ଦୁଥିବ । ଅଜା ମଧ୍ୟ ବଡ଼ ବ୍ୟସ୍ତ ହେଉଥିବ, କେତେ କାନ୍ଦୁଥିବ-। ଅଜା ମଧ୍ୟ ବଡ଼ ବ୍ୟସ୍ତ ହେଉଥିବ । ଛି, ମୋର ଏ ଦୁର୍ବୁଦ୍ଧି ଆଜି କାହିଁକି ହେଲା-? କେଉଁ ମୁହଁରେ ପୁଣି ଫେରିଯିବ ? ମୋର ଗତି କଅଣ ହେବ ?’’ ଏହିପରି ଭାବି ସେ ଗୋଟାଏ ତମସାବୃତ ଭବିଷ୍ୟତର କଳ୍ପନାରେ ଶଙ୍କିତ ହୋଇପଡ଼ିଲା ଏବଂ ତାହାର ମନ ଭବିଷ୍ୟତ ମଧ୍ୟରେ ବାରମ୍ୱାର ହାବୁଡ଼ ଖାଇ ଫେରିଆସିଲା । ତହୁଁ ସେ ଦୀର୍ଘ ନିଃଶ୍ୱାସ ପକାଇ କହିଲା–‘‘ନିଜର ସ୍ନେହ-ସିଂହାସନରେ ତ ମୁଁ ନିଜେ ପଦାଘାତ କରି ଆସିଛି–ନିଜର ସୁଖକୁ ନିଜ ହସ୍ତରେ ମୁଖାଗ୍ନି ଦେଇ ଆସିଛି, ଆଉ ଭାବିଲେ କଅଣ ହେବ ?’’ ଅନନ୍ତର ଆକାଶକୁ ଚାହିଁ ଯୁକ୍ତକର ହୋଇ ସଜଳନେତ୍ରରେ କହିଲା, ‘‘ହେ ଭଗବାନ୍‌ ଏ ବାଳକର ଦୁର୍ବଳ ଶରୀରରେ ତୁମ୍ଭର ଶକ୍ତି ଟିକିଏ ଦିଅ-। ସେ ଶକ୍ତିରେ ବାହାରର ଶତ ଆଘାତ, ଶତ ଦୁର୍ବଳତା ବ୍ୟର୍ଥ ହେଉ । ତୁମ୍ଭ କରୁଣାର ସ୍ୱଚ୍ଛ ଆଲୋକ ମୋତେ ଭାବୀ ଜୀବନର ସୁପଥ ଦେଖାଉ ।’’ ଗୋପାଳ ଏହିପରି ଈଶ୍ୱରଙ୍କୁ ପ୍ରାର୍ଥନା କରିସାରି ଘରକୁ ଫେରି ଆସିବାକୁ ଇଚ୍ଛାକଲା; ମାତ୍ର ଦଣ୍ଡେଯାଏଁ କଣ ଭାବି ଗର୍ବିତ ସ୍ୱରରେ କହିଲା, ‘‘ନା ନା, ଆଉ ଫେରି ଯାଇ ନିଜ ମୁହଁରେ ନିଜେ କାଳୀ ବୋଳିବି ନାହିଁ ।’’ ଓଃ, ଭାରି ତ ମାୟା, ଯେତେହେଲେ ପର ନା ଆଉ କଣ ? ମୋର ବାଲ୍ୟଜୀବନର ସୁଖ ସ୍ନେହର ଅଧ୍ୟାୟ ଏହିଠାରୁ ପଛେ ଶେଷ ହେଉ, ଆଉ କେବେ କଥା ଭାବି ଭାବି ଗୋପାଳ ଚାଲିବାକୁ ଲାଗିଲା । ଠିକ୍‌ ସନ୍ଧ୍ୟାସମୟରେ ଯାଇ ରେଲଷ୍ଟେସନରେ ପହଞ୍ଚିଲା । ତାହାର ଦକ୍ଷିଣ ହସ୍ତର ମଝି ଅଙ୍ଗୁଳିରେ ଗୋଟାଏ ସୁନାମୁଦି ଥିଲା । ତାହାକୁ ଗୋଟାଏ ଦୋକାନରେ ବିକ୍ରୟ କରି ପନ୍ଦର ଟଙ୍କା ଆଣିଲା । ଗୋଟାଏ ଟଙ୍କା ଭଙ୍ଗାଇ କିଛି ଜଳଖିଆ କିଣିଲା । ଏହି ସମୟରେ ଉତ୍ତର ଦକ୍ଷିଣ ଦୁଇଆଡ଼ର ଯାତ୍ରୀ-ଗାଡ଼ି ଆସି ରକ୍ତ ନେତ୍ର ଧପ୍‌ ଧପ୍‌ କରି ଷ୍ଟେସନରେ ପହଞ୍ଚିଲା । ଗୋପାଳ ତରଭର ହୋଇ କେଉଁଠାକୁ କେଜାଣି ଖଣ୍ଡେ ଟିକଟ କିଣି ପ୍ଲାଟଫର୍ମ ଆଡ଼କୁ ଧାଇଁଗଲା । ଅଳ୍ପକ୍ଷଣ ମଧ୍ୟରେ ଲୋକ ଗହଳରେ ମିଶିଯାଇ ଅଦୃଶ୍ୟ ହୋଇଗଲା ।

 

ଏଣେ ବୃଦ୍ଧ ଜପଶେଷ କରି ମାଳ ଝୁଲିଟି କାନ୍ଥରେ ଝୁଲାଇ ଗୋଟାଏ ଗଳାଖଙ୍କାର ଦେଲେ । ଜାନକୀ ସେ ସଙ୍କେତରୁ ମାଳଜପା ଶେଷ ହୋଇଥିବାର ଜାଣି ପିତାଙ୍କ ପାଖକୁ ଆସି କହିଲା–‘‘ବାବା, ଭାତ ବାଢ଼ୁଛି ?’’ ବୃଦ୍ଧ ପଚାରିଲେ, ‘‘ବାବୁ ଖାଇଲେଣି ?’’ ଜନକୀ ନତ ଦୃଷ୍ଟିରେ କହିଲା–‘‘ଗୋପାଳ ଆସିନାହିଁ ବାବା ।’’ ବୃଦ୍ଧ ଉଦ୍‌ବିଗ୍ନ କଣ୍ଠରେ କହିଲେ–‘‘ଏଁ, ଆସିନାହିଁ !’’ ଜାନକୀ ଶାନ୍ତକଣ୍ଠରେ କହିଲା–‘‘ହଁ ଆସିଥିଲା, ମାଛ ଦିଟା ଫୋପାଡ଼ି ଦେଇ ସେତିକି ବେଳୁ ଯେ ଯାଇଛି, ଆଉ ଆସିନାହିଁ ।’’ ବୃଦ୍ଧ କଠୋର ସ୍ୱରରେ କହିଲେ ‘‘ତେବେ ତୁ ତାକୁ ଗାଳି ଦେଇଛୁ ।’’ ଜାନକୀ ନୀରବ । ବୃଦ୍ଧ ଏଥର ଆହୁରି କଠୋର ସ୍ୱରରେ କହିଲେ–‘‘ତୁ ବି ତେବେ ଭଗାରି ପରି ମୋ ସାଙ୍ଗରେ ହଟ ଲଗାଇଲୁ । ଆଚ୍ଛା, କହନି ଭଲା–ତମ ମାଇପିଜାତିଗୁଡ଼ାକର ହୃଦୟ କି କଠୋର । ପିଲାଟା ଏତେବେଳଯାଏ ଖାଇନାହିଁ, ସେ ଘରେ ଗୋଡ଼ ଦେଲାମାତ୍ରେ ତାକୁ ଗାଳିଦେଇ ଘଉଡ଼ିଲୁ । ଓଃ ଭଗବାନ୍‌, ପିଲାଟା କି କଲବଲ ହେଉଥିବ । ମୁଁ ନଜାଣି ରାଗତମରେ ଭାତ ଦେବାକୁ ମନା କରିଥିଲି, ତୋର କି ବୁଦ୍ଧି ଭଲା କହିଲୁ । ସମସ୍ତେ ମୋତେ ଜାଳିପୋଡ଼ି ମାରିଲ ? ଆଉ ମୁ ବା କି ତପସ୍ୟା କରି ମାର୍କେଣ୍ଡେୟ ପରମାୟୁ ଘେନି ଆସିଥିଲି ଯେ, ଯମ ବି ମୋତେ ପାଶୋରିଲା । ଆଣ୍‌ ଆଣ୍‌, ଛତାଟା ଆଣ୍‌, କୁଆଡ଼େ ଗଲା ମୁଁ ଦେଖେ ।’’ ଜାନକୀ କହିଲା–‘‘ନା ବାବା, ତମେ ଖାଇ ନାହଁ, କୁଆଡ଼େ ଯିବ ? ସେ କେତେ ଥର ରୁଷୁଛି–କେତେ ଥର ଆପେ ଆସୁଛି । ବଳେ ଆପେ ଆସି ଖାଇବ, ତମେ ଖାଇବ ଚାଲ । କାଲି ଏକାଦଶୀଉପବାସ କରିଥିଲ, ତମେ ଖାଇବ ଚାଲ । ଆଜି ବେଳ ଆସି ଏତେ ହେଲାଣି, ଏଣେ ଭାତ ଶୁଖିଯିବ । ଗୋପାଳ ଯିବ କୁଆଡ଼େ ନବ ଭାଇଙ୍କ ଘରେ ଥିବ, କି ଗାଁରେ କେଉଁଠି ଥିବ ।’’ ବୃଦ୍ଧ ଉଦାସ ସ୍ୱରରେ କହିଲେ, କାଳେ ପୁଣି କୁଆଡ଼େ ଯାଇ କେଉଁ ବନ୍ଧୁଘରେ ପହଞ୍ଚି ହଟହଟାରେ ପକାଇବ ମୋର ସେହି ଭୟ । ସେଥର ପରା ଶଙ୍କର ମହାପାତ୍ରଙ୍କ ଘରେ ସାତ ଆଠ ଦିନ ରହି ଆସିଲା । ସେ ନୂଆ ସୂର୍ଯ୍ୟବାନ୍ଧବ; ବଳେ ବଳେ ଯାଇ ତାଙ୍କ ଘରେ ରହିଲା, ସେ କଅଣ ମନରେ କରିଥିବେ-?’’ ବୃଦ୍ଧ ପୁଣି ଟିକିଏ ବିରକ୍ତ ହୋଇ କହିଲେ–‘‘ଯାଉ କୁଆଡ଼େ ଗଲା, ତୁ ଭାତ ବାଢ଼ ମୁଁ ଯାଉଛି ।’’ ଜାନକୀ ଭାତ ବାଢ଼ିବେକୁ ଗଲା, ବୃଦ୍ଧ ତାହା ପଛେ ପଛେ ଗଲେ ।

 

ବୃଦ୍ଧ ବସି ଖାଇବାକୁ ଲାଗିଲେ; ମାତ୍ର ପ୍ରତ୍ୟହ ଯାହା ଖାଆନ୍ତି ତାହା ଖାଇପାରିଲେ ନାହିଁ । ଖାଉଁ ଖାଉଁ ଅନ୍ୟମନସ୍କ, ଯେମନ୍ତ କି ମନ ମଧ୍ୟରେ କି ଗୁରୁ ଚିନ୍ତାର ଲହରୀ ଉଛୁଳି ଉଠୁଅଛି । ମୃଦୁସ୍ୱରରେ କହିଲେ ‘‘ମା, ତୁ ତାକୁ କିଛି କହିଥିଲୁ କି ?’’ ଜାନକୀ କହିଲା–‘‘ହଁ ଖୁବ୍‌ ବକିଥିଲି, ଆଉ ମାରିଛି ନା ପିଟିଛି ? ମୋତେ ଭାତ ମାଗିଲା, ମୁଁ ଦେଲିନାହିଁ ।’’ ବୃଦ୍ଧ ‘‘ନାରାୟଣ’’ ସ୍ମରଣ କରି ଉଠିପଡ଼ି ଗୋଟାଏ ଦୀର୍ଘନିଃଶ୍ୱାସ ପକାଇଲେ । ଅଳ୍ପକ୍ଷଣ ନୀରବ ରହି କହିଲେ–‘‘ଓଃ, ମୁଁ କି ପାଷାଣ୍ଡ ନରାଧାମ, ମୋହରି ଦୋଷରୁ ପିଲାଟା ଉପାସ ରହିଲା ! ମୁଁ ଆଜି ତାକୁ ଅଳ୍ପ ଟାଣ କଥା କହିନାହିଁ, ଆଜି ମୋର କି ଗ୍ରହଦୋଷ ଯେ, ଯାହା ମନକୁ ଆସିଲା, ତାହା କହି ପକାଇଲି । ଯାହା ସଙ୍ଗରେ ରକ୍ତର ସମ୍ପର୍କଠାରୁ ଅଧିକ, ତାକୁ ଏଭଳି କଥା କୁହାଯାଏନାହିଁ । ଧିକ୍‌ ମୋତେ, ରାଗରେ ମୁଁ କେଡ଼େ ଗୋଟାଏ ଭୁଲ କରିପକାଇଲି । ନା, ନା, ଭୁଲ ନୁହେ ଏହା ମୋର ଗୁରୁତର ପାପ । ପିଲାଟାକୁ ଆହାର ମୁଖରୁ ଫେରାଇଦେଲି । ତୋତେ କଠିନ ରାଣ ପକାଇବାରୁ ସିନା ଏପରି ହେଲା । ବୃଥା ତୋତେ ଏତେ କଥା କହିଲି ମା, ଦୋଷ ମୋ ଛଡ଼ା ଆଉ କାହାର ନୁହେ । ମୁଁ ତାକୁ ଖୋଜିଆଣି ନଖୁଆଇଲେ ମୋର ଏ ପାପର ପ୍ରାୟଶ୍ଚିତ ହେବ ନାହିଁ । ଉଃ, କ୍ରୋଧ କି ପିଶାଚ ମା, ସେ ମନୁଷ୍ୟକୁ ପଶୁ କରିଦିଏ । ଛି ଛି, କି ଲଜ୍ଜା, ମରିବାକୁ ବସିଲିଣି, ତେବେ ସୁଦ୍ଧା ମୋର କ୍ରୋଧ ଗଲାନାହିଁ ।’’ ବୃଦ୍ଧ ଏହିପରି ଅନୁତାପ କରି ହାତ ଧୋଇ ସେହି ପ୍ରଚଣ୍ଡ ଖରାରେ ଓଦା ଗାମୁଛା ମୁଣ୍ଡରେ ପକାଇ ଗୋପାଳକୁ ଖୋଜିବାକୁ ବାହାରିଲେ ।

 

ବୃଦ୍ଧ ଗାଁ ସାରା ବୁଲିଆସିଲେ; ମାତ୍ର ଗୋପାଳକୁ କେଉଁଠି ପାଇଲେ ନାହିଁ, କି ତାହାର ସମ୍ୱାଦ ସୁଦ୍ଧା କେହି କିଛି କହିପାରିଲେ ନାହିଁ । ତହୁଁ ବୃଦ୍ଧ ହତାଶାର ଗୁରୁ ଭାର ବହନ କରି ଘରକୁ ଫେରିଆସି କନ୍ୟାକୁ କହିଲେ–‘ନା-ମା, କେଉଁଠି ଖୋଜି ପାଇଲିନାହିଁ । ’ କଣ୍ଠସ୍ୱରରୁ ମନର ଅବସ୍ଥା ବୁଝିପାରି ଜାନକୀ କହିଲା–‘ତମେ କାହିଁକି ଏତେ ବ୍ୟସ୍ତ ହେଉଛ ବାବା, ସେ ତ ଇମିତି କେତେଥର ଯାଏ, ପୁଣି ଆପେ ଆପେ ଆସେ । ଚଗଲା ଟୋକାଟା କେଉଁଠି ବୁଲୁଛି ବାବା, ଆସିବ ।’ ବୃଦ୍ଧ କହିଲେ–‘ନା-ମା, ସବୁଥର ଯିବା ଭିନେ, ଆଉ ଏଥର ଯିବା ଭିନେ । ମୁଁ ତାକୁ ବଡ଼ କଡ଼ା କଥା କହିଛି ମା । ତାକୁ ମୁଁ ଯେଉଁ ଆଘାତ ଦେଇଛି, ସେହି ଆଘାତରେ ପ୍ରଚଣ୍ଡ ପ୍ରତିଘାତରେ ମୋ ହୃଦୟରେ କି ଭୀଷଣ ଅନୁତାପର ଅଗ୍ନିକ୍ରୀଡ଼ା ଲାଗିଛି, ତାହା ମୁଁ କହିପାରୁ ନାହିଁ ।’’ ଜାନକୀ ଆଉ ଧୈର୍ଯ୍ୟ ବନ୍ଧ ସମ୍ଭାଳି ପାରିଲା ନାହିଁ, ଅଶ୍ରୁଝର ମୁକୁଳା କରିଦେଲା–ସେ ଯେତେ ଇଚ୍ଛା ବହିଗଲା । ପରେ କିଞ୍ଚିତ ଆତ୍ମସମ୍ୱରଣ କରି ଗଦ୍‌ ଗଦ କଣ୍ଠରେ କହିଲା–‘‘ମୁଁ ମଧ୍ୟ ଅଳ୍ପ କଥା କହିନାହିଁ ବାବା-। ତମ ରାଗ ଦେଖି ମୁଁ ବୁଝିଲି–ତମ ମନରେ ସେ ଭାରି କଷ୍ଟ ଦେଇଛି । ସେଥିଲାଗି ମୁଁ ଏକାବେଳକେ ହତଜ୍ଞାନ ହୋଇ ଯାହା ଇଚ୍ଛା ତାହା କହିଗଲି ।’’ ଏହା କହି ଜାନକୀ କାନ୍ଦିଲା, ବୃଦ୍ଧଙ୍କ ନେତ୍ର ମଧ୍ୟ ଶୁଷ୍କ ନ ଥିଲା । ସେ କହିଲେ–‘‘କଥା ତାହାର ପ୍ରାଣକୁ ବାଧିଛି, ଅଭିମାନରେ କାଳେ କିଛି ଗୁରୁତର କାଣ୍ଡ ଘଟାଇ ପାରେ, ମୋର ଏହି ଆଶଙ୍କା ।’’ ଆହା ବୃଦ୍ଧ, ତୁମ୍ଭର ହୃଦୟ କାହିଁରେ ଗଠିତ ? ବାହାରେ ଯେ ଯେତେ ଶୁଷ୍କ, ଭିତରେ ସେ ତେତେ ସରସ–ଏ ଶିକ୍ଷା ତୁମ୍ଭରି ଜୀବନରୁ ମିଳେ । ଜାନକୀ କହିଲା–‘‘ଅଭିମାନରେ କିଛି ଗୋଟାଏ ଦୁର୍ଘଟଣା ଘଟାଇବାର ପାତ୍ର ଗୋପାଳ ନୁହେ ବାବା, ତମେ ସେ ଭୟ କରନାହିଁ ।’’ କନ୍ୟାର ଏ ସାନ୍ତ୍ୱନାରେ ବୃଦ୍ଧ କିଞ୍ଚିତ୍‌ ଆଶ୍ୱସ୍ତ ହେଲେ; ମାତ୍ର ସମ୍ପୂର୍ଣ୍ଣ ନିର୍ଭର କରିପାରିଲେ ନାହିଁ । ସେ କହିଲେ, ‘‘ପିଲାଟା ଚଗଲା ସିନା, ଅନ୍ୟ ପରି ଦୁଶ୍ଚରିତ୍ର ନୁହେ । ପିଲାଦିନେ ସମସ୍ତେ ଦୁଷ୍ଟ ହୁଅନ୍ତି, ବଡ଼ ହେଲେ ବଳେ ସେ ଦୋଷ ଛାଡ଼ିଯିବ-। ଲୋକଙ୍କୁ ଚିଡ଼ାଇବା, ଗଛପତ୍ର ଭାଙ୍ଗିବା, ପିଲାପିଲିଙ୍କ ସଙ୍ଗରେ ଖୁମ୍ପରେଇ ହୋଇ ଲାଗିବା ତାହାର ଗୋଟାଏ ଆମୋଦ । ଏହା ତ ଆଉ ଦୁର୍ଗୁଣ ନୁହେ । ସହବାସରେ ଯାହା ଦୋଷ ବୋଲି ସାବ୍ୟସ୍ତ ହୋଇଥାଏ, ବିଚ୍ଛେଦରେ ତାହା ଗୁଣ ହୋଇଉଠେ, ଏହା ସଂସାରର ଧାରା । ଅଭାବ ପଦାର୍ଥର ଗୁଣ ଗୌରବ ବୁଝାଇଦିଏ, ଏହା ଯଥାର୍ଥ କଥା ।

 

ଦିନ ଯାଇ ରାତି ହେଲା, ତେବେ ବି ଗୋପାଳ ଆସିଲାନାହି । କନ୍ୟାର ବାରମ୍ୱାର ପ୍ରାର୍ଥନାରେ ସୁଦ୍ଧା ବୃଦ୍ଧ ସେ ରାତ୍ରିରେ କିଛି ଖାଇଲେ ନାହିଁ । ଜାନକୀ ବିଧବା ହେଲା ଦିନୁ ରାତିରେ ଆହାର କରେନାହିଁ । ପିତାଙ୍କ ସକାଶେ ବିଛଣା ବିଛାଇ ଦେଇ ସେ ଆସି ତାହାର ଶୋଇବା ଘରେ ଶୋଇଲା । ବୃଦ୍ଧଙ୍କୁ ନିଦ୍ରା ହେଲାନାହିଁ । ସେ ବିଛଣାରେ ପଡ଼ି କାନ ଡେରି ରହିଲେ । କାଳେ ଗୋପାଳ ଆସି ଡ଼ାକିବ । କେବେ ଟିକିଏ ଆଖି ଲାଗିଆସେ; ପୁଣି ମୁହୂର୍ତ୍ତକେ ଚଟ୍‌ କରି ଭାଙ୍ଗିଯାଏ-। ରାତିଯାକ ଏହିପରି ନିଦ୍ରା ଏବଂ ଜାଗରଣ ମଧ୍ୟରେ ଯୁଦ୍ଧ ଲାଗିଲା; କିନ୍ତୁ ଶେଷରେ ସମ୍ମୋହନ ମନ୍ତ୍ରନିପୁଣା ନିଦ୍ରାର ଜୟ ହେଲା । ରାତି ପାହାନ୍ତା ପହରକୁ ବୃଦ୍ଧ ଟିକିଏ ଶୋଇପଡ଼ିଲେ-। କିଛିକ୍ଷଣ ପରେ ସ୍ୱପ୍ନ ଦେଖିଲେ–ନଦୀକୂଳରେ ଜଣେ ସାଧୁପୁରୁଷ ବସି ଶାସ୍ତ୍ର ପାଠ କରୁଅଛନ୍ତି । ମଧୁର ହରିଗୁଣ ଭକ୍ତ ତୁଣ୍ଡରେ ଅଧିକତର ମଧୁର ଶୁଭୁଅଛି । ବୃଦ୍ଧ ପ୍ରଣାମ କରି ସାଧୁଙ୍କ ସମ୍ମୁଖରେ କିଛି ଦୂରରେ ଯାଇ ବସିଲେ । ସାଧୁ କହିଲେ, ‘‘କି ବାବା, କିଛି କହିବାର ଅଛି-?’’ ବୃଦ୍ଧ ନିଜର ଉପସ୍ଥିତ ଆପଦର କଥା ଜଣାଇଲେ । ସାଧୁ ତତ୍‌କ୍ଷଣାତ୍‌ ବୃଦ୍ଧଙ୍କ ହାତ ଧରି ନୀରବରେ ଅଗ୍ରସର ହେଲେ । କିଛି ଦୂର ଯାଇ ଗୋଟାଏ ପ୍ରକାଣ୍ଡ ଅଟ୍ଟାଳିକା ପାଖରେ ଠିଆହୋଇ କହିଲେ–‘‘ଏହି ବାଟ ଧରି ଉପରକୁ ଉଠିଯାଅ, ତେମହାଲା ଉପରେ ତୋର ଗୋପାଳ ଅଛି ।’’ ଅତଃପର ସାଧୁ ଅନ୍ତର୍ଦ୍ଧାନ ହୋଇଗଲେ । ବୃଦ୍ଧ କୋଠା ଉପରକୁ ଉଠି ଦେଖିଲେ; ସତକୁ ସତ ତାଙ୍କ ଗୋପାଳ ବସିଅଛି । ବୃଦ୍ଧ ହଠାତ୍‌ ଯାଇ ତାକୁ କଉଣ୍ଢାଇ ପକାଇ ମୋ ଭାଇ ରେ ବୋଲି କହି କାନ୍ଦି ପକାଇଲେ । ଗୋପାଳ ମଧ୍ୟ ଅଜାଙ୍କୁ କୁଣ୍ଢାଇ ପକାଇ କାନ୍ଦିଉଠିଲା । ଏହିପରି କୁଣ୍ଢାକୁଣ୍ଢି ହେଉଁ ହେଉଁ ବୃଦ୍ଧ ସ୍ଖଳିତପଦ ହୋଇ ଖୁବ ଜୋରରେ ତଳେ ପଡ଼ିଗଲେ । ତହୁଁ ଚଟ କରି ନିଦ ଭାଙ୍ଗିଗଲା । ବୃଦ୍ଧ ଉଠି ବସି ଦୁଃସ୍ୱପ୍ନର ପ୍ରତିକାର ସ୍ୱରୂପ ଗୋବିନ୍ଦଙ୍କୁ ସ୍ମରଣ କଲେ ।

 

ରାତି ପାହି ଆସିଲା, ପ୍ରକୃତି ସୁପ୍ତ- ଅନ୍ଧକାର ସୁପ୍ତ- କୋଳାହଳ ସୁପ୍ତ; କେବଳ ଗୋଟିଏ ପକ୍ଷୀ ଲଳିତ ପଞ୍ଚମ ସ୍ୱରରେ ପ୍ରଭାତୀ ଆବୃତ୍ତି କରୁଅଛି । ପ୍ରଭାତୀ ପବନ ଝାଉଁ ଗଛରେ ବିଭାଷରାଗିଣୀ ଆଳାପ କରୁଅଛି । ଅନ୍ୟାନ୍ୟ ପାଦପମାନେ ନୀରବ ଜାତୀୟଭାଷାରେ ପରସ୍ପରକୁ ସମ୍ଭାଷଣ କରୁଅଛନ୍ତି । ଆଲୋକ-ଉତ୍ସବମୟୀ ପଙ୍କଜିନୀ ଉଷାର ପଙ୍କଜବଦନର ଅମ୍ଳାନ ହାସ୍ୟଚ୍ଛଟାରେ ପୂର୍ବଦିଗ ବିଦ୍ରୁମିତ ହୋଇଅଛି । ଅନ୍ଧକାର ଆଲୋକକୁ ଆଲିଙ୍ଗନ କରି ବିଦାୟ ନେଉଅଛି । ବିଦାୟ ବ୍ୟଥା, ବଡ଼ ବ୍ୟଥା । ସେହି ବ୍ୟଥାରେ ଉଭୟର ନେତ୍ରରୁ ଟୋପା ଟୋପା ହୋଇ ଅଶ୍ରୁ ଝରିପଡ଼ୁଅଛି । ପ୍ରେମାଶ୍ରୁର ମହତ୍ତ୍ୱ ପ୍ରେମିକ ବୁଝେ, ପ୍ରକୃତି ସେହି ପ୍ରେମାଶ୍ରୁ-ମୁକ୍ତାଗୁଡ଼ିକ ଦୂର୍ବାରୂପ ରେଶମ-ସୂତ୍ରରେ ଗୁନ୍ଥି ଅସୀମ ପ୍ରେମର ଲୀଳାସ୍ଥଳ ନିଜର ବିଶାଳ ବକ୍ଷ ଅଳଙ୍କୃତ କରୁଅଛି । ବୃଦ୍ଧ ପ୍ରଭାତରୁ ଉଠି ପ୍ରାତଃକୃତ୍ୟ ଶେଷ କରି ଉଚ୍ଚ ପ୍ରଶସ୍ତ ଦାଣ୍ଡପିଣ୍ଡାରେ ଟହଲି ବୁଲୁଅଛନ୍ତି । ମୁଖରେ ଗୁରୁତର ଚିନ୍ତାର ମୁଦ୍ରା ସ୍ପଷ୍ଟଭାବରେ ମୁଦ୍ରିତ । ଚକ୍ଷୁ ଜ୍ୟୋତିହୀନ । ଥରେ ଥରେ ଅସ୍ଥିପଞ୍ଜରଭେଦି ଗୋଟାଏ ଗୋଟାଏ ଅଗ୍ନମୟ ନିଃଶ୍ୱାସ ତାଙ୍କ ଅଜ୍ଞାତରେ ବାହାରି ପଡ଼ୁଅଛି । ଏହି ସମୟରେ ନବୀନା କେଉଟ ଆସି ପିଣ୍ଡାତଳେ ଠିଆହେଲା । ନବୀନାର ରୂପଗୁଣ ବର୍ଣ୍ଣନା କରିବା ଅନାବଶ୍ୟକ । ତେବେ ପାଠକମାନଙ୍କର ପଠନ ସୁବିଧା ସକାଶେ ଏତିକି କହିରଖିବା ଦରକାର ଯେ, ଅବାଧ୍ୟ ଆନୁନାସିକ ବର୍ଣ୍ଣଗୁଡ଼ିକ ତାହା ତୁଣ୍ଡରେ ଉଚ୍ଚାରିତ ହେବାକୁ ଆଦୌ ମଙ୍ଗନ୍ତି ନାହିଁ । ତେଣୁ ସେ ସେଗୁଡ଼ାକ ଛାଡ଼ି କଥା କହେ । ବୃଦ୍ଧ ତାକୁ ଦେଖି ଗୋଟାଏ ଶୁଭ ସୂଚନାର ଆଶା କଲେ । ତାଙ୍କର ସେ ଆଶା ବିଫଳ ହୋଇ ନାହିଁ । ବୃଦ୍ଧ ଉଦ୍‌ବେଗ କମ୍ପିତ କଣ୍ଠରେ କହିଲେ–‘‘କିରେ ନବୀନା, ଏତେ ସକାଳୁ କୁଆଡ଼େ ? ନବୀନା ଦୁଇ ହାତ ମୁଣ୍ଡରେ ଲଗାଇ ଥରେ ଭଲକରି ତଣ୍ଟି ସାଫ୍‌ କରିନେଇ କହିଲା–‘‘ଆଗ୍ୟା, ଜୁହାର ସାଆତେ । କାଲି ଆସି ଥାଅତି ଯେ, ରାତି ହେଇଗଲା । କାଲି ସଜ ହୋଉଲଥାଏ, ଦିଲ ରତ ରତ ହଉଥାଏ, ମୁଲାଲୀ ଘରୁ ଆସିଲି । ଲଈକତିରେ ଆସି ହେଇଚି, ଲବାଲାରେ–ଲବୀଲାରେ ଡାକ ଶୁଭିଲା । ପଛକୁ ଫେରି ଅଲେଇଲି ଯେ, ସାଲ ସାଆତେ । ମତେ କହିଲେ, ଅଜାକୁ କହିବୁ, ମତେ ଖୋଜିବେ ନାହିଁ ମୁଁ ପହଚି ଭାଷା ବଟେଇବି ।’’ ମୁ ପଚାରିଲି, ‘‘କୁଆଡ଼େ ଯାଉଚ ?’’ କିଛି କହିଲେ ଲାହି । ଆଉରି କହିଛତି, ‘‘ଢାକ ପାଶା ପାଲିଟା ସିନ୍ଦୁକରେ ରଖିଦବ ।’’ ବୃଦ୍ଧ ଶେଷ କଥାଟା ଶୁଣି ଏତେ ଦୁଃଖରେ ସୁଦ୍ଧା କାଉଁଳିଆ ଖରାପରି ଟିକିଏ ହସି ପକାଇଲେ । ସେ କିଛିକ୍ଷଣ ନୀରବ ରହି ପଚାରିଲେ–‘‘ସେ କୁଆଡ଼େ ଗଲା, କହିପାରିବୁ ?’’ ନବୀନା କହିଲା ‘‘ଲା, ତା’ କିବିତି କହିଚି ? ଲଈକତିରୁ ଦକ୍ଷିଣକୁ ମୁହ କରି ଗଲେ । ଯେତେ ଡାକିଲି ଆଉ ଶୁଣିଲେ ଲାହି ।’’ ଭକ୍ତ ହରିକଥା ଯେପରି ମନ ଦେଇ ଉତ୍କର୍ଣ୍ଣ ହୋଇ ଶୁଣେ, ବୃଦ୍ଧ ନବୀନାର କଥା ଠିକ୍‌ ସେହିପରି ଶୁଣୁଥିଲେ । ଶେଷରେ ଉଠିଯାଇ ଘରୁ ଗୋଟିଏ ଟଙ୍କା ଆରି ନବୀନାକୁ ଦେଲେ । ନବୀନା ଆଶ୍ଚର୍ଯ୍ୟ ହୋଇ କହିଲା–‘‘ଏ କଅଳ ଅଗ୍ୟା, ଆପଳକର ତ ସବୁବେଳେ ଖାଉଚି ଟକା କଅଳ ହବ । ଲା-ଲା, ମୁ ଲେବିଲାହି ।’’ ବୃଦ୍ଧ ଟଙ୍କାଟି ତାହା ହାତରେ ଗୁଞ୍ଜିଦେଇ କୋଶକେ ପାଆକେ ଗୋଡ଼ ପକାଇ ଘରଭିତରକୁ ଚାଲିଗଲେ ।

 

ଜାନକୀ ଗାଧୋଇ ଆସି ଲୁଗା ପାଲଟି ପିତାଙ୍କୁ ପ୍ରମାଣ କରିବାକୁ ଆସୁଥିଲା । ସେ ପ୍ରତ୍ୟହ ଏହିପରି କରେ । ହଠାତ୍‌ ପିତାଙ୍କୁ ଦେଖି ଧପ୍‌ପରି ଠିଆ ହୋଇଗଲା । ବୃଦ୍ଧ ଉଲ୍ଲାସକଣ୍ଠରେ କହିଲେ–‘‘ତୋ ଗୁଣଧର ପୁଅର ଗୁଣ ଶୁଣିଲୁଣି ମା ? ନବୀନା କେଉଟ ହାତରେ କହିପଠାଇଛି–ଅଜାଙ୍କୁ କହିବୁ ମୋତେ ଖୋଜିବେ ନାହିଁ । ମୁ ତାଙ୍କୁ ଭାଷା ଲେଖିବି । ଆଉ ମୋ ଚଉସାର ପାଳି ସିନ୍ଦୁକରେ ରଖିଦେବେ । କେଉଠିକି ଗଲା, କିଛି କହିନାହିଁ । ନବୀନା କହୁଛି–ଦକ୍ଷିଣକୁ ମୁହଁ କରି ଗଲା । ମୁଁ ଅନୁମାନ କରୁଛି, ସେ ତୋ ମାମୁଘର ଗାଁକୁ ଯାଇଛି । ଯାଉ ଯୁଆଡ଼େ ଗଲା, ମୁଁ ଗୋଟାଏ ଚିନ୍ତାରୁ ପାର ପାଇଲା । କର୍ତ୍ତା ପୁଣି ଆସିବେ ନାହିଁ–ଭାଷା ଲେଖିବେ-। ହେଉ, କି ଭାଷା ଲେଖୁଛି ଲେଖୁ । ବୁଢ଼ୀ ବାସୁଲୀଙ୍କ ଛେନାପଣା ମାନସିକ କରିଥିଲି, ଆଜି ସଜିଲ କରି ଦେଇପଠାଇବୁ ମା ।’’ ଜାନକୀ ଶୁଣିସାରି କହିଲା–‘‘ନା ବାବ, ତମେ ଯାହା କହୁଥିଲ, ତାହାହିଁ କର । ବିଭା କରାଇପକାଇଲେ ତାହାର ଆଉ ଏ ଖେପତ ପଣ ରହିବ ନାହିଁ । ଉଃ, କି ଭାବନାରେ ଆଣି ପକାଇଥିଲା । ବୃଦ୍ଧ ଦର୍ପିତସ୍ୱରରେ କହିଲେ–‘‘ଏହି ବୈଶାଖରେ କି ଆଉ ବିଭାଘର ନକରି ଛାଡ଼ୁଛି ମା ।’’

Image

 

ନବମ ପରିଚ୍ଛେଦ

 

କାଲି ଗୋପାଳର ନିରୂଦ୍ଦେଶ କଥା ଶୁଣି କନକର ଭାବୀ-ଆଶା-ହର୍ମ୍ୟ ଟଳମଳ ହୋଇଗଲା । ସେ ମନେ ମନେ ଭାବିଲା–‘‘ଗୋପାଳ ଯଦି ନ ଆସେ, ତେବେ କଅଣ ହେବ ? ସତେ କି ବିଧାତା ମହାକ୍ଷୁଧାର୍ତ୍ତ ଆଗରେ ପରମାନ୍ନ ଥୋଇ ଦେଇ ଭୁଞ୍ଜିବାକୁ ଯିବାବେଳେ ତାହା କାଢ଼ିନେଇଯିବ ? ହା ବିଧି, ଦୁଃଖୀ ମନରେ ଆଶାର ଆଲୋକ ଟିକିଏ ଦେଖାଇଦେଇ ପରମୁହୂର୍ତ୍ତରେ ତାହା ନିଭାଇ ଦେବାଟା କି ଦୟାର କାର୍ଯ୍ୟ ? ଦୁଃଖୀ ତୁମ୍ଭର ଅନ୍ୟ ଦୟା ଖୋଜେ ନାହିଁ । ଦୁଃଖୀକୁ ଦୁଃଖିଭାବରେ ରଖ, ତାହାହିଁ ତାହା ପକ୍ଷରେ ପରମ ଦୟା ଏବଂ ପରମ ସୁଖ ।’’ କନକ ଏହିପରି କେତେ ଖେଦ କଲା, ଈଶ୍ୱରଙ୍କୁ ଦୁଃଖୀ ବିଷୟରେ କେତେ ଉପଦେଶ ଦେଲା; ତାଙ୍କ କର୍ତ୍ତବ୍ୟର ତ୍ରୁଟି ଦେଖାଇଲା; ମାତ୍ର ଆଜି ଯେତେବେଳେ ଗୋପାଳର ଶୁଭସମ୍ବାଦ ଶୁଣିଲା, ତେତେବେଳେ କହିଲା–‘‘ଈଶ୍ୱର ଯାହା କରନ୍ତି, ମଙ୍ଗଳ ସକାଶେ ।’’ ଲଜ୍ଜା, ଅନୁରାଗ ଏବଂ ଭକ୍ତିରେ ହୃଦୟ ପୂରିଉଠିଲା । ସେ ଯୁକ୍ତକର ହୋଇ ପ୍ରାର୍ଥନା କଲା–‘‘ଦୟାମୟ, ତୁମ୍ଭେ ମଙ୍ଗଳମୟ, ତୁମ୍ଭ କାର୍ଯ୍ୟରେ ଅମଙ୍ଗଳ ଥାଏନାହିଁ ପ୍ରଭୋ । ମୁଁ ଜ୍ଞାନହୀନା ଅବଳା । ତୁମ୍ଭଠାରେ ଦ୍ରୋହୀ ହୋଇଅଛି, କ୍ଷମାମୟ, କ୍ଷମାକର–ବିଶ୍ୱାସ ଦିଅ, ଦେବ । ’’

ଦେଖୁଁ ଦେଖୁଁ ଆଠଦିନ ଆସି ଗତ ହୋଇଗଲା, ଗୋପାଳ ଆସିଲା ନାହିଁ, କି ତାହାର ପତ୍ର ସୁଦ୍ଧା ଆସିଲା ନାହିଁ । ବୃଦ୍ଧଙ୍କ ହୃଦୟର ଶୁଷ୍କପ୍ରାୟ କ୍ଷତ ପୁଣି ଟିକିଏ ଟିକିଏ ବିସର୍ପିତ ହୋଇଉଠିଲା । ସବୁବେଳେ ମନ ବିରସ । ନିର୍ବାଣୋନ୍ମୁଖ ଚିନ୍ତାନଳ ପୁଣି କୁହୁଳି ଉଠିଲା । ମନରେ ନାନା ଆଶଙ୍କାର ଛାୟାପାତ ହେଲା । ଯେ ଯାହାକୁ ଯେତିକି ସ୍ନେହ କରେ, ସେ ତାହା ପାଇଁ ତେତିକି ଅମଙ୍ଗଳ ଆଶଙ୍କା ମଧ୍ୟ କରେ । କାଳେ କିଛି ରୋଗ ପୀଡ଼ା ଘଟିବ, କାଳେ କିଛି ବିପଦ ଆପଦ ଘଟିବ, ଏହିପରି ଗୁଡ଼ାଏ ଅମୂଳକ ବିଫଳ କଳ୍ପନା ସୃଷ୍ଟି କରି ଯନ୍ତ୍ରଣା ଭୋଗକରେ । ଯେ ସ୍ନେହ ଭୋଗ କରେ, ସେ ଅମୃତ ଭୋଗକରେ; ଆଉ ଯେ ସ୍ନେହ ଦାନ କରେ, ତାହା ଭାଗ୍ୟରେ ଯନ୍ତ୍ରଣାର ହଳାହଳ ଲାଭ ହୁଏ । ଯାହା ହେଉ ବୃଦ୍ଧଙ୍କୁ ଆଉ ଅଧିକ ଦିନ ଚିନ୍ତାସାଗରରେ ସନ୍ତରଣ କରିବାକୁ ହେଲାନାହିଁ । ଦିନେ ଦୁଇପ୍ରହର ବେଳେ ଡାକ ପାଇକ ଆସି ଡାକିଲା–‘‘ମହାପାତ୍ର ପୁଅ, ଆପଣଙ୍କର ଚିଠି ଅଛି ।’’ ସତେ କି ମହାତୃଷାର୍ତ୍ତ ଆଶାୟୀ ଚାତକ ଘନଗର୍ଜନ ଶୁଣିଲା । ବୃଦ୍ଧ କର୍ଣ୍ଣରେ ସେ ଡାକ ଅମୃତ ବର୍ଷଣ କଲା । ସେ ଧାଇଁ ଯାଇ ଚିଠି ଖଣ୍ଡକ ପାଇକ ହାତରୁ ନେଇ ଏକ ନିଃଶ୍ୱାସରେ ଘରକୁ ଫେରି ଆସିଲେ । ଆସୁଁ ଆସୁଁ ଚୌକାଠ ବନ୍ଧଟା ହାବୁଡ଼ି ପଡ଼ିଲେ, ଗାମୁଛାଟା କାନ୍ଧରୁ ଖସିପଡ଼ି ଚୁମ୍ବନ କଲା; ବସୁଁ ବସୁଁ ଖଟ ଖୁରା ବାଜି ଆଣ୍ଠୁ ଛିଡ଼ିଗଲା । ଅତି ଅଧୀର ହେଲେ ଏହିପରି ହୁଏ । ଏହି ରୂପେ ମାତୁଆଳାଙ୍କ ପରି ହୋଇ ଉଦ୍‌ବେଗ କମ୍ପିତ ହସ୍ତରେ ପତ୍ରର ବହିରାବରଣ ଚିରପକାଇ ଭିତରର ଲେଖା ଖଣ୍ଡି ପାଠକଲେ । ପତ୍ରରେ ଏହିପରି ଲିଖିତ ଥିଲା–

‘‘ଶତକୋଟି ଭୂମିଷ୍ଠ ପ୍ରଣାମ ।

ଅଜା, ପତ୍ର ଲେଖିବାକୁ ଲଜ୍ଜାରେ ହାତ ଥରୁଛି । ତୁମେ କଅଣ ସତେ ଏ ଅକୃତଜ୍ଞଟାକୁ, ନିମକହାରାମଟାକୁ କ୍ଷମା କରିବ ? ନା ନା, ମୋର ଦୋଷ କ୍ଷମାରୁ ବଳିଯାଇଛି । ଭାବୁଛି–କେଉଁ ମୁହଁରେ ଯାଇ ତମ କତିରେ କ୍ଷମା ମାଗିବି ? ଅଜା, ତମ ସ୍ନେହର ସ୍ମୃତି ମୋ ହୃଦୟକୁ ଜାଳିଦେଉଛି-। ମନରେ ଭାରି ଆତ୍ମଧିକ୍‌କାର ଆସୁଛି । ମୁଁ ଜାଣେ, ମୁଁ ଯେଡ଼େ ଅଭାଜନ ହେଲେ ସୁଦ୍ଧା ତୁମ୍ଭର ପବିତ୍ର ସ୍ନେହ କଳୁଷିତ ହେବ ନାହିଁ, ତାହା ନିର୍ମଳ ଧାରାରେ ପୂର୍ବପରି ମୋ ଉପରେ ଅମୃତ ବର୍ଷଣ କରିବ । ମୁଁ ତୁମ୍ଭ ମନରେ କଷ୍ଟ ଦେଇ କି ଅନ୍ୟାୟ କରିଛି, ତାହା ମୁଁ ଭଲରୂପେ ବୁଝିଲିଣି । ତମ ହୃଦୟରେ ମୁଁ ଯେଉଁ ହୁତାଶନ ଜାଳିଛି, ସେହି ହୁତାଶନରେ ମୁଁ ନିଜେ ପଡ଼ି ଛଟପଟ ହୋଇ ମରୁଛି-। ତମ କଥାରେ ମୁଁ ରାଗକରି ଆସିନାହିଁ । ଅଜା, ତମ କଥାରେ କି ମୁ ରାଗ କରିପାରେ ? ଗୋଟାଏ ଅଲଣା ଅଭିମାନରେ ଆଗପଛ ନ ବିଚାର ଚାଲିଆସିଲି । ସେ ବୃଥା ଅଭିମାନର ମୂଲ୍ୟ କେତେ ? ତାହା ଭାବି ମୁଁ ଆପେ ଆପଣାକୁ ତିରସ୍କାର କରୁଛି । ସେସବୁ କଥା ଲେଖିବାର କିଛି ଫଳ ନାହିଁ । ମୋର କର୍ମର ଅନୁତାପ ମୋତେ ଭୋଗ କରିବାକୁ ଦିଅ । ସେହିଥିରେ ମୋର ଯଥେଷ୍ଟ ଶିକ୍ଷା ହେବ; ସଙ୍ଗେ ସଙ୍ଗେ ମୋର ପାପର ପ୍ରାୟଶ୍ଚିତ୍ତ ମଧ୍ୟ ହୋଇଯିବ । ମୋ କାର୍ଯ୍ୟରୁ ମୁଁ ଜାଣି ପାରୁଛି ଯେ, ମୁଁ ତୁମ୍ଭ କ୍ଷମାର ଅଯୋଗ୍ୟ ।

‘‘ସେ ଦିନ ମୁଁ କିପରି ଘରୁ ବାହାରି ଚାଲି ଆସିଲି, ତାହା ମୋର ଠିକ୍‌ ସ୍ମରଣ ହେଉନାହିଁ-। ଯେମନ୍ତ କି ମୁଁ ସ୍ୱ-ଇଚ୍ଛାରେ ଆସିନାହିଁ, କିଏ ମୋତେ ମନ୍ତ୍ରବଳରେ ଘେନିଆସିଛି । ଯେତେବେଳେ ରେଲ ଷ୍ଟେସନରେ ପହଞ୍ଚିଲି, ତେତେବେଳେ ମୋର ଚେତନା ଆସିଲା; କିନ୍ତୁ ଦାରୁଣ ଲଜ୍ଜା ମୋତେ ଆଉ ଘରକୁ ଫେରାଇ ଦେଲାନାହିଁ । ମୋ ହାତରେ ଯେଉଁ ସୁନା ମୁଦିଟା ଥିଲା, ତାକୁ ପନ୍ଦର ଟଙ୍କାକୁ ବିକି କଲିକତାକୁ ଖଣ୍ଡିଏ ଟିକଟ କିଣିଲି । ପ୍ଲାଟଫର୍ମରେ ଜଣେ ବଙ୍ଗାଳି ବାବୁ ଛିଡ଼ା ହୋଇଥିଲେ । ଦାମୀ ପୋଷାକ, ସୁନାଘଡ଼ି, ସୁନାଚଷମାରୁ ବୁଝିଲି–ବାବୁଟି ଖୁବ ବଡ଼ଲୋକ । ସେ ଦୂରରୁ ମୋତେ ହାତ ଠାରି ଡାକିଲେ । ମୁଁ ତାଙ୍କ ପାଖରେ ଠିଆହେଲି । ରେଲଗାଡ଼ି ଛାଡ଼ିବାକୁ ଆହୁରି ଢେର ସମୟ ଥିଲା । ବାବୁଟି ମୋତେ ଅନେକ କଥା ପଚାରିଲେ । ତାଙ୍କ କଥାରୁ ବୋଧହେଲା, ସେ କେବେ ମଫସଲ ଗାଁ ଦେଖିନାହାନ୍ତି । ସେ ଯାହା ପଚାରିଲେ, ମୁଁ ତାହା ସବୁ କହିଲି । ସେ ଖୁବ୍‌ ଆଗ୍ରହରେ ଶୁଣିଲେ, ଆଉ ଅତି ଆନନ୍ଦିତ ହେଲେ । ପଲ୍ଲୀ ଗ୍ରାମରେ କି କି ଫସଲ ହୁଏ, ପିଲାମାନେ ସକାଳେ କଅଣ ଖାଆନ୍ତି, କେଉଁଠି ଖେଳନ୍ତି, କି କି ଖେଳନ୍ତି, ପୋଖରୀରେ କି କି ଫୁଲ ଫୁଟେ, ଏହିପରି କେତେ ପ୍ରଶ୍ନ ପଚାରିଲେ । ମୋ କଥାକୁ ସେ ଏପରି ମନ ଦେଇ ଶୁଣୁଥାଆନ୍ତି ଯେ, ଯେପରି ସେ କଥାଗୁଡ଼ାକ ଏକ ନିଃଶ୍ୱାସରେ ଗିଳି ଦେଉଛନ୍ତି । ଶେଷରେ ମୋର କଲିକତାକୁ ଯିବା କଥା ଶୁଣି ଟିକିଏ ଘୃଣା ପ୍ରକାଶ କରି କହିଲେ–‘‘ତୋତେ ଏ ଦୁର୍ବୁଦ୍ଧି କିଏ ଦେଲା ? ତୋର ଘର ଓଡ଼ିଶାରେ । ତୋ ଘର ଚାରିପାଖରେ ରତ୍ନ ବିଞ୍ଚୁଡ଼ି ହୋଇ ପଡ଼ିରହିଛି । ଆଉ ତୁ ଟଙ୍କା ରୋଜଗାର କରିବାକୁ କଲିକତା ଯାଉଛୁ ? ଯେଉଁ ଦେଶ ପ୍ରାକୃତିକ ବିଭବରେ ପୂର୍ଣ୍ଣ, ଯାହାର ବନଗିରିମାନ ରତ୍ନର ଗନ୍ତାଘର, ଯାହାର ରେଣୁ ସ୍ୱର୍ଣ୍ଣରେଣୁଠାରୁ ମୂଲ୍ୟବାନ୍‌, ସେ ଦେଶର ଲୋକ ହୋଇ ତୁ ଏଡ଼େ ନିର୍ବୋଧ ! ତୋର ରାଜରାଜେଶ୍ୱରୀ ମା ଅନ୍ନର ବିରାଟ ଛତ୍ର ଖୋଲି ଦୁଇ ହାତରେ ଅନ୍ନ ବିତରଣ କରୁଅଛନ୍ତି, ଆଉ ତୁ ସେହି ଅନ୍ନପୂର୍ଣ୍ଣାଙ୍କର ପୁତ୍ର ହୋଇ ପରଦ୍ୱାରରେ ଭିକ୍ଷା କରିବାକୁ ବାହାରିଛୁ ? ଧିକ୍‌ ତୋତେ, ଲଜ୍ଜା ନାହିଁ । ମୁଁ ଗୋଟାଏ ଉପାୟ କହିଦେବି, ତୁ ଆଉ କୁଆଡ଼େ ନ ଯାଇ ତୋର ମାତୃଭୂମିର ସୁଖକର ଶୀତଳ ଅଙ୍କରେ ବସି ଯଥେଷ୍ଟ ଅର୍ଥୋପାର୍ଜନ କରି ପାରିବୁ । ଉପାୟ କଠିନ ନୁହେଁ–ଖୁବ୍‌ ସହଜ । ଯଦି ତୋର ଇଚ୍ଛା ହୁଏ, ତେବେ ମୋ ସାଙ୍ଗରେ କାଳୀମାଟି ପର୍ଯ୍ୟନ୍ତ ଚାଲ, ମୁଁ ତୋର ଭଲ ବ୍ୟବସ୍ଥା କରିଦେବି ।’’ ବାବୁଟିର ଏ କଥା ଶୁଣି ମୋ ମନରେ ଖୂବ୍‌ ଉତ୍ସାହ ଜାତ ହେଲା । ମୁଁ ସଙ୍ଗରେ ଯିବାକୁ ସ୍ୱୀକାର କଲି । ଏହି ସମୟରେ ରେଲ ଛାଡ଼ିବାର ଘଣ୍ଟା ବାଜିଲା । ତହୁଁ ଗୋଟାଏ ଚାଞ୍ଚଲ୍ୟର ସ୍ରୋତ ବହିଗଲା । ରେଲ କର୍ମଚାରୀମାନେ ଧାଁଧପଡ଼ କଲେ । ତନ୍ତୀ ଲୁଣ୍ଡି କାଢ଼ିଲାପରି ଯାତ୍ରୀମାନେ ଏ ପାଖରୁ ସେ ପାଖ ଏବଂ ସେ ପାରୁ ଯାଏଁ ଧାଇଁ ଧାଇଁ ବୁଲି ଭଲ ସ୍ଥାନ ଖୋଜିବାକୁ ଲାଗିଲେ । ଡ଼ାକହାକରେ ଗୋଟାଏ କ୍ଷୁଦ୍ର ହାଟ ବସିଗଲା । ମୁଁ ବାବୁଟି ସାଙ୍ଗରେ ଯାଇ ଗାଡ଼ିରେ ବସିଲି । ରେଲ କ୍ରୁଦ୍ଧ ଦୈତ୍ୟ ପରି ଗୋଟାଏ ଭୀଷଣ ଗର୍ଜନ କରି ଚାଲିବାକୁ ଲାଗିଲା । ବାବୁଟି ଟ୍ରଙ୍କରୁ କିଛି ମିଷ୍ଟାନ୍ନ ଏବଂ ଫଳ ବାହାର କରି ମୋତେ ଅଧେ ଦେଇ ଅବଶିଷ୍ଟ ଆହାର କଲେ । ଆହାର ଶେଷରେ ପୁରେଇରୁ କାଚଗ୍ଲାସରେ ପାଣି ଢାଳି ପିଇଲେ ଏବଂ ମୋତେ ମଧ୍ୟ ପିଇବାକୁ ଦେଲେ । ତହିଁ ପରେ ଗୋଟାଏ ସିଗାରେଟ ପକେଟରୁ ବାହାର କରି ଡିଆସିଲି ଜାଳି ତାକୁ ଧରାଇଲେ । ସୁଗନ୍ଧ ଧୂଆଁରେ ରେଲଗାଡ଼ି କକ୍ଷ ଆମୋଦିତ ହୋଇ ଉଠିଲା । ସିଗାରେଟ୍‌ ଟାଣିସାରି ବାବୁଟି ମୋ ସଙ୍ଗରେ ଗଳ୍ପରେ ପ୍ରବୃତ୍ତ ହେଲେ । ତାଙ୍କ ସହିତ କଥାବାର୍ତ୍ତା କରି ବୁଝିଲି, ତାଙ୍କର ନାମ ସୁରେଶଚନ୍ଦ୍ର ଘୋଷ । ସେ ଓଡ଼ିଶାର ନାନା ସ୍ଥାନରେ ବୁଲି ଭୈଷଜ୍ୟ ପଦାର୍ଥ କଲିକତାକୁ ରପ୍ତାନି କରୁଅଛନ୍ତି । ଜର୍ମାନଯୁଦ୍ଧ ହେତୁ ବିଲାତି ଔଷଧ ଆସୁନାହିଁ । ଡାକ୍ତରମାନେ ଦେଶୀୟ ମୂଳମୂଳିକାରୁ ଔଷଧ ପ୍ରସ୍ତୁତ କରୁଅଛନ୍ତି । କୋଚିଳା ଫଳ ଆଉ ଧୁତୁରା ପତ୍ରରେ ଦୁଇଟା ଖୁବ୍‌ ଦାମିକା ଔଷଧ ତିଆରି ହୁଏ । ସୁରେଶ ବାବୁ ଓଡ଼ିଶାରୁ ସେହି ଦୁଇ ପଦାର୍ଥ ପଠାଉଅଛନ୍ତି । କୋଚିଳାର ମହଣ ବର୍ତ୍ତମାନ କୋଡ଼ିଏ ଟଙ୍କା, ଆଉ ଶୁଖିଲା ଧୁତୁରାପତ୍ରର ମହଣ ପନ୍ଦର ଯଙ୍କା ହୋଇଅଛି । ସୁରେଶ ବାବୁ କଲିକତାରେ ଗୋଟିଏ କୋମ୍ପାନୀକୁ ମାଲ ଯୋଗାଉ ଅଛନ୍ତି । ସେଥିରେ ତାଙ୍କର ଖୁବ୍‌ ଲାଭ ହେଉଅଛି । ଗଲା ମାସରେ ଖର୍ଚ୍ଚ-ବର୍ଚ୍ଚ ଯାଇ ଏକ ହଜାର ଟଙ୍କା ଲାଭ ହୋଇଥିଲା । ସୁରେଶ ବାବୁ କାଳୀମାଟିରେ ଥାଆନ୍ତି । ଓଡ଼ିଶାର ମୋଗଲବନ୍ଦୀ ଏବଂ ଗଡ଼ଜାତର କେତେକ ସ୍ଥାନରେ ତାଙ୍କର କାରବାର ଗଳୁଛି । ସେ ସମୟ ସମୟରେ ସେ ସ୍ଥାନମାନଙ୍କୁ ଯାଇ ତତ୍ତ୍ୱ ନିଅନ୍ତି । ଭୁବନେଶ୍ୱରର କୋଚିଳା ବଣ ପଟା ନେବାକୁ ଆସି ସେ ଦିନ କାଳୀମାଟି ଫେରିଯାଉଥିଲେ । ମୁଁ ତାଙ୍କରି ବସାରେ ଅଛି । ମୋତେ ସେ କୋଡ଼ିଏ ଟଙ୍କା ଦରମାରେ ନିଯୁକ୍ତ କରିଅଛନ୍ତି । ମୋର କାର୍ଯ୍ୟକ୍ଷେତ୍ର ଭୁବନେଶ୍ୱରରେ ଧାର୍ଯ୍ୟ ହୋଇଅଛି । ମାସକ ପରେ ମୁଁ ସେଠାକୁ ଯାଇ କୋଚିଳା ବଣରେ ଧୁତୁରା ମଞ୍ଜି ବୁଣିବାର ବ୍ୟବସ୍ଥେ କରିବି । ବର୍ଷକ ପାଇଁ ମୁଁ ନିଯୁକ୍ତ ହୋଇଅଛି । ଏଥି ଭିତରେ ଆଉ ଘରକୁ ଯାଇ ହେବ ନାହିଁ । ବର୍ଷକ ପରେ ଯାଇ ତୁମ୍ଭ ଶ୍ରୀଚରଣ ଦର୍ଶନ କରିବି । ନବୀନା କେଉଟ ହାତରେ ଯାହା କହି ପଠାଇଥିଲି, ସେ କହିଥିବ । ବଡ଼ମାଆଙ୍କୁ ମୋର ଦଣ୍ଡବତ କହିବ । ମୁଁ ତାଙ୍କ ମନରେ କଷ୍ଟ ଦେଇଛି, କୁପୁତ୍ର ଜ୍ଞାନରେ ମୋତେ ସେ କ୍ଷମା କରିବେ । ତାଙ୍କୁ ମୋ ରାଣ ପକାଇ କହିବ, ସେ କାନ୍ଦିବେ ନାହିଁ । ତୁମ୍ଭେମାନେ ମୋ ପାଇଁ ଚିନ୍ତା କରିବ ନାହିଁ, ତୁମ୍ଭମାନଙ୍କର ଆଶୀର୍ବାଦ ମୋତେ ରକ୍ଷା କରିବ ।’’

ଅଧମ ସେବକ, ଶ୍ରୀ ଗୋପଳ

ପତ୍ର ପାଠକରି ବୃଦ୍ଧ ମହାପାତ୍ରଙ୍କର ଆନନ୍ଦର ସୀମା ରହିଲା ନାହିଁ । ତାଙ୍କର ଗୋପାଳ କୋଡ଼ିଏ ଟଙ୍କାର ଚାକିରୀ କରିଛି, ଏହାଠାରୁ ବଳି ଆନନ୍ଦ କଅଣ ଅଛି ? ସେ ଆନନ୍ଦରେ କାନ୍ଦିପକାଇଲେ । ଦୁଃଶାଶ୍ରୁରେ ଆନନ୍ଦାଶ୍ରୁ ମିଶିଲା, ହୃଦୟର ବେଦନା ଉଶ୍ୱାସ ହେଲା ବୃଦ୍ଧ ଅଧୀର ଆନନ୍ଦରେ ଉନ୍ମତ୍ତ ହୋଇ ଧାଇଁ ଯାଇ ଝିଅକୁ ଏ ସୁସମ୍ବାଦ ପ୍ରଦାନ କଲେ ଏବଂ ରଙ୍କନିଧି ପରି ଗୋପାଳ ଚିଠିଖଣ୍ଡିକ ଅତି ଆଦରରେ, ଅତି ସାବଧାନତାରେ ଫିଟାଇ ହର୍ଷଗଦ୍‌ଗଦ ସ୍ୱରରେ ପଢ଼ିବାକୁ ଲାଗିଲେ । ପଢ଼ୁଁ ପଢ଼ୁଁ ବୃଦ୍ଧଙ୍କର ଲୋତକରେ ଦୁଇ ଗଣ୍ଡ ରେଖାମୟ ହୋଇଗଲା । ଜାନକୀ ମଧ୍ୟ ନେତ୍ରରୁ ଭାଦ୍ରମାସର ବନ୍ୟାସ୍ରୋତ ବୁହାଇ ଦେଲା । ଏ କ୍ରନ୍ଦନ ଦୁଃଖର ନୁହେଁ–ସୁଖର, ବିଷାଦର ନୁହେଁ–ଆନନ୍ଦର । ଜାନକୀ କାନ୍ଦୁ କାନ୍ଦୁ ସ୍ନେହାର୍ଦ୍ର କଣ୍ଠରେ କହିଲା–‘‘ହାୟ, ମୋ ବାୟା ଏତେ ବୁଦ୍ଧି ପେଟରେ ରଖିଥିଲା, ଠାକୁରେ ତାକୁ ଆୟୁଷ ଦେଉନ୍ତୁ ।’’ ଘଡ଼ିକ ମଧ୍ୟରେ ଏ କଥା ଗ୍ରାମସାରା ରାଷ୍ଟ୍ର ହୋଇଗଲା । ପ୍ରତିବେଶୀମାନେ ଆସି ମହାପାତ୍ରଙ୍କ ଘରେ ରୁଣ୍ଡ ହେଲେ । ଗୋପାଳର ପ୍ରଶଂସା ବହୁଧାରାରେ ବହିଗଲା । ଯେ କେବେ ପ୍ରଶଂସା କରେନାହିଁ, ସେ ବି ପ୍ରଶଂସା ନ କରି ରହିପାରିଲା ନାହିଁ । ବୃଦ୍ଧ କାଗଜ କଲମ ଘେନି ପ୍ରତିପତ୍ର ଲେଖିବାକୁ ବସିଗଲେ ।

‘‘ଆଶୀର୍ବାଦ ବିଶେଷ ।

ପ୍ରାଣର ଗୋପାଳ ଭାଇରେ, କି ଶୁଭ ମାହେନ୍ଦ୍ର କ୍ଷଣରେ ଆଜି ପ୍ରଭାତ ହୋଇଥିଲା । ତୋର ପତ୍ର ପାଇଁ ଯେ ଆନନ୍ଦ ଲାଭକଲି, ଦରିଦ୍ର ହୃତ ନିଧି ପାଇ ସେପରି ଆନନ୍ଦିତ ହେବ ନାହିଁ । ତୁ ଯେ ଏ ବୃଦ୍ଧର ଜରାଜୀର୍ଣ୍ଣ ଭଗ୍ନ ପଞ୍ଜରୀରେ ଦୁଃଖର ହିମାଳୟ ପର୍ବତ ଚାପିଦେଇ ଚାଲିଯିବୁ, ଏହା ମୁ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲି । ତୁ ମୋର ଜୀବନ–ସର୍ବସ୍ୱ, ନୟନର ମଣି, ତୋତେ ନ ଦେଖି ମୁଁ ଅନ୍ଧ ହୋଇଯାଇଥିଲି । ଆଜି ତୋର ପତ୍ର ଖଣ୍ଡିକ ମୋତେ ଚକ୍ଷୁଦାନ କଲା । ତୁ କ୍ଷମା କଥା ଲେଖିଛୁ, ତାହା ପଢ଼ି ମୋର ବକ୍ଷ ଶତଧା ବିଦୀର୍ଣ୍ଣ ହେଉଅଛି । ତୋର ସହସ୍ର ଦୋଷ ମୋ ପାଖରେ କ୍ଷମଣୀୟ, ଏହା କି ତୁ ଜାଣିନାହୁଁ ? ତୁ ଆଉ ମନ ବିକୃତ କରିବୁ ନାହିଁ, ଗ୍ରହଦୋଷ କଅଣ ନକରେ ? ତୋର ବର୍ତ୍ତମାନ ଜନ୍ମ ବୃହସ୍ପତି, ତାହା ସାମାନ୍ୟ ଅମଙ୍ଗଳ ନୁହେଁ । ଜନ୍ମ ବୃହସ୍ପତି ଦଶାରେ ଭଗବାନ, ରାମଚନ୍ଦ୍ର ବନବାସୀ ହୋଇଥିଲେ, ସାମାନ୍ୟ ମନୁଷ୍ୟର ଚାରା ବା କଅଣ ? ଆଉ ତୁ ତ ବାଳକ ମାତ୍ର । ଯେଉଁ ବାବୁଟି ତୋ ପ୍ରତି ଏତେ ଦୂର କୃପା ପ୍ରକାଶ କଲେ, ସେ ଅନ୍ୟ କେହି ନୁହେଁ–ଆମ୍ଭମାନଙ୍କର ଭାଗ୍ୟ ଦେବତା । ସାତ ଜନ୍ମରେ ଆମ୍ଭେମାନେ ତାଙ୍କର ଋଣ ଶୁଝିପାରିବା ନାହିଁ । ତାଙ୍କୁ ମୋର ଆନ୍ତରିକ କୃତ୍ତଜ୍ଞତା ଜଣାଇବୁ । ତୁ ଖାଲି ମୋର ଘର ଅନ୍ଧାର କରି ଦେଇ ଯାଇନାହୁଁ, ମୋ ହୃଦୟ ବି ତୋ ବିନା ଅନ୍ଧାର । ତୋର ଟଙ୍କା କଣ ଅଭାବ ଯେ, ତୁ ଟଙ୍କା ରୋଜଗାର କରିବାକୁ ଗଲୁ ? ଯାହାହେଉ ସେଥିରେ ଯଦି ତୋର ଆନନ୍ଦ ହୁଏ, ତେବେ ଚାରି ଛମାସ ସେ ଆନନ୍ଦ ଭୋଗ କରି ଘରକୁ ଫେରିଆସିବୁ । ଆଉ ଭୁବନେଶ୍ୱର ଆସିଲା ଦିନ ଏହିବାଟେ ଆସିବୁ । କାନ୍ଦି କାନ୍ଦି ତୋ ବଡ଼ମାର ଆଖି ଗେଣ୍ଡା ପରି ଫୁଲିଗଲାଣି । ତୁ ଗଲାଦିନୁ ପାଏ ଚାଉଳ ଭାତ ତାହା ପେଟକୁ ଯାଇନାହିଁ । ତୋର ଚିଠି ପଢ଼ି ଆଜି ସେ ଟିକିଏ ଧୈର୍ଯ୍ୟ ଧରିଛି । ତୁ ତାକୁ ରାଣ ପକେଇ ଲେଖିଥିଲୁ, ସେ ବି ନିୟମ ଦେଇ କହିଛି, ‘‘ତୁ ଚଞ୍ଚଳ ଆସିବୁ ।’’ ତୋତେ ଦେଖିବା ଲାଗି ସେ ବଡ଼ ଆତୁର ହେଉଛି । ତାହାର ଏବଂ ମୋହର ଆଶୀର୍ବାଦ ଗ୍ରହଣ କରିବୁ । ଭଗବାନ୍‌ ତୋତେ ଦୀର୍ଘାୟୁ କରି ଚିରସୁଖୀ କରନ୍ତୁ, ତାଙ୍କ ମଙ୍ଗଳପ୍ରଦ ପାଦପଦ୍ମରେ ବାକ୍ୟ–ମନଃପ୍ରାଣରେ ଏତିକି ମୋର ବିନିୟପ୍ରାର୍ଥନା । ଇତି

ତୋର ଶୁଭାନୁଧ୍ୟାୟୀ, ଅଜା’’

Image

 

ଦଶମ ପରିଚ୍ଛେଦ

 

ଗୋପାଳର ସୁବୁଦ୍ଧି ଲାଭ ଏବଂ ଚାକିରୀଲାଭ ଉଭୟ ସମ୍ୱାଦରେ କନକ ଆନନ୍ଦିତ ହେଲା; ମାତ୍ର ତାହାର ମନଟା କଳ୍ପିତ ଆଶଙ୍କାରେ ଗୁଡ଼ୁପୁଡ଼ୁ ହେବାକୁ ଲାଗିଲା । ସେ ମନେ ମନେ ଭାବିଲା–‘‘ଗୋପାଳ ଯଦି ନ ଆସେ, ମୋ ମେନିର ଅବସ୍ଥା କଅଣ ହେବ ? ଗରିବଘରେ ଅସୁନ୍ଦରୀ କନ୍ୟା ଜନ୍ମ ଦେଇ ବିଧାତା ତାହା ମସ୍ତକ କଠୋର ବଜ୍ରାଘାତ କରନ୍ତି । ବାସ୍ତବରେ ଉଚ୍ଚ ଜାତିର ଗରିବ ପକ୍ଷରେ ଏରୂପ ଅଗ୍ନିମୟ ଅଭିଶାପ ଆଉ କଅଣ ଅଛି ? ସୌନ୍ଦର୍ଯ୍ୟ ଯଦି ନାରୀ-ଗୌରବର ଏକମାତ୍ର ଉପାଦାନ, ତେବେ ବିଧାତା ସେ ଅମୂଲ୍ୟ ସମ୍ପତ୍ତି ପ୍ରତ୍ୟେକ ନାରୀକୁ ନ ଦିଅନ୍ତି କାହିଁକି ? ଏହା ତାଙ୍କ ପକ୍ଷପାତ ନା କଠୋର ପରିହାସ । ଆଉ ମୋ ମେନକା କଅଣ ସୁନ୍ଦର ନୁହେଁ ? ସମସ୍ତେ ତ କହନ୍ତି, ତାହାର ଗଠନ ଚମତ୍କାର, ଖାଲି ବର୍ଣ୍ଣ କଳା ହେଲା ବୋଲି କଅଣ ସେ କୁତ୍ସିତ ! ରୂପ ଧଳା ହେଲେ କି ସବୁ ହେଲା ! ଉଚ୍ଚ କପାଳୀ ହେଉ, ଛାମୁଦାନ୍ତୀ ହେଉ, ପେଚାନାକୀ ହେଉ, ଚେଙ୍ଗଜଳକୀ ହେଉ, ନଳଗୋଡ଼ୀ ହେଉ, ଅଥଚ କାଣୀ, କୁଜୀ, ଜାଡ଼ୀ, ହାଉଡ଼ୀ, ଓଲେଈ, ଚୋରଣୀ, ହାଣ୍ଡି ଖାଈ ଯାହାହେଉ ଖାଲି ଚମ ଧଳା ହେଲେ କି ସ୍ୱର୍ଗର ଅପ୍‌ସରା- ଶ୍ରେଣୀକୁ ଉଠିଯିବ ? ରୂପ ଯଦି ନାରୀର ନାରୀତ୍ୱ, ତେବେ ଜୀବିତ ନାରୀମୂର୍ତ୍ତି ଅପେକ୍ଷା ଚିତ୍ର ମୂର୍ତ୍ତିରେ ରୂପ ଅଧିକ ଫୁଟେ । ତାକୁ କି ନାରୀ ମର୍ଯ୍ୟାଦା ଦିଆଯାଇପାରେ ? ଏ କାଳରେ ଚିତ୍ର ପ୍ରତିମାଗୁଡ଼ିକ ନାରୀର ଅଧିକାର ପାଇଲେ ଆଉ ସୁନ୍ଦରୀ କନ୍ୟାର ଅଭାତ ହେବ ନାହିଁ । ମନୁଷ୍ୟ ହୋଇ ମନୁଷ୍ୟକୁ ରୂପ ଦେଖି ହାତୀ ଘୋଡ଼ା ପରି ମୂଲ୍ୟ କରିବା କି ହୃଦୟହୀନତାର କଥା ନୁହେଁ-? ଗୋପାଳ ଆସି ଯଦି କାଳୀ କନ୍ୟା ବୋଲି ବିବାହ ନ କରେ, ତେବେ ଉପାୟ କଣ ? ସେ ଯେ ଆସିବ, ଏହାର ବା ସ୍ଥିରତା କଣ ? ଯାହାର ବାପ, ମା, ଘର, ଦୁଆର କିଛିନାହିଁ, ସେ କି ଆକର୍ଷଣରେ ଆସିବ ? ରକ୍ତର ସମ୍ପର୍କ ତ ନାହିଁ, ରକ୍ତ ସିନା ରକ୍ତକୁ ଟାଣେ । ତେବେ ଗୋପାଳ ସେପରି ପିଲା ନୁହେଁ । ସେ ମୋତେ ମା ପରି ଭକ୍ତି କରେ–ମେନିକି ସାନ ଭଉଣୀ ପରି କେତେ ଆଦର ସ୍ନେହ କରେ । ଦିନେ କହିଥିଲା–‘ମାଇଁ, ମୁଁ ତୋର ପୁଅ ହୋଇଥିଲେ ମେନିର ନିଘନ ଭାଇ ହୋଇଥାନ୍ତି ।’’ ଆହା ପିଲାଟିର କି ମାୟାମମତାର ଶରୀର ! ପିଲାଦିନେ ସବୁ ଭଲ ଥିଲା ସତ୍ୟ; ମାତ୍ର ସେ ଭାବ ବଦଳିଯିବା ତ ଅସମ୍ଭବ ନୁହେଁ । ଆଖି ଫିଟିଲା, ପଇସା ରୋଜଗାର କଲା, ଏଣିକି ମତି ଗତି ଫେରିଯିବା ବିଚିତ୍ର କଅଣ ?’’ କନକ ଏହିପରି ଅନେକ ସମୟରେ ଭାବି ନିଜର ଅବିଶ୍ୱାସକୁ ପୃଷ୍ଟିକର ଖାଦ୍ୟ ଯୋଗାଏ । ସ୍ତ୍ରୀ ଜାତିର ସ୍ୱଭାବ, ସେମାନେ ଅଳ୍ପରେ ଅଧୈର୍ଯ୍ୟ ହୋଇପଡ଼ନ୍ତି । ବୃଥା ଗୁଡ଼ାଏ କାଳ୍ପନିକ ଆଶଙ୍କା ସୃଷ୍ଟିକରି ନିଜର କଳ୍ପନା ହୁତାଶନରେ ନିଜେ ଦହିହୁଅନ୍ତି ।

 

ଯେଉଁଦିନ ଗୋପାଳର ପତ୍ର ଆସିଲା, ସେ ଦିନ ମେନକାର ଆନନ୍ଦ ରଖିବାକୁ ଠାବ ମିଳିଲାନାହିଁ । ସେ କେତେବେଳେ ଜାନକୀକୁ ପଚାରେ–‘‘ଅପା, ସତେ ଗୋପାଳ ଭାଇ ଭାଷା ଲେଖିଛି ନା ?’’ କେତେବେଳେ ଯାଇ ବୃଦ୍ଧଙ୍କୁ ପଚାର–‘‘ସାଆନ୍ତ ବାବା, ଗୋପାଳ ଭାଇ କୋଡ଼ିଏ ଟଙ୍କା ଦରମାରେ ଚାକରୀ କରିଛି ବୋଲି ମା କହୁଥିଲା ସତ ନା ?’’ ପିତାପୁତ୍ରୀ ତାହାର ଏ ହର୍ଷବିହ୍ୱଳ ଭାବ ଦେଖି ହସିଉଠନ୍ତି । ସରଳା ବାଳିକା ମନେ ମନେ କେତେ ଆଶା ବାନ୍ଧିଯାଏ । ସେ ଭାବେ–‘‘ଗୋପାଳ ଭାଇ ମୋତେ କେତେ ଭଲପାଏ, ଖାଇବା ପଦାର୍ଥରୁ ମୋତେ ଭାଗ ଦିଏ, ଗଛରୁ କେତେ ପିଦୁଡ଼ି ବିଛେଇଦିଏ । ସେ ଚାକିରୀ କଲାଣି, ଏଥର ଆସିବାବେଳେ ମୋ ଲାଗି କେତେ ଦରବ ଆଣିବ । ନ ଆଣିଲେ ମୁଁ ଖୁବ୍‌ ରୁଷିବି, କଥା କହିବି ନାହିଁ । ନା-ନା, ମୋ ଗୋପାଳ ଭାଇ ସିମିତି ନୁହେଁ–ଆଉ କିଛି ଆଣୁ ବା ନ ଆଣୁ, ଖଣ୍ଡେ ପାଟଶାଢ଼ୀ ଆଉ ମୁଠେ ତାସ ନିଶ୍ଚେ ଆଣିବ ।

 

ଦେଖୁଁ ଦେଖୁଁ ଛ ସାତ ମାସ ଅତୀତ ହୋଇ ଗଲା । ସମୟ ଶିଶୁ ପରି ଚଞ୍ଚଳମତି; ଏଇଠି ଥାଏ, ଚାହିଁଦେଲାବେଳକୁ ଯାଇ କେତେ ଦୂରରରେ ଉଠେ । ଧରିବାକୁ ଗଲେ ହସି ହସି ଆହୁରି ଦୂରକୁ ପଳାଏ । ଗୋପାଳ ଘରକୁ ଆସି ନାହିଁ, ଏଥି ମଧ୍ୟରେ ଦୁଇ ଥରରେ ଦୁଇଶ ଟଙ୍କା ମଣିଅଡ଼ରରେ ପଠାଇଥିଲା । ଭୁବନେଶ୍ୱର ଆସିବାବେଳେ ସମୟାଭାବରୁ ଘରକୁ ଆସିପାରି ନାହିଁ-। ପ୍ରତିମାସ ଅନ୍ତତଃ ଦୁଇ ତିନିଖଣ୍ଡ ପତ୍ର ଲେଖେ । କନକ ଆଉ ବିଳମ୍ୱ ସହି ନ ପାରି ଅସ୍ଥିର ହୋଇଉଠିଲା । ଝିଅ ବଡ଼ ହୋଇ ଘରେ ରହିଲା, ନାନା ଲୋକେ ନାନା କଥା କହିବେ । ବିଶେଷତଃ ଗରିବ ମୁଣ୍ଡରେ କଳଙ୍କ ଲଦିବାକୁ କେହି ପରାଙ୍‌ମୁଖ ହୁଏନାହିଁ । ଗରିବ ଦେଖିଲେ ବାଟର ବାଟୁଆରି ସୁଦ୍ଧା ଦିପଦ କହିଦିଏ । ସାପକୁ ଆଘାତ କଲା ସେ ପଣା ଟେକି ଗର୍ଜିଉଠେ; ମାତ୍ର ଜିଆର ସେ ତେଜ କାହିଁ ? ତାକୁ ମାର ବା କାଟ କିମ୍ୱା ପୋଡ଼, ଯାହା କର, ସେ ନୀରବ । ନିରୀହ ଉପରେ ବଳ ପ୍ରକାଶ କରିବାକୁ ସମସ୍ତେ ଅଗ୍ରସର । ନିରୀହ ସବୁ ସହିବ, ସହି ନ ପାରିଲେ ସେ ମରିବ । ଏହା ଛଡ଼ା ପ୍ରତିବାଦ କରିବାର ଅଧିକାର ତାହାର ନାହିଁ । ଯେହେତୁ ସେ ନିରୀହ–ସହିବା ପାଇଁ ତାହାର ଜନ୍ମ ।

 

ଦିନେ ଖରାବେଳେ ବୃଦ୍ଧ ପୁରନ୍ଦର ମହାପାତ୍ର ଘର ଭିତରେ ଖଟ ଉପରେ ବସି କି କାଗଜପତ୍ର ଦେଖୁଥିଲେ । ଦକ୍ଷିଣ ଦିଗରେ ଖୋଲା ଝରକାବାଟେ ପବନ ପଶିଆସି ତାଙ୍କ ସମ୍ମୁଖବିସ୍ତୃତ କାଗଜପତ୍ରଗୁଡ଼ାକ ଖେଳାଇ-ମେଳାଇ, ଲେଉଟାଇ-ପାଲଟାଇ ଦେଇ ହୋ ହୋ ଶବ୍ଦରେ ହସି ଦ୍ୱାରଫାଙ୍କରେ ଗଳି ପଳାଇ ଯାଉଥାଏ । ବୃଦ୍ଧ ଅସ୍ଥିର ହସ୍ତରେ ତାହାସବୁ ଗୋଟାଇ ସଜାଡ଼ିବାରେ ବ୍ୟସ୍ତ ଥାଆନ୍ତି । ଏହି ସମୟରେ କବାଟର ଗୋଟିଏ ପାଲା ଖୋଲିଗଲା । ସଙ୍ଗେ ସଙ୍ଗେ ଜାନକୀ ଆସି ଖଟପାଖରେ ଠିଆହୋଇ ପଙ୍ଖାଟା ଉଠାଇ ନେଇ ପିତାଙ୍କୁ ବିଞ୍ଚି ଦେଉଁ ଦେଉଁ କହିଲା–‘‘ବାବା, ନୂଆବୋହୂ ଆସିଛନ୍ତି ।’’ ବୃଦ୍ଧ ପଚାରିଲେ–‘‘କଅଣ କହୁଛନ୍ତି ?’’ କନକ ଅନ୍ତରାଳରେ ଥାଇ ଧୀର ଅନୁଚ୍ଚସ୍ୱରରେ କହିଲା–‘‘ଆଉ କଅଣ କହିବି ବାବା, କନ୍ୟା ବଡ଼ ହୋଇ ଘରେ ରହିଲେ ମନ ଯେମିତି ହୁଏ, ତାହା କହି ହୁଏ ନାହିଁ ବାବା । ସବୁବେଳେ ମୋର ତାହାର ଚିନ୍ତା ଆଉ କଅଣ ? ଗୋପାଳ ତ ଆଜିଯାଏ ଆସିଲା ନାହିଁ, ମୁଁ ଏବେ କଅଣ କରିବି ? କନ୍ୟାଦାୟ ବଡ଼ ଦାୟ ବାବା । ’’

 

ବୃଦ୍ଧ–ଗୋପାଳ ଭାଷା ଲେଖିଛି ମା, ମାସକ ପରେ ଆସିବ ।

 

କନକ–ଆସିଲେ ଯେବେ ମେନିକି ବିଭା କରିବାକୁ ମନା କରେ ? ଏ କାଳରେ ତ ପିଲାଏ ବାପ ମା କଥା ମାନୁନାହାନ୍ତି, କାଳେ କହିବେ–ମୁଁ ଅସୁନ୍ଦରୀ କନ୍ୟା ବିଭା ହେବି ନାହିଁ ।

 

ବୃଦ୍ଧା–ଏ କଥା ତମ ମନକୁ ଆସୁଛି ନା, ମା ! ମୁଁ ଆଗରୁ କହିଛି ପରା–କେହି ରାଜି ନ ହେଲେ ମୁଁ ଅଛି, ଚିନ୍ତା କଣ ମା ? ବୃଦ୍ଧ ଏହା କହି ଅନର୍ଗଳ ହସିବାକୁ ଲାଗିଲେ । କନକ ତାଙ୍କର ପରିହାସ ବୁଝିପାରି ମୃଦୁ ହସି କହିଲା–‘‘ହଉ, ସେ ନଉନ୍ତୁ, ମୁଁ ମନା କରୁଛି ନା ?’’

 

ବୃଦ୍ଧ–ଗୋପାଳ ମେନିକି କିମିତି ଭଲପାଏ, ତାହା କି ତମେ ଜାଣ ନାହିଁ ମା ? ପିଲାଟିଦିନୁ ଦୁହେଁ ସାଙ୍ଗୀ, ଏକ ସଙ୍ଗରେ ଖାଇଛନ୍ତି, ଏକ ସଙ୍ଗରେ ଶୋଇଛନ୍ତି, ଏକ ସଙ୍ଗରେ ଖେଳିଛନ୍ତି । ଦୁହିଙ୍କର ଏକ ଆତ୍ମା, ଏକ ପ୍ରାଣ; ଗୋପାଳ କି ମେନିକି ଅନାଦର କରିପାରିବ ? ଆଉ ସେ କି ମୋର ଅବାଧ୍ୟ ହେବ ? ହଁ, କହିବାକୁ ଭୁଲିଯାଇଥିଲି, ମେନି କିପରି ଅଛି ବୋଲି ଗୋପାଳ ପଚାରିଛି । ଆସିବାବେଳେ ତାହା ପାଇଁ କଅଣ ଆଣିବ ବୋଲି ବି ପଚାରିଛି, ଏଥିରୁ କଅଣ ବୁଝାଯାଉଛି ? ତଥାପି ପରବୁଦ୍ଧିରେ ପଡ଼ି ଅମଙ୍ଗ ହୁଏ, ତେବେ ମୁଁ ହଜାରେ ଟଙ୍କା ଖର୍ଚ୍ଚ କରି ଖୁବ୍‌ ଭଲପତ୍ରର କଥା ଯାହା, କାର୍ଯ୍ୟ ତାହା । ଯଦି ଏ ବିଶ୍ୱାସ ତୁମ୍ଭର ଥାଏ, ତେବେ ନିଶ୍ଚିନ୍ତ ହୋଇ ବସିଥାଅ ମା । ଏ କଥାର କିଛି ଉତ୍ତର ନାହିଁ; ସୁତରାଂ କନକ ନୀରବ ରହିଲା ।

 

ଫାଲ୍‌ଗୁନ ମାସ, ପୂର୍ଣ୍ଣ ବସନ୍ତ କାଳ । ଅମରବନ୍ଦିତ ନନ୍ଦନ କାନନ ପୃଥିବୀକୁ ଓହ୍ଲାଇ ଆସିଅଛି । ବାସନ୍ତୀ ଲକ୍ଷ୍ମୀ ସୁଷମା ସହଚରୀ ସହ କୁସୁମ ସିଂହାସନରେ ସଶରୀରରେ ବିରାଜିତା । ତାହାର ଶୀତଳ ସୁରଭି ନିଃଶ୍ୱାସରେ ଚୌଦିଗ ଆମୋଦିତ । କୋକିଳ ସ୍ୱର ତାହାର ଲଳିତ ମଧୁର ଭାଷା । ସେ ମହାଭାଷା ପ୍ରାଣରୁ ଅବ୍ୟକ୍ତ ଭାଷା ଉଠାଇ ଆଣେ । ଯାହାର କର୍ଣ୍ଣ ଅଛି, ସେ ବୁଝେ; ଧନ୍ୟ ହୁଏ । ଜଳ, ସ୍ଥଳ, ପବନ, ଆକାଶ ସବୁ ମଧୁର-ସୁଷମାମୟ । ସୁଷମା ଉପରେ ମଧୁବୃଷ୍ଟି ହେଉଅଛି–ମଧୁ ଉପରେ ସୁଷମା ବୃଷ୍ଟି ହେଉଅଛି । କେଉଁ ସ୍ୱପ୍ନରାଜ୍ୟରୁ ଗୋଟାଏ ମୋହକିର ଉଲ୍ଲାସ ପୃଥିବୀକି ଆସି ତାହାର ଜୀବନର ଧାରା ବଦଳାଇ ଦେଇଅଛି । ଚୌଦିଗ ପଳାଶ ପାଳଧୁଆ, ଶାଳ୍ମଳୀ କୁସୁମରେ ଲାଲେ ଲାଲ ହୋଇଯାଇଅଛି । ଅରଣ୍ୟରେ ମଣି ମାଣିକ୍ୟ ବିଞ୍ଛୁଡ଼ି ହୋଇ ପଡ଼ିଅଛି । ନାଗେଶ୍ୱର, ଛୁରିଅନା ଦିଗ ମଲୋକିତ କରି ରହିଅଛି । ଚରାଚର ପ୍ରକୃତି ଫଗୁଖେଳରେ ମତ୍ତ । ଗୋଧୂଳୀ ଗଗନରେ ସୁରାଙ୍ଗନାକୁଳର ଫଗୁଖେଳ ଲାଗିଅଛି । ଦିନନାଥ ସୂର୍ଯ୍ୟ ଫଗୁ ଛାଟି ଛାଟି ଅସ୍ତଗିରି ଗୁମ୍ଫାଶ୍ରୟୀ ହେଉଅଛନ୍ତି । ମନ୍ଦାର, କୋବିଦାରରେ ଦିଗଙ୍ଗନାଙ୍କର ଅବିର ଖେଳ ଲାଗିଅଛି । ବନଦେବୀଏ ରକ୍ତ କୁସୁମ ଫିଙ୍ଗାଫିଙ୍ଗି ହୋଇ ଫଗୁଖେଳର ଅଭିନୟ କରୁଅଛନ୍ତି । ମାନବମାନେ ଫଗୁ ଜଳରେ ପିଚକାରୀ ମରାମରି ହେଉଅଛନ୍ତି । ଗ୍ରାମପଥ, ପ୍ରାନ୍ତର, ଦେବାଳୟ ଅବିରଚୂର୍ଣ୍ଣରେ ହିଙ୍ଗୁଳିତ । ମେନକା ଗୋଟାଏ ପିଚକାରୀ ଧରି ସାଆନ୍ତ ବାବାଙ୍କ ସଙ୍ଗେ ଫଗୁ ଖେଳିବାକୁ ଆସିଲା । ବୃଦ୍ଧ ତ୍ରସ୍ତ ବ୍ୟସ୍ତ ହୋଇ କହିଲେ–‘‘ରକ୍ଷାକର ମେନି, ତୋତେ ନେହୁରାହେଉଛି, ମଠା ଲୁଗାଟା ପିନ୍ଧିଛି, ଖରାପ ହୋଇଯିବ । ତୋ କୃଷ୍ଣ ଆସୁ, ତୁ ତାହା ସଙ୍ଗରେ ଖେଳିବୁ, ଏ ବୁଢ଼ାଟାକୁ ଏତେ ହରବର କରନା । ନହେଲେ ତୋତେ କିଛି ଲାଞ୍ଚ ଦେବି ପଛେ, ସୁନା ଭଉଣୀଟା ଆଉ ଜଞ୍ଜାଳ ଲାଗାନା । ମେନକା ମୃଦୁହାସ୍ୟ କରି କହିଲା–‘‘ଆଚ୍ଛା ହଉ, କଣ ଲାଞ୍ଚ ଦବ ଦିଅ ।’’ ବୃଦ୍ଧ କହିଲେ–‘‘ତୋ ଲାଗି ଗୋଟାଏ ସୁନ୍ଦର ବର ଆଣିଦେବି ।’’ କାହା ଲାଗି ବର ଆଣିବ ଅଜା ?’’–ହଠାତ୍‌ ଜଣେ ଯୁବକ ଏହା କହି ହସି ହସି ସେଠାରେ ଆସି ଉପସ୍ଥିତ ହେଲା । ମେନକା ତାକୁ ଦେଖି, ତ୍ରସ୍ତା ମୁଗିଣୀ ବ୍ୟାଘ୍ରକୁ ଦେଖି ଯେଉଁପରି ଅସମ୍ଭାଳରେ ପଳାଏ, ସେହିପରି ଛୁଟି ପଳାଇଗଲା । ‘ମୋ ଗୋପାଳରେ’ ବୋଲି କହି ବୃଦ୍ଧ ଯୁବକକୁ କୁଣ୍ଢାଇ ଧଇଲା । ଉଭୟଙ୍କ ନେତ୍ରରୁ ଅଶ୍ରୁପ୍ରବାହ ବହିଆସିଲା । ସେହି ଅଶ୍ରୁର ପୁଣ୍ୟପ୍ରବାହରେ ବେନି ହୃଦୟର ବହୁଦିନ ସଞ୍ଚିତ ଆଘାତ, ଅଭିମାନର ବ୍ୟଥା ମୁହୂର୍ତ୍ତକରେ ଧୋଇଗଲା, ସନ୍ତାପିତ ହୃଦୟ ଶୀତଳ ହେଲା । ଗୋପାଳ ଅଜାଙ୍କର ଗୋଡ଼ତଳେ ପଡ଼ିଗଲା । ବୃଦ୍ଧ ଆନନ୍ଦରେ ବିଭୋର, ଦୀର୍ଘ ଆଶୀର୍ବାଦ କରିବାକୁ ଅବସର ନାହିଁ । ସଂକ୍ଷେପରେ କହିଲେ, ‘‘ଉଠ୍‌ ଉଠ, ବୁଢ଼ାଟିଏ ହୋଇଥାଅ ।’’ ଗୋପାଳ ଉଠିପଡ଼ି ବୃଦ୍ଧଙ୍କ ମୁଖକୁ ଚାହିଁଦେଇ ହସି ହସି କହିଲା–‘ବା, ଆଚ୍ଛା ଶୁଭ ମନାସୁଛ ଅଜା । ମୁଁ ପିଲାଟା, ଏହିଦିନୁ ବୁଢ଼ା ହୋଇଯିବ ?’ ବୃଦ୍ଧ ହସି ହସି କହିଲେ–‘ଏବେ ସୁଦ୍ଧା ଚଗଲାମି ଛାଡ଼ିଯାଇ ନାହିଁ ।’ ଗୋପାଳ କହିଲା–‘‘ନା ଅଜା ସମସ୍ତଙ୍କ ପାଖରୁ ଛାଡ଼ିଯାଇଛି–ଖାଲି ତମ ପାଖରୁ ଛାଡ଼ିନାହିଁ କି ଛାଡ଼ିବ ନାହିଁ ।’’ ଏହି ସମୟରେ ଜାନକୀ ଆସି ପହଞ୍ଚିଲା । ଗୋପାଳ ‘‘ବଡ଼ମା’’ ବୋଲି କହି ଧାଇଁଯାଇ ତାହା ଗୋଡ଼ତଳେ ମୁଣ୍ଡ ଲଗାଇ ଜୁହାରହେଲା । ଜାନକୀ ତାହା ମୁଣ୍ଡରେ ସ୍ନେହର ହସ୍ତ ବୁଲାଇ ଦେଇ ତାକୁ ଉଠାଇଦେଲା । ତହିଁପରେ ପୁତ୍ରକୁ କୋଳରେ ବସାଇ ନେତ୍ରରୁ ଅନର୍ଗଳଧାରା ଗଡ଼ାଇ ଦେଲା । ତାହାର ବନ୍ଧ୍ୟାହୃଦୟ ପୁତ୍ରଗୌରବରେ ପୂରି ଉଠିଲା । ଅନନ୍ଦାତିଶଯ୍ୟରେ ସେ ଅଧିକ କଥା କହିପାରିଲା ନାହିଁ । କେବଳ ଏତିକି କହିଲା–‘ଦେହପା ଭଲ ତ ବାବା ?’ ଗୋପାଳର କଣ୍ଠ ସୁଦ୍ଧା ବାଷ୍ପରୁଦ୍ଧ ହୋଇଯାଇଥିଲା । ସେ ଶିର ସଞ୍ଚାଳନଦ୍ୱାରା ମାତୃପ୍ରଶ୍ନର ଉତ୍ତର ଦେଲା । ଅନନ୍ତର ମାତୃଅଙ୍କରୁ ଉଠିଯାଇ ଦାଣ୍ଡଆଡ଼କୁ ଗଲା । ସେ ବାକ୍‌ସ ପେଟରା ପ୍ରଭୃତି ଗାଡ଼ିରେ ଲଦି ଆଣିଥିଲା । ବୃଦ୍ଧ ତାହାସବୁ ଘରକୁ ନେଇଗଲେ । ଗୋପାଳ ଗାଡ଼ିଆଳକୁ ବିଦାୟ କରିଦେଇ ଘରକୁ ଫେରିଆସିଲା ।

 

ବୃଦ୍ଧଙ୍କ ଗୃହରେ ଆଜି ଆନନ୍ଦ ନାଚି କୁଦି ଖେଳିଯାଉଛି । ଘର, ଦ୍ୱାର, କାନ୍ଥ, ବାଡ଼ ସବୁ ଆଜି ଯେପରି ହସିଉଠୁଛି । ବିଚ୍ଛେଦ ପରେ ମିଳନ ବଡ଼ ମଧୁର । ବିଚ୍ଛେଦର କାଳ ଯେତେ ଦୀର୍ଘ ହୁଏ, ମିଳନ ତେତେ ମଧୁର ହୁଏ । ବୃଦ୍ଧ ଆଜି ବିପୁଳ ଉତ୍ସାହରେ ନାନା କାର୍ଯ୍ୟରେ ଲାଗି ଯାଉଅଛନ୍ତି । କେଉଁଠାରୁ ଗୋଟାଏ ନୂତନ ଶକ୍ତି ତାଙ୍କ ଦେହକୁ ଚାଲିଆସିଅଛି କିମ୍ୱା ତାଙ୍କର ଅତୀତ ଯୌବନ ଫେରିଆସିଅଛି । ଚମାରକୁ ଡ଼ାକି ଡାବ ତୋଳା ହେଉଛି, ବଜାରକୁ ଲୋକ ପଠାଇ ବିଲାତିଆଳୁ, ପଟୋଳ ଖୋଳା ଲାଗିଛି, ଏହିପରି ନାନା କାର୍ଯ୍ୟରେ ସେ ବ୍ୟସ୍ତ । ବାସ୍ତବରେ ବ୍ୟସ୍ତ ହେବାର ମଧ୍ୟ କଥା, ତାଙ୍କ ପ୍ରାଣର ଗୋପାଳ ଏତେ ଦିନ ପରେ ଘରକୁ ଆସିଛି, ତାହାର ଖାଦ୍ୟ ପାନର ଟିକିଏ ବିଶେଷ ବ୍ୟବସ୍ଥା ନକଲେ କି ତାଙ୍କ ସ୍ନେହପ୍ରବଣହୃଦୟ ଥୟ ହେବ ? ଜାମକୀର ମଧ୍ୟ ନିଃଶ୍ୱାସ ମାରିବାକୁ ତର ନାହିଁ । ସେ ଛ ତୁଣ ନ ଭଜାରେ ଲାଗିଛି । ଗୋପାଳ ଯାହା ଖାଇବାକୁ ଭଲପାଏ, ସେ ତାହା ସବୁ ସଯତ୍ନରେ ପ୍ରସ୍ତୁତ କରୁଅଛି ।

 

ଗୋପାଳ ଯାହାପାଇଁ ଯାହା ଆଣିଅଛି, ତାହା ସବୁ ଆଜି ବାଣ୍ଟିଦେବା ପାଇଁ ଟ୍ରଙ୍କ ଖୋଲି ବସିଅଛି । ବୃଦ୍ଧ ଏବଂ ଜାନକୀ ଆଗରେ ବସି ଦେଖୁଅଛନ୍ତି । ମେନକା କିଛି ଦୂରରେ ଅର୍ଦ୍ଧଦୃଶ୍ୟ ଅର୍ଦ୍ଧଅଦୃଶ୍ୟ ସ୍ଥାନରେ ଠିଆ ହୋଇଅଛି । ଗୋଟାଏ ଭଲ ବୁଣା କମ୍ଫଟ ଏବଂ ଗୋଟାଏ ମୋଟା ପଶମୀ କୋଟ ବାହାର କରି ଗୋପାଳ ଅଜା ଉପରକୁ ପକାଇଦେଇ କହିଲା–‘‘ତମ ଲାଗି ଏହିଦୁଇଟି ଜିନିସ ଆଣିଛି ଅଜା, ଶୀତଦିନକୁ ଭଲ ହେବନାହିଁ ।’’ ତହିଁପରେ ଗୋଟାଏ କ୍ଷୀରୋଦି, ପିନ୍ଧା ଦେଖାଇ କହିଲା–‘‘ଏ ଖଣ୍ଡ ବଡ଼ମାର, ସେ ଗାଧୋଇ ଆସି ପିନ୍ଧି ପୂଜା କରିବ, ଠାକୁରବାଡ଼ିକି ଯିବ ।’’ ସାହି-ପଡ଼ିଶା, ସୂର୍ଯ୍ୟ-ମୈତ୍ରଙ୍କ ପାଇଁ କେତେ ପଦାର୍ଥ ଆଣିଥିଲା, ତାହା ସବୁ ଦେଖାଇଲା । ସେ ଅଧିକ କିଛି ନୁହେଁ, କାହା ପାଇଁ ବଟୁଆ ଖଣ୍ଡେ- କାହ ପାଇଁ ମୁଦିଟାଏ, କାହା ପାଇଁ ବା ତାସ ମୁଠେ, ଏହିପରି । ଶେଷରେ ଗୋଟିଏ କାଗଜ ବାକ୍‌ସରୁ କଣ୍ଠି-ପୋହଳାହାର ଗୋଟାଏ ବାହାର କରି ମୃଦୁ ହସି କହିଲା–‘‘ଏ ମେନିର, ସେ କାହିଁ; ତାକୁ ଡ଼ାକ୍‌ ବଡ଼ମା ।’’ ବୃଦ୍ଧ ହସି ହସି ମେନକାକୁ ଚାହିଁ କହିଲେ–‘‘ଆସ ଗୋ ମାନିନି ରାଧେ, କୃଷ୍ଣ ଡ଼ାକୁଛନ୍ତି; ମାନଭଞ୍ଜନ ହାର ଉପହାର ନିଅ । ବର ତ ବରଣମାଳ ଘେନି ଆସିଛି ଆଉ ରୁଷା କାହିଁକି ?’’ ଜାନକୀ ହସି ପକାଇଲା, କନକ ଏଥି ମଧ୍ୟରେ କେତେବେଳେ ଆସି ଠିଆ ହୋଇଥିଲା–ସେ ବି ହସିଉଠିଲା । ମେନକା ଲଜ୍ଜାରେ ମଉଳପଡ଼ି ସେଠାରୁ ଧାଇଁ ପଳାଇଗଲା । ଗୋପାଳ ବୃଦ୍ଧଙ୍କ ମୁହଁକୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ କହିଲା–‘‘ତମର ଯେଉଁ କଥା ନା, ଅଜା ।’’ ବୃଦ୍ଧ କିଛି କହିବା ପୂର୍ବରୁ ଗୋପାଳ ହଠାତ୍‌ ବିଡ଼ାଏ ନୋଟ ତାଙ୍କ ହସ୍ତରେ ଗୁଞ୍ଜିଦେଇ କହିଲା, ‘‘ଅଜା, ଏ ମୋର ଭେଟୀ ।’’ ବୃଦ୍ଧ ବିସ୍ମୟସ୍ତବଧ ଦୃଷ୍ଟିରେ ତାହା ମୁହଁକୁ ଅନାଇ ରହିଲେ । ଗୋପାଳ ତାଙ୍କୁ ତଦବସ୍ଥ ଦେଖି କହିଲା–‘‘ଏ ମୋର ଉପାର୍ଜନ ଅଜା, ତମକୁ ତ ସବୁ କଥା ଆଗରୁ ଲେଖିଛି । ମୁଁ ସୁରେଶ ବାବୁଙ୍କ ପାଖରେ ଚାରି ମାସ ଚାକିରୀ କଲା ପରେ ସେ ପଶ୍ଚିମର କେଉଁ ରାଜାଙ୍କର ଦେଓ୍ୟାନ ହୋଇଗଲେ । ଦରମା ମାସକୁ ପନ୍ଦରଶ ଟଙ୍କା । ସେ ଯିବାବେଳେ କାରବାରଟା ମୋତେ ଦେଇ କହିଗଲେ–‘‘ଯାହାଙ୍କର ଯାହା ପାଉଣା ଅଛି, ତାହା ପରିଶୋଧ କରି ଯାହା ଲାଭ ହେବ ତୁ ନେବୁ ।’’ ସେ ଜଣେ ଦେବତା ପରି ଲୋକ ଅଜା । ମୁଁ ଆଠ ମାସ କାରବାର ଚଳାଇ ଦେଣା ସାଢେ ତିନି ହଜାରଶୁଝିଦେଇ ଦୁଇ ହଜାର ଲାଭ ପାଇଥିଲି । ଭାବିଛି ଦଶମାଣ ଜମିରେ ଧୁତୁରାଚାଷ କରିବି, ସେଥିରେ ଭାରି ଲାଭ ।’’ ବୃଦ୍ଧ ଏହା ଶୁଣି ନାତିକୁ କୋଳକୁ ଟାଣିନେଇ କହିଲେ–‘‘ଏତେ ବୁଦ୍ଧି ତୋର ହେଲାଣି ରେ ଭାଇ, ଆମର ଭୂମି ନାହିଁ ନା ବାଡ଼ି ନାହିଁ; ଦଶମାଣ କାହିଁକି ବାଟିଏ ନେଇ ଧୁତୁରା ଚାଷ କରିବୁ କି କଅଣ କରିବୁ–ଯାହା ତୋ ଇଚ୍ଛା ତାହା କର ।’’ ଗୋପଳ କହିଲା–‘‘ନା, ଏକାଳରେ ତମକୁ ଛାଡ଼ି ଆଉ କୁଆଡ଼େ ଯିବିନାହିଁ । ’’

 

ମେନକା ଆଉ ଗୋପାଳକୁ ଦେଖା ଦିଏନାହିଁ, ଲୁଚି ଲୁଚି ବୁଲେ । ଦିନେ ଗୋପାଳ କନକ ପାଖରେ ଫେରାଦି ଦେଇ କହିଲା–‘‘ଦେଖ ମାଇଁ, ତୋ ଝିଅ ପୋଡ଼ାମୁହିଁର ଗୁଣ । ସେ ମୋତେ କଥା କହୁନାହିଁ–ଲାଜ କରୁଛି ।’’ କନକ ହସିକରି କହିଲା–‘‘ସାନ ହୋଇଥିଲା, ଏକାସାଙ୍ଗରେ ଖେଳୁଥିଲା, ଏବେ ବଡ଼ ହେଲା, ମାଇକିନିଆ ଝିଅ, ଲାଜ କରିବ ନାହିଁ ନା ବାପ । ଗୋପାଳ ହସିଦେଇ ଚାଲିଗଲା; ମାତ୍ର ମନେ ମନେ ଭାବିଲା–‘‘ଏ କଅଣ ? ସେଦିନ ତ ଅଜା ବି ଏପରି ଆଭାସ ଦେଇଥିଲେ । ତେବେ କଅଣ ମେନକା ସାଙ୍ଗରେ ମୋର ବିବାହ ହେବ ? ତାହାହେଲେ ଭଲ ହେବ, ଦେଖାଯାଉ କି ରହସ୍ୟ ।’’ ତହିଁ ଆରଦିନ ବୃଦ୍ଧ ଗୋପାଳକୁ ପାଖରେ ବସାଇ ସ୍ନେହ-ମଧୁର କଣ୍ଠରେ କହିଲେ–‘‘ଗୋଟିଏ କଥା କହିବି ଗୋପାଳ, କହ ତାହା ରଖିବୁ !’’ ଗୋପାଳ କହିଲା, ‘‘ତୁମ୍ଭ ଆଜ୍ଞା ମୋର ଶିରୋଧାର୍ଯ୍ୟ । ଦେବଆଜ୍ଞା କିଏ ଉଲଙ୍ଘନକରି ପାପ ଅର୍ଜନ କରିବାକୁ ସାହାସ କରିବ ?’’ ବୃଦ୍ଧ ଆନନ୍ଦିତ ହୋଇ କହିଲେ–‘‘ମୋର ଆସି ଶେଷ ଅବସ୍ଥା ଉପସ୍ଥିତ, କେତେବେଳେ ଆହ୍ୱାନ ଆସିବ କିଏ କହିପାରେ ? ମୋର ଇଚ୍ଛା, ମେନକା ସଙ୍ଗରେ ତୋର ହାତଛନ୍ଦା ଶୀଘ୍ର କରି ପକାଇବି । ତାର ଏତିକି ସୁଖ ଦେଖିଲେ ମୁଁ ଯେ କି ଆନନ୍ଦ ଲାଭ କରିବି, ତାହା କରିପାରୁ ନାହିଁ । ମୋର ଶେଷ ଇଚ୍ଛା, ତୁ ପୂର୍ଣ୍ଣ କରିବୁ ?’’ ଗୋପାଳ ଅବିଚଳିତ କଣ୍ଠରେ କହିଲା–‘‘ଗୁରୁଜନଙ୍କ ଇଚ୍ଛାରେ କିଏ ବାଧା ଦେବ ? ତୁମ୍ଭର ଇଚ୍ଛା ତୁମ୍ଭେ ସ୍ୱଚ୍ଛନ୍ଦରେ ପୂର୍ଣ୍ଣ କରିପାରିବ । ତୁମ୍ଭର ଗୋପାଳ ତୁମ୍ଭର ଅବାଧ୍ୟ ହେବ ନାହିଁ । ମୋର ମତ ନେବାରେ ତୁମ୍ଭର ଦରକାର କଅଣ ? ବୋଧହୁଏ କାଳୀ କନ୍ୟା ବୋଲି ମୁଁ କାଳେ ମନା କରିବି–ଏହି ଆଶଙ୍କା ? ନା ନା, ସେ ଭୟ ନାହିଁ, ଗୋରୀ କନ୍ୟା ଦେବୀ ଆଉ କାଳୀ କନ୍ୟା ରାକ୍ଷସୀ ନୁହେ କିମ୍ୱା କାଳୀ କନ୍ୟା ଭାତ ରାନ୍ଧିଲେ ସେ ଭାତ କଳା ହୋଇଯିବ ନାହିଁ । ମୁଁ ମନୁଷ୍ୟ ହୋଇ ମନୁଷ୍ୟକୁ କଳାରୂପ ପାଇଁ ଘୃଣା କରିପାରିବି ନାହିଁ ।’’ ବୃଦ୍ଧ ଏହା ଶୁଣି ଆନନ୍ଦରେ ଅଧୀର ହୋଇ ଗୋପାଳ ମୁଣ୍ଡରେ ହାତ ରଖି କହିଲେ ‘‘ମୁଁ ଆଶୀର୍ବାଦ କରୁଛି, ତୁ ଦୀର୍ଘଜୀବୀ ହୋଇ ପ୍ରକୃତ ମନୁଷ୍ୟତ୍ୱ ରୂପ ମହାର୍ହ ଭୂଷଣରେ ମଣ୍ଡିତ ହୋ, ଆଉ ଧର୍ମରେ ତୋର ମତି ଅଚଳା ହେଉ ।’’ ବୃଦ୍ଧ ଉଠିଯାଇ ଝିଅକୁ ଏ ଶୁଭସମ୍ୱାଦ ଜଣାଇଲେ । ଜାନକୀର ଆନନ୍ଦର ସୀମା ରହିଲା ନାହିଁ । ବୃଦ୍ଧ ସେହି ଦିନ ବିବାହର ଲଗ୍ନ ଧରାଇ ଉଦ୍‌ଯୋଗ ଆୟୋଜନରେ ଶତହସ୍ତ ହୋଇ ଆତ୍ମନିୟୋଗ କଲେ ।

 

ଯଥାସମୟରେ ଶୁଭ ବିବାହ ନିର୍ବିଘ୍ନରେ ସମ୍ପନ୍ନ ହୋଇଗଲା । ବରକନ୍ୟା ବେଦୀରୁ ଉଠି ‘‘ଶୀତଳତୁଣ୍ଡି’’ କରିବାକୁ ଯିବା ସମୟରେ ବୁଦ୍ଧ ଖଣ୍ଡିଏ କାଗଜ ଆଣି ଗୋପାଳ ହାତରେ ଗୁଞ୍ଜିଦେଇ କହିଲେ, ‘ଏ ମୋର ନାତି-ନାତୁଣୀବୋହୂଙ୍କର ମୁହାଁଚୁହାଁ ।’ ଗୋପାଳ କାଗଜର ଭାଙ୍ଗ ଫିଟାଇ ଦେଖିଲା, ତାହା ଅଜାଙ୍କର ଉଇଲ । ସେଥିରେ ଲେଖାଥିଲା, ‘‘ମୁଁ ମୋର ସମସ୍ତ ସ୍ଥାବରାସ୍ଥାବର ସମ୍ପତ୍ତି ମୋର ଦୌହିତ୍ର ଶ୍ରୀମାନ୍‌ ଗୋପାଳକୁ ସ୍ୱଇଚ୍ଛାରେ ଦାନ କରିଗଲି ।’’ ଗୋପାଳ ପଢ଼ିସାରି ହସି ହସି କହିଲା, ‘‘ନା ଅଜା, ମୁଁ ବୁଲା ଫକୀରଟା ଏହାକୁ ନେଇ କଣ କରିବି-?’’ ଏ କଥାର ଖୁଞ୍ଚଟିକ ବୃଦ୍ଧ ମନେ ମନେ ବୁଝିଲେ; ମାତ୍ର ତାଙ୍କ ସ୍ନେହପ୍ରବଣ ହୃଦୟରେ ତାହା ସ୍ଥାନ ପାଇଲାନାହିଁ । ସେ ହସିକରି କହିଲେ, ‘‘ନା, ଭାଇ, ତୁ ଏବେ ବୁଲା ଫକୀର ନୋହୁ- ଭୁଲା ଅମିର । ବୁଲା ଫକୀର ଅନେକ ଦିନରୁ ଦେଶାନ୍ତର ହୋଇ ଗଲାଣି ।’’ ଗୋପାଳ ମେନକା ଦୁହେଁଯାକ ବୃଦ୍ଧଙ୍କର ପଦରଜ ତୀର୍ଥରେଣୁ ପରି ମସ୍ତକରେ ଲଗାଇଲେ । ବୃଦ୍ଧ ସେ ଦୁହିଁଙ୍କ ମସ୍ତକରେ ହସ୍ତ ସ୍ଥାପନ କରି ଆଶୀର୍ବାଦ କଲେ–‘‘ବିଶିଷ୍ଟ ଅରୁନ୍ଧତୀ ପରି ହୋଇଥାଅ ।’’

Image